ଅଧିକାଂଶ ସର୍ତ୍ତ ମାନିନେଇଛି ଓସିଏ

0

ନୂଆଦିଲ୍ଲୀ: ଲୋଧା କମିଟି ସୁପାରିସ ଅନୁଯାୟୀ ନୂଆ ସମ୍ବିଧାନ ପ୍ରଣୟନ କରି ଏ ସଂପର୍କରେ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ)କୁ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ମାନଙ୍କୁ ସୁପ୍ରିମକୋର୍ଟ ଅଗଷ୍ଟ ୯ରେ ନିର୍ଦେଶ ଦେଇଥିଲେ। ଏହା ଅନୁସାରେ ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନ୍‍ ବିସିସିଆଇର ନୂତନ ସମ୍ବିଧାନ ଅନୁସାରେ ନିଜ ସମ୍ବିଧାନ ବଦଳାଇ ଏହାର ନକଲ ଏବଂ ଲୋଧା କମିଟି ସୁପାରିସକୁ ମାନିବା ନେଇ ରିପୋର୍ଟ ସିଓଏକୁ ପ୍ରଦାନ କରିଥିଲେ। ଉକ୍ତ ସମ୍ବିଧାନଗୁଡ଼ିକର ଯାଞ୍ଚ କରାଯାଇ ଗତ ୨୮ରେ ସୁପ୍ରିମକୋର୍ଟଙ୍କୁ ୧୦ମ ସ୍ଥିତାବସ୍ଥା ରିପୋର୍ଟ ସିଓଏ ପ୍ରଦାନ କରିଛନ୍ତି। ଏହି ରିପୋର୍ଟର ତର୍ଜମା ପରେ ୩୪ଟି ରାଜ୍ୟ କ୍ରିକେଟ ସଂଘକୁ ସିଓଏ ୩ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ପ୍ରଥମ ଶ୍ରେଣୀରେ ୭ଟି ରାଜ୍ୟ ସଂଘ ଅଛନ୍ତି; ଯେଉଁମାନେ ସିଓଏକୁ କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି କିମ୍ବା ସମ୍ବିଧାନ ସଂଶୋଧନ କରିନାହାନ୍ତି। ୨ୟ ଶ୍ରେଣୀରେ ଥିବା ୧୦ଟି ରାଜ୍ୟ ସଂଘ ବିସିସିଆଇ ସମ୍ବିଧାନକୁ ଆଂଶିକ ଭାବେ ମାନିଛନ୍ତି। ପୁଣି ୩ୟ ଶ୍ରେଣୀରେ ଥିବା ବାକି ୧୭ଟି ରାଜ୍ୟ କ୍ରିକେଟ ସଂଘ ବିସିସିଆଇର ନୂତନ ସମ୍ବିଧାନ ଅନୁସାରେ ନିଜର ସମ୍ବିଧାନ ପ୍ରସ୍ତୁତ କରିଛନ୍ତି। ଏହି ୧୭ଟି ରାଜ୍ୟ ସଂଘ ଅଧିକାଂଶ ସର୍ତ୍ତ ମାନିଛନ୍ତି ବୋଲି ସିଓଏ ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ୩ୟ ଶ୍ରେଣୀରେ ଥିବା ୧୭ଟି ରାଜ୍ୟ କ୍ରିକେଟ ସଂଘ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ (ଓସିଏ) ରହିଛି; ଯାହା ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ସମ୍ବିଧାନ ପ୍ରସ୍ତୁତ କରିଛି ଏବଂ ପାଖାପାଖି ସମସ୍ତ ସର୍ତ୍ତ ମାନିନେଇଛି ବୋଲି ସିଓଏର ହୃଦ୍‍ବୋଧ ହୋଇଛି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୧୦ମ ସ୍ଥିତାବସ୍ଥା ରିପୋର୍ଟ ଅନୁଯାୟୀ ହରିୟାଣା, ହିମାଚଳ ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମେଘାଳୟ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ କ୍ରିକେଟ ସଂଘ ସିଓଏକୁ କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି କିମ୍ବା ସମ୍ବିଧାନ ସଂଶୋଧନ କରିନାହାନ୍ତି। ୨ୟ ତାଲିକାରେ ଥିବା ତାମିଲନାଡୁ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଗୋଆ, ମହାରାଷ୍ଟ୍ର, ବିହାର, ବଙ୍ଗଳା, ଛତିଶଗଡ଼, ମଣିପୁର ଓ ବିଦର୍ଭ ରାଜ୍ୟ କ୍ରିକେଟ୍‍ ସଂଘ ବିସିସିଆଇ ସମ୍ବିଧାନକୁ ଆଂଶିକ ଭାବେ ମାନିଛନ୍ତି। ତେବେ ବିସିସିଆଇ ସମ୍ବିଧାନର ଅଧିକାଂଶ ସର୍ତ୍ତ ମାନିଥିବା ରାଜ୍ୟ ହେଲେ ମିଜୋରାମ, ପୁଡୁଚେରୀ, ଦିଲ୍ଲୀ, ହାଇଦରାବାଦ, ଜାମ୍ମୁକାଶ୍ମୀର, ମୁମ୍ବଇ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସୌରାଷ୍ଟ୍ର, ସିକ୍କିମ୍‍, ତ୍ରିପୁରା ଓ ଉତ୍ତର ପ୍ରଦେଶ। ତେବେ ଏହି ୧୭ଟି ରାଜ୍ୟ ସଂଘ ବିସିସିଆଇ ସମ୍ବିଧାନର ପାଖାପାଖି ସମସ୍ତ ସର୍ତ୍ତ ମାନି ନେଇଛନ୍ତି ବୋଲି କୁହା ଯାଇପାରିବ। ଏମାନଙ୍କୁ ସାମାନ୍ୟ ସଂଶୋଧନ କରିବାକୁ ପଡ଼ିବ। ସିଓଏ ଏହା ମଧ୍ୟ ଦାବିକରିଛି ଯେ ବିସିସିଆଇ ସମ୍ବିଧାନକୁ ମାନିନଥିବା ରାଜ୍ୟ ସଂଘମାନେ ୭ ଦିନ ମଧ୍ୟରେ ସେମାନଙ୍କ ସମ୍ବିଧାନରେ ସଂଶୋଧନ କରିବା ସହ ବିସିସିଆଇର ନୂତନ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ମାନିବା ନେଇ ସତ୍ୟପାଠ ଦାଖଲ କରନ୍ତୁ। ପୁଣି ଆଂଶିକ ଭାବେ ଏହାକୁ ମାନିଥିବା ଏବଂ ଅଧିକାଂଶ ସର୍ତ୍ତ ମାନିଥିବା ରାଜ୍ୟ ସଂଘମାନେ ୨ ସପ୍ତାହ ମଧ୍ୟରେ ସେମାନଙ୍କ ସମ୍ବିଧାନରେ ଅଳ୍ପ କିଛି ଆବଶ୍ୟକ ସଂଶୋଧନ କରନ୍ତୁ। ବିସିସିଆଇର ନୂତନ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ନକଲେ; ସେମାନଙ୍କୁ ବିସିସିସିଆଇ ସାଧାରଣ ପରିଷଦ ବୈଠକ (ଏଜିଏମ୍‍)ରେ ଭୋଟଦାନରୁ ବଞ୍ଚିତ କରାଯାଉ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ସୁପ୍ରିମକୋର୍ଟଙ୍କୁ ସିଓଏ ଜଣାଇଛନ୍ତି ଯେ ୯୦ ଦିନ ମଧ୍ୟରେ ବିସିସିଆଇର ନିର୍ବାଚନ କରାଯାଉ; ଯଦ୍ଦ୍ୱାରା ଫେବୃୟାରୀ ସୁଦ୍ଧା ନୂତନ କର୍ମକର୍ତ୍ତା ବିସିସିଆଇ ପରିଚାଳନା ଦାୟିତ୍ୱ ପାଇବେ। ଏହାସହ ରାଜ୍ୟ ସଂଘମାନେ ୧୫ ଦିନ ମଧ୍ୟରେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ଏବଂ ୩୦ ଦିନ ମଧ୍ୟରେ ନିର୍ବାଚନ ସାରିବା ଲାଗି ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟଙ୍କୁ ସିଓଏ ଅନୁରୋଧ କରିଛନ୍ତି। ଏଣେ ସିଓଏ ୨୮ରେ ଦାଖଲ କରିଥିବା ସ୍ଥିତାବସ୍ଥା ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବାର ଥିଲା। ତେବେ ନଭେମ୍ବର ୨୭ରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

Leave A Reply