ଓଡ଼ିଶାରେ ଅଧିକ ଟିକସ ପାଇଁ ଡିଜେଲ ମହଙ୍ଗା : ଧର୍ମେନ୍ଦ୍ର

0

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରୁ ଯଦି ରାଜ୍ୟ ସରକାର ମୂଲ୍ୟଯୁକ୍ତ ଟିକସ (ଭାଟ୍‍) କମ୍‍ କରିବେ ତାହାହେଲେ ରାଜ୍ୟରେ ତୈଳ ଦର ହ୍ରାସ ପାଇବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଲେ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟ ସହ ଦେଶର ଅନ୍ୟ ରାଜ୍ୟରେ ମୂଳ ଦର ସମାନ ଥିବା ବେଳେ ସେଠାରେ ପେଟ୍ରୋଲଠାରୁ ଡିଜେଲର ମୂଲ୍ୟ କମ୍‍ ଥିବା ବେଳେ ଓଡିଶାରେ ମହଙ୍ଗା କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଦର ତାତିରୁ ଓଡିଆ ଲୋକେ କିପରି ମୁକ୍ତି ପାଇବେ ଏହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ। ଏହି ଖବର ଗତ ୪ ଦିନ ହେବ ବିତର୍କର ବିଷୟ ପାଲଟିଛି। ଏଥିରେ କିଛି ଲୁଚାଇବାର ନାହିଁ। ରାଜ୍ୟ ସରକାର ବିଶେଷ କରି ଯଦି ଡିଜେଲ ଉପରୁ ଭାଟ୍‍ କମାଇବେ ତାହାହେଲେ ଡିଜେଲର ମୂଲ୍ୟ କମିବ। ଅନ୍ତଃରାଷ୍ଟ୍ରୀୟ ବଜାରକୁ ନେଇ ମୂଳ ଦର ସ୍ଥିର ହୋଇଥାଏ। ଓଡିଶା ସରକାର ଭାଟ୍‍ର ପୁନଃସମୀକ୍ଷା ନ କରିବା ଯୋଗୁ ଓଡିଶାରେ ଡିଜେଲ ମହଙ୍ଗା ହେଉଛି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଟିକସ କମ୍‍ କରିବାବେଳେ ୨୦ଟି ରାଜ୍ୟ ସେମାନଙ୍କ ଟିକସ କମାଇଥିଲେ। ସେଥିପାଇଁ ସେଠାରେ ଡିଜେଲ ମୂଲ୍ୟ ନିୟନ୍ତ୍ରଣରେ ରହିଛିି। କେତେ ଟିକସ ରହିବ ତାହା ରାଜ୍ୟ ସରକାର ନିଷ୍ପତ୍ତିି ନେବେ। ପୂର୍ବରୁ ରାଜ୍ୟ ସରକାର ତୈଳରୁ ୩୦୦୦ କୋଟି ଟଙ୍କା ଟିକସ ପାଉଥିବାବେଳେ ଏବେ ୭୦୦୦ କୋଟି ଟଙ୍କା ପାଉଥିବା ଶ୍ରୀ ପ୍ରଧାନ ଆହୁରି କହିଛନ୍ତି।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ଦେଶରେ ପେଟ୍ରୋଲ ତୁଳନାରେ ଡିଜେଲର ବ୍ୟବହାର ସାଢେ ତିନି ଗୁଣ ଅଧିକ। ୨୦୧୪ରେ ପେଟ୍ରୋଲର ମୂଳ ଦର ଡିଜେଲ ତୁଳନାରେ ୪ ଟଙ୍କା ଅଧିକ ରହିଥିଲା। ତେବେ ଚଳିତମାସର ୨୨ ତାରିଖର ମୂଲ୍ୟକୁ ବିଚାରକୁ ନେଲେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର କ୍ଷେତ୍ରରେ ଚିତ୍ର ସମ୍ପୂର୍ଣର୍ ବଦଳିଯାଇଛି। ବର୍ତ୍ତମାନ ପେଟ୍ରୋଲର ମୂଳ ଦର ତୂଳନାରେ ଡିଜେଲର ମୂଳ ଦର ୫ ଟଙ୍କାରୁ ଅଧିକ କିଭଳି ହୋଇଛି ତାହା ପ୍ରଥମେ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁୁ। ସବୁ କଥାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା କେନ୍ଦ୍ରର ଗୋଟିଏ ଅଭ୍ୟାସରେ ପରିଣତ ହୋଇଛି। ରାଜ୍ୟ ସରକାର ଭାଟ୍‍ରେ ହ୍ରାସ ଘଟାଇବା କ୍ଷେତ୍ରରେ ଜିଦ୍‍ ଖୋର ମନୋବୃତ୍ତିି ଗ୍ରହଣ କରୁଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଶ୍ରୀ ବେହେରା କହିଛନ୍ତି।

Leave A Reply