ଆମେ ଗୋସମ୍ପଦର ଆଇନ ଅନୁମୋଦିତ ଅଭିଭାବକ: ଉତ୍ତରାଖଣ୍ଡ ହାଇକୋର୍ଟ

0

ନୈନିତାଲ୍‍: ଉତ୍ତରାଖଣ୍ଡର ଗୋ ସମ୍ପଦର ଆମେ ଆଇନଗତ ଅଭିଭାବକ। ଦେଶରେ ପ୍ରଥମ ଥର ପାଇଁ ଏଭଳି ରାୟ ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଏବେ ସମଗ୍ର ଦେଶରେ ଗୋଚାଲାଣ ଜନିତ ହିଂସା ଓ ହତ୍ୟାକାଣ୍ଡ ବୃଦ୍ଧି ପାଉଛି। ଏହାକୁ ନେଇ ରାଜନୈତିକ ବାତାବରଣ ମଧ୍ୟ ଊଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟକୁ ଯୁଗାନ୍ତକାରୀ ବୋଲି କୁହାଯାଉଛି।
ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜୀବ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଚାରପତି ମନୋଜ ତିୱାରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏ ସମ୍ପର୍କରେ ୪୧ ପୃଷ୍ଠା ସମ୍ବଳିତ ଏକ ରାୟ ଶୁଣାଇଛନ୍ତି। ସେଥିରେ ସୁପ୍ରିମକୋର୍ଟର ରାୟ ସମେତ ଉପନିଷଦ ଓ ଅର୍ଥଶାସ୍ତ୍ରରେ ଥିôବା ସନ୍ଦେଶ, ଜୈନ ଓ ବୁଦ୍ଧ ଧର୍ମରେ ଥିବା ଉପଦେଶ ଏବଂ ମହାତ୍ମା ଗାନ୍ଧି ଓ ଦଲାଇ ଲାମା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ତବ୍ୟକୁ ଉଦ୍ଧାର ଓ ତର୍ଜମା କରାଯାଇଛି।
ସେହିପରି ହାଇକୋର୍ଟ ତାଙ୍କ ରାୟରେ ଗୋ ଚାଲାଣ, ପଶୁ ହତ୍ୟା, ଗୋ ମାଂସ ବିକ୍ରି ଉପରେ କଟକଣା ଲଗାଇବା ସହିତ ଗୋ ସମ୍ପଦର ସୁରକ୍ଷା, ଗୋ ସମ୍ପଦର ଉପଯୁକ୍ତ ଚିକିତ୍ସା ଓ ଯତ୍ନ,ଗୋଶାଳା ଜବରଦଖଲକାରୀଙ୍କୁ ଉଚ୍ଛେଦ, ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିିତ ଜଣେ ଡିଏସ୍‍ପି ପାହ୍ୟାର ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‍ ଗଠନ କରିବାକୁ ଏବଂ ସେଥିରେ ଜଣେ ପଶୁ ଚିକିତ୍ସକଙ୍କୁ ରଖିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଗୋ ଚାଲାଣକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧି ଧାରା ୨୮୯, ୪୨୮ ଓ ୪୨୯ ଧାରା ଏବଂ ପଶୁ ନିର୍ଯାତନା ସୁରକ୍ଷା ଆଇନ ୧୯୬୦ର ଧାରା ୭ ଲାଗୁ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply