ସାହିତ୍ୟ, ଶାଶ୍ବତ ସାହିତ୍ୟ ଓ ସାମାଜିକ ଅଙ୍ଗୀକାର

0

ପ୍ରଶ୍ନ: ସାହିତ୍ୟ ସମାଜ ପାଖରେ ଅଙ୍ଗୀକାରବଦ୍ଧ ରହିବା ଉଚିତ କି? ଅଙ୍ଗୀକାରବଦ୍ଧ ସାହିତ୍ୟ ଏବଂ ଶାଶ୍ବତ ସାହିତ୍ୟ ଭିତରେ ପାର୍ଥକ୍ୟ କ’ଣ? ସ୍ରଷ୍ଟାଙ୍କ ସୃଜନ ଦକ୍ଷତା ବଳରେ ଅଙ୍ଗୀକାରବଦ୍ଧ ସାହିତ୍ୟ ଶାଶ୍ବତ ସାହିତ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିବ କି ?
ପ୍ରଫେସର ସୁବାସଚନ୍ଦ୍ର ପାତ୍ର, ବାଲେଶ୍ବର
ଉତ୍ତର: ଅଙ୍ଗୀକାରର ଦୁଇ ସ୍ତର ରହିଛି। ସ୍ବାଭାବିକ ଅଙ୍ଗୀକାର ଏବଂ ସଙ୍କଳ୍ପପ୍ରଣୋଦିତ ଅଙ୍ଗୀକାର। ଜଣେ ଯଦି ଆପଣା ସନ୍ତୋଷ ବା ଆବଶ୍ୟକତା ସକାଶେ ଡାଇରି ଲେଖୁଥିବ, ତାହା ବ୍ୟକ୍ତିଗତ କଥା। ନ ହେଲେ ଯେଉଁ ମୁହୂର୍ତ୍ତରେ ଲେଖକ ନିଜ ମାନସଚକ୍ଷୁରେ ବା କଳ୍ପନାରେ ତାଙ୍କ ନିଜର ଆତ୍ମୀୟ ଗୋଷ୍ଠୀ ବାହାରେ ତାଙ୍କ ରଚନାର କିଛି ଅଜଣା ପାଠକଙ୍କ ଛାୟାମୟ ରୂପ ଦେଖୁଥିବେ, ସେହି ମୁହୂର୍ତ୍ତରେ ସେ ମହାଶୟ ସ୍ବାଭାବିକ ସ୍ତରରେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ହୋଇପଡ଼ିଛନ୍ତି- ତାଙ୍କ ସମାଜ ଯେଡ଼େ ସୀମିତ ହେଉ ନା କାହିଁକି। ପାଠକ ସମାଜର ମନୋଯୋଗ ତାଙ୍କ ପ୍ରାପ୍ୟ ବୋଲି ସେ ଧରିନେଇଛନ୍ତି, ଅତଏବ ତାଙ୍କ ଅବଦାନ ସେ ପ୍ରାପ୍ୟର ଯୋଗ୍ୟ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି; ଏହା ହିଁ ତାଙ୍କର ସ୍ବାଭାବିକ ଅଙ୍ଗୀକାର। ଜଣେ ଅକିଞ୍ଚିତ୍‌କର ଲେଖକଙ୍କଠୁ ଆରମ୍ଭ କରି ଜଣେ ପ୍ରତିଭାବନ୍ତ ଲେଖକ ପର୍ଯ୍ୟନ୍ତ, ଏହି ଦୃଷ୍ଟିରୁ ସମସ୍ତେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ।
