୫୦ ଡିଗ୍ରୀ ତାପମାତ୍ରାରେ ଚାଷ କରିହେବ ‘କଫି’

0

ବଲାଙ୍ଗିର (ବିଭୁ କଲ୍ୟାଣ ଗଡ଼ତ୍ୟା): ଇଲେକ୍ଟ୍ରିକାଲ୍‍ ଟେକ୍ନିସିଆନରୁ କୃଷି ବୈଜ୍ଞାନିକ। ସବୋର୍ଚ୍ଚ ୫୦ ଡିଗ୍ରୀ ତାପମାତ୍ରରେ କଫି ଭଳି ଏକ ଅର୍ଥକରୀ ଫସଲ ଚାଷ କରି ହେବ। ଏ କଥାଟା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଗତ ୬ ବର୍ଷ ଧରି ଗବେଷଣା କରି ଆସୁଥିବା ବଲାଙ୍ଗିର ଜିଲାର ଯୁବ ବୈଜ୍ଞାନିକ ଏହାକୁ ପ୍ରମାଣିତ କରିଛନ୍ତି।
ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂହ ଗ୍ରାମ ପର୍ଶୁପାଲିର ଅବରସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୋଳାନାଥ ପଧାନଙ୍କ ଜ୍ୟେଷ୍ଠ ପୁଅ ବିଶ୍ୱଜିତ ପଧାନ (୪୪) ବିଏ ପାସ କଲା ପରେ ଆଇଟିଆଇ କରି ଜଣେ ଇଲେକ୍ଟ୍ରି ଟେକ୍ନିସିଆନ ଭାବେ ଦେଓଗାଁ ବ୍ଲକରେ କାର୍ଯ୍ୟ କରୁଥିଲେ। ଚାଷ ପ୍ରତି ରୁଚି ରଖିଥିବା ବିଶ୍ୱଜିତ ଚାଷ ଓ ଚାଷୀଙ୍କ ପାଇଁ କିଛି ନୂଆ କରିବା ପାଇଁ ମନ ବଳାଇଥିଲେ। ଫୁରସତ ସମୟରେ ନିଜ ଘର ବାଡିରେ ବିଭିନ୍ନ ପନିପରିବା ଚାଷ ଆରମ୍ଭ କରିବା ସହ ତାକୁ କିଭଳି କଲମୀ କରାଯାଇ ଆହୁରି ଉନ୍ନତ କରାଯିବ ତାକୁ ନେଇ କାମରେ ଲାଗି ପଡିଥିଲେ। ତେବେ ଅର୍ଥକରୀ ଫସଲ କଫି ଚାଷ ସମ୍ପର୍କରେ ଅବଗତ ହେବା ପରେ ଦାରିଙ୍ଗବାଡିରୁ କିଛି ଚାରା ଆଣି ବାଡିରେ ଲଗେଇଥିଲେ। ଏହା କେବଳ ଥଣ୍ଡା ତଥା ପାହାଡିଆ ଅଞ୍ଚଳରେ ତିଷ୍ଟି ରହିବା ନେଇ ସେ ସମୟରେ ଚାରା ଦେଇଥିବା ଲୋକ ତାଙ୍କୁ ମତ ଦେଇଥିଲେ। ସତକୁ ସତ ତାହା ବଲାଙ୍ଗିରରେ ଅତ୍ୟଧିକ ଗରମ ହେଉଥିବା ଯୋଗୁଁ ଗଛ ବଢୁଥିବା ବେଳେ କିଛି ବର୍ଷ ଯାଏଁ ଗଛରେ ଫୁଲ ଆସିନଥିଲା। ତେବେ କିଛି ଦିନ ପରେ ସେ ଛତିଶଗଡର ରାୟଗଡ ଜିଲା ଅମ୍ବିକାପୁର ଠାରେ ଏକ ସୁଗାର ଫେକ୍ଟ୍ରିକୁ କିଛି ମାସ ପାଇଁ କାମ କରିବାକୁ ଯାଇଥିବା ବେଳେ ସେଠିକାର ଗୋଟେ ଆଖୁରେ କଫି ଚାରା ବଢିକି ଆସିଥିଲା। ତାକୁ ସଂଗ୍ରହ କରି ବିଶ୍ୱଜିତ ନିଜ ବାଡିରେ ଥିବା କଫି ଗଛରେ କଲମୀ ପ୍ରକ୍ରିୟାରେ ଏକ ନୂଆ କଫି