ହଜୁର, ମୁଣ୍ଡ ରହିଲେ ତୁଣ୍ଡ କହିବ

ଏବେ ଖବରକାଗଜମାନଙ୍କରେ ‘କ୍ୟାପିଟାଲ ହସ୍‌ପିଟାଲରେ ମୁଖ୍ୟମନ୍ତ୍ରୀ’ ଶୀର୍ଷକ ଖବରଟି ପଢ଼ି ବହୁତ ଖୁସି ଲାଗିଲା। ଏହି ଖୁସି ଲାଗିବାର ଦୁଇଟି କାରଣ ଅଛି। ପ୍ରଥମତଃ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାପିଟାଲ ହସପିଟାଲକୁ ଯାଉଛନ୍ତି। ସେ ତାଙ୍କର ଦାନ୍ତର ଚିକିତ୍ସା ପାଇଁ ଦେଶ ବିଦେଶର ଯେ କୌଣସି ପଞ୍ଚତାରକା କିମ୍ବା ସପ୍ତତାରକା ହସପିଟାଲକୁ ଯାଇ ପାରିଥାନ୍ତେ, କିନ୍ତୁ ତା’ନକରି ସେ ଗରିବଗୁରୁବା ଓ ମଧ୍ୟବିତ୍ତ ଲୋକମାନେ ଯାଉଥିବା ସରକାରୀ ହସପିଟାଲକୁ ଯାଇ ରାଜ୍ୟବାସୀଙ୍କୁ ତାଙ୍କର ଏକ ନିରାଡ଼ମ୍ବର ଜୀବନଶୈଳୀର ବାର୍ତ୍ତା ଦେଇଛନ୍ତି।
ଖୁସି ଲାଗିବାର ଦ୍ବିତୀୟ କାରଣ ହେଲା କ୍ୟାପିଟାଲ ହସପିଟାଲକୁ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଇଁ ଆସୁଥିବା ଜାଣିବା ପରେ ହସପିଟାଲ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଲେ। ହସପିଟାଲ ପରିସର ମଧ୍ୟରେ ବାତ୍ୟାରେ ଭାଙ୍ଗିଯାଇଥିବା ବଡ଼ବଡ଼ ଗଛଗୁଡ଼ିକୁ କାଟି ସଫା କରିଦିଆଗଲା। ହସପିଟାଲ ଭିତରେ ଥିବା ସମସ୍ତ ଡ୍ରେନ ପାଣିକୁ ତୁରନ୍ତ ସଫା କରି ଦିଆଗଲା। ଓଲଟି ପଡ଼ିଥିବା ବିଜୁଳି ଖୁଣ୍ଟିଗୁଡ଼ିକୁ ଠିଆ କରିଦିଆଗଲା। ରାସ୍ତାରେ ଜମା ହୋଇଥିବା ଅଳିଆଆବର୍ଜନା ଗୁଡ଼ିକୁ ସଫା କରିଦିଆଗଲା। ଏପରିକି ଦୀର୍ଘ ଦିନ ଧରି ଅଚଳ ରହିଥିବା ଲିଫ୍ଟକୁ ମଧ୍ୟ ସଜାଡ଼ି ଦିଆଗଲା।
ଏଇଠି ମୁଣ୍ଡ ରହିଲେ କଥାଟିଏ କହିବି। ମୁଖ୍ୟମନ୍ତ୍ରୀଙ୍କର ସ୍ବାସ୍ଥ୍ୟର ଶୁଭକାମନା କରି ଏତିକି କହିବି ଯେ ଯଦି ମୁଖ୍ୟମନ୍ତ୍ରୀ କଦବା କେମିତି ଥରେ ହସପିଟାଲ ଗଲେ ହସପିଟାଲର ଏତେ ପରିବର୍ତ୍ତନ ହୋଇଯାଉଛି ତେବେ ମୁଖ୍ୟମନ୍ତ୍ରୀ ଏଠିକି ବାରମ୍ବାର ଆସୁନାହାନ୍ତି କାହିଁକି? ଦରକାର ପଡ଼ିଲେ ବାହାନା କରି ଚେକ୍‌ଅପ୍‌ ନିମନ୍ତେ ମାସକୁ ଥରେ ଦୁଇଥର ଯାଆନ୍ତୁ। କେବଳ ହସପିଟାଲ କାହିଁକି, ରାଜଧାନୀରେ ଥିବା ସମସ୍ତ ସ୍କୁଲ, କଲେଜ, ଥାନା, ବସଷ୍ଟାଣ୍ଡ ଇତ୍ୟାଦି ଯେଉଁଠି ଜନସାଧାରଣ ଓ ତାଙ୍କ ପିଲାପିଲି ସବୁ ହନ୍ତସନ୍ତ ହେଉଛନ୍ତି ସେଇଠିକି ମାସକୁ ଥରେ ଅଧେ ଯାଆନ୍ତୁ। ଦିନେ ଯାଇ ଗୋଟିଏ ଥାନାରେ ବସନ୍ତୁ। ଥରେ ଅଧେ ସ୍କୁଲ ଯାଇ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରନ୍ତୁୁ। ବାତ୍ୟାପରେ ରାଜଧାନୀର ବିଭିନ୍ନ ପାର୍କମାନଙ୍କର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। କେବେ କେମିତି ଯଦି ସକାଳୁ ସକାଳୁ ଏଠି ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିଯା’ନ୍ତା ତେବେ ପାର୍କଗୁଡ଼ିକ ଶୀଘ୍ର ଉଦ୍ଧାର ପାଇଯା​’‌େ​‌ନ୍ତ।
ମୁଖ୍ୟମନ୍ତ୍ରୀ ସବୁଦିନ ନବୀନ ନିବାସରୁ ସଚିବାଳୟ ପ୍ରାୟ ଗୋଟିଏ ନିର୍ଦିଷ୍ଟ ରାସ୍ତାରେ ଯାଉଛନ୍ତି। ବାତ୍ୟା ପରେ ସେହି ରାସ୍ତାଟି ପ୍ରଥମେ ସଫା ହୋଇଗଲା। ଏହା ସାଧାରଣ କଥା। ପଡ଼ିଥିବା ଗଛ ସବୁ ଠିଆ କରିଦିଆଗଲା। ମରିଯାଇଥିବା ଗଛଗୁଡ଼ିକ କାଟି ଦିଆଗଲା। ଓଲଟି ପଡ଼ିଥିବା ବିଜୁଳିଖୁଣ୍ଟ, ସବୁ ସିଧା କରି ଦିଆଗଲା। ଟ୍ରାଫିକ୍‌ ସିଗ୍‌ନାଲ ବତିଗୁଡ଼ିକ ଜଳି ଉଠିଥିଲା। ଆମର ଅନୁରୋଧ ସବୁଦିନ ମୁଖ୍ୟମନ୍ତ୍ରୀ ସେହି ଗୋଟିଏ ନିର୍ଦିଷ୍ଟ ରାସ୍ତାରେ ନ ଯାଇ ଯଦି କେବେକେମିତି ବାପୁୁଜୀନଗର, କି ଅଶୋକ ନଗର କି ଖାରବେଳନଗର ହୋଇ ଯାଆନ୍ତେ ତେବେ ସବୁ ରାସ୍ତାଗୁଡ଼ିକ ସେମିତି ସୁଧୁରି ଯାଆନ୍ତା ନାହିଁ କି? ଆଜି ବି ଏହିସବୁ ରାସ୍ତାରେ ଗଛ ଭାଙ୍ଗିକି ପଡ଼ିଛି ଓ ଅନେକ ବିଜୁଳିଖୁଣ୍ଟ ରାସ୍ତା ଅବରୋଧ କରି ରଖିଛି। ଯଦି ଆମ ମୁଖ୍ୟମନ୍ତ୍ରୀ ଥରେ ଦୁଇଥର ସେହି ରାସ୍ତା କି ଅଞ୍ଚଳହୋଇ ଯାଆନ୍ତେ ତେବେ ଖୁବ୍‌ ଶୀଘ୍ର ସବୁ ଠିକ ହୋଇଯାଆନ୍ତା ​‌େବାଲି ଆମେ ଭାବୁଛୁ।
