ଇଣ୍ଡିଆନ ଆରୋଜ୍‍, ୧୫ ବର୍ଷରୁ କମ୍‍ ଦଳର ପ୍ରାୟୋଜକ ହେବ ଓଡ଼ିଶା

0

ଭୁବନେଶ୍ୱର: ହକି ପରେ ଫୁଟ୍‍ବଲକୁ ସହଯୋଗର ହାତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଜାତୀୟ ପୁରୁଷ ଓ ମହିଳା ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ପରେ ଏବେ ଓଡ଼ିଶା ସରକାର ଆଇ-ଲିଗ୍‍ ଫୁଟ୍‍ବଲ ଦଳ ଇଣ୍ଡିଆନ ଆରୋଜ୍‍ର ପ୍ରାୟୋଜକ ସହ ୧୫ ବର୍ଷରୁ କମ୍‍ ଜାତୀୟ ଫୁଟବଲ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮-୧୯ ବର୍ଷ ଆଇ-ଲିଗ୍‍ରେ ପ୍ରତିନିଧିତ୍ୱ କରୁଥିବା ଇଣ୍ଡିଆନ ଆରୋଜ କ୍ଲବର ଓଡ଼ିଶା ସରକାର ଏହି ପ୍ରାୟୋଜକ ଦାୟିତ୍ୱ ତୁଲାଇବେ। ଏଥିପାଇଁ ୫ କୋଟି ଟଙ୍କା ଓଡିଶା ସରକାର ଖର୍ଚ୍ଚ କରିବେ। ସେହିପରି ଆଇ-ଲିଗ୍‍ ଦଳ ଇଣ୍ଡିଆନ ଆରୋଜ୍‍ ସହିତ ୧୫ ବର୍ଷରୁ କମ୍‍ ଜାତୀୟ ଫୁଟବଲ ଦଳକୁ ପ୍ରୋତ୍ସାହିତ କରିବା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ସୁଯୋଗ ଯୋଗାଇଦେବେ।
ଖେଳାଳି ଭୁବନେଶ୍ୱରରେ ରହିବା, ଖାଇବା ସହିତ ଅନ୍ୟାନ୍ୟ ଖର୍ଚ୍ଚ ସରକାର ବହନ କରିବେ। ଆଇ-ଲିଗ୍‍ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବା ଲାଗି ଗୋଟିଏ ସିଜିନରେ ଦେଢ଼କୋଟିରୁ ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସର୍ବଭାରତୀୟ ଫୁଟବଲ ମହାସଂଘ ଏବାବଦରେ ୬୦ରୁ ୭୦ ଲକ୍ଷ ଟଙ୍କା ବହନ କରିବାବେଳେ ଅବଶିଷ୍ଟ ଅର୍ଥ କ୍ଲବ ପକ୍ଷରୁ ଖର୍ଚ୍ଚ କରାଯାଇଥାଏ। ସର୍ବଭାରତୀୟ ଫୁଟବଲ ମହାସଂଘ ବରିଷ୍ଠ ଉପ ସଭାପତି ସୁବ୍ରତ ଦତ୍ତ କହିଛନ୍ତି, ଗୋଆରେ ଏଆଇଏଫ୍‍ଏଫ୍‍ ଆଞ୍ଚଳିକ ଫୁଟବଲ ଏକାଡ଼େମୀ ଭିତ୍ତିଭୂମିର ଉନ୍ନିତ କରାଯାଉଛି। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମକୁ ୧୫ ବର୍ଷରୁ କମ୍‍ ଦଳର ଶିବିରକୁ ସ୍ଥାନାନ୍ତର କରାଯିବ। ଷ୍ଟାଡ଼ିୟମରେ ରହିବା, ଅଭ୍ୟାସ ଲାଗି ସମସ୍ତ ସୁବିଧା ରହିଥିବାରୁ ଏଠାରେ ଦଳ ପ୍ରଶିକ୍ଷଣ ଶିବିର ସ୍ଥାୟୀ ଭାବେ ହେବ। ସୂଚନାଯୋଗ୍ୟ, ଆଇ-ଲିଗ୍‍ ଦଳ ଇଣ୍ଡିଆନ ଆରୋଜ୍‍ ଚଳିତ ସିଜିନ ଲାଗି କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ ଭାବେ ଗ୍ରହଣ କରିଛି। ଏଥିପାଇଁ ଅଭ୍ୟାସ ଶିବିର କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୫ରୁ ଆରମ୍ଭ ହୋଇଛି।

Leave A Reply