କଙ୍ଗାରୁ କୋର୍ଟ ଉପରେ ଲାଗିବ ରୋକ

0

ଭୁବନେଶ୍ୱର: ଏଣିିକି ରାଜ୍ୟର ଯେ କୌଣସି ଅଞ୍ଚଳରେ ବସୁଥିବା ଖ୍ୱାପ୍‍ ପଞ୍ଚାୟତ ବା କଙ୍ଗାରୁ କୋର୍ଟ ଉପରେ କଟକଣା ଲାଗିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏଥିଲାଗି ଗାଇଡ୍‍ ଲାଇନ୍‍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍‍ଓପି) ଜାରି କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଓ ସମସ୍ତ ଜିଲା ପ୍ରଶାସନ ଉଦ୍ଦେଶ୍ୟରେ ଜାରି ହୋଇଥିବା ଏସ୍‍ଓପିରେ ରାଜ୍ୟରେ ଅନରକିଲିଂ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।
ଏସ୍‍ଓପିର ଗାଇଡ୍‍ ଲାଇନ୍‍ ଅନୁଯାୟୀ ସମସ୍ତ ଜିଲାର ଆରକ୍ଷୀ ଅଧୀକ୍ଷକମାନେ ଅନର କିଲିଂ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବେ। ସେହି ସବୁ ଅଞ୍ଚଳରେ ଥିବା ଥାନା ଅଧିକାରୀ ଓ ସ୍ୱତନ୍ତ୍ର ପ୍ରଶାସନିିକ ଅଧିକାରୀମାନେ ଖ୍ୱାପ୍‍ ପଞ୍ଚାୟତ ଓ ଅନର କିଲିଂ ପରି ଘଟଣା ଉପରେ ତୀକ୍ଷ୍ନ ନଜର ରଖିବେ। ଅନରକିଲିଂ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବେ। ବିଶେଷକରି ଆନ୍ତଃଧର୍ମ ବିବାହ ଓ ଆନ୍ତଃ ସମ୍ପ୍ରଦାୟ ବିବାହ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବେ। ଯଦି ଖ୍ୱାପ୍‍ ପଞ୍ଚାୟତ ସମ୍ପର୍କରେ କୌଣସି ପୁଲିସ ଅଧିକାରୀ ସୂଚନା ପାଆନ୍ତି ତେବେ ତୁରନ୍ତ ତାଙ୍କ ଉପରିସ୍ଥ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚିତ କରାଇବେ। ଏହାପରେ ଏସ୍‍ପି ସେଠାରେ ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରିବେ। ଆବଶ୍ୟକ ହେଲେ ଜିଲା ପ୍ରଶାସନଠାରୁ ଅନୁମତି ନେଇ ୧୪୪ ଧାରା ଜାରି କରିପାରିବେ। ସମ୍ପୃକ୍ତ ଖ୍ୱାପ୍‍ ପଞ୍ଚାୟତ ସଦସ୍ୟ କିମ୍ବା ଗାଁ ମୁରବି ଓ ଲୋକଙ୍କ ସହିତ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ। ତଥାପି ଯଦି ଖ୍ୱାପ୍‍ ପଞ୍ଚାୟତ ଅନୁଷ୍ଠିତ ହୁଏ ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ସମ୍ପୂର୍ଣ୍ଣ ବୈଠକର ଭିଡିଓ ଚିତ୍ର ଉତ୍ତୋଳନ କରିବେ।
କର୍ତ୍ତବ୍ୟରେ ଅବହେଳା କରୁଥବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‍ଓପିରେ ଉଲ୍ଳେଖ ରହିଛି।

Leave A Reply