ଯଦି କୌଣସି ଲେଖକ ଏକ ନିର୍ଦିଷ୍ଟ ଆଦର୍ଶ ଯୋଗେ ସମାଜର ହିତ ବା ପରିବର୍ତ୍ତନ ସାଧନ କରିବା ଆଗ୍ରହରେ ଗଳ୍ପ, ଉପନ୍ୟାସ, ନାଟକ ବା କବିତା ରଚନା କରନ୍ତି- ଧରନ୍ତୁ ସମାଜରୁ ଅସ୍ପୃଶ୍ୟତା, ଅସମତା ଅବା ସୁରାପାନ ଅଭ୍ୟାସ ଦୂର କରିବାପାଇଁ, ଅଥବା ଶରବ୍ୟ କରି କୌଣସି ସଂସ୍କାର, ଘଟଣା ଅଥବା ବ୍ୟକ୍ତିକୁ, ତାହା ସଂକଳ୍ପପ୍ରଣୋଦିତ ଅଙ୍ଗୀକାର।
ଅତଏବ, ସାହିତ୍ୟ ମାତ୍ରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ। ଔଚିତ୍ୟର ପ୍ରଶ୍ନ ନାହିଁ। ସମାଜ ବିନା ସାହିତ୍ୟର ପ୍ରତିଶ୍ରୁତି ଥାଇପାରେ; କିନ୍ତୁ ସାହିତ୍ୟର ଅଭିବ୍ୟକ୍ତି ଥାଇ ନ ପାରେ। ବର୍ତ୍ତମାନ ଆପଣଙ୍କ ପ୍ରଶ୍ନର ଦ୍ବିତୀୟ ଏବଂ ତୃତୀୟ ଅଂଶ ଉପରେ ଧ୍ୟାନ ଦିଆଯାଉ। ‘ଶାଶ୍ବତ’ ଏକ ଚରମାତ୍ମକ ଅର୍ଥ-ବାହକ ଶବ୍ଦ; ଯାହା ଚିରନ୍ତନ, କାଳଜୟୀ। ସୂର୍ଯ୍ୟ, ଚନ୍ଦ୍ର, ନଭୋମଣ୍ଡଳର ଜ୍ୟୋତିଷ୍କବର୍ଗ ଶାଶ୍ବତ ବୋଲି ଆମେ କହିପାରୁଁ; ଜଣେ ଜ୍ୟୋତିର୍ବିଜ୍ଞାନୀ କିନ୍ତୁ ଆମ ସହ ଏକମତ ହେବେ ନାହିଁ। ଆମେ ଯଦି କହିବୁ ଆମେ ଆପେକ୍ଷିକ ଅର୍ଥରେ କହୁଛୁ, ବିଜ୍ଞାନୀ ଅବଶ୍ୟ ନିରବ ରହିବେ। ତଥାପି ଆମକୁ ମନେ ରଖିବାକୁ ହେବ ଯେ ଅତୀତର କେତେ ସଭ୍ୟତା ଓ ସମାଜ କାଳଗର୍ଭରେ ବା ସମୁଦ୍ର ଗର୍ଭରେ ବା ଭାରତୀୟ ପରମ୍ପରା ଅନୁସାରେ ‘ପ୍ରଳୟ’ ଯୋଗଁୁ ବିଲୁପ୍ତ ହେଲେଣି- ସେମାନଙ୍କ ସାହିତ୍ୟ ଓ ଅନ୍ୟାନ୍ୟ ଐଶ୍ବର୍ଯ୍ୟ ସମେତ। (ବସ୍ତୁତଃ ଗୋଟାଏ ବିଶ୍ବାସ ଅନୁସାରେ ଋକ୍‌ ବେଦ ଚଳିତ ସଭ୍ୟତାର ଅୟମାରମ୍ଭ-କାଳୀନ ଉଚ୍ଚାରଣୀ ନୁହେଁ, ତାହା ଏକ ପ୍ରଳୟପ୍ରାପ୍ତ ସଭ୍ୟତାର ଅବଶେଷ, ଯାହା ଚଳିତ ଯୁଗଚକ୍ରର ଚେତନାଗତ ଭିତ୍ତିର ଭୂମିକା ତୁଲାଇଛି।) ମହାକାଳ ପାଇଁ ଶାଶ୍ବତ କେବଳ ମାତ୍ର ମହାକାଳ ତଥା ସୃଷ୍ଟିର ଉତ୍ସ ଯେଉଁ ମହାଚେତନା।
