ଆଜି ସାତକୋଶିଆ ଯିବେ ମଧ୍ୟପ୍ରଦେଶ ଟ୍ରାଙ୍କୁଲାଇଜିଂ ଟିମ୍‍

0

ଅନୁଗୋଳ: ସାତକୋଶିଆରେ ବାଘୁଣୀ ଟାଇଁସି ଗ୍ରାମରେ ତ୍ରିନାଥ ସାହୁଙ୍କୁ ଶିକାର ପରେ ବାଘୁଣୀକୁ ଟ୍ରାଙ୍କୁଲାଇଜିଂ କରି ସ୍ଥାନାନ୍ତର ପାଇଁ ଜିଲାପାଳ ବନ ବିଭାଗକୁ ଚିଠି ଲେଖିଥିଲେ। ୨୩ ତାରିଖରୁ ସାତକୋଶିଆକୁ ଯାଇଥିବା ଟ୍ରାଙ୍କୁଲାଇଜିଂ ଟିମ୍‍ ଟ୍ରାଙ୍କୁଲାଇଜିଂ କରିବାରେ ସଫଳ ହୋଇ ନପାରିବା ପରେ ମଧ୍ୟପ୍ରଦେଶରୁ ୨ ଜଣ ଏକ୍ସପର୍ଟଙ୍କୁ ଡ଼କାଯିବା ପାଇଁ ସ୍ଥିର ହୋଇଥିଲା। ସେହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ରେଞ୍ଜରୁ ୱାଇଲ୍ଡଲାଇଫ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆର ଦୁଇଜଣ ଏକ୍ସପର୍ଟ ଅଖିଳେଶ ମିଶ୍ର ଓ ସନ୍ଦୀପ ଅଗ୍ରୱାଲ ସୋମବାର ଆସି ଅନୁଗୋଳରେ ପହଞ୍ଚିଛନ୍ତି। ଅନୁଗୋଳରେ ପହଞ୍ଚିବା ପରେ ସାତକୋଶିଆ ଡ଼ିଏଫ୍‍ଓ ରାମସ୍ୱାମୀ ପି’ଙ୍କ ସହ ଏହି ଦୁଇଜଣିଆ ଟିମ୍‍ ଆଲୋଚନା ହୋଇଥିଲା। କିପରି ସାତକୋଶିଆକୁ ଯିବେ, ବାଘୁଣୀକୁ ଟ୍ରାଙ୍କୁଲାଇଜିଂ କରିହେବ
ନା ନାହିଁ ସମସ୍ତ ବିଷୟ ଏହି ବୈଠକରେ ଆଲୋଚନା ହୋଇଥିଲା। ସାତକୋଶିଆରେ ପହଞ୍ଚିବା ପରେ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବାଘୁଣୀକୁ ଟ୍ରାଙ୍କୁଲାଇଜିଂ କଲେ ପରବର୍ତ୍ତୀ ପଦକ୍ଷେପ ସୂଚାରୁ ରୂପେ ହୋଇପାରିବ ନା ନାହିଁ ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ମଧ୍ୟପ୍ରଦେଶରୁ ଡ଼ବ୍ଲ୍ୟୁଆଇଆଇର ଏହି ଦୁଇଜଣିଆ ଟିମ୍‍ ଆସିଲେ ବାଘୁଣୀକୁ ଟ୍ରାଙ୍କୁଲାଇଜିଂରେ ସଫଳତା ମିଳିପାରିବ ବୋଲି ଉଭୟ ବନ ବିଭାଗ ଓ ଅଞ୍ଚଳବାସୀ ଆଶା ବାନ୍ଧି ବସିଛନ୍ତି। ସୋମବାର ବାଘୁଣୀ ଅସନବାହାଳ ଅଞ୍ଚଳରେ ମଧ୍ୟ ଘୁରି ବୁଲୁଥିଲା। ଗ୍ରାମଠାରୁ ୨ରୁ ୩ କି.ମି ଦୂରତ୍ୱରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଟ୍ରାଙ୍କୁଲାଇଜିଂ ପାଇଁ ପ୍ରକୃଷ୍ଠ ସ୍ଥାନ ନିରୂପଣ ହୋଇପାରୁ ନଥିଲା। ତେଣୁ ଏହି ଏକ୍ସପର୍ଟ ଦୁଇଜଣ ଘଟଣାସ୍ଥଳକୁ ଗଲେ ସ୍ଥାନ ଆକଳନ କରିପାରିବେ ବୋଲି ଆଶା କରାଯାଉଛି। ବିଗତ ସପ୍ତାହରେ ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନିଦିନ ଆପ୍ରାଣ ଉଦ୍ୟମ ପରେ ଯାଇଥିବା ଟିମ୍‍ ଟ୍ରାଙ୍କୁଲାଇଜିଂରେ ସଫଳ ହୋଇପାରି ନଥିଲେ। ଶୁକ୍ରବାର, ଶନିବାର ଓ ରବିବାର ଟ୍ରାଙ୍କୁଲାଇଜିଂ ଟିମ୍‍ ଘୁରି ବୁଲୁଥିଲେ ମଧ୍ୟ ବାଘୁଣୀକୁ ଘଞ୍ଚ ଜଙ୍ଗଲ ଭିତରେ ଦେଖିପାରି ନଥିଲେ। ବାଘମୁଣ୍ଡା ଓ ଅସନବାହାଳ ଗ୍ରାମ ପାଖରେ ରହି କେବଳ ଜଗି ରହିଥିଲେ। ବାଘୁଣୀ ମଣିଷ ଶିକାର ପରେ ଯେଉଁ ଜନଅସନ୍ତୋଷ ବୃଦ୍ଧି ପାଇଥିଲା ଏବେ ପୁଲିସର ଗିରଫ ଭୟରେ ପ୍ରଶମିତ ହୋଇଛି। ବାଘୁଣୀକୁ ଧରିବାରେ ବନ ବିଭାଗ ବିଳମ୍ବ କଲେ କେତେବେଳେ ଜନଅସନ୍ତୋଷ ଉଗ୍ରରୂପ ଧାରଣ ହେବ କହିବା କଷ୍ଟକର ହେବ।

Leave A Reply