କୋମାରେ ଗୁଣୁପୁର ବିଦ୍ୟୁତ ବିଭାଗ,ଲୋକେ ହନ୍ତସନ୍ତ

ରାୟଗଡା ଜିଲା ଗୁଣୁପୁର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଏବେ କୋମାରେ। ଦୀର୍ଘ ବର୍ଷ ଧରି ଏଠାରେ ଲାଗି ରହିଛି ବିଦ୍ୟୁତ ଯୋଗାଣ ସମସ୍ୟା। ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଓ ଅପ ଡାଉନ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ ଚୁପ ହୋଇ ନିଦାବିଷ୍ଣୁ ଭଳି ବସିରହୁଛି। ଏଠି ବିନା ବର୍ଷା ପବନ ରେ ଗଛ ପଡ଼ିଯାଏ, ତାର ବି ଛିଣ୍ଡି ଯାଏ। ଆଉ ଦୈବାତ ବର୍ଷା ପବନ ହେଲେ କଥା ସରିଲା। ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିନ ସାରା ଲାଇନ ଅପଡାଉନ ଲାଗି ରହିଥିବା ବେଳେ ସନ୍ଧ୍ୟା ହେବା ମାତ୍ରକେ ଲାଇନ କାଟି ଚୁପଚାପ ବସି ରହୁଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟକୁ ଯୋଗାଯୋଗ କଲେ ଷ୍ଟାଣ୍ଡ ହେଉନି, ଗଛ ଲାଗି ଯାଇଛି, ମେନ ଲାଇନ ଖରାପ ଅଛି ଏମିତି ଉତ୍ତର ମିଳୁଛି। ଏଠି ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ। ପ୍ରତି ମାସରେ ମେଣ୍ଟେନେନ୍ସ କହି ୧୨ ଘଣ୍ଟା ଲାଇନ କଟାଯାଉଛି। ପୁଣି ଗଛ କାଟିବା ନା ରେ ବି ଲାଇନ କଟାଯାଉଛି। ତେବେ ବି ସବୁଦିନେ କେମିତି ଗଛ ଲାଗି ଲାଇନ ଷ୍ଟାଣ୍ଡ ହେଉନି ? ଗଛ ଟିକେ ହଲିଗଲେ ତାର ଛିଣ୍ଡି ଯାଉଛି ତ ଜଂପର ବି ଛିଣ୍ଡି ଯାଉଛି। ତାହା ହେଲେ କଣ ନିମ୍ନ ମାନର ତାର ସବୁ ଲାଗିଛି, ଏହା ଲୋକଙ୍କ ଜୀବନ ସହ ଖେଳ ନୁହେଁ କି ? ସହର ନିକଟରେ ରହିଥିବା ଗ୍ରାମବାସୀ ମାନେ ଲାଇନ ଠିକ ଥାଇ ସେବାରୁ ବଞ୍ଚିତ ହେବାର କାରଣ କଣ ? ଅନ୍ୟପକ୍ଷରେ ବିଜୁଳି ବିଲ ଯେପରି ହୁହୁ ହୋଇ ବଢି ଚାଲିଥିବା ବେଳେ ସେ ତୁଳନାରେ ସେବା କାହିଁକି ଉପଭୋକ୍ତାଙ୍କୁ ଯୋଗାଇ ଦେବାରେ ବିଭାଗ ବିଫଳ ? ଏଠାରେ ଏତେ ବଡ଼ ଡିଭିଜନ ଥାଇ ବି କର୍ମଚାରୀଙ୍କ ଘୋର ଅଭାବ ସାଙ୍ଗକୁ କିଛି କର୍ମଚାରୀ ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ଆସ୍ଥାନ ଜମେଇ ପଡି ରହିଛନ୍ତି। ଯାହା ଫଳରେ ଅଭିଯୋଗ କଲେ ମଧ୍ୟ ଦେହସୁଆ ହେଇ ଯାଉଥିବା ସାଧାରଣ ଲୋକେ ଆଲୋଚନା କରୁଛନ୍ତି। ତେଣୁ ତୁରନ୍ତ ବିଜୁଳି ଯୋଗାଣ ସମସ୍ୟା ସମାଧାନ ର ରାସ୍ତା ବାହାର ନ କଲେ ଆଗାମୀ ଦିନରେ କାର୍ୟ୍ୟାଳୟ ଘେରାଉ ସହ ବିଜୁଳି ଦେୟ ପୈଠ କରିବୁ ନାହିଁ କି, ବିଭାଗୀୟ କର୍ମଚାରୀଙ୍କୁ ଅସହଯୋଗ କରି ଆନ୍ଦୋଳନ କରାଯିବ ବୋଲି ଚର୍ଚ୍ଚା ହେଉଛି।

Comments are closed.