ଆମେ ‘ଶାଶ୍ବତ’ ଶବ୍ଦ ଆପାତତଃ ବ୍ୟବହାର କରିବା ଗତ କେତେ ଶତାବ୍ଦୀ ଧରି ବିିଭିନ୍ନ ଦେଶ ଓ ସମାଜ ଅନ୍ତର୍ଭୁକ୍ତ ଯେଉଁ ସବୁ ସାହିତ୍ୟକୃତି ନିରବଚ୍ଛିନ୍ନ ଭାବେ ବର୍ତ୍ତି ରହିଛନ୍ତି, ସେହିମାନଙ୍କ ଉଦ୍ଦେଶ୍ୟରେ; ଅର୍ଥାତ୍‌ ଯାହା ଦୀର୍ଘଜୀବୀ ସାହିତ୍ୟ। ଏଭଳି ସାହିତ୍ୟକୁ ତିନିଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରେ: ପ୍ରାଣସ୍ପନ୍ଦିତ, ପ୍ରାଣବନ୍ତ ଏବଂ ଜୀବନ୍ତ। (କ୍ଷମା କରିବେ, ଖାସ୍‌ ନିଜ ବକ୍ତବ୍ୟ ସ୍ପଷ୍ଟ କରିବା ନିମନ୍ତେ ଏ ଲେଖକ, ଏ ବିଭାଗ- ରୀତିର ଆଶ୍ରୟ ନେଉଛି; ସମାଲୋଚକ ବା ସାହିତ୍ୟର ଇତିହାସକାରଙ୍କୁ ଏହା ଗ୍ରହଣ କରିନେବାକୁ ସେ ନିବେଦନ କରୁନାହିଁ।) ସମଗ୍ର ବିଶ୍ବ ସାହିତ୍ୟର ଇତିହାସରେ ପ୍ରଥମ ବା ପ୍ରାଣସ୍ପନ୍ଦିତ ଶ୍ରେଣୀରେ ଗଣ୍ୟ ହେବେ ମାତ୍ର ଦୁଇଗୋଟି ଗ୍ରନ୍ଥ: ରାମାୟଣ ଏବଂ ମହାଭାରତ। ଏ ଦୁଇଗ୍ରନ୍ଥ ଯୁଗଯୁଗ ବ୍ୟାପି କୋଟିକୋଟି ମଣିଷଙ୍କ ଜୀବନକୁ ପ୍ରଭାବିତ କରିଚାଲିଛନ୍ତି। କହିବା ବାହୁଲ୍ୟ, ଏଠାରେ ମୁଖ୍ୟତଃ ସାହିତ୍ୟକୁ ବିଚାରକୁ ନିଆଯାଉଛି। ଭାଗବତ ଏବଂ ବାଇବେଲ ଭଳି ଗ୍ରନ୍ଥରେ ବିପୁଳ ସାହିତ୍ୟ ଉପାଦାନ ଥିଲେ ମଧ୍ୟ ସେସବୁ ଧର୍ମଗ୍ରନ୍ଥ ଭାବରେ ବିବେଚିତ। ସୁପ୍ରାଚୀନ ପୁରାଣ ଏବଂ ‘ଜେଣ୍ଡ୍‌-ଆଭେସ୍ତା’ଠାରୁ ଆରମ୍ଭ କରି ‘ଗ୍ରନ୍ଥ ସାହେବ୍‌’ ପର୍ଯ୍ୟନ୍ତ ଧର୍ମଶାସ୍ତ୍ରମାନଙ୍କରେ ମଧ୍ୟ ବିଦ୍ୟମାନ ସାହିତ୍ୟର ବିଭବ। ସେସବୁ ପାଖରେ ନତମସ୍ତକ ହୋଇ ସେମାନଙ୍କୁ ଏ ଆଲୋଚନା-ପରିସର ବାହାରେ ରଖୁଛି। ଆହୁରି ମଧ୍ୟ ବାହାରେ ରଖୁଛି ବିଦେଶୀ ଐଶ୍ବର୍ଯ୍ୟ-ହୋମାର୍‌ ବା ଚସର୍‌ ବା ସେକ୍ସପିଅର୍‌ ପ୍ରଭୃତିଙ୍କ କୃତିକୁ।
ଦ୍ବିତୀୟ ବା ‘ପ୍ରାଣବନ୍ତ’ ଶ୍ରେଣୀର ଅନ୍ତର୍ଭୁକ୍ତ ପ୍ରଖର ପ୍ରଜ୍ଞାମୟ ଉପନିଷଦସମୂହ- ପୁଣି ସାଧାରଣଜ୍ଞାନ ଓ ବିଜ୍ଞତାର ସମାବେଶ ଘଟିଥିବା କମ୍ବନଙ୍କ ‘ତିରୁ କୁରାଲ୍‌’ ଭଳି ସୃଜନୀ। ଅନ୍ୟ ଏକ ଦିଗରୁ ଜାତକ କାହାଣୀମାଳା, ପଞ୍ଚତନ୍ତ୍ର ତଥା ବେତାଳ ପଞ୍ଚବିଂଶତି ଭଳି ‘ବୃହତ୍‌କଥା’ ବା ‘କଥାସରିତ୍‌ସାଗର’ର କାହାଣୀମାଳା। ଧର୍ମବିଶ୍ବାସ ନିର୍ବିଶେଷରେ ପୃଥିବୀରେ ଏଭଳି କୌଣସି ବିକଶିତ ରାଷ୍ଟ୍ରର ଲୋକସାହିତ୍ୟ ନାହିଁ, ଯାହା ଏମାନଙ୍କ ଦ୍ବାରା ପ୍ରଭାବିତ ହୋଇନାହିଁ। ଏମାନେ ସର୍ବଦା ସଦ୍ୟ। ଆ‌ମ ନିଜ ସମୟର ବହୁ ସାହିତ୍ୟ ଦୀର୍ଘଜୀବୀ ହୋଇ ଏହି ପର୍ଯ୍ୟାୟରେ ପରିଗଣିତ ହେବେ ବୋଲି ଆଶା; ଯଥା ରବୀନ୍ଦ୍ରନାଥ, ଉପେନ୍ଦ୍ର ଭଞ୍ଜ, ଫକିରମୋହନ, ପ୍ରେମ୍‌ଚାନ୍ଦ ପ୍ରମୁଖଙ୍କ କୃତି କିନ୍ତୁ ନିଜନିଜ ଭାଷା ଓ ଦେଶ ପରିପ୍ରେକ୍ଷୀରେ। କ୍ବଚିତ୍ କେହି ହେବେ ଶ୍ରୀଅରବିନ୍ଦଙ୍କ ଭଳି ଦେଶ ଦେଶାନ୍ତର ବ୍ୟାପ୍ତ। ତେବେ ଶ୍ରୀଅରବିନ୍ଦଙ୍କୁ କୌଣସି ଶ୍ରେଣୀଭୁକ୍ତ କରିବାକୁ ଏ ଲେଖକ ଅକ୍ଷମ; ତାଙ୍କ ମହତ୍ତମ କୃତି ‘ସାବିତ୍ରୀ’ ମହାକାବ୍ୟର ମୂଲ୍ୟାୟନ ଏ ଯାବତ୍‌ ହୋଇନାହିଁ।
