ଆଜିଠୁ କାର୍ତ୍ତିକବ୍ରତ; ଶ୍ରୀକ୍ଷେତ୍ରରେ ୧୦ହଜାର ହବିଷ୍ୟାଳି

0

ପୁରୀ: ଶ୍ରୀକ୍ଷେତ୍ରରେ କାର୍ତ୍ତିକବ୍ରତ ପାଳନ ପାଇଁ ପ୍ରାୟ ୧୦ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଛି। ସେଥିରୁ ୨ହଜାର ୫ଶହ ହବିଷ୍ୟାଳିଙ୍କ ପାଇଁ ସରକାର ମାଗଣା ବ୍ୟବସ୍ଥା କରିଥିବା ବେଳେ ଅନ୍ୟମାନେ ବିଭିନ୍ନ ମଠମନ୍ଦିର, ଧର୍ମଶାଳା, ଲଜିଂ ଏବଂ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ଗୁରୁବାରଠାରୁ ଏକମାସ ବ୍ୟାପୀ ସେମାନେ କାର୍ତ୍ତିକବ୍ରତ ପାଳନ କରିବେ। ମହୋଦଧି ସମେତ ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଏବଂ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନକରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ହବିଷ୍ୟାଳିମାନେ ଦିନକୁ ଗୋଟିଏ ଥର ମହାପ୍ରସାଦ ଖାଇବା ସହ ପ୍ରତ୍ୟହ ରାଧାଦାମୋଦର ପୂଜା, ତୁଳସୀଚଉରା ପୂଜା, କାର୍ତ୍ତିକପୂରାଣ ପାଠ ଏବଂ ଆକଶଦୀପରେ ଦୀପଦାନ କରିବାର ବିଧି ରହିଛି। ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅବକାଶ ପରେ ପ୍ରତ୍ୟହ ରାଧାଦାମୋଦର ବେଶ କରାଯିବ। ପଞ୍ଚୁକ ୫ଦିନ ମହାପ୍ରଭୁଙ୍କୁ ହରିହର ବେଶ, ବାମନ ବେଶ, ତ୍ରିବିକ୍ରମ ବେଶ, ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ଏବଂ ରାଜାଧିରାଜ ବେଶ କରାଯିବ।
କାର୍ତ୍ତିକ ପୂର୍ଣ୍ଣିମୀ ଦିନ ପବିତ୍ର ମହୋଦଧିରେ ଡଙ୍ଗା ଭସାଇବା ସହ ଦୀପଦାନ କରି ହବିଷ୍ୟାଳିମାନେ କାର୍ତ୍ତିକବ୍ରତ ସମାପନ କରିବେ। ତେଣୁ ଗୁରୁବାରଠାରୁ ମାସେ ପର୍ଯ୍ୟନ୍ତ କାର୍ତ୍ତିକ ପୂରାଣ ପାଠ ଏବଂ ହୁଳହୁଳୀରେ କମ୍ପି ଉଠିବ ସମଗ୍ର ଶ୍ରୀକ୍ଷେତ୍ର। କାର୍ତ୍ତିକମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ପ୍ରାତଃ ୪ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ସକାଳ ୫ଟାରେ ଶ୍ରୀଜୀଉଙ୍କ ମଙ୍ଗଳଆଳତି କରାଯିବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁ ରାଧାଦାମୋଦର ବେଶ ହେବେ। ସକାଳ ୮ଟାରେ ଗୋପାଳବଲ୍ଲଭ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳଧୂପ, ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ କରାଯାଇ ଦିନ ୧୦ଟା ୧୦ସୁଦ୍ଧା ଭୋଗମଣ୍ଡପ ଅନୁଷ୍ଠିତ ହେବ। ହବିଷ୍ୟାଳିଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇପାରିବେ। ସେହିପରି ଦିନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନଧୂପ, ଦିନ ୧ଟାରୁ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ, ଦିନ ୨ଟାରେ ଦକ୍ଷିଣିଘର ଭୋଗ, ଅପରାହ୍ଣ ୫ଟାରେ ସନ୍ଧ୍ୟାଆଳତି, ରାତି ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟାଧୂପ, ରାତି ୧୦ଟାରେ ଚନ୍ଦନଲାଗି, ରାତି ୧୧ଟାରେ ବଡ଼ସିଂହାର ବେଶ, ରାତି ୧୧ଟା ୩୦ରେ ବଡ଼ସିଂହାର ଭୋଗ ଏବଂ ରାତି ୧୨ଟାରେ ଶ୍ରୀଜୀଉଙ୍କୁ ରାତ୍ର ପହୁଡ କରାଯିବା କାର୍ଯ୍ୟକ୍ରମ ରହିଛି। କାର୍ତ୍ତିକ ମାସରେ ତୀର୍ଥ ପୁଷ୍କରିଣୀ ଗୁଡିକରେ ସ୍ନାନପାଇଁ ହବିଷ୍ୟାଳିଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ମୋଚିସାହି ପୌର କଲ୍ୟାଣ ମଣ୍ଡପ, ରେଳ କଲ୍ୟାଣ ମଣ୍ଡପ ଏବଂ ପର୍ଯ୍ୟଟନ କେମ୍ପ୍ଲକ୍ସରେ ହବିଷ୍ୟାଳି ଶିବିର ଖୋଲାଯାଇଛି। ୨ହଜାର ୫ଶହ ହବିଷ୍ୟାଳିଙ୍କୁ ସେଠାରେ ରଖାଯାଇ ମାଗଣାରେ ମହାପ୍ରସାଦ ଯୋଗାଇ ଦିଆଯିବ। ସେସବୁ ହବିଷ୍ୟାଳି ଶିବିରରେ ବ୍ରତଧାରୀମାନେ ଆସି ପହଞ୍ଚିଛନ୍ତି। ସେମାନଙ୍କ ପାଇଁ ଶୌଚାଳୟ, ପାନୀୟଜଳ, ସୁରକ୍ଷା, ଆଶୁଚିକିତ୍ସା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ଣରେ ମାଗଣା ହବିଷ ବ୍ୟବସ୍ଥାର ଉଦ୍‍ଘାଟନ କରିବେ।

Leave A Reply