ଘରୋଇ ବିମାନ ଯାତ୍ରା ପାଇଁ ମୁଖ ଚିହ୍ନଟ ବ୍ୟବସ୍ଥା ଖୁବ୍‍ ଶୀଘ୍ର

0

ନୂଆଦିଲ୍ଲୀ: ଘରୋଇ ବିମାନ ଯାତ୍ରା ବେଳେ ଆଉ ପରିଚୟ ପତ୍ର କିମ୍ବା ବୋର୍ଡିଂ ପାସ ଆବଶ୍ୟକ ନାହିଁ। କେବଳ ଯାତ୍ରୀଙ୍କ ମୁଖରୁ ସେମାନଙ୍କ ପରିଚୟ ଚିହ୍ନି ହେବ। ଏଭଳି ଏକ ବୈଷୟିକ ଜ୍ଞାନକୌଶଳ ଭାରତୀୟ ବିମାନ ବନ୍ଦରରେ କାର୍ଯ୍ୟକାରୀ ହେବାକୁ ଯାଉଛି।
ଘରୋଇ-ସରକାରୀ ସହଭାଗିତାରେ ହେବାକୁ ଥିବା ଏହି ବ୍ୟବସ୍ଥା ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ, ବାରାଣସୀ, ବିଜୟୱାଡା, ପୁନେ ଓ କଲକାତାରେ କାର୍ଯ୍ୟକାରୀ ହେବ। ସଫଳତା ଆଧାରରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ବିମାନ ବନ୍ଦରରେ ଏହି କୌଶଳ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାରଙ୍କ ‘ଡିଜିଯାତ୍ରା’ ଅଭିଯାନ ଅଧୀନରେ ଆସନ୍ତା ୬ ମାସ ମଧ୍ୟରେ ଏହି ପଦ୍ଧତି କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ଲୋକଙ୍କ ପରିଚୟ ଚିହ୍ନଟ କରିବାରେ ମୁଖ ଚିହ୍ନଟ ପ୍ର୍ରକ୍ରିୟା ସବୁଠାରୁ ବିଶ୍ୱସନୀୟ ଓ ସଠିକ୍‍। ଏପରିକି ଦୁର୍ଘଟଣାରେ ଯଦି କୌଣସି ବ୍ୟକ୍ତିଙ୍କ ମୁଖକୁ ବ୍ୟାଣ୍ଡେଜ୍‍ ଦ୍ୱାରା ଆବୃତ କରାଯାଇଥାଏ ତେବେ ବି ତାଙ୍କର ପରିଚୟ ଚିହ୍ନଟ ହୋଇପାରିବ। ଏହି ସୁବିଧା ପାଇବା ପାଇଁ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱେବ୍‍ସାଇଟ୍‍ରେ ପଞ୍ଜିକରଣ କରିବାକୁ ପଡ଼ିବ। ପରିଚୟ ପ୍ରମାଣ ପତ୍ର ହିସାବରେ ପାସପୋର୍ଟ, ଆଧାର ଓ ଡିଏଲ୍‍ ଦେବାକୁ ପଡ଼ିବ। ପ୍ରଥମ ଯାତ୍ରା ବେଳେ ମୁଖକୁ ସ୍ମାନ୍‍ କରିବାକୁ ପଡ଼ିବ। ଏହାପରେ ପ୍ରତି ୫ ବର୍ଷରେ ଥରେ ବ୍ୟକ୍ତିଙ୍କ ମୁଖର ସ୍ଥିତି ଓ ଚିତ୍ର ନବୀକରଣ କରିବାକୁ ପଡ଼ିବ ।

Leave A Reply