ଏୟାରସେଲ୍‍ ମାକ୍ସିସ୍‍ ମାମଲା: ଚିଦମ୍ବରମ୍‍ଙ୍କ ସହ ୮ ଅଭିଯୁକ୍ତ

0

ନୂଆଦିଲ୍ଲୀ: ଏୟାରସେଲ୍‍-ମାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କ ସମେତ ଅନ୍ୟ ୮ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଅଭିଯୋଗଫର୍ଦ ଦାଖଲ କରିଛି। ଦିଲ୍ଲୀ ପଟିଆଲା ହାଉସ୍‍ କୋର୍ଟରେ ଦାଖଲ ଏହି ଅଭିଯୋଗଫର୍ଦରେ ଏସ୍‍. ଭାସ୍କରମନ ଏବଂ ମାକ୍ସିସ୍‍ କମ୍ପାନୀର ୪ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଛି। କୋର୍ଟ ନଭେମ୍ବର ୨୬ରେ ଏହା ଉପରେ ବିଚାର କରିବେ। ଅନ୍ୟ ଅଭିଯୁକ୍ତମାନେ ହେଲେ ଏୟାରସେଲ୍‍ର ପୂର୍ବତନ ସିଇଓ ଭି. ଶ୍ରୀନିବାସନ୍‍, ମାକ୍ସିସ୍‍ ସହଯୋଗୀ ଅଗଷ୍ଟସ୍‍ ରାଲଫ ମାର୍ଶାଲ, ଆଷ୍ଟ୍ରୋ ଅଲ୍‍ ଏସିଆ ନେଟୱର୍କସ ମାଲେସିଆ, ଏୟାରସେଲ ଟେଲିଭେଞ୍ଚର୍ସ ଲିମିଟେଡ, ମାକ୍ସିସ ମୋବାଇଲ ସର୍ଭିସେସ୍‍, ବୁମି ଅର୍ମାଦା ବେରହାଦ, ବୁମି ଆର୍ମାଦା ନାଭିଗେସନ୍‍। ଚିଦମ୍ବରମ କେନ୍ଦ୍ରମନ୍ତ୍ରୀ ଥିବାବେଳେ ନିଜ କ୍ଷମତାର ଅନୁଚିତ ଉପଯୋଗ ପୂର୍ବକ ବିଦେଶୀ ନିବେଶକ ଗ୍ଲୋବାଲ କମ୍ୟୁନିକେସନ୍‍ ଆଣ୍ଡ ସର୍ଭିସେସ୍‍ ହୋଲ୍‍ଡିଂ ଲିମିଟେଡକୁ ବୈଦେଶିକ ପୁଞ୍ଜିନିବେଶ ପ୍ରୋତ୍ସାହନ ଅନୁମତି ଦେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ଚିଦମ୍ବରମ୍‍ଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଉଭୟଙ୍କୁ ନଭେମ୍ବର ୧ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ଅକ୍ଟୋବର ୮ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।

Leave A Reply