ଉର୍ଜିତ ଉଚ୍ଚକୋଟୀର ଅର୍ଥନୀତିଜ୍ଞ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଗଭର୍ଣ୍ଣର ଉର୍ଜିତ ପଟେଲ୍‍ଙ୍କ ଆକସ୍ମିକ ଇସ୍ତଫା ପରେ ଭାରତୀୟ ଅର୍ଥନୀତି ଓ ବ୍ୟାଙ୍କିଙ୍ଗ କ୍ଷେତ୍ର ସ୍ତବ୍ଧ ହୋଇଯାଇଛି। ଦେଶର ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉର୍ଜିତ ପଟେଲ୍‍ଙ୍କୁ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଆଦର୍ଶ ଓ ନୀତିର ଛାପ ଛାଡ଼ି ଯାଇଛନ୍ତି, ଯାହା ତାଙ୍କ ଉତ୍ତରାଧିକାରୀଙ୍କୁ ଅନୁପ୍ରାଣିତ କରିବ। ମାକ୍ରୋ ଇକନୋମିରେ ଉର୍ଜିତଙ୍କ ଗଭୀର ଜ୍ଞାନ ଥିଲା। ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଶୃଙ୍ଖଳା ଆଣିବା ସହିତ ସେ ଏକ ଧାରା ପ୍ରସ୍ତୁତ କରିଥିଲେ। ଉର୍ଜିତ୍‍ଙ୍କ ଅମଳରେ ଆରବିଆଇରେ ବିତ୍ତୀୟ ସ୍ଥିରତା ଆସିଥିଲା। ତାଙ୍କର ଅନୁପସ୍ଥିତି ଅନୁଭୂତ ହେବ।

ସେହିପରି ଉର୍ଜିତ୍‍ଙ୍କ ଇସ୍ତଫା ଦୁଃଖଦାୟକ କିନ୍ତୁ ଆକସ୍ମିକ ନୁହେଁ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦମ୍ବରମ୍‍ କହିଛନ୍ତି। ଆପ୍‍ ନେତା ତଥା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆରବିଆଇର ୩ ଲକ୍ଷ କୋଟି ଜମା ରାଶି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ନ କରିବାରୁ ସେ ଚାପରେ ଥିଲେ। ଏବେ ମୋଦୀ ସରକାର ତାଙ୍କ ମନପସନ୍ଦର ଜଣେ ବ୍ୟକ୍ତିଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ କରିବେ, ଯିଏ ତାଙ୍କୁ ଲୁଟ୍‍ କରିବାର ସୁଯୋଗ ଦେବେ। ବରିଷ୍ଠ କଂଗ୍ରେସ ନେତା କପିଲ୍‍ ଶିବଲ କହିଛନ୍ତି ଯେ ମୋଦୀ ଯେଉଁମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଜଣକ ପରେ ଜଣେ ଇସ୍ତଫା ଦେଇ ଚାଲିଛନ୍ତି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‍ଙ୍କଠାରୁ ଏହି ଧାରା ଆରମ୍ଭ ହୋଇଛି। ମୋଦୀ ଭାବନ୍ତି ଯେ ତାଙ୍କଠାରୁ ବଡ଼ ଆଉ ଅର୍ଥନୀତିଜ୍ଞ ନାହାନ୍ତି।

ସବୁଠାରୁ ଅଧିକ ପ୍ରତ୍ରିକିୟାଶୀଳ ହୋଇଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ୍‍। ସେ କହିଛନ୍ତି ଯେ ଉର୍ଜିତଙ୍କ ଇସ୍ତଫା ଘୋର ଉଦ୍‍ବେଗର ବିଷୟ। ଇସ୍ତଫା ପଛରେ ଥିବା କାରଣକୁ ଖୋଜି ବାହାର କରିବାକୁ ପଡ଼ିବ। ସବୁ ଭାରତୀୟଙ୍କୁ ଏ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ।

Leave A Reply