ଜମି ପାଇଁ ଗାଁରୁ ବାସନ୍ଦ: ପରିବାର ଥାନାର ଦ୍ୱାରସ୍ଥ

0

ଚନ୍ଦନପୁର: ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ସବୁ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ହେଲେ କେତେକ ମୁଷ୍ଟିମେୟ ବ୍ୟକ୍ତିବିଶେଷ ନିଜ ସ୍ୱାର୍ଥସାଧନ ପାଇଁ ଅନ୍ୟକୁ ସାମାଜିକ ବାସନ୍ଦ ସ୍ୱରୂପ ଶାରିରୀକ ଓ ମାନସିକ ନିର୍ଯାତନା ଦେବାକୁ ପଛାଇନଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ବ୍ଳକ ଅନ୍ତର୍ଗତ ପ୍ରତାପ ପୁରୁଷୋତମପୁର ପଞ୍ଚାୟତର ନାକୁଆପଡା ଗ୍ରାମରେ। ଜନୈକ ବ୍ୟକ୍ତିଙ୍କ ଜମି କିଣିବାକୁ କେନ୍ଦ୍ରକରି ନାକୁଆପଡାର ଲକ୍ଷ୍ମୀଧର ବରାଳ(୪୫) ଗ୍ରାମର କେତେକ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଯାହା ଫଳରେ ଚଳିତ ମାସ ୨୧ତାରିଖ ଠାରୁ ଲକ୍ଷ୍ମୀଧରଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ସହିତ ମନ୍ଦିରକୁ ଯିବାରେ ବାରଣ କରିବା, ଦୋକାନ ବଜାରରୁ ସଉଦା ନ ଦେବା,ଗ୍ରାମର କୌଣସି ବ୍ୟକ୍ତି ତାଙ୍କ ସହିତ କଥା ହେଲେ ୫୦ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଗ୍ରାମ ଦାଣ୍ଡରେ ଘଣ୍ଟ ବାଡେଇ ଘୋଷଣା କରାଯାଇଛି। ପୁଲିସ ସୂଚନା ଅନୁସାରେ, ୨୦୦୨ମସିହାରେ ସୁରେନ୍ଦ୍ର ଶତପଥି ଓ ଦେବେନ୍ଦ୍ର ଶତପଥିଙ୍କ ଠାରୁ ଏକ ଜମି କିଣିବା ପାଇଁ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ୧ଲକ୍ଷ ୧୦ହଜାର ଟଙ୍କା ଅଗ୍ରୀମ ଲକ୍ଷ୍ମୀଧରଙ୍କ ପକ୍ଷରୁ ଦିଆଯାଇଥିଲା।
ଏହି ଘଟଣାକୁ କେନ୍ଦ୍ର କରି ନାକୁଆପଡା ଗ୍ରାମର କେତେଜଣ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଛି। ଗ୍ରାମବାସୀଙ୍କୁ ଅବଗତ ନକରି କିପରି ଜମି କିଣିବାକୁ ସାହସ କଲ ବୋଲି ଲକ୍ଷ୍ମୀଧରଙ୍କୁ ସେମାନେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଛନ୍ତି। ଜମି କିଣିବାର ପରିଣାମ ସ୍ୱରୁପ ଉପରୋକ୍ତ ବ୍ୟକ୍ତିମାନେ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ଏକତ୍ରିତ କରି ଲକ୍ଷ୍ମୀଧରଙ୍କ ପରିବାରକୁ ଘଣ୍ଟ ବାଡେଇ ସାମାଜିକ ବାସନ୍ଦ କରିବା ସହିତ ସର୍ବସାଧାରଣ ସ୍ଥାନକୁ ଯିବାକୁ ବାରଣ କରିଛନ୍ତି। ଯାହା ଫଳରେ ଲକ୍ଷ୍ମୀଧରଙ୍କ ପରିବାର ଏହି ସାମାଜିକ ଆକ୍ରୋଶର ଶିକାର ହୋଇ ଗତ ୨ଦିନ ଧରି ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଭୋଗ କରୁଛନ୍ତି। ଏ ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷ୍ମୀଧର ବରାଳଙ୍କ ପକ୍ଷରୁ ଚନ୍ଦନପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଅନୁସନ୍ଧାନ ଚଳାଇଛି।

Leave A Reply