ଇତିହାସ ସମାଜର ଅବିଚ୍ଛେଦ୍ୟ ଅଙ୍ଗ

0

ଭୁବନେଶ୍ବର: ସମାଜ ପାଇଁ ଇତିହାସ କେବଳ ଆବଶ୍ୟକତା ନୁହେଁ, ଏହା ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଇତିହାସ ଜନ ସମୁଦାୟ ଏବଂ ଘଟଣାବଳୀର ଆପେକ୍ଷିକ ପରିପ୍ରେକ୍ଷଣ କରିବା ସହିତ ବର୍ତ୍ତମାନକୁ ଭଲଭାବେ ବୁଝିବାରେ ସହାୟକ ହୁଏ। ରାଜ୍ୟ ସଚିବାଳୟରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ଊନବିଂଶତମ ବକ୍ତୃତା ପ୍ରଦାନ ଅବସରରେ ଏହା କହିଛନ୍ତି ପୂର୍ବତନ ଉନ୍ନୟନ କମିଶନର ଡକ୍ଟର ଆର.ବାଲକ୍ରିଷ୍ଣନ।
ସେ କହିଥିଲେ, ଇତିହାସ ହେଉଛି ଏକ ବିଶ୍ଲେଷଣାତ୍ମକ ବର୍ଣ୍ଣନା। ଐତିହାସିକ ଘଟଣାବଳୀ ଲେଖା ଯିବାର ବହୁ ପୂର୍ବରୁ ସେଗୁଡ଼ିକ ଘଟିଥାଏ। ଇତିହାସରେ ସର୍ବଦା ଏକ ବର୍ଣ୍ଣନାତ୍ମକ ବିବରଣୀ ରହିଥାଏ। ସିନ୍ଧୁ ସଭ୍ୟତା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ଏହି ସଭ୍ୟତାର ଇତିହାସରେ ସମାଜର ସାମୂହିକ ଚେତନା ସଠିକ ଭାବେ ସ୍ଥାନିତ ହୋଇପାରିନାହଁି।
କୋଣାର୍କରେ ସୂର୍ଯ୍ୟପୂଜାର ପ୍ରାଚୀନତା, ଅଶ୍ବଚାଳକ ଭାବେ ସୂର୍ଯ୍ୟଦେବଙ୍କ ବିଗ୍ରହ, କୋଣାର୍କର ଚିତ୍ରକଳାରେ ଜିରାଫର କଳ୍ପନା, ପୃଥିବୀର ବିଭିନ୍ନ ପ୍ରାନ୍ତରର ହାତୀଙ୍କ ଚିତ୍ର, ସୂର୍ଯ୍ୟପୂଜା ସହ ଚନ୍ଦ୍ରଭାଗାର ସଂପୃକ୍ତି ଆଦିର ସେ ଉଦାହରଣ ଦେବା ସହ ଏହା ଓଡ଼ିଶାର ଶିଳ୍ପକଳାକୁ ଅବଦାନ ଭାବେ ସୂଚିତ କରୁଥିବା ପ୍ରକାଶ କରିଥିଲେ।
ଉନ୍ନୟନ କମିଶନର ଅସିତକୁମାର ତ୍ରିପାଠୀ କହିଥିଲେ, ଡକ୍ଟର ବାଲକ୍ରିଷ୍ଣନଙ୍କ ଗବେଷଣାତ୍ମକ ରଚନା ବହୁ ମାନ୍ୟତା ହାସଲ କରିଛି। ସିନ୍ଧୁ ସଭ୍ୟତା ବିଷୟରେ ତାଙ୍କର ଗବେଷଣା ପାଇଁ ତାଙ୍କୁ ପେରିୟାର ମାନିଆମାଇଁ ବିଶ୍ବବିଦ୍ୟାଳୟ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛି। କୋଣାର୍କ ମନ୍ଦିର, ପ୍ରାଚୀନ ଉତ୍କଳ ଓ ଇଣ୍ଡୋନେସିଆ, ଜଗନ୍ନାଥ ସଂସ୍କୃତିର ବିବିଧତା, ଉତ୍କଳରେ ସୂର୍ଯ୍ୟ ଉପାସନା ଆଦି ଗବେଷଣାତ୍ମକ ରଚନା, ଓଡ଼ିଶା ଇତିହାସର ଅନେକ ଅଜଣା ପୃଷ୍ଠା ଉପରେ ଆଲୋକପାତ କରିଛି। ଭାରତୀୟ ପ୍ରଶାସନିକ ସେବାର ଏହି ଅଧିକାରୀ ଓଡ଼ିଶା ସଂସ୍କୃତିର ଆଟଲାସ, ଜଗନ୍ନାଥ ମନ୍ଦିର ବିଷୟରେ ଚାର୍ଲସ ଗ୍ରୁମଙ୍କ ବିବରଣୀ, ନବକଳେବର-୨୦୧୫ ଏବଂ ୮୦ ବର୍ଷର ଓଡ଼ିଶା ବଜେଟ ଆଦି ପ୍ରକାଶନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଓଡ଼ିଶା ସମ୍ପର୍କିତ ତାଙ୍କ ଗବେଷଣାତ୍ମକ ରଚନା ସଂଗ୍ରାମ ମହାପାତ୍ରଙ୍କ ଦ୍ବାରା ଆବଦ୍ଧ ପଦଚିହ୍ନରେ ଅନୁବାଦିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବକ୍ତୃତାମାଳାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଡକ୍ଟର ବାଲକ୍ରିଷ୍ଣନଙ୍କୁ ଜ୍ଞାନପୁଞ୍ଜ ବକ୍ତୃତାମାଳାର ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ପଦାଧିକାରୀ, ଐତିହାସିକ ଓ ଶିକ୍ଷାବିତମାନେ ଆଲୋଚନାରେ ଭାଗ ନେଇଥିଲେ। ଜ୍ଞାନପୁଞ୍ଜ ବକ୍ତୃତାମାଳାର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ଦ୍ବିତୀୟ ମହଲା ସଭାକକ୍ଷ ଓ ବିଭିନ୍ନ ଜିଲା ସଦର ମହକୁମା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଯୋଗ କରାଯାଇଥିଲା। ସେଠାରେ ଜିଲାପାଳ, ଜିଲାସ୍ତରୀୟ ବରିଷ୍ଠ ଅଧିକାରୀ, ଛାତ୍ର, ଶିକ୍ଷକ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ବିଶ୍ବବିଦ୍ୟାଳୟର ଗବେଷକମାନେ ଭାଗ ନେଇଥିଲେ।

Leave A Reply