ସର୍ବୋତ୍ତମ କର୍ତ୍ତବ୍ୟ

0

ସର୍ବଦା ଏଣେତେଣେ ବୁଲି ଖବର ସଂଗ୍ରହ କରୁଥିବା ସ୍ବର୍ଗଲୋକର ସମ୍ବାଦଦାତା ଦେବର୍ଷି ନାରଦ ଏକଦା ପ୍ରଜାପତି ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ ଏକ ଜିଜ୍ଞାସାର ସମାଧାନ ପାଇଁ। ପ୍ରଜାପତିଙ୍କୁ ପ୍ରଶ୍ନ କରିଥିଲେ- ଆପଣ ନ୍ୟାୟପ୍ରିୟ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି। ତଥାପି ଆପଣଙ୍କ ଦୃଷ୍ଟିଭଙ୍ଗୀରେ ଭେଦଭାବ ପରିଲକ୍ଷିତ ହେଉଛି କାହିଁକି? ଆପଣ ଦେବତାମାନଙ୍କୁ ସ୍ବର୍ଗପୁରରେ ରହିବାକୁ ସ୍ଥାନ ଦେଇଛନ୍ତି, ସେମାନେ ଯଜ୍ଞରେ ସ୍ଥାନ ପାଉଛନ୍ତି, ଅମୃତପାନର ଅଧିକାରୀ ହୋଇଛନ୍ତି, କାମଧେନୁ ଗାଈ, ଉଚ୍ଚୈଶ୍ରବା ଅଶ୍ବ ମଧ୍ୟ ସେମାନଙ୍କ ନିକଟରେ ଅଛି। ଆଉ ଅସୁରମାନେ? ସେମାନେ ତ ନରକ ଯନ୍ତ୍ରଣା ଭୋଗୁଛନ୍ତି! ଏଭଳି ଭେଦଭାବ କାହିଁକି? ଦୁହେଁ ତ ଆପଣଙ୍କ ସୃଷ୍ଟିର ସନ୍ତାନ। ଜଣେ ଅତି ଉତ୍ତମ ଓ ଜଣେ ଅଧମ ପଦବାଚ୍ୟ କାହିଁକି?
ଏହାଶୁଣି ପ୍ରଜାପତି ବ୍ରହ୍ମା ନାରଦଙ୍କୁ କହିଲେ- ଦେବତା ହୁଅନ୍ତୁ ବା ଅସୁର ହୁଅନ୍ତୁ ସେମାନଙ୍କର ମହତ୍ତ୍ବ ମନସ୍ଥିତିର ଆଧାର ଉପରେ ନିର୍ଭର କରେ, ବଂଶ (କୁଳ) ଆଧାରରେ ନୁହେଁ। ଯଦି ବଂଶ ଆଧାରରେ କେହି ଦେବତା ହେଉଥାନ୍ତେ ତେବେ ପ୍ରହ୍ଲାଦ, କାହିଁକି ଦେବତା ପଦବାଚ୍ୟ? ସେ ତ ଅସୁର ବଂଶରେ ଜାତ। ଆଉ ରାବଣ? ସନ୍ଥ ଋଷିଙ୍କ ବଂଶରେ ଜନ୍ମନେଇ ବହୁ କୁଗୁଣ ସଂପନ୍ନ ହୋଇ ରାକ୍ଷସ ସଦୃଶ ଆଚରଣ କରୁଥିଲା କାହିଁକି? ଯାହାଙ୍କ ଅନ୍ତଃକରଣରେ ଉଦାରତା ଅଛି ସେ ଦେବତା ପଦବାଚ୍ୟ, ଯାହାଙ୍କ ଅନ୍ତକରଣ ସଂକୀର୍ଣ୍ଣତାରେ ଭରପୂର ସେମାନେ ଅସୁର ପଦବାଚ୍ୟ। ଆପଣଙ୍କ ଜିଜ୍ଞାସାର ସମାଧାନ ପାଇଁ ମୁ ଁ ଏକ ପ୍ରସ୍ତାବ ଦେଉଛି। ଦେବାସୁରଙ୍କୁ ଏକ ଭୋଜିସଭାକୁ ଆମନ୍ତ୍ରଣ କରନ୍ତୁ ମୋ ତରଫରୁ। ପ୍ରଥମେ ଅସୁରମାନଙ୍କୁ ଯୋଗଦେବାକୁ ଆମନ୍ତ୍ରଣ କରନ୍ତୁ, ସେହିଠାରେ ହିଁ ଏହାର ପରୀକ୍ଷା ହୋଇଯିବ।
