ଅଭିଜିତଙ୍କୁ ଦୁଇଦିନ ହେପାଜତରେ ନେଲା କୋଣାର୍କ ପୁଲିସ

0

ଗୋପ/ନିମାପଡ଼ା: ଅଭିଜିତ ଆୟାର ମିତ୍ରଙ୍କୁ କୋଣାର୍କ ପୁଲିସ ଆଜି ଦୁଇ ଦିନିଆ ହୋପାଜତରେ ନେଇଛି। ଗତକାଲି ଅଭିଜିତଙ୍କୁ ଜିମାରେ ନେବାକୁ କୋଣାର୍କ ପୁଲିସ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‍ଏଫ୍‍ସି)ଙ୍କ ନିକଟରେ ଆବେଦନ କରିଥିଲା। ଆଜି ଅଦାଲତର ଏହି ଆବେଦନର ଶୁଣାଣି କରି ଅଭିଜିତଙ୍କୁ ଦୁଇଦିନ ପାଇଁ ପୁଲିସ ହେପାଜତକୁ ଛାଡ଼ିଛନ୍ତି। ଗତକାଲି ତାଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ଅଣାଯାଇ କୋଣାର୍କସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଭିଜିତଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ବିଳମ୍ବିତ ରାତିରେ ସ୍ଥାନୀୟ ନିମାପଡ଼ା ଜେଲ୍‍କୁ ପଠାଇ ଦିଆଯାଇ ପୁଲିସ କରିଥିବା ଆବେଦନ ଶୁଣାଣି ଶୁକ୍ରବାର ହେବ ବୋଲି ଧାର୍ୟ୍ୟ କରାଯାଇଥିଲା।
ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ପୁଲିସ ପକ୍ଷରୁ ଅଭିଜିତଙ୍କୁ ୨ଦିନ ଜିମାରେ ନେଇ ପଚରାଉଚରା କରାଯିବ ବୋଲି ପୁଲିସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ଏବଂ ଓଡ଼ିଆଙ୍କ ଭାବାବେଗ ସହ ଘଟଣାର ସମ୍ପର୍କ ଥିବାରୁ ପୁଲିସ ଅଭିଜିତଙ୍କୁ ଜେରା କରିବା ନିତାନ୍ତ ଜରୁରୀ ବୋଲି ପୁଲିସ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ଶୁକ୍ରବାର ଦିନ ୨ଟାରୁ ରବିବାର ଦିନ ୨ଟା ପର୍ୟ୍ୟନ୍ତ କୋଣାର୍କ ପୁଲିସକୁ ଜିମାରେ ନେବା ପାଇଁ ଅଦାଲତ ଅନୁମତି ଦେଇଥିଲେ। ଏହି ସମୟ ମଧ୍ୟରେ ପୁଲିସ ହେପାଜତରେ ରଖି ଅଭିଜିତଙ୍କୁ ପଚରା ଉଚରା କରିପାରିବ ବୋଲି ଜେଏମ୍‍ଏଫ୍‍ସି ନିର୍ଦେଶ ଦେଇଛନ୍ତି। କୋଣାର୍କ ପୁଲିସ ଶୁକ୍ରବାର ନିମାପଡ଼ା ଉପକାରଗାରରେ ପହଞ୍ଚି ଅଭିଜିତଙ୍କୁ ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଣିଛି। ଏକ ଅଜ୍ଞାତ ସ୍ଥାନରେ ରଖି ତାଙ୍କୁ ପୁଲିସ ଜେରା କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ବିଶ୍ୱପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ କୋଣାର୍କ ମନ୍ଦିର କାରୁକାର୍ୟ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଶାର କଳା ସଂସ୍କୃତି ଓ ଭାସ୍କର୍ୟ୍ୟ, ଓଡ଼ିଶା ଓ ଓଡ଼ିଆ ଜାତିର ଧାର୍ମିକ ଭାବନାକୁ କ୍ଷୁଣ୍ଣ କରି ସମ୍ମାନହାନି ଭଳି ଅରୁଚିକର ମନ୍ତବ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବାରୁ ଏହି ମନ୍ତବ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏ ନେଇ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନା ଓ ଭୁବନେଶ୍ୱର ସହିଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ବିମ୍ବାଧର ବେଉରାଙ୍କ ଅଭିଯୋଗକୁ ଭିତ୍ତିକରି କୋଣାର୍କ ପୁଲିସ ମାମଲା ରୁଜୁ କରିଥିଲା। ସୂଚନାଯୋଗ୍ୟ ଯେ, ଗତକାଲି ଅଭିଜିତ ପୁଲିସର କଡ଼ା ସୁରକ୍ଷାବଳୟ ମଧ୍ୟରେ ସନ୍ଧ୍ୟା ୭ଟା ୪୦ ମିନିଟ୍‍ରେ କୋଣାର୍କ ଜେଏମ୍‍ଏଫ୍‍ସିଙ୍କ ଆବାସିକ ବାସଭବନରେ ହାଜର ହେବା ପରେ ୪ ଘଣ୍ଟା ଧରି ତାଙ୍କ ଚାମ୍ବରରେ ରହିଥିଲେ। ଅଭିଜିତଙ୍କ ଆଇନଜୀବୀ ଜାମିନ ପାଇଁ ଆବେଦନ କରିଥିବାବେଳେ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ପୁନରାୟ ନଭେମ୍ବର ୫ରେ କୋର୍ଟରେ ହାଜର ହେବା ପାଇଁ ତାରିଖ ଧାର୍ୟ୍ୟ କରିଥିବା ଜଣାପଡ଼ିଛି।
ଶୁଖିଲା ଖାଦ୍ୟ ଖାଇଲେ, ବଟଲ ପାଣି ପିଇଲେ: ଅଭିଜିତଙ୍କ ଜାମିନ ଅଗ୍ରାହ୍ୟ ହେବା ପରେ ଗୁରୁବାର ବିଳମ୍ବିତ ରାତିରେ ନିମାପଡ଼ା ଜେଲ୍‍କୁ ନିଆଯାଇଥିଲା। ଅଭିଜିତ ରାତ୍ରି ୨ଟାରେ ଜେଲ୍‍ରେ ପହଞ୍ଚିବା ପରେ ତାଙ୍କୁ ବିସ୍କୁଟ୍‍ ଓ ମିକ୍ସଚର ସହିତ ବଟଲ ପାଣି ପିଇବାକୁ ଦିଆଯାଇଥିଲା। ଆୟାର ଜେଲ୍‍ର ସେଲ୍‌ଫ ନଂ ୧ରେ ସକାଳୁ ଉଠିବା ପରେ ପ୍ରାର୍ଥନା କରିବା ସହ ଦୈନନ୍ଦିନ କାର୍ୟ୍ୟ ଶେଷ ପରେ ସକାଳ ଜଳଖିଆ ଖାଇଥିଲେ। ପରେ ମଧ୍ୟାହ୍ନରେ କଏଦୀଙ୍କ ପାଇଁ ଜେଲ୍‍ରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ତାଙ୍କୁ ଦିଆଯାଇଥିଲା। ସେ ସମସ୍ତ ବିଚାରାଧୀନ କଏଦୀଙ୍କ ଭଳି ସ୍ୱାଭାବିକଭାବେ ଜେଲ୍‍ରେ ରହିଥିଲେ।
ଜେଲ୍‍ରେ ଅଭିଜିତ ରହିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମେତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ଜେଲର୍‍ ବାବୁଲି ବାରିକ ନଜର ରଖିଥିôବା ଜଣାପଡ଼ିଛି।

Leave A Reply