ଅଚଳ ହେଲା ପ୍ରଶ୍ନକାଳ

0

ଭୁବନେଶ୍ୱର: ଶିକ୍ଷକ ସମସ୍ୟା ଏବଂ କୃଷି ବିଭାଗ ଚାରା ଦୁର୍ନୀତିକୁ ନେଇ ଗୁରୁବାର ବିଧାନସଭା ପୁଣି ଅଶାନ୍ତ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ପ୍ରଶ୍ନକାଳ ଅଚଳ ହୋଇପଡିିଥିଲା। ଏଥିପାଇଁ ବାଚସ୍ପତି ୧୦ଟା ୩୧ରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଶିକ୍ଷକ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ସପକ୍ଷରେ ଯୁକ୍ତି ରଖିଥିଲେ ବିରୋଧୀ ଦଳ ନେତା।
ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ଅଂଶୁମାନ ମହାନ୍ତି, କେ.ସୂର୍ୟ୍ୟ ରାଓ, ଯୋଗେଶ ସିଂହ, ଦେବେନ୍ଦ୍ର ଶର୍ମା ଓ ଅନ୍ୟ ସଭ୍ୟମାନେ ଗୃହମଧ୍ୟକୁ ଆସିଥିଲେ। ଶିକ୍ଷକ ଆନ୍ଦୋଳନ ଯୋଗୁଁ ପାଠପଢ଼ା ବ୍ୟାହତ ହୋଇଥିବାବେଳେ ସରକାର ଉଦାସୀନ ରହୁଥିବାରୁ ପ୍ରତିବାଦ କରିଥିଲେ। ସରକାର ବିରୋଧୀ ଧ୍ୱନି ଦେଇଥିଲେ। ସେପଟେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ବିଭୂତିଭୂଷଣ ହରିଚନ୍ଦନ, ରବି ନାୟକ, ରାଧାରାଣୀ ପଣ୍ଡା ପ୍ରମୁଖ କୃଷି ବିଭାଗରେ ହୋଇଥିବା ଚାରା ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ସେମାନେ ଗୃହ ମଧ୍ୟରେ ହୋ ହଲ୍ଲା କରିଥିଲେ। ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଏକ ପ୍ରଶ୍ନ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ କଂଗ୍ରେସ ସଭ୍ୟଙ୍କ ହୋ ହଲ୍ଲା କରିଥିଲେ। ପ୍ରବଳ ପାଟିତୁଣ୍ଡ ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା। ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ଗୃହକୁ ଘଣ୍ଟାକ ପାଇଁ ମୁଲତବୀ ରଖିଥିଲେ।
ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଦୀର୍ଘ ୨୨ଦିନ ଧରି ଶିକ୍ଷକମାନେ ଆନ୍ଦୋଳନ ଚଳାଇଛନ୍ତି। ସରକାର ସେମାନଙ୍କ କଥା ଶୁଣୁନାହାନ୍ତି କିମ୍ବା ଆଲୋଚନା କରୁନାହାନ୍ତି। ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ପ୍ରଶ୍ନୋତ୍ତର କାଳରେ ଆମେ ଗୃହରେ ସେ ପ୍ରସଙ୍ଗ ଉଠାଇଥିଲୁ। ସରକାର ଏବେ ଏହାର ସମାଧାନ ପରିବର୍ତ୍ତେ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଧମକ ଦେଲେଣି। ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପରମ୍ପରା ବିରୋଧୀ। ସରକାର ପ୍ରକୃତରେ ଶିକ୍ଷାର ବିକାଶ ଚାହୁଁଥିଲେ ତୁରନ୍ତ ଏ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକି ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ସେ ଦାବି କରିଥିଲେ।

Leave A Reply