କୁସ୍ତି ବିଶ୍ୱ ଚମ୍ପିଆନସିପ୍‍: ବ୍ରୋଞ୍ଜ୍‍ ପଦକ ଜିତିଲେ ପୂଜା

0

ବୁଦାପେଷ୍ଟ: ଏଠାରେ ଆୟୋଜିତ କୁସ୍ତି ବିଶ୍ୱ ଚମ୍ପିଆନସିପ୍‍ର ମହିଳା ୫୭ କେଜି ଓଜନ ବର୍ଗରେ ଭାରତ ନିମନ୍ତେ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି ପୂଜା। ବ୍ରୋଞ୍ଜ୍‍ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‍ରେ ପୂଜା ୨୦୧୭ର ୟୁରୋପିଆନ୍‍ ଚମ୍ପିଆନ୍‍ ଗ୍ରେସ୍‍ ଜାକବ ବୁଲେନ୍‍ଙ୍କୁ ୧୦-୭ ପଏଣ୍ଟରେ ପରାସ୍ତ କରିଥିଲେ। ବିଶ୍ୱ ଚମ୍ପିଆନସିପ୍‍ରେ ପଦକ ଜିତିବାରେ ପୂଜା ହେଉଛନ୍ତି ୪ର୍ଥ ଭାରତୀୟ ମହିଳା ମଲ୍ଲଯୋଦ୍ଧା।
ପୂଜା ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରି କ୍ରମାଗତ ଭାବେ ଉଭୟ ରାଉଣ୍ଡରେ ୪ ଲେଖାଏଁ ପଏଣ୍ଟ ହାସଲ କରି ବ୍ରୋଞ୍ଜ୍‍ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଏହା ପୂଜାଙ୍କ କ୍ୟାରିୟରର ଦ୍ୱିତୀୟ ବଡ଼ ପଦକ। ପୂର୍ବରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ସୂଚନାଥାଉକି ମହିଳା ମଲ୍ଲଯୋଦ୍ଧା ଭାବେ ୨୦୦୬ରେ ଅଲକା ତୋମର, ୨୦୧୨ରେ ଗୀତା ଓ ବବିତା ବିଶ୍ୱ ଚମ୍ପିଆନସିପ୍‍ରେ ଭାରତ ପାଇଁ ପଦକ ଜିତିଥିଲେ। ଚଳିତ ବିଶ୍ୱ ଚମ୍ପିଆନସିପ୍‍ର ପୁରୁଷ ୬୫ କେଜି ବିଭାଗରେ ବଜରଙ୍ଗ ପୁନିଆ ରୌପ୍ୟ ପଦକ ଜିତିଛନ୍ତି। ନିଜ ପ୍ରତିକ୍ରିୟାରେ ପୂଜା କହିଥିଲେ ଦେଶ ପାଇଁ ପଦକ ଜିତିଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। ଆଗାମୀ ଦିନରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି।
ଅନ୍ୟପକ୍ଷରେ ରିତୁ ଫୋଗଟ୍‍ ମହିଳା ୫୦ କେଜି ଓଜନ ବର୍ଗର ବ୍ରୋଞ୍ଜ୍‍ ପଦକ ମ୍ୟାଚ୍‍ରେ ୟୁକ୍ରେନ୍‍ର ଓକସାନା ଲିଭାଚ୍‍ଙ୍କ ଠାରୁ ୫-୧୦ ପଏଣ୍ଟରେ ପରାସ୍ତ ହୋଇଥିଲେ। ରିଓ ଅଲିମ୍ପିକ୍‍ସରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ସାକ୍ଷୀ ମଲିକ୍‍ ହଙ୍ଗେରୀର ମାରିଆନା ସାସଟିନ୍‍ଙ୍କ ଠାରୁ ୨-୩ ପଏଣ୍ଟରେ ପରାସ୍ତ ହୋଇ ପୂର୍ବରୁ ପ୍ରତିଯୋଗିତାରୁ ବାଦ୍‍ ପଡ଼ି ସାରିଥିଲେ। ଗ୍ରିକୋ ରୋମାନ୍‍ ବିଭାଗର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଭାରତୀୟ ମଲ୍ଲଯୋଦ୍ଧା ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ୫୫ କେଜିରେ ବିଜୟ, ୬୩ କେଜିରେ ଗୌରବ, ୭୨ କେଜିରେ କୁଲଦୀପ ମଲିକ ଏବଂ ୮୨ କେଜିରେ ହରପ୍ରୀତ ସିଂହ ପରାସ୍ତ ହୋଇଥିଲେ।

Leave A Reply