ପ୍ରଜାପତିଙ୍କ ଆଦେଶ ଅନୁସାରେ ନାରଦ ପ୍ରଥମେ ଅସୁରମାନଙ୍କୁ ନିମନ୍ତ୍ରଣ କରିଥିଲେ। ଖାଦ୍ୟ ପରିବେଷଣ କରାଗଲା। ଖାଇବାକୁ ଯିବା ପୂର୍ବରୁ ପ୍ରଜାପତି କହିଥିଲେ- ସମସ୍ତଙ୍କୁ ପେଟଭରି ଖାଇବାକୁ ଦିଆଯିବ, ହେଲେ ଗୋଟିଏ ସର୍ତ୍ତରେ। ପ୍ରତ୍ୟେ​‌େ​‌କ କହୁଣିକୁ ନ ଭାଙ୍ଗି ଖାଇବାକୁ ପଡ଼ିବ। ଅସୁରମାନେ ଏହି ଆଧାରରେ ଖାଇବାକୁ ଅନେକ ପ୍ରଯତ୍ନ କରିଥିଲେ। ହେଲେ ସବୁ ବିଫଳ ହୋଇଥିଲା। କେହି ହେଲେ ଭୋଜନ ଗ୍ରହଣରେ ସକ୍ଷମ ​‌େ​‌ହାଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଜାପତିଙ୍କ ନିକଟରେ ବିଷୋଦ୍‌ଗାର କରି କହିଥିଲେ- ଯଦି ଖାଇବାକୁ ଦେବେନାହିଁ ତେବେ ନିମନ୍ତ୍ରଣ କରୁଥିଲେ କାହିଁକି? ଏଭଳି ଏକ ସର୍ତ୍ତ ରଖିଲେ ଯାହାକୁ ପାଳନ କରିବା ଅସମ୍ଭବ। ବିନା କହୁଣି ଭାଙ୍ଗି କେହି କେବେ ଖାଇପାରେ କି? ଏହା କି କଥା?
ଅସୁରଙ୍କ ପରେ ଦେବତାମାନେ ଆସିଥିଲେ। ସେମାନଙ୍କୁ ମଧ୍ୟ ଖାଦ୍ୟ ପରିବେଷଣ କରାଯାଇ ସେହି ସର୍ତ୍ତ ରଖିଥିଲେ ପ୍ରଜାପତି। ଏହି ସର୍ତ୍ତର ମୂଳଉଦ୍ଦେଶ୍ୟ ଦେବତାମାନେ ବୁଝିପାରିଥିଲେ। ପରସ୍ପର ସହଭାଗିତାରେ ସବୁକିଛି ନିର୍ବାହ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଦେବତାମାନେ ପ୍ରତ୍ୟେ​‌େ​‌କ କହୁଣି ନଭାଙ୍ଗି ଜଣେ ଅନ୍ୟଜଣକୁ ଖୁଆଇ ଦେଇଥିଲେ। ସମସ୍ତେ ସନ୍ତୁଷ୍ଟ ହୋଇ ଭୋଜନ କରିଥିଲେ। ନାରଦଙ୍କ ଜିଜ୍ଞାସାର ସମାଧାନ ହୋଇଯାଇଥିଲା। ସେ ବୁଝିପାରିଥିଲେ ଦେବତାମାନଙ୍କର ବୈଶିଷ୍ଟ୍ୟ। ତାମସିକ ପ୍ରକୃତିସଂପନ୍ନ ଅସୁରମାନଙ୍କ ଅନ୍ତଃକରଣରେ ସଂକୀର୍ଣ୍ଣତା, ନିକୃଷ୍ଟତା କାରଣରୁ ସେମାନେ ଏହାର କୁପ୍ରଭାବରୁ ମୁକ୍ତି ପାଇ ନଥାନ୍ତି। ବସ୍ତୁତଃ ସେମାନଙ୍କ କର୍ମ, ଅନ୍ତର୍ନିହିତ ପ୍ରକୃତି ହିଁ ସେମାନଙ୍କୁୁ ସର୍ବଦା ହୀନ କରି ରଖିଥାଏ।

Comments
Loading...