ଏଥର ତୋରଣରେ ପ୍ରାଚୀନ ଶୈବ ମନ୍ଦିର

0

ଉତ୍ତରଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୋରଡ଼କଣ୍ଟା ଦୁର୍ଗାପୂଜା ୭ମ ବର୍ଷରେ ପଦାର୍ପଣ କରୁଛି। ଚଳିତବର୍ଷ କମିଟି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛି। ଏଥିପାଇଁ ୩୦ ସ୍ୱେଚ୍ଛାସେବୀ ଓ ପୁଲିସ ମୁତୟନ ସମ୍ପର୍କରେ କମିଟି ସୂଚନା ଦେଇଛି । ଏହାବ୍ୟତୀତ ସିସି କ୍ୟାମେରା ଲଗାଯିବ। କଲକାତା କାରିଗର ଓ ଅନ୍ୟ ୨୫ ଜଣ ସହଯୋଗୀଙ୍କ ଦ୍ୱାରା ପ୍ରାଚୀନ ଶୈବପୀଠ ଢାଞ୍ଚାରେ ତୋରଣ ନିର୍ମାଣ ଚାଲିଛି । ତୋରଣର ଉଚ୍ଚତା ୭୦ଫୁଟ, ଚଉଡ଼ା ୬୦ପୁଟ୍ ରଖାଯାଇଛି। ମଣ୍ଡପରେ ଲୋକଙ୍କ ଯିବା ଆସିବାପାଇଁ ୩ଟି ଗେଟ୍‍ କରାଯାଇଛି। ପୂଜାକୁ ଅଧିକ ଆକର୍ଷଣ କରିବା ଲକ୍ଷ୍ୟରେ ୨ଟି ଏଲ୍‍ଇଡି ଆଲୋକଗେଟ୍‍ ହେବ। ବିଭିନ୍ନ ସ୍ଥାନରେ ପୌରାଣିକ ଓ ଆଧୁନିକ ମେକାନିକାଲ ଷ୍ଟ୍ରକ୍ଚରରେ ଲାଇଟ୍‍ ଷ୍ଟାଣ୍ଡ ସ୍ଥାନିତ କରାଯିବ। ଭିଙ୍ଗାରପୁର ଅଞ୍ଚଳର କାରିଗର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରୁଛନ୍ତି। ଉଚ୍ଚତା ୧୫ଫୁଟ୍ ରହିଛି। ଚୋ÷ଦ୍ୱାର କାରିଗର ମା’ଙ୍କ ପାଇଁ ୨୦ଫୁଟ୍ ଉଚ୍ଚର ସୁନେଲି ମେଢ଼ କରୁଛନ୍ତି। ଷଷ୍ଠୀ ତିଥିରୁ ବେଲବରଣ ଓ କଳସ ଯାତ୍ରା କରାଯାଇ ସପ୍ତମୀରେ ମା’ଙ୍କ ଚକ୍ଷୁଦାନ, ଅଷ୍ଟମୀରେ ସନ୍ଧିପୂଜା, ନବମୀରେ ନବମୀପୂଜା, ଦଶମୀ ଅପରାଜିତା ପୂଜା କରାଯିବା ସହ ମା’ଙ୍କ ନିକଟରେ ଘୃତଯଜ୍ଞ କରାଯିବ। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଭଜନ ସମାରୋହ ଏବଂ ମେଲୋଡ଼ି ଅନୁଷ୍ଠିତ ହେବ। ଦଶମୀ ଦିନ ରାବଣ ପୋଡ଼ି କରାଯିବ। ଏଥିପାଇଁ ୮୦ ଫୁଟ୍‍ର ରାବଣ କରାଯାଉଛି।

ଆକର୍ଷଣୀୟ ଭସାଣି: ସହିଦନଗର ଭସାଣି ଉତ୍ସବରେ ମା’ ସାମିଲ ହେଉଥିବାରୁ କମିଟି ଏଥିପ୍ରତି ଅଧିକ ଧ୍ୟାନ ଦେଉଛି। ଏହି ଭସାଣ ଶୋଭାଯାତ୍ରାରେ ଶିଙ୍ଗବାଜା, ମାଦଳ, ଘଣ୍ଟୁଆ ଏବଂ ଡିଜେର ବ୍ୟବସ୍ଥା ହୋଇଥିବା ଆୟୋଜକ ସୂଚନା ଦେଇଛନ୍ତି ।

Leave A Reply