ତୃତୀୟ ବା ‘ଜୀବନ୍ତ’ ସାହିତ୍ୟର ଅନ୍ତର୍ଭୁକ୍ତ ମହାକବି କାଳିଦାସ ଏବଂ ମହାନ୍‌ ସ୍ରଷ୍ଟା ଭବଭୂତି, ଭାରବୀ, ଶୁଦ୍ରକ, ବିଶାଖାଦତ୍ତ, ଅଶ୍ବଘୋଷ, ତାମିଲ ‘ଶିଲାପ୍ପଡିକରମ୍‌’ର ଲେଖକ ଇଲାଙ୍ଗୋ ଆଡିଗାଲ୍‌, ଭର୍ତ୍ତୃହରି ପ୍ରମୁଖଙ୍କ ରଚନା ତଥା ପୃଥିବୀର ବହୁ ସାର୍ଥକ ସୃଷ୍ଟି। ଏମାନଙ୍କୁ କେବଳ ଦୃଷ୍ଟାନ୍ତ ଭାବରେ ଉପସ୍ଥାପନା କରୁଛି; ତାଲିକା ଦୀର୍ଘ କରୁନାହିଁ। ଏ ଶ୍ରେଣୀ ବିଭାଗ ‘ପ୍ରାଣବନ୍ତ’ ଏବଂ ‘ଜୀବନ୍ତ’ ସାହିତ୍ୟ ଭିତରେ ଗୁଣଗତ ତାରତମ୍ୟ ଦର୍ଶାଉନାହିଁ, ବ୍ୟାବହାରିକ ବାସ୍ତବତା ଦର୍ଶାଉଛି। ‘ଜୀବନ୍ତ’ ପର୍ଯ୍ୟାୟର ଶାଶ୍ବତ ସାହିତ୍ୟ ଭିତରୁ କେତେକ କୃତିର ଉତ୍କର୍ଷ ‘ପ୍ରାଣବନ୍ତ’ ଶ୍ରେଣୀର କେତେକ କୃତିଠାରୁ ଅଧିକ ବି ହୋଇପାରେ; କିନ୍ତୁ ଆଜି ଏମାନଙ୍କୁ ଆମେ ପ୍ରୟୋଜନବେଳେ, ବିଶ୍ବବିଦ୍ୟାଳୟ ପାଠ୍ୟ ଭାବରେ, ଇତିହାସ ବା ଗବେଷଣା ମୂଳକ କାର୍ଯ୍ୟ ସକାଶେ ପାଠକରୁ। ଏମାନଙ୍କ ଭିତରେ ସୁଧୀସମାଜର ଚେତନାର ସର୍ବାଧିକ ନିକଟତର ଅବଶ୍ୟ କାଳିଦାସ।
ଏହି ତିନିଶ୍ରେଣୀର ଶାଶ୍ବତ ସାହିତ୍ୟ ସ୍ତରକୁ ଅଙ୍ଗୀକାରଧର୍ମୀ ରଚନା ଉନ୍ନୀତ ହୋଇପାରିବକି ? ଅବଶ୍ୟ ପାରିବ; ନିର୍ଭର କରେ ଲେଖକର ପ୍ରେରଣା ଓ ଶୈଳୀଗତ ଦକ୍ଷତା ଉପରେ। ଆମେରିକାରେ କଳା ଲୋକଙ୍କର ଏବଂ ଇଂରେଜ୍‌ ଯୁଗରେ ଭାରତରେ ଚାହାବଗିଚା ଶ୍ରମିକଙ୍କ ଦୟନୀୟ ଅବସ୍ଥାର ବାସ୍ତବତା ପରିବେଷଣ ନିମନ୍ତେ ଅଙ୍ଗୀକାରଭିତ୍ତିକ ଦୁଇ ଉପନ୍ୟାସ, ଯଥାକ୍ରମେ ଶ୍ରୀମତୀ ହାରିଏଟ୍‌ ଷ୍ଟୋ’ଙ୍କର ‘ଅଙ୍କଲ୍‌ ଟମ୍‌ସ୍‌ କ୍ୟାବିନ୍‌’ ଏବଂ ମୁଲ୍‌କ ରାଜ୍‌ ଆନନ୍ଦଙ୍କର ‘ଟୁ ଲିଭ୍‌ସ ଏଣ୍ଡ୍‌ ଏ ବାଡ୍‌’ ମହତ୍‌ ସାହିତ୍ୟ; କିନ୍ତୁ ଷ୍ଟାଲିନ୍‌ ଯୁଗରେ ରୁଷ ଭୂଖଣ୍ଡର ପ୍ରାୟ ସମସ୍ତ ଲେଖକଙ୍କୁ ‘ସମାଜବାଦୀ ବାସ୍ତବତା’କୁ ଅଙ୍ଗୀକାର ଭାବରେ ଗ୍ରହଣ କରିବାକୁ ବାଧ୍ୟ କରି ପ୍ରକୃତ ସୃଜନଶୀଳତାକୁ ବେଶ୍‌ କେତେ ଦଶନ୍ଧି ପର୍ଯ୍ୟନ୍ତ ନିଷ୍ପ୍ରାଣ କରିଦିଆଯାଇଥିଲା। ସମାଲୋଚକମାନେ କହୁଥାନ୍ତି, ପ୍ରେମରସାତ୍ମକ ଉପନ୍ୟାସର ନିର୍ଯାସ ଯେଉଁ ‘ବୟ ମିଟ୍‌ସ୍‌ ଗାର୍ଲ,’ ଷ୍ଟାଲିନ୍‌- ଶାସିତ ରୁଷିଆରେ ତାହା ‘ବୟ ମିଟ୍‌ସ୍‌ ଟ୍ରାକ୍ଟର’ରେ ପର୍ଯ୍ୟବସିତ ହୋଇଥିଲା।
ଜୀବନରେ ସଫଳତା ବା ସାର୍ଥକତା: କିଏ ଶ୍ରେୟ? ଦୁଇର ସମନ୍ବୟ ସମ୍ଭବ କି?
ପ୍ରଶ୍ନ: ପାଶ୍ଚାତ୍ୟ ଦାର୍ଶନିକମାନେ କହିଥା’ନ୍ତି, ଯିଏ ଜୀବନରେ ସଫଳତା ପାଇଥାଏ, ସେ କ୍ବଚିତ୍‌ ନିଜ ଜୀବନକୁ ସାର୍ଥକ କରିପାରିଥାଏ ଏବଂ ଯିଏ ଜୀବନକୁ ସାର୍ଥକ କରିଥାଏ ସେ ପ୍ରତି ପଦକ୍ଷେପରେ ଅସଫଳତାର ସ୍ବାଦ ଚାଖିଥାଏ। ଆମେ ଏହି ଅବଧାରଣାକୁ ବିନମ୍ରତାର ସହିତ ଅସ୍ବୀକାର କରିବାକୁ ଚାହୁଁ। ଆ​‌େ​‌ମ ଆପଣା ଜୀବନକୁ ସାର୍ଥକ କରିବାକୁ ସବୁମନ୍ତେ ସାଧନା ଓ ତ୍ୟାଗ କରିବାକୁ ପ୍ରସ୍ତୁତ। ଏହା ସହିତ ଆମକୁ ପ୍ରଚୁର ସଫଳତା ମଧ୍ୟ ଦରକାର। ଏଥି ସକାଶେ ଆମକୁ କ’ଣ କରିବାକୁ ହେବ ? ଦୟା କରି ଆମକୁ ମାର୍ଗଦର୍ଶନ କରାନ୍ତୁ।
– ତୁଳସୀ ଜୈନ, ତୁଷରା, ବଲାଙ୍ଗୀର
ଉତ୍ତର: ମଣିଷ ମାତ୍ରେ ଚେତନାର ଗୋଟାଏ ସ୍ତରର ଅନ୍ତର୍ଭୁକ୍ତ ନୁହନ୍ତି। ଜୀବନ ପ୍ରତି ଦୃଷ୍ଟିକୋଣ, ଜୀବନରୁ ପ୍ରତ୍ୟାଶା- ଏସବୁରେ ଆମ ଭିତରେ ପରସ୍ପର ବହୁ ପାର୍ଥକ୍ୟ। ପ୍ରତ୍ୟେକ ଚିନ୍ତାବିଦ୍‌ଙ୍କ ଉଚ୍ଚାରଣୀରେ ସତ୍ୟ ଥାଏ; କିନ୍ତୁ ତାହା ପୂର୍ଣ୍ଣାଙ୍ଗ କିମ୍ବା ସାର୍ବଜନୀନ ସତ୍ୟ ନୁହେଁ କିମ୍ବା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଶୁଣିଥିବେ ଏକ କାହାଣୀ: ବାଟ ଚାଲୁଚାଲୁ ଗୁରୁ ଶିଷ୍ୟକୁ କହିଲେ, ‘ବାପା, ମନେ ରଖିଥା, ଯିଏ କିଛି କାମର ନୁହେଁ, ତା’ର ବଞ୍ଚିରହିବାର ବି କାରଣ ନାହିଁ!’’ ଅଳ୍ପ ସମୟ ପରେ ଦୁହେଁ ଗୋଟାଏ ବଣ ପାଖଦେଇ ଯାଉଯାଉ ଜଣେ କାଠବେପାରୀ ତା’ ମଜୁରିଆଙ୍କୁ କହିବାର ଶୁଣାଗଲା, ‘‘ଏ ହୁଷ୍ଟପୁଷଟ ଗଛଟା କିନ୍ତୁ କିଛି କାମର ନୁହେଁ; ଏଟାକୁ କାଟିବାର କାରଣ ନାହିଁ !’’ କୌତୂହଳୀ ଶିଷ୍ୟ ଗୁରୁଙ୍କ ମୁହଁକୁ ଅନାଇଲା। ଗୁରୁ କହିଲେ, ‘‘ଏହା ମୋ ପାଇଁ ଏକ ଶିକ୍ଷା; ଆମ ଜ୍ଞାନ ତୁଳନାରେ ବାସ୍ତବତା ବହୁ ବ୍ୟାପକ; ତହିଁ ସମ୍ଭବ ବହୁ ପରସ୍ପର-ବିରୋଧୀ ଅଭିଜ୍ଞତାର ସମାହାର।’’
ଆପଣ ଯେଉଁ ଦାର୍ଶନିକଙ୍କ ଉକ୍ତିର ଉଲ୍ଲେଖ କରିଛନ୍ତି, ସେମାନେ ନିଶ୍ଚୟ ସାମାଜିକ, ବ୍ୟବସାୟିକ, ରାଜନୈତିକ ତଥା ବିଭିନ୍ନ ବୃତ୍ତିଗତ ସଫଳତା କଥା କହୁଛନ୍ତି। ସେଭଳି ସଫଳତା ଅର୍ଜନ କରିବା ଯେଉଁମାନଙ୍କ ଜୀବନର ଏକମାତ୍ର ଆଭିମୁଖ୍ୟ ହୋଇଥାଏ, ​‌େସମାନେ ପ୍ରତିଯୋଗିତା, କ୍ରମାଗତ ଉଚ୍ଚାକାଙ୍‌କ୍ଷା ଓ ଆନୁଷଙ୍ଗିକ ସ୍ଥୂଳସମସ୍ୟା ସବୁରେ ମଗ୍ନ ରହି ଜୀବନର ସୂକ୍ଷ୍ମଦିଗ ଉପରେ ଏକାଗ୍ର ହେବାର ଅବସର ପାଆନ୍ତିନାହିଁ। ସେମାନଙ୍କ ପାଇଁ ସଫଳତା ଆସେ ଅଧିକରୁ ଅଧିକ ପ୍ରତିପତ୍ତି ଓ ବିତ୍ତ ଉପାର୍ଜନ; କିନ୍ତୁ ଜୀବନର ସାର୍ଥକତା ନିହିତ ଚେତନାର ପ୍ରଗତିରେ। ଚେତନାର ଯେଉଁ ଗୁଣଗତ ବିନ୍ଦୁରେ ଜଣେ ଜନ୍ମ ଲଭିଥାଏ, ମୃତ୍ୟୁ ପର୍ଯ୍ୟନ୍ତ ଯଦି ସେ ସେହି ବିନ୍ଦୁରେ ସ୍ଥାଣୁ ହୋଇରହେ, ତେବେ ତା’ର ଜୀବନ ସାର୍ଥକ ହେଲା ବୋଲି କୁହାଯାଇ ପାରିବନାହିଁ। ଏକଥା