ଅଧ୍ୟାତ୍ମର ସାରବତ୍ତା

0

ସନ୍ଥ ଆପଣାର ଶିଷ୍ୟମାନଙ୍କସହ ଗଙ୍ଗାତଟରେ ବସିଥାନ୍ତି। ପତିତପାବନୀ ଗଙ୍ଗାର ଜଳରାଶିରେ ପାପ ଧୋଉଥିବା ପାପୀ ତଥା ପୁଣ୍ୟାତ୍ମାମାନଙ୍କର ଭାବାବେଗକୁ ବେଶ୍‌ ଆଗ୍ରହରେ ଲକ୍ଷ୍ୟ କରୁଥାନ୍ତି। ନଜରରେ ପଡ଼ିଥିଲେ ଜଣେ ବ୍ୟକ୍ତି, ଯିଏ କି ଢ଼େର ସମୟ ଯାଏ ଗଙ୍ଗାସ୍ନାନରେ ମଜ୍ଜି ଯାଇଥିଲେ। ବ୍ୟକ୍ତିଜଣକ ଗଙ୍ଗାସ୍ନାନ ପରେ ତୁଠକୁ ଆସିଲେ। ପରିଧାନ ବଦଳାଇ ତଟଦେଶରୁ କିଛି ଦୂରରେ ବସିଲେ, ଏକ ଥଳିରେ ଥିବା ଖାଦ୍ୟ ବାହାର କରି ଖାଇବାକୁ ଆରମ୍ଭ କଲେ।
ଖାଇବାକୁ ଯିବା ସମୟରେ ସେହି ସ୍ଥାନରେ ପହଞ୍ଚିଥିଲା ଜଣେ ଖଞ୍ଜ ବ୍ୟକ୍ତି। ବହୁ କଷ୍ଟରେ ଚାଲୁଥାଏ। ନେହୁରା ହୋଇ ତାଙ୍କୁ ଖାଦ୍ୟ ମାଗିଥିଲେ। ସଦ୍ୟ ପାପ ପ୍ରଖ୍ୟାଳନ କରି ଖାଇବାକୁ ଯାଉଥିବା ବ୍ୟକ୍ତିଜଣକ ରୋକଠୋକ୍‌ ମନା କରିଦେଇଥିଲେ। ହେଲେ କ୍ଷୁଧା ଜ୍ବାଳାରେ ଆତୁର ଖଞ୍ଜ ବ୍ୟକ୍ତି ଜଣକ ସେହି ସ୍ଥାନ ଛାଡ଼ି ଯିବାକୁ ନାରାଜ ଥିଲା। ଖାଉଥିବା ଖାଦ୍ୟରୁ ଅଳ୍ପ କିଛି ଦେବାକୁ ଅଳି କରିଥିଲା।
ଏଥିରେ ବ୍ୟକ୍ତିଜଣକ ଖୁବ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। କିଛି ଖାଦ୍ୟ ଦେବା ପରିବର୍ତ୍ତେ କ୍ରୋଧିତ ଅବସ୍ଥାରେ ଖାଇବା ଜାଗାରୁ ଉଠି ଶକ୍ତ ଧକ୍‌କାଟିଏ ଦେଇ ସେ ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଧକ୍‌କା ସମ୍ଭାଳି ନପାରି ଖଞ୍ଜ ବ୍ୟକ୍ତିଟି ଭୂମି ଉପରେ ପଡ଼ିଯାଇଥିଲା। ବହୁ କଷ୍ଟରେ ଉଠି ‘ଈଶ୍ବର ତୁମର ମଙ୍ଗଳ କରନ୍ତୁ’ କହି ଦୀର୍ଘଶ୍ବାସ ଛାଡ଼ି ଚାଲିଯାଇଥିଲା।
ଏସବୁକୁ ଲକ୍ଷ୍ୟ କରୁଥିବା ସନ୍ଥ ଶିଷ୍ୟମାନଙ୍କୁ କହିଥିଲେ- ଗଙ୍ଗାସ୍ନାନ ଜନିତ ପୁଣ୍ୟ ତ ବହୁତ ଦେଖିଥିଲି, ହେଲେ ଆଜି ପାପ ମଧ୍ୟ ଦେଖିଲି।’
ଶିଷ୍ୟମାନେ ଏହାର ଗୂଢ଼ାର୍ଥ ସମ୍ପର୍କରେ କିଛି ହେଲେ ଜାଣି ନପାରି ବଡ଼ ବିସ୍ମିତ ଭାବରେ ଗୁରୁଙ୍କୁ ଚାହିଁ ରହିଲେ।
ସେମାନଙ୍କ କୌତୂହଳ ଦୂର କରିବାକୁ ଯାଇ ଗୁରୁ ବୁଝାଇ ଦେଇଥିଲେ- କେବଳ ବାହ୍ୟ ଶରୀରକୁ ସଫା କରି ଚକ୍‌ଚକ୍‌ କରିଦେଲେ କେହି ପୁଣ୍ୟବାନ ହୋଇଯାଏନି କି ଏହା ଅନ୍ତରର ମଇଳାକୁ ଧୋଇ ଦିଏନାହିଁ। ଏହା ତ କେବଳ ବାହ୍ୟାଚାର ମାତ୍ର। ଯାହାଙ୍କ ହୃଦୟରେ ଦୀନଦୁଃଖୀଙ୍କ ପ୍ରତି ଦୟା, ମମତା, କରୁଣା, ସମ୍ବେଦନା ନାହିଁ ସେ ତ ନରଦେହଧାରୀ ରାକ୍ଷସ ମାତ୍ର।
ସେଭଳି ବ୍ୟକ୍ତି ଲ​‌େ​‌କ୍ଷଥର ପ୍ରଯତ୍ନ କଲେ ମଧ୍ୟ ପୁଣ୍ୟପ୍ରାପ୍ତି ତା ନିକଟରେ ସୁଦୂରପରାହତ ହୋଇଥାଏ। ଏମାନେ ପୁଣ୍ୟର ବାହାନା କରି କେବଳ ପାପ କମାଇଥାନ୍ତି। ଅଧ୍ୟାତ୍ମର ସାରବତ୍ତା ବାହ୍ୟ କ୍ରିୟାକଳାପରେ ନୁହେଁ, ଅନ୍ତରର ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତାରେ ହିଁ ନିହିତ ଥାଏ। ଯେଉଁମାନେ ଏହା ଭୁଲି ଯାଇଥାନ୍ତି, ସେମାନେ ତାଙ୍କ ଜୀବଦ୍ଦଶାରେ କେବଳ ଗୁଡ଼ାଏ ପାପ ହିଁ ଅର୍ଜନ କରିଥାନ୍ତି।

Leave A Reply