ଗଛ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ବଲାଙ୍ଗିରରେ ୫୦ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ହୋଇଥିଲେ ହେଁ ତାଙ୍କ ଗବେଷଣାରେ ରହିଥିବା କଫି ଗଛର କୌଣସି କ୍ଷତି ହୋଇନଥିଲା। ବରଂ ୫ ଫୁଟ ବିଶିଷ୍ଟ ୩ଟି କଫି ଗଛରେ ପ୍ରବଳ ମାତ୍ରାରେ କଫି ଫଳ ଆସିଥିଲା। ଏପରିକି ବର୍ଷକୁ ୨ ଥର ଗଛରେ ଫଳ ଆସୁଛି। ପ୍ରଥମ ଥର ମପା ଯିବାରୁ ଅଧ କିଲୋ ଲେଖାଏଁ ହୋଇଥିବା ବେଳେ ବିଶ୍ୱଜିତ ଗଛ ପ୍ରତି ଦେଢ କିଲୋ ଉତ୍ପାଦନ ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହା ସହ ଗଛ ପ୍ରତି ସେ ୨ ହଜାର ଟଙ୍କା ଲେଖାଁଏ କଫି ଚାରା ବିକ୍ରି କରି ୬ ହଜାର ଟଙ୍କା ପାଇଥିବା ପ୍ରକାଶ କରିଛନ୍ତି। କଫି ଏକ ଅର୍ଥକରୀ ଫସଲ ହୋଇଥିବା ବେଳେ ଜିଲାର ଚାଷୀ ନିଜ ଜମିରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ଓ ବେରୋଜଗାରକୁ ଦୂର କରାଯାଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ତାଙ୍କ ଦ୍ୱାରା ବିକଶିତ ହୋଇଥିବା କଫି ଗଛକୁ ରାଜ୍ୟସ୍ତରର କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ ଆସି ଦେଖି ଯାଉଥିବା ବେଳେ କୃଷି ବିଷୟରେ ଗବେଷଣା କରୁଥିବା ଦେବାଶିଷ ସାହୁ ଓ ଅଭିଳାଷ ପଧାନ ବିଭିନ୍ନ ସମୟରେ ଆସି ଶ୍ରୀ ପଧାନଙ୍କୁ ସହଯୋଗ କରୁଥିବା ସେ ପ୍ରକାଶ କରନ୍ତି। ହେଲେ ସ୍ଥାନୀୟ କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଧ୍ୟାନ ନଦେବା ତଥା ପ୍ରୋତ୍ସାହନ ଅଭାବରୁ ଆହୁରି ଅନେକ କିଛି କାମ ବାକି ରହିଯାଇଥିବା କହିଛନ୍ତି। ଯଦି ରାଜ୍ୟ ସରକାର ତାଙ୍କୁ ସୁଯୋଗ ଦେବେ, ତେବେ ସେ କଫି ଚାଷ ପାଇଁ ଆହୁରି କିଛି ଅଧିକ କରିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଶ୍ୱଜିତଙ୍କ ଭଳି ଜଣେ ଯୁବ କୃଷି ବୈଜ୍ଞାନିକଙ୍କୁ ଏ ଦିଗରେ ଆହୁରି ଗବେଷଣା କରିବା ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚର ବୁଦ୍ଧିଜୀବୀ, ଚାଷୀ ମହଲରୁ ମତପ୍ରକାଶ ପାଉଛି।

Comments
Loading...