ସର୍ବୋତ୍ତମ କର୍ତ୍ତବ୍ୟ

0

ଯୁଗେଯୁଗେ ସାଧୁସନ୍ଥମାନେ ସମାଜକୁ ଦିଗ୍‌ଦର୍ଶନ ଦେଇଥାନ୍ତି, ବାଟହୁଡ଼ି ଅନ୍ଧାରରେ ବୁଲୁଥିବା ମଣିଷକୁ ବାଟକୁ ଆଣିବା ଦିଗରେ ସକଳ ପ୍ରଚେଷ୍ଟା କରିଥାନ୍ତି। ଏଥିପାଇଁ ସମୟେସମୟେ ସେମାନଙ୍କୁ ନିର୍ଯାତନା, ବ୍ୟଙ୍ଗବିଦ୍ରୂପର ଶିକାର ହେବାକୁ ପଡ଼ିଥାଏ। ତଥାପି ସେମାନେ ସ୍ବ-ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥାନ୍ତି। ପ୍ରକୃତ ପକ୍ଷେ ସେଇମାନେ ହିଁ ସମାଜର ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିଥାନ୍ତି। ଏହି କାରଣରୁ ସାଧୁସନ୍ଥମାାନଙ୍କୁ ପରାମର୍ଶ, ବାଣୀ, ସତସଙ୍ଗ୍‌ର ପ୍ରୟୋଜନୀୟତା ସବୁ ସମୟରେ ଅନୁଭୂତ ହୋଇଥାଏ।
ସନ୍ଥ ତିରୁବଲ୍ଲେଶ୍ବର ଏକ ସ୍ଥାନରେ ପ୍ରବଚନ ଦେଉଥାନ୍ତି। ପ୍ରବଚନ ଶୁଣିବାପାଇଁ ପ୍ରତ୍ୟହ ବହୁ ଜନସମାଗମ ହେଉଥାଏ। ଶ୍ରୋତାମାନେ ସେମାନଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ପ୍ରଶ୍ନ ମଧ୍ୟ ପଚାରୁଥାନ୍ତି। ଏହିଭଳି ଏକ ପ୍ରବଚନ ସଭାରେ ସେ ଦିନ ଜଣେ ଶେଠ ଯୋଗଦେଇଥିଲେ। ଶେଠ ମନଧ୍ୟାନ ଦେଇ ପ୍ରବଚନ ଶୁଣୁଥାନ୍ତି। ପ୍ରବଚନ ସମାପ୍ତ ହେଲା। ସୁବିଧା ଦେଖି ଶେଠ ତିରୁବଲ୍ଲେଶ୍ବରଙ୍କୁ ହାତଯୋଡ଼ି ପ୍ରାର୍ଥନା କଲେ- ମହାଭାଗ! ମୁଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରି ନିଜର ଏକମାତ୍ର ପୁତ୍ର ନିମନ୍ତେ ଅର୍ଥ ରୋଜଗାର କଲି, ହେଲେ ମୋର ପୁଅ ସେହି ଧନର ରକ୍ଷଣାବେକ୍ଷଣ କରିବା ପରିବର୍ତ୍ତେ ଅପବ୍ୟୟ କରୁଛି। ଲାଗୁଛି ସେ ଖୁବ୍‌ କମ ସମୟରେ ସବୁ ସମ୍ପତ୍ତି ବରବାଦ କରିଦେବ। ମୁଁ କାଙ୍ଗାଳ ହୋଇଯିବି। ପ୍ରଭୁ ମୋ​‌ ପ୍ରତି କାହିିଁକି ଏପରି ଅନ୍ୟାୟ କରୁଛନ୍ତି?
