ଡଙ୍କାରୀ ପାହାଡ଼ ମାମଲା: ଏନଜିଟିଙ୍କ ନିର୍ଦେଶ ଉପରେ ରହିତାଦେଶ

0

ନୂଆଦିଲ୍ଲୀ: ଡଙ୍କାରୀ ପାହଡର ଜଙ୍ଗଲ ଜମିରେ ବେଆଇନ ଖଣି ଖନନ ଓ ଉତ୍ତୋଳନ ପ୍ରସଙ୍ଗରେ ଜାତୀୟ ଗ୍ରୀନ ଟ୍ରାଇବୁନାଲଙ୍କ ନିର୍ଦେଶନାମା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆଜି ମାମଲାର ଶୁଣାଣି କରି ବିଚାରପତି ରୋହିଙ୍ଗଟନ ଫଲି ନରିମାନ ଓ ବିଚାରପତି ନବୀନ ସିହ୍ନାଙ୍କ ଖଣ୍ଡପୀଠ ରାଜ୍ୟ ସରକାର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଏନଜିଟିରେ ପିଟିସନକାରୀ ସର୍ବେଶ୍ୱର ବେହେରାଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ଶୁଣାଣି ବେଳେ ପିଟିସନକାରୀ ଶ୍ରୀବତ୍ସ ଜେନାଙ୍କ ଓକିଲ ପି ଏନ ମିଶ୍ର ଦର୍ଶାଇଥିଲେ ଏନଜିଟି ଦିଲ୍ଲୀ ପ୍ରଧାନପୀଠଙ୍କ ଗତ ୩୧ ଅଗଷ୍ଟର ନିର୍ଦେଶନାମା ଏକପାଖିଆ। ପ୍ରତିପକ୍ଷଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଏନଜିଟି ରାୟ ପ୍ରଦାନ କରିଥିଲେ। ଏନଜିଟିଙ୍କ ନିର୍ଦେଶନାମା ଉପରେ ରହିତାଦେଶ ଜାରି କରିବାକୁ ଆଡଭୋକେଟ ମିଶ୍ର କୋର୍ଟଙ୍କୁ ନିବେଦନ କରିଥିଲେ।
ପୂର୍ବରୁ ଯାଜପୁର ଜିଲା ଡଙ୍କାରୀ ପାହଡ଼ ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନକୁ ବନ୍ଦ କରିବା ପାଇଁ ସର୍ବେଶ୍ୱର ବେହେରାଙ୍କ ତରଫରୁ ଆଗତ ମାମଲାର ଶୁଣାଣି କରି ଏନଜିଟି ରାଜ୍ୟ ଜଙ୍ଗଲ ଓ ପରିବେଶ ସଚିବଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଏକ ଟିମ ଏକ ମାସ ମଧ୍ୟରେ ଡଙ୍କାରୀ ପାହାଡ଼ ଅଞ୍ଚଳ ପରିଦର୍ଶନ କରି ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।
ଅଭିଯୋଗକାରୀ ଶ୍ରୀ ବେହେରା ଦର୍ଶାଇଥିଲେ ଯେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶ୍ରୀବତ୍ସ ଜେନାଙ୍କୁ ୪୧.୫୦ ଏକର ପରିମିତ ଜଙ୍ଗଲ ଜମିରେ ଗ୍ରାନାଇଟ ଖାଦାନ ଚଳାଇବା ପାଇଁ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ଅନୁମତି ମିଳିଥିଲା। ତେବେ ୨୦୧୩ରୁ ୨୦୧୭ ମଧ୍ୟରେ କୌଣସି ନିଲାମ ହୋଇ ନ ଥିବା ବେଳେ ସେଠାରେ ଉତ୍ତୋଳନ କାର୍ଯ୍ୟ ଜାରି ରହିଥିଲା। ଉତ୍ତୋଳନ ପାଇଁ ଜଙ୍ଗଲ ଓ ପରିବେଶ ଅନୁମତି ମଧ୍ୟ ମିଳି ନ ଥିଲା। ଅନ୍ୟ ପକ୍ଷରେ ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ କୌଣସି ଲିଜଧାରୀ ୱାଗନ ବ୍ଲାଷ୍ଟିଂ ଚଳାଇପାରିବେ ନାହିଁ, ଏପରିକି ବିନା ପରିବେଶ ମଞ୍ଜୁରିରେ ଖାଦାନ ଚଳାଯାଇପାରିବ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ନିର୍ଦେଶ ଦେଇଥିଲା। ଦୂଷିତ ପାଣି ଓ ପ୍ରଦୂଷଣ ଯୋଗୁଁ ରୋଗ ବ୍ୟାପିବାରୁ ଡାକ୍ତରୀ ଟିମ ଘଟଣାସ୍ଥଳ ପରିଦର୍ଶନ କରି ରୋଗ ନିୟନ୍ତ୍ରଣ କରିଥିଲେ। ସେହିପରି ଚଣ୍ଡୀଖୋଲରେ ପ୍ରସ୍ତାବିତ ତୈଳ ସଂରକ୍ଷଣ ପ୍ରକଳ୍ପର ପାଞ୍ଚ ଶହ ମିଟର ପରିଧି ମଧ୍ୟରେ ଖାଦାନ ବନ୍ଦ କରିବାକୁ କେନ୍ଦ୍ର ସରକାର ଚିଠି ଲେଖି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ସ୍ଥାନୀୟ ପ୍ରଶାସନ ବେଆଇନ ଖଣି ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ଖଣି ଖନନ ଓ ଉତ୍ତୋଳନ ବନ୍ଦ ହୋଇ ନାହିଁ ବୋଲି ଏନଜିଟିରେ ଶ୍ରୀ ବେହେରା ଅଭିଯୋଗ କରିଥିଲେ।

Leave A Reply