ସର୍ବୋତ୍ତମ ସୌନ୍ଦର୍ଯ୍ୟ

ଜନୈକ ବ୍ୟକ୍ତି ସ୍ବଚ୍ଛଳ ଅବସ୍ଥାରେ ଥିଲେ। ପାରିବାରିକ ଜୀବନରେ ସ୍ତ୍ରୀ, ପିଲା ତାଙ୍କୁ ସମ୍ମାନ ଦେଖାଇବା ସହ ଭକ୍ତି କରୁଥିଲେ। ପିତାମାତା ମଧ୍ୟ ତାଙ୍କୁ ବହୁତ ଶ୍ରଦ୍ଧା କରୁଥିଲେ ଏକମାତ୍ର ସନ୍ତାନ ଭାବରେ। ଏହା ସତ୍ତ୍ବେ ସେ ସର୍ବଦା ପରିଶ୍ରାନ୍ତ ଥିଲାପରି ଜଣାପଡ଼ୁଥିଲେ। ତାଙ୍କର ଏଭଳି ଅବସ୍ଥା ସଂପୂର୍ଣ୍ଣ ଭାବରେ ମାନସିକ ଥିଲା। ସୁସ୍ଥ ପାରିବାରିକ ଜୀବନସତ୍ତ୍ବେ ତାଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ସର୍ବୋତ୍ତମ ସୌନ୍ଦର୍ଯ୍ୟ/ଗୁଣ କ’ଣ? ଏହାକୁ ନେଇ ସେ ସର୍ବଦା ବିଷଣ୍ଣ ରହୁଥିଲେ। ଏହାର ଉତ୍ତର ପାଇବା ଆଶାରେ ପିତା, ମାତା, ପତ୍ନୀଙ୍କ ଅଗୋଚରରେ ଦିନେ ନିଶାର୍ଦ୍ଧରେ ଗୃହତ୍ୟାଗ କରି ଏଣେତେଣେ ଅନେକ ବୁଲିଲେ। ଏଥିରେ ବେଶ୍‌ କିଛି ଦିନ ଅତିବାହିତ ହୋଇଗଲା। ହେଲେ ଉତ୍ତର ଖୋଜି ପାଇପାରୁ ନାହାନ୍ତି।
ଦିନେ ଜଙ୍ଗଲରେ ବୁଲୁଥିଲାବେଳେ ଜଣେ ତପସ୍ବୀଙ୍କ ସଂସ୍ପର୍ଶରେ ଆସିଲେ। ତପସ୍ବୀଙ୍କ ଦୀପ୍ତିମନ୍ତ ମୁଖମଣ୍ଡଳ ଦେଖି ମନେମନେ ଭାବିଲେ ଏହାଙ୍କଠାରୁ ମୁଁ ସଠିକ ଉତ୍ତର ପାଇପାରିବି। ତପସ୍ବୀ ଧ୍ୟାନମଗ୍ନ ଥିଲେ। ଧ୍ୟାନଭଗ୍ନ ​‌ ହେବା ପରେ ପ୍ରଣାମ କରି ନମ୍ର ଭାବରେ ପଚାରିଥିଲେ- ମହାଭାଗ ! ସର୍ବୋତ୍ତମ ସୌନ୍ଦର୍ଯ୍ୟ କ’ଣ?
