ଅନ୍ତରୀଣ ଜାମିନରେ ଯିବେ ୧୨୦୦ ବନ୍ଦୀ

କଟକ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପାଳନ କରି କରୋନା ଭୂତାଣୁ ସଂକ୍ରମଣ ନେଇ ଦେଖାଦେଇଥିବା ପରିସ୍ଥିତିରେ ରାଜ୍ୟର ବିଭିନ୍ନ କାରାଗାରରେ ଥିବା ବନ୍ଦୀଙ୍କ ମଧ୍ୟରୁ କେତେକଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯିବ। ଉଚ୍ଚ କ୍ଷମତାସମ୍ପନ୍ନ (ହାଇ ପାୱାର୍ଡ) ସମିତି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ଉପଯୁକ୍ତ ମାମଲାରେ ବନ୍ଦୀମାନଙ୍କୁ ଅନ୍ତରୀଣ ଜାମିନ, ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ଚୁକ୍ତିଭିତ୍ତିରେ ଛୁଟି ବ୍ୟବସ୍ଥାରେ ବନ୍ଦୀଙ୍କୁ କାରାଗାରରୁ ମୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସି ବୈଠକରେ ରାଜ୍ୟ ଗୃହବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

୨୦୨୧, ଏପ୍ରିଲ ୨୮ରୁ ମେ ୫ ତାରିଖ ମଧ୍ୟରେ ୩୦ଟି ଜିଲ୍ଲା ଆଇନସେବା ପ୍ରାଧିକରରଣରୁ ମିଳିଥିବା ତଥ୍ୟ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ​‌େ​‌ବୖଠକରେ ଉପସ୍ଥାପନ କରିଥିଲେ। ଉଚ୍ଚକ୍ଷମତାସମ୍ପନ୍ନ ସମିତି ଜାରି କରିଥିବା ନିୟମାବଳୀ ଅନୁସାରେ ଏହି ଅବଧିରେ ୭୫ଜଣ ବିଚାରାଧୀନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନରେ କାରାଗାରରୁ ମୁକ୍ତ କରାଯାଇଛି, ୪୨ଜଣ ବନ୍ଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୧୭୭ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ୧୧୨୯ଜଣ ବନ୍ଦୀଙ୍କୁ ସଂଗରୋଧ କୋଠରିରେ ରଖାଯାଇଛି।

ବୌଦ୍ଧ ଆଇନସେବା ପ୍ରାଧିକରଣ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ଜଣେ ବିଚାରାଧୀନ ବନ୍ଦୀ ବୁର୍ଲା ଡାକ୍ତରଖାନାରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ‌ହୋଇଥିଲା। କାରାଗାର ମହାନିର୍ଦେଶକଙ୍କ ପକ୍ଷରୁ ସମିତି ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୦, ଜାନୁଆରୀ ୧ରେ ରାଜ୍ୟର ବିଭିନ୍ନ କାରାଗାରରେ ୧୭୫୪୨ ବନ୍ଦୀ ଥିବାବେଳେ ଏହି ସଂଖ୍ୟା ୨୦୨୧, ମାର୍ଚ୍ଚ ୧ରେ ୧୯୪୧୬ରେ ପହଞ୍ଚିଥିଲା।

୭ ବର୍ଷ ବା ତା’ଠାରୁ କମ୍ ଦଣ୍ଡ ଥିବା ମାମଲାରେ ଗିରଫ ହୋଇ କାରାଗାରରେ ଥିବା ପ୍ରାୟ ୧୨୦୦ ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛାଡ଼ିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସମିତି ବନ୍ଦୀମାନଙ୍କ ସୁରକ୍ଷା, ଚିକିତ୍ସା ଓ ଟିକାକରଣ ଉପରେ ଗୁରୁତ୍ବ‌ାରୋପ କରିଛନ୍ତି। ଅନ୍ତରୀଣ ଜାମିନ, ସ୍ବତନ୍ତ୍ର ବ୍ୟବସ୍ଥାରେ ଛାଡ଼ ପାଇବା ପୂର୍ବରୁ ବନ୍ଦୀଙ୍କ ଉପଯୁକ୍ତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ କାରାଗାର ଡାକ୍ତର ସୁନିଶ୍ଚିତ ହେବେ ବୋଲି ନିର୍ଦେଶ ଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅର୍ଣ୍ଣେସ କୁମାର ରାୟରେ ପ୍ରଦାନ କରାଯାଇଥିବା ନିର୍ଦେଶ ପାଳନ ଉପରେ ସମିତି ଅଧ୍ୟକ୍ଷ ଗୁରୁତ୍ବାରୋପ କରିଛନ୍ତି।

Comments are closed.