ସାମ୍ନାକୁ ଆସିଲା ଉତ୍ତରପ୍ରଦେଶ ଆଶ୍ରୟକେନ୍ଦ୍ରର ଚିତ୍ର,ଶିକୁଳିରେ ବନ୍ଧା ଶତାଧିକ ମାନସିକ ରୋଗୀ

0

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୨୧ରେ ମାନସିକ ଅସୁସ୍ଥ ମଣିଷଙ୍କୁ ସମ୍ମାନର ସହ ଜୀବନଧାରଣର ଅଧିକାର କେବଳ ଦିଆଯାଇ ନାହିଁ; ବରଂ ସେମାନଙ୍କୁ ସକଳ ନିର୍ଯାତନା, ନିଷ୍ଠୁରତା ଓ ଅମାନବୀୟ ବ୍ୟବହାରରୁ ମୁକ୍ତ ରଖିବା ପାଇଁ କୁହାଯାଇଛି। ଉତ୍ତରପ୍ରଦେଶର ବାଦାଉଁସ୍ଥିତ ଏକ ମାନସିକ​‌େ​ରାଗଗ୍ରସ୍ତଙ୍କ ଆଶ୍ରୟକେନ୍ଦ୍ରର ହୃଦୟବିଦାରକ ଦୃଶ୍ୟ ଦେଖିଲେ ସମ୍ବିଧାନର ଏହି ଧାରାକୁ ଯେ କିଭଳି ଉପହାସ କରାଯାଉଛି ତାହା ସ୍ପଷ୍ଟ ହେବ। ଏହି ଆଶ୍ରୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଶିଶୁଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏବଂ ମହିଳା-ପୁରୁଷ ସମସ୍ତ ମାନସିକ ରୋଗୀଙ୍କୁ ଯେମିତି କାନ୍ଥ, ଖୁଣ୍ଟ ଆଦିରେ ଲୁହା ଶିକୁଳିରେ ବାନ୍ଧି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ରଖାଯାଇଛି ତାହା ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ। ସେମାନଙ୍କ ନିର୍ଯାତନାର କାହାଣୀ ମଧ୍ୟ ସେହି ଅନୁପାତରେ ଲୋମଟାଙ୍କୁରା। ଏମାନଙ୍କ କଥା ଲୋକଲୋଚନକୁ ଆସି ନ ଥାନ୍ତା; ଯଦି ଦକ୍ଷିଣ ଦିଲ୍ଲୀର ଆଇନଜୀବୀ ଗୌରବ କୁମାର ବଂଶାଲ ଫଟୋ ସହିତ ସେମାନଙ୍କ ଅବର୍ଣ୍ଣନୀୟ ଅବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ନ ଥାନ୍ତେ।
ବାଦାଉଁଠାରେ ଏକ ଧାର୍ମିକ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି କଥିତ ମାନସିକ ରୋଗୀ ଆଶ୍ରୟସ୍ଥଳ। ଏଠାରେ ଗୁହାଳ ପରି ଭଙ୍ଗା ଦଦରା ଘରେ ରହୁଛନ୍ତି ଶହେରୁ ଅଧିକ ମାନସିକ ରୋଗୀ। ସମସ୍ତଙ୍କୁ କାନ୍ଥ ଓ ଖୁଣ୍ଟରେ ଲୁହା କଡ଼ିରେ ଏମିତି ବନ୍ଧା ଯାଇଛି ଯେ ଖସିବାର ଉପାୟ ନାହିଁ। ସେମାନଙ୍କ ଚିକିତ୍ସା ପଛରେ ଥାଉ, ସାମାନ୍ୟ ସେବା ଯତ୍ନ ବି ସ୍ବପ୍ନ ଭଳି ମନେ ହୁଏ। ଆବେଦନକାରୀଙ୍କଠାରୁ ଏହି ଆଶ୍ରୟକେନ୍ଦ୍ରର ଦୃଶ୍ୟ ଓ କାହାଣୀ ସମ୍ପର୍କରେ ଅବଗତ ହେବା ପରେ ସୁପ୍ରିମକୋର୍ଟ ବିଚାରପତି ଏ.କେ ସିକ୍ରି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାଛଡ଼ା ୨୦୧୭ର ମାନସିକ ସ୍ବାସ୍ଥ୍ୟ ନୀତିର ଉପଯୁକ୍ତ ପ୍ରଣୟନ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ଜଷ୍ଟିସ ସିକ୍ରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ ଜାରି କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଭାରତରେ ସମ୍ପ୍ରତି ୧୨ ହଜାର ୮୦୦ ମାନସିକ ରୋଗୀଙ୍କୁ ପଶୁ ଭଳି ବିଭିନ୍ନ ସ୍ଥାନରେ କାନ୍ଥ, ଖଟଗୋଡ଼ ବା ଖୁଣ୍ଟରେ ଶିକୁଳିରେ ବାନ୍ଧି ରଖାଯାଇଛି। ହ୍ୟୁମାନ ରାଇଟ୍ସ ୱାଚ୍‌ ସଂସ୍ଥା ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୬ରେ ଏଭଳି ଅବସ୍ଥାରେ ଥିବା ମାନସିକ ରୋଗୀଙ୍କ ସଂଖ୍ୟା ଥିଲା ୧୮ହଜାର। ଏମାନଙ୍କ ଚିକିତ୍ସା ପାଇଁ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥାର ଘୋର ଅଭାବ ରହିଛି। ପ୍ରତି ଏକ ଲକ୍ଷ ମାନସିକ ରୋଗୀଙ୍କ ପାଇଁ ଡାକ୍ତରଙ୍କ ସଂଖ୍ୟା ମାତ୍ର ୦.୩ ପ୍ରତିଶତ ଥିବାବେଳେ ନର୍ସଙ୍କ ସଂଖ୍ୟା ୦.୧୨, ମନସ୍ତତ୍ତ୍ବବିତ୍‌ଙ୍କ ସଂଖ୍ୟା ୦.୦୭ ଓ ସାମାଜିକ କର୍ମୀଙ୍କ ସଂଖ୍ୟା ମଧ୍ୟ ୦.୦୭ ପ୍ରତିଶତ ରହିଛି।

Leave A Reply