ସନ୍ଥ ତିରୁବଲ୍ଲେଶ୍ବର ତାଙ୍କର ଏଭଳି ଦୁଃସ୍ଥିତି ଅବଲୋକନ କରି କହିଥିଲେ- ଶେଠଜୀ! ତୁମର ପିତା ତୁମପାଇଁ କେତେ ସମ୍ପତ୍ତି ଛାଡ଼ି ଯାଇଥିଲେ?
ସେ ବହୁତ ଗରିବ ଥିଲେ, ମୋ ପାଇଁ କିଛି ହେଲେ ରଖି ନଥିଲେ, ମୁଁ ବହୁ କଷ୍ଟକରି ସମ୍ପତ୍ତି କମାଇଛି। ଏହି ପୁଅ ମୋ ଜୀବଦଶାରେ ମୋତେ ଫକିର କରିଦେବ ଲାଗୁଛି। ଏହା ବାଦ ବି ତୁମେ ଏତେ ଧନ କମାଇବାରେ ସକ୍ଷମ ହୋଇଛ, ଧନବାନ ହୋଇଛ। ଏବେ ତୁମେ ଆଶଙ୍କା କରୁଛ ଯେ ତୁମ ପୁଅ ଗରିବ ହୋଇଯିବ, ତିରୁବଲ୍ଲେଶ୍ବର କହିଲେ।
ଆପଣ ଏ କ’ଣ କହୁଛନ୍ତି? ଏଥିରେ ମୋର କ’ଣ ଭୁଲ ରହିଲା- ଶେଠ ଏହା କହି ବିସ୍ମିତ ହୋଇ ସନ୍ଥଙ୍କୁ ଚାହିଁ କହିଲେ।
ସନ୍ଥ ତିରୁବଲ୍ଲେଶ୍ବର କହିଲେ- ତୁମେ ଏହା ବିଚାରକୁ ଆଣି ଧନ କମାଇଥିଲ ଯେ ତୁମର ସନ୍ତାନ ଅପାର ଦୌଲତ ଭୋଗ କରିବ। ସନ୍ତାନକୁ ଧନଶାଳୀ କରାଇବା କର୍ତ୍ତବ୍ୟ ଭାବି ଏସବୁ କରିଥିଲ। ହେଲେ ଅସଲ କର୍ତ୍ତବ୍ୟ ଭୁଲି ଯାଇଥିଲ ଯାହା ପ୍ରତ୍ୟେକ ପିତାଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ। ଧନ ଅର୍ଜନରେ ଧ୍ୟାନ ଦେଇ ତୁମେ ତୁମ ପୁତ୍ରର ଶିକ୍ଷାଦୀକ୍ଷା ଦିଗରେ ଦୃଷ୍ଟି ଦେଲନି କି ତାକୁ ସଂସ୍କାର ସଂପନ୍ନ କଲନାହିଁ, ଏ ଦିଗରେ ତୁମର ଧ୍ୟାନ ନଥିଲା ଆଦୌ। ପ୍ରତ୍ୟେକ ପିତାର କର୍ତ୍ତବ୍ୟ ହେଉଛି ସନ୍ତାନକୁ ପାଞ୍ଚଜଣଙ୍କ ସଙ୍ଗେ ବସିବା ଭଳି ଯୋଗ୍ୟତାସଂପନ୍ନ କରାଇବା, ଯାହା ତୁମେ କରିନ। ସେତିକି କରିପାରିଥିଲେ ବାକି ସବୁ ସେ ନିଜ ଯୋଗ୍ୟତାଭିତ୍ତିରେ ଅକ୍ଳେଶରେ ଅର୍ଜନ କରିପାରିଥାନ୍ତା। ଏଭଳି ଅଯୋଗ୍ୟ ପୁତ୍ର ହାତରେ ଧନ ରହିଲେ ତ ତାହାର ବିନର୍ବ୍ୟୟ ନିଶ୍ଚିତ ହେବ। ଶେଠ ନିଜର ଭୁଲ ବୁଝିପାରିଥିଲେ, ହେଲେ ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ଚାଲିଯାଇଥିଲା।

Comments
Loading...