ଜନ୍ମଦିନ ଭୋଜି ଦେଇ କରୋନା ନିମନ୍ତ୍ରଣ: ପ୍ରାଣ ହରାଇଲେ ହୀରା ବ୍ୟବସାୟୀ

ହାଇଦ୍ରାବାଦରେ ହଇଚଇ: ଭୋଜିରେ ଉପସ୍ଥିତ ଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ନିଜର ୬୩ତମ ଜନ୍ମଦିନ ଭୋଜି ଦେବାର ଦୁଇଦିନ ପରେ  ଜଣେ ବିଶିଷ୍ଟ ହୀରା ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ପୁରା ସହରରେ କୋକୁଆ ଭୟ । ଏହି ଭୋଜିରେ ସହରର ଜୁଏଲାରୀ ଆସୋସିଏସନର ପ୍ରାୟ ୧୫୦ ସଦସ୍ୟଙ୍କ ସହ କ୍ଷମତାସୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ର କିଛି ପ୍ରଭାବଶାଳୀ ନେତା ମଧ୍ୟ ଯୋଗ ଦେଇଥିଲେ । ତେଣୁ ସହରରେ ସଂକ୍ରମଣ ବ୍ୟାପିବା ଭୟରେ ପ୍ରଶାସନ ଭୋଜିରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛି । ଏହି ବ୍ୟବସାୟୀଙ୍କ ସହ ଗତ ୫ ଦିନ ମଧ୍ୟରେ ୨ ଜଣ ଗହଣା ବ୍ୟବସାୟୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ତେଲୁଗୁ ଚଳଚ୍ଚିତ୍ରର ଅନ୍ୟତମ ଖ୍ୟାତନାମା ନିର୍ଦେଶକ ପି.ରାମା ରାଓ ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ ।

ଦୁଇ ସପ୍ତାହ ତଳେ ଶୁକ୍ରବାର ଦିନ  ଏହି ଜନ୍ମଦିନ ଭୋଜି ଆୟୋଜିତ ହୋଇଥିଲା । ଏଥିରେ ବହୁ ନାମୀଦାମୀ ବ୍ୟକ୍ତିଙ୍କ ସହ ତାଙ୍କ ପରିବାର ସଦସ୍ୟ, ଜୁଏଲାରୀ ଆସୋସିଏସନ ସହ ସମ୍ପୃକ୍ତ ବହୁ ବ୍ୟକ୍ତି , ତେଲେଙ୍ଗାନା ରାଷ୍ଟ୍ର ସମିତିର ବହୁ ନେତା ଯୋଗ ଦେଇଥିଲେ । ଏହାର୧୦ ଦିନ ପରେ ହିମାୟତ ନଗର ଅଞ୍ଚଳରେ ଏକ ଜୁଏଲାରୀ ଦୋକାନର ମାଲିକ କରୋନାରେ ପ୍ରାଣ ହରାଇଲେ । ଏହାର ଆଉ ଦୁଇଦିନ ପରେ ଜନ୍ମଦିନ ଭୋଜି ଦେଇଥିବା ଏହି ବ୍ୟବସାୟୀ ମୃତ୍ୟୁବରଣ କରିଛନ୍ତି ।

ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଜନ୍ମଦିନ ଭୋଜିର ୩ ଦିନ ପରେ ଜଣେ ଜୁଏଲାରୀ ବ୍ୟବସାୟୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ପରେ ଏହି ଘଟଣା ଜଣା ପଡ଼ିଥିଲା।

Comments are closed.