ମଧ୍ୟ ଠିକ୍‌ ଯେ ଜଣେ ଯେତେବେଳେ ପ୍ରତିଯୋଗିତା-ସମ୍ଭୂତ ଈର୍ଷାର ଊର୍ଦ୍ଧ୍ବକୁ ଯାଇପାରେ, ବୃତ୍ତିଗତ ସଫଳତା ସକାଶେ ଅପରିହାର୍ଯ୍ୟ ବୋଲି ମନେ କରାଯାଉଥିବା ମିଥ୍ୟାଚାରଠୁଁ ଦୂରେଇ ରହିପାରେ, ସେତେବେଳେ ସେ ସ୍ବୟଂ ତା’ ଜୀବନର ସାର୍ଥକତା ଅନୁଭବ କରେ; କିନ୍ତୁ ସମାଜ ଆଖିରେ ଅସଫଳ ପ୍ରତୀତ ହୁଏ।
ବୃତ୍ତିଗତ ସଫଳତା ଏବଂ ଚେତନାଗତ ସାର୍ଥକତାବୋଧର ସମନ୍ବୟ ନିଶ୍ଚିତଭାବେ କାମ୍ୟ। ମିଥ୍ୟାଚାର ସହିତ ସାଲିସ୍ ନ କରି, ଅର୍ଥାତ୍‌ ଜୀବନର ସାର୍ଥକତାବୋଧ ପ୍ରତି ବିଶ୍ବସ୍ତ ରହି ସାମାଜିକ ବୃତ୍ତିରେ ସଫଳତା ଅର୍ଜନ କରିଥିବା ବହୁ ବ୍ୟକ୍ତିଙ୍କର ଦୃଷ୍ଟାନ୍ତ ରହିଛି; କିନ୍ତୁ ସେମାନଙ୍କ ପାଇଁ ସଫଳତାର ଅର୍ଥ ବୃତ୍ତିଗତ ସମୃଦ୍ଧିର ଶୀର୍ଷରେ ପହଞ୍ଚିବା ନୁହେଁ। ନିଜ ପ୍ର‌େୟାଜନୀୟତାର ପୂରଣରେ ସେମାନେ ତୃପ୍ତ।
ଇଏ ଗଲା ସାଧାରଣ ଅର୍ଥରେ ସଫଳତା ଓ ସାର୍ଥକତା ଭିତରେ ସଂଘର୍ଷ ଓ ସମନ୍ବୟ ପ୍ରସଙ୍ଗ। ଯଦି କୌଣସି ଆଦର୍ଶଗତ ବା ​‌େ​‌ଲାକକଲ୍ୟାଣଧର୍ମୀ କାର୍ଯ୍ୟରେ ସଫଳତା କଥା କହିବେ, ତେବେ ସେଥିରେ ଆସୁଥିବା ବାଧାବିଘ୍ନ ସହିତ ସଂଘର୍ଷରୁ ହିଁ ଆପଣ ଅନୁଭବ କରିବେ ନିଜ ବିଶ୍ବାସ, ଧୈର୍ଯ୍ୟ ଓ ଆତ୍ମଶକ୍ତିର ଆଶୀର୍ବାଦ। ତାହା ହିଁ ଆପଣଙ୍କୁ ଦେବ ଜୀବନର ସାର୍ଥକତାର ସ୍ବାଦ।
ଆପଣ ଏବଂ ଆପଣଙ୍କ ଭଳି ଅଭୀପ୍‌ସୁଙ୍କ ଜୀବନରେ ସଫଳତା ଓ ସାର୍ଥକତାର ସମନ୍ବୟ ସମ୍ଭବ ହେଉ, ଏ ଲେଖକ ଏହି ଶୁଭେଚ୍ଛା ପୋଷଣ କରୁଛି। ମାର୍ଗଦର୍ଶନ କରାଇବ ଆପଣଙ୍କ ନିଜ ଅନ୍ତର୍ଚେତନା।​‌
email: [email protected]ail.com

Comments
Loading...