କୁକ୍‍ ଓ ରୁଟ୍‍ଙ୍କ ଶତକ ପରେ ଭାରତର ବିପର୍ଯ୍ୟୟ

0

ଲଣ୍ଡନ: ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଘରୋଇ ଇଂଲଣ୍ଡ। ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ଓ ଜୋ ରୁଟ୍‍ଙ୍କ ଶତକ ବଳରେ ଇଂଲଣ୍ଡ ବିଜୟୀ ହେବା ସ୍ଥିତିରେ ପହଞ୍ଚି ପାରିଛି। ଏବେ ମ୍ୟାଚ୍‍ ବଞ୍ଚାଇବା ପାଇଁ ଭାରତ ସଂଘର୍ଷ କରୁଛି। ସୋମବାର ୪ର୍ଥ ଦିନର ଚା’ପାନ ବିରତି ପରେ ଇଂଲଣ୍ଡ ୮ ୱିକେଟରେ ୪୨୩ ରନ୍‍କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ୨ୟ ଇନିଂସରେ ଭାରତକୁ ୪୬୪ ରନ୍‍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ମିଳିଛି। ଏହାର ପିଛାକରି ଭାରତ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଛି। ୪ର୍ଥ ଦିନର ଷ୍ଟମ୍ପ୍‍ ଅପସାରଣ ବେଳକୁ ଭାରତ ୨ୟ ଇନିଂସରେ ୩ ୱିକେଟ ହରାଇ ୫୮ ରନ୍‍ କରିପାରିଛି। ଶେଷଦିନରେ ଜିତିବା ପାଇଁ ଭାରତ ଆଉ ୪୦୬ ରନ୍‍ ଆବଶ୍ୟକ କରୁଛି। ଫଳରେ ଇଂଲଣ୍ଡ ୪-୧ରେ ସିରିଜ୍‍ ଜିତିବା ଆଶାରେ ରହିଛି।
୪୬୪ ରନ୍‍ ଲକ୍ଷ୍ୟରେ ଭାରତ ୨ୟ ଇନିଂସ ଆରମ୍ଭ କରିଥିଲା। ଆରମ୍ଭରୁ ଏହା ବିପର୍ଯ୍ୟୟ ଭୋଗିଥିଲା। ମାତ୍ର ୨ ରନ୍‍ରେ ଏହା ୩ଟି ୱିକେଟ ହରାଇଥିଲା। ଜେମ୍‍ସ ଆଣ୍ଡରସନ୍‍ ଗୋଟିଏ ଓଭରରେ ଶିଖର ଧାୱନ (୧) ଓ ଚେତେଶ୍ୱର ପୂଜାରା (୦)ଙ୍କୁ ଆଉଟ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ଅଧିନାୟକ ବିରାଟ କୋହଲି ବିନା ସ୍କୋର୍‍ରେ ଷ୍ଟୁଆର୍ଟ ବ୍ରଡ୍‍ଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ୧୫ ଓଭର କେ.ଏଲ୍‍. ରାହୁଲ ଓ ଅଜିଙ୍କ୍ୟ ରାହାଣେ ଆଉ ୱିକେଟ ଦେଇନଥିଲେ। ରାହୁଲ ଚମତ୍କାର ବ୍ୟାଟିଂକରି ୫୧ ବଲ୍‍ରୁ ୮ଟି ଚୌକା ସହ ୪୬ ଏବଂ ରାହାଣେ ୧୦ ରନ୍‍କରି ଅପରାଜିତ ରହିଛନ୍ତି।
୪ର୍ଥ ଦିନରେ ଆଲଷ୍ଟାୟର କୁକ୍‍ ଓ ଅଧିନାୟକ ଜୋ ରୁଟ୍‍ ମାରାଥନ୍‍ ଭାଗିଦାରୀ କରି ଇଂଲଣ୍ଡକୁ ମଜ୍‍ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଜୀବନର କୁକ୍‍ ଓ ରୁଟ୍‍ ଏହି କ୍ରମରେ ଶତକ ଅର୍ଜନ କରିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୨୫୯ ରନ୍‍ର ଭାଗିଦାରୀ କରିଥିଲେ। ତେବେ ହନୁମା ବିହାରୀ କ୍ରମାଗତ ୨ଟି ବଲ୍‍ରେ ଉଭୟ କୁକ୍‍ ଓ ରୁଟ୍‍ଙ୍କୁ ଆଉଟ କରି ଦେଇଥିଲେ। ୧୪ତମ ଟେଷ୍ଟ ଶତକ ହାସଲ କରିଥିବା ଅଧିନାୟକ ରୁଟ୍‍ ଗୋଟିଏ ଛକା ଓ ୧୨ଟି ଚୌକା ସହ ୧୨୫ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‍ରେ ଜୀବନର ଅନ୍ତିମ ଇନିଂସ ଖେଳୁଥିବା କୁକ୍‍ ଆଉଟ ହୋଇଥିଲେ। କୁକ୍‍ ୧୪ଟି ଚୌକା ସହ ୧୪୭ ରନ୍‍ କରିଥିଲେ। ଜନି ବେୟାରଷ୍ଟୋ ୧୮ ଓ ଜୋସ୍‍ ବଟ୍‍ଲର ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ପରେ ବେନ୍‍ ଷ୍ଟୋକ୍‍ସ ୩୬ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୭ ରନ୍‍କରି ଆଉଟ ହୋଇଥିଲେ। ସାମ୍‍ କରନ୍‍ ୨୧ ରନ୍‍କରି ଆଉଟ ହୋଇଥିବା ବେଳେ ଆଦିଲ ରସିଦ୍‍ ୨୦ ରନ୍‍କରି ଅପରାଜିତ ଥିଲେ। ରବୀନ୍ଦ୍ର ଜାଡ଼େଜା ଓ ହନୁମା ବିହାରୀ ୩ଟି ଲେଖାଏଁ ଏବଂ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ।

Leave A Reply