ମୁଖ୍ୟମନ୍ତ୍ରୀ ପୁରୀ ଗଲେ। ବଡ଼ ଦାଣ୍ଡରେ ସବୁ ଠିକ୍ ହୋଇଗଲା। ଜଗନ୍ନାଥ ମନ୍ଦିର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା। ମୁଖ୍ୟମନ୍ତ୍ରୀ ପୁରୀ ଗଲାବେଳେ ଯଦି ଗୋଟିଏ ଅଧେ ଗାଁ ଦେଇ କେବେ ଯାଇଥାନ୍ତେ ତେବେ ସବୁ ଅଞ୍ଚଳର ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହୋଇଯାଇଥାନ୍ତା ବୋଲି ଆମେ ବିଚାର କରୁଛୁ।
ଏଇଠି ଛୋଟିଆ ଗପଟିଏ କହିବାକୁ ଚାହୁଁଛି। ଥରେ ରାଜାଙ୍କର ଆମ୍ବ ଖାଇବାକୁ ଭାରି ଇଚ୍ଛା ହେଲା। ଯିଏ ଯେତେ ଆମ୍ବ ଆଣି ଦେଲେ ମଧ୍ୟ ରାଜାଙ୍କର ପସନ୍ଦ ହେଲା ନାହିଁ। ସେ ନିଜେ ଯାଇ ହାଟରୁ ବାଛିକି ଆମ୍ବ କିଣିବାକୁ ସ୍ଥିର କଲେ। ରାଜା ହାଟକୁ ଆମ୍ବ କିଣିବାକୁ ଯିବାର ଖବର ପାଇ ରାଜକର୍ମଚାରୀମାନେ ସତର୍କ ହୋଇଗଲେ। ପୂରା ହାଟ ସାଙ୍ଗେସାଙ୍ଗେ ସଫାସୁତୁରା ହୋଇଗଲା। ରାସ୍ତାରେ ବୁଲୁଥିବା ଷଣ୍ଢ ଓ ଗାଈଗୁଡ଼ିକୁ ନେଇ କାଞ୍ଜିଆହୁଦାରେ ପକେଇ ଦିଆଗଲା। ବୁଲାକୁକୁରଗୁଡାଙ୍କୁ ଘଉଡାଇ ଦିଆଗଲା। ନାଳନର୍ଦମା ସବୁ ସଫା କରିଦିଆଗଲା। ରାଜା ଆସିବା ପୂର୍ବରୁ ପୂରା ହାଟଟିକୁ ଚକାଚକ କରି ଦିଆଗଲା।
ରାଜା ଆସିଲେ। ଗୋଟିଏ ଦୋକାନରୁ ଚାରିଟି ଆମ୍ବ ବାଛି ଦର କେତେ ବୋଲି ପଚାରିବାରୁ ଦୋକାନୀଟି ଚାରିଟି ଆମ୍ବକୁ ଚାରିଟି ସୁବର୍ଣ୍ଣ ମୁଦ୍ରା ଦେବାକୁ କହିଲା। ଆମ୍ବର ଏହି ଆକାଶଛୁଆଁ ଦର ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ପଚାରିଲେ- ‘ଆମ୍ବ ଏତେ ଦାମ କାହିଁକି? ବଜାରରେ କ’ଣ ଆମ୍ବର ଅଭାବ ଅଛି କି?’ ବୁଦ୍ଧିମାନ ଦୋକାନୀଟି କହିଲା- ହଜୁର, ମୁଣ୍ଡ ରହିଲେ ତୁଣ୍ଡ ଗୋଟିଏ କଥା କହିବ।’ ରାଜା ଅଭୟବାଣୀ ଦେବାରୁ ଦୋକାନୀଟି କହିଲା ‘ହଜୁର, ଆମ୍ବର ଅଭାବ ନାହିଁ, ହାଟରେ ମହାରାଜାଙ୍କର ଅଭାବ ରହିଛି। ଆମ୍ବ ତ ମିଳିଯାଉଛି, କିନ୍ତୁ ମହାରାଜା ମିଳୁନାହାନ୍ତି। ତେଣୁ ଦର ଅଧିକ ହେବା ସ୍ବାଭାବିକ।’ ବୁଦ୍ଧିମାନ ଦୋକାନୀର କଥା ବୁଝିବାକୁ ମହାରାଜାଙ୍କୁ ବେଶୀ ସମୟ ଲାଗିଲା ନାହିଁ।
୯୭ ଜନପଥ ଭୁବନେଶ୍ବର

Comments
Loading...