ଆଇନଜୀବୀଙ୍କୁ ପୁଲିସ ମାଡ଼ ଘଟଣା: ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ

0

କଟକ: ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ ଘଟଣାକୁ ହାଇକୋର୍ଟ ଜଷ୍ଟିସ ସି ଆର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚାର୍ଜ ସିଟ କେବେ ଦାଖଲ ହେବ ଓ ଘଟଣାର ସ୍ଥିତି କଣ ରହିଛି ସେ ସଂକ୍ରାନ୍ତ ଜଣାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର କରିବା ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା, ଦୀପାଳି ମହାପାତ୍ର, ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବବରୀରୁ ପ୍ରକାଶ ଯେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପଟ୍ଟନାୟକଙ୍କ ନାମରେ ପୁଲିସ ମାମଲା ଦାୟର କରିଥିଲା। ସମସ୍ତ ମାମଲା ରଦ୍ଦ କରିବା ପାଇଁ ଆବେଦନକାରୀ ତଥା ଆଇନଜୀବୀ ଦେବୀ ପ୍ରାର୍ଥନା କରି ଏହି ମାମଲା ଦାୟର କରିଛନ୍ତି। ଏହି ମାମଲାରେ ଆବେଦନକାରୀ ରାଜ୍ୟ ସରକାର, କ୍ରାଇମବ୍ରାଞ୍ଚ ଓ ଚାଉଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ତେବେ ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ ଦର୍ଶାଇବା ସହ ଗତ ଅଗଷ୍ଟ ମାସ ୨୮ତାରିଖ ଘଟଣାକୁ ନେଇ ତାଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ପୁଲିସ ପକ୍ଷରୁ ଦାୟର ମାମଲା ଉଦ୍ଦେଶ୍ୟମୂଳକ ଓ ଅଭିଯୋଗ ଭିତ୍ତିହୀନ ବୋଲି ଆବେଦନପତ୍ରରେ ଦର୍ଶାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖରେ ନୂଆ ବଜାରଠାରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ସିଂହ, ଚାଉଳିଆଗଞ୍ଜ ଥାନାର ହାବିଲଦାର ପ୍ରସନ୍ନ କୁମାର ବେହେରା, କନଷ୍ଟେବଳ ଦିଲ୍ଲୀପ ସାମଲ, ଓଏପିଏଫ୍‍ ଉଦୟ ଭୂୂୟାଁ ଓ ହୋମ ଗାର୍ଡ କିଶୋର ଜେନା ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ ହେବା ପରେ ଚାଉଳିଆଗଞ୍ଜ ଥାନା ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଦିଲ୍ଲୀପ ସିଂହ, ହାବିଲଦାର ପ୍ରସନ୍ନ କୁମାର ବେହେରା ଓ ଗୌରାଙ୍ଗ ସାହୁଙ୍କ ଏତଲା ଆଧାରରେ ଚାଉଳିଆଗଞ୍ଜ ଥାନାରେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଥିଲା।
ଅଗଷ୍ଟ ୨୯ରୁ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ଆଇନଜୀବୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଆଇଜି ଘଟଣାର ତଦନ୍ତ କରୁଛନ୍ତି।

Leave A Reply