ଆସ୍ଥାଭୋଟରେ ହାରିବା ପରେ ଇସ୍ତଫା ଦେଲେ କୁମାର ସ୍ୱମୀ, ଇସ୍ତଫାକୁ ଗ୍ରହଣ କଲେ ରାଜ୍ୟପାଳ

ବେଙ୍ଗାଲୁର. – କର୍ଣ୍ଣାଟର ବିଧାନସଭାରେ ଆଗତ ଆସ୍ଥାଭୋଟରେ ହାରିବା ପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ସରକାର ଗଢିବାର ୧୪ ମାସ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ ଘଟିଛି।
କର୍ଣ୍ଣାଟକରେ ଦୀର୍ଘ ୨୧ ଦିନ ହେବ ରାଜନୈତିକ ନାଟକ ଲାଗରହିଥିଲା। ପ୍ରତି ଥର ଆସ୍ଥା ଭୋଟ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯାଉଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସପକ୍ଷରେ ୯୯ ଖଣ୍ଡ ଭୋଟ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ ମିଳିଥିଲା।

ବାଚସ୍ପତି କେ.ଆର ରମେଶ କୁମାର ଆସ୍ଥା ଭୋଟ ପାଇଁ ବିଧାୟକଙ୍କୁ ନିଜ ଆସନରେ ଠିଆ କରାଇ ମୁଣ୍ଡ ଗଣତି କରିଥିଲେ । କଂଗ୍ରେସ- ଜେଡିଏସ ସରକାରଙ୍କ ସପକ୍ଷରେ ୯୯ ଜଣ ଠିଆ ହୋଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ବିଧାୟକ ଠିଆ ହୋଇଥିଲେ ।

ପ୍ରକାଶ ଯେ ୨୧ ଦିନ ତଳେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ଘଟଣା କ୍ରମରେ  କଂଗ୍ରେସ ଓ ଜେଡିଏସର ୧୫ ବିଧାୟକ ଇସ୍ତଫା ଦେଇଥିଲେ । ଏହାବାଦ କଂଗ୍ରେସର ୧୦ ବିଧାୟକ ମୁମ୍ବାଇ ଚାଲିଯାଇ ଏକ ହୋଟେଲରେ ରହିଥିଲେ । ସେହି ସମୟରେ ଆମେରିକା ଯାଇଥିବା ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସ୍ବତନ୍ତ୍ର ବିମାନରେ କର୍ଣ୍ଣାଟକ ଫେରିଥିଲେ । କଂଗ୍ରେସ ବରିଷ୍ଠ ନେତାଙ୍କ ସହ ମିଶି ରାଜନୈତିକ ସଂକଟ ଦୂର କରିବାକୁ ​‌ସେ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଛି ।

Comments are closed.