ଶ୍ରଦ୍ଧା ହିଁ ସର୍ବୋତ୍ତମ ସୌନ୍ଦର୍ଯ୍ୟ, ଯାହା ମାଟିକୁ ଭଗବାନରେ ରୂପାନ୍ତରିତ କରିଦେଇଥାଏ- ତପସ୍ବୀ କହିଥିଲେ। ବ୍ୟକ୍ତିଜଣକ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲେ। ଯାତ୍ରାର ପରବର୍ତ୍ତୀ ଅଧ୍ୟାୟ‌େ‌ର ଜଣେ ଗୁଣୀ, ସଜ୍ଜନ ବ୍ୟକ୍ତିଙ୍କୁ ଭେଟିଥିଲେ। ସେହି ପ୍ରଶ୍ନ ତାଙ୍କୁ ପଚାରିବାରୁ ଉତ୍ତର ପାଇଥିଲେ- ପ୍ରେମ ହିଁ ସର୍ବୋତ୍ତମ ସୌନ୍ଦର୍ଯ୍ୟ, ପ୍ରେମ ନଥିଲେ ଜୀବନରେ ସରସତା, ସୁନ୍ଦରତା, କୁରୁପତା, ବ୍ୟର୍ଥତାରେ ପରିଣତ ହେବାରେ ବିଳମ୍ବ ହୁଅନ୍ତା ନାହିଁ।
ବ୍ୟକ୍ତିଜଣକ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ। ଆଗକୁ ଯାତ୍ରା କରିବା ଭିତରେ ଭେଟିଥିଲେ ଜଣେ ସୈନିକଙ୍କୁ। ସୈନିକ ଯୁଦ୍ଧଭୂମିରୁ ଘରକୁ ଫେରୁଥାନ୍ତି, ତେଣୁ ବେଶ୍‌ ପ୍ରସନ୍ନଚିତ୍ତ ଥିଲେ।
ସୈନିକଙ୍କୁ ଦେଖି ଆଗନ୍ତୁକ ସେହି ପ୍ରଶ୍ନ ପଚାରିଥିଲେ- ଉତ୍ତର ପାଇଥିଲେ- ଶାନ୍ତି ହିଁ ସର୍ବୋତ୍ତମ ସୌନ୍ଦର୍ଯ୍ୟ, ସଂଘର୍ଷ, ଯୁଦ୍ଧର ବିଭୀଷିକା ସେ ସ୍ବୟଂ ପ୍ରତ୍ୟକ୍ଷ କରି ଫେରୁଥିଲେ। ଯୁଦ୍ଧର ଭୟାନକ ବିନାଶଲୀଳା, ରକ୍ତପାତକୁ ସାମନା କରିଥିବାରୁ ଏହାର ପରିଣାମ ସମ୍ପର୍କରେ ସଚେତନ ଥିଲେ। ତେଣୁ ଯୁଦ୍ଧ ଅପେକ୍ଷା ଶାନ୍ତିକୁ ଗୁରୁତ୍ବ ଦେଇ ଏହା ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ ବୋଲି କହିଥିଲେ। ବ୍ୟକ୍ତିଜଣକ ଏଥିରେ ସନ୍ତୁୁଷ୍ଟ ନହୋଇ ନିଷ୍ପତ୍ତି ନେଲେ ଗୃହକୁ ଫେରିଯିବା ନିମନ୍ତେ।
ଗୃହରେ ପିତାମାତା, ପତ୍ନୀ, ପୁତ୍ର କନ୍ୟା ସମସ୍ତେ ଅତି ଚିନ୍ତିତ ତଥା ସଂଶୟାଚ୍ଛନ୍ନ ଅବସ୍ଥାରେ ଥିଲେ। ଦୁଃଖିନୀ ପତ୍ନୀ ଆଖିର ଅଶ୍ରୁ ମାଧ୍ୟମରେ ପିଲାଙ୍କୁ ଧରି ତାଙ୍କୁ ସ୍ବାଗତ କରିଥିଲେ। ବୃଦ୍ଧ ପିତାମାତାଙ୍କର ଆନନ୍ଦର ସୀମା ନଥିଲା। ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଏହା ଦେଖି ଜୀବନରେ ପ୍ରଥମକରି ସେ ଅପାର ସୁଖ ଅନୁଭବ କରିଥି‌େଲ। ତାଙ୍କ ହୃଦବୋଧ ହୋଇଥିଲା ଯେ ଆତ୍ମୀୟତା, ସ୍ନେହ, ଶ୍ରଦ୍ଧା ହିଁ ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ। ଏହା ତା’ ଘରେ ହିଁ ଥିଲା। ପରିବାରରେ ଏହା ଥାଇ ମଧ୍ୟ ଭ୍ରମରେ ପଡ଼ି ବାହାରେ ସେ ଏହାର ଅନ୍ବେଷଣ କରୁଥିଲେ। ଗୃହ ଯେ ସର୍ବୋତ୍ତମ ସୌନ୍ଦର୍ଯ୍ୟର ଭଣ୍ଡାର, ଏହା ନିଜେ ଅନୁଭବ କରିଥିଲେ।

Comments
Loading...