ଗୁରୁବାର ଭାରତ-ଆମେରିକା ଶୀର୍ଷ ବୈଠକ

0

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଆସନ୍ତା ଗୁରୁବାର ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବିଭିନ୍ନ କାରଣରୁ ଦୁଇ ଦୁଇ ଥର ବୈଠକ କାର୍ଯ୍ୟକ୍ରମ ବାତିଲ୍‍ ହୋଇଥିଲା। ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ଏବଂ ଆମେରିକା ପକ୍ଷରୁ ପରାରାଷ୍ଟ୍ର ସଚିବ ମାଇକ୍‍ ପମ୍ପେଓ ଓ ପ୍ରତିରକ୍ଷା ସଚିବ ଜିମ୍‍ ମାଟିସ୍‍ ବୈଠକରେ ପ୍ରତିନିଧିତ୍ୱ କରିବେ। ବୈଠକରେ ବିଶେଷକରି ପ୍ରତିରକ୍ଷା ପ୍ରସଙ୍ଗ ଓ ଚୀନ୍‍ର ବାଣିଜ୍ୟ ନୀତି ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
ବୈଠକରେ କମ୍ୟୁନିକେସନ୍‍ କମ୍ପାଟିିବିଲିଟି ଆଣ୍ଡ ସିକ୍ୟୁରିଟି ଏଗ୍ରିମେଣ୍ଟ ବିଷୟକୁ ଆମେରିକା ପୁନଃ ଉତ୍‍ଥାପନ କରିପାରେ। ଦୀର୍ଘ ଦିନରୁ ଏହି ଚୁକ୍ତି ପାଇଁ ଆମେରିକା ଅନୁରୋଧ କରି ଆସୁଥିବା ବେଳେ ଭାରତ ତାହାକୁ ଏଡ଼ାଇ ଯାଇଛି। ଏତଦ୍‍ବ୍ୟତୀତ ଅତ୍ୟାଧୁନିକ ଉପଗ୍ରହ ଭିତ୍ତିକ ତଥ୍ୟ ଆଦାନପ୍ରଦାନ ପାଇଁ ବେସିକ୍‍ ଏକ୍ସଚେଞ୍ଜ ଆଣ୍ଡ କୋଅପରେସନ୍‍ ଏଗ୍ରିମେଣ୍ଟ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ହୋଇପାରେ। ଭାରତ ପାଇଁ ଆମେରିକା ଦ୍ୱିତୀୟ ସର୍ବବୃହତ୍‍ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଥିବା ବେଳେ ଏହି କ୍ଷେତ୍ରରେ ବାଣିଜ୍ୟ କାରବାର ତ୍ୱରାନ୍ୱିତ କରିବାକୁ ଚାହୁଁଛି। ସେହିପରି ଖୁôବ୍‍୍‍ଶୀଘ୍ର ଭାରତ ଓ ଆମେରିକାର ଜଳ, ସ୍ଥଳ ଓ ଆକାଶବାହିନୀ ମିଳିତ ଭାବେ ବୃହତ୍‍ ସମରାଭ୍ୟାସ କରିବେ ବୋଲି ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।
ଆମେରିକାର କଟକଣା ଓ ଚେତାବନୀ ସତ୍ତେ୍ୱ ଭାରତ ଇରାନ୍‍ରୁ ତୈଳ ଆମଦାନି ଜାରି ରଖିଥିବା ବେଳେ ରୁଷଠାରୁ ପ୍ରତିରକ୍ଷା ଓ ସାମରିକ ଉପକରଣ କିଣିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ତେଣୁ ଭାରତକୁ ନିଜ ପଟକୁ ଆଣିବା ପାଇଁ ଆମେରିକା ବୈଠକରେ କୋହଳ ମନୋଭାବ ପୋଷଣ କରିପାରେ ବୋଲି କୂଟନୀତିଜ୍ଞମାନେ ଅନୁମାନ କରିଛନ୍ତି। ଏଥିସହିତ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚୀନର କ୍ରମବର୍ଦ୍ଧିଷ୍ଣୁ ଆଧିପତ୍ୟକୁ ପ୍ରତିହତ କରିବା ଲାଗି ଭାରତ ପ୍ରତି ଆମେରିକା କୋହଳ ମନୋଭାବ ପୋଷଣ କରିପାରେ ବୋଲି କୁହାଯାଉଛି।

Leave A Reply