ସରକାର ଆଗରେ ସମସ୍ୟାର ପାହାଡ଼

ପ୍ରଦୋଷ ପଟ୍ଟନାୟକ ​‌

ବିଶ୍ବର ବୃହତ୍ତମ ଗଣତନ୍ତ୍ରର ସାଧାରଣ ନିର୍ବାଚନରେ ଜନସାଧାରଣଙ୍କଠାରୁ ବିପୁଳ ସମର୍ଥନ ହାସଲ କରି ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୁଣି କ୍ଷମତାସୀନ ହୋଇଛି। ଏହି ସଫଳତାର ମୁଖ୍ୟ ବିନ୍ଧାଣି ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ସରକାର ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛି। ଭାରତବାସୀ ଅନେକ କିଛି ଆଶା ଓ ବିଶ୍ବାସ ରଖି ମୋଦୀଙ୍କ ନେତୃତ୍ବ ଉପରେ ଦ୍ବିତୀୟଥର ଆସ୍ଥା ପ୍ରକଟ କରିଛନ୍ତି। ତେବେ ଦେଶର ବହୁ ରାଜନୈତିକ ସମୀକ୍ଷକ ଓ ଅର୍ଥନୀତିଜ୍ଞଙ୍କ ମତାମତକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ନିଃସନ୍ଦେହରେ କୁହାଯାଇପାରେ ଯେ ମୋଦୀ ଶାସନର ଦ୍ବିତୀୟ ଇନିଙ୍ଗସରେ ତାଙ୍କର ଚଲାପଥ ଆଦୌ କୁସୁମିତ ନୁହେଁ ଏବଂ ଆଗକୁ ଦେଶ ଆଗରେ ଏଭଳି ସମସ୍ୟାର ପାହାଡ଼ ସବୁ ମୁଣ୍ଡ ଟେକିବାକୁ ଯାଉଛି, ଯାହାକୁ ଅତିକ୍ରମ କରିବା ତାଙ୍କର ସରକାର ପାଇଁ ଅତ୍ୟନ୍ତ କଷ୍ଟକର ହେବ। ତୈଳ ଓ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ବେରୋଜଗାର ବା ବେକାର ସମସ୍ୟା ଦେଶର ଅର୍ଥନୀତିକୁ ସଂକଟ ଆଡ଼କୁ ଠେଲି ଦେବାର ସମ୍ଭାବନା ଦେଖାଦେଇଛି। କୃଷିବିତ୍‌ଙ୍କ ମତରେ କୃଷି ଉତ୍ପାଦନ ହ୍ରାସ ପାଇବା ଦ୍ବାରା ଦେଶର ଗ୍ରାମୀଣ ଅର୍ଥନୀତି କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ନୂଆ ସରକାର ଆଗରେ କୃଷି କ୍ଷେତ୍ରକୁ ସଜାଡ଼ିବା ଏକ ବଡ଼ ଆହ୍ବାନ ହେବ। କେତେକ ଘରୋଇ ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବିଳମ୍ବ ଘଟିପାରେ ଓ ବୃଷ୍ଟିପାତ ସ୍ବାଭାବିକ ସ୍ତରଠାରୁ କମ୍‌ ରହିବ। ଏଭଳି କ୍ଷେତ୍ରରେ ଦେଶର କେତେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେବା କିଛି ଅସମ୍ଭବ ନୁହେଁ। ଆମ ଦେଶରେ ରେକର୍ଡ ପରିମାଣର କୃଷି ଉତ୍ପାଦନ ସ​‌େ​‌ତ୍ତ୍ବ ଚାହିଦା ଓ ଯୋଗାଣ ମଧ୍ୟରେ ବଡ଼ ଧରଣର ପାର୍ଥକ୍ୟ ଯୋଗୁଁ ଚାଷୀର ଆୟ କମିବାରେ ଲାଗିଛି, ଯାହା ଆଗାମୀ ଦିନରେ ଚାଷୀଙ୍କ ଅସନ୍ତୋଷକୁ ଦ୍ବିଗୁଣିତ କରିପାରେ। ଦେଶର ମୋଟ ଜିଡିପିରେ କୃଷି କ୍ଷେତ୍ରର ପ୍ରମୁଖ ଅବଦାନ ରହିଥିବାବେଳେ ଏହାର ଅଭିବୃଦ୍ଧି ବିନା ବିକାଶ କଷ୍ଟକର ହୋଇପଡ଼ିବ। ଦରବୃଦ୍ଧି ନୂଆ ସରକାର ଆଗରେ ଆଉ ଏକ ବଡ଼ ସମସ୍ୟା ହୋଇ ଠିଆ ହେବାର ସମ୍ଭାବନା ରହିଛି। ପନିପରିବା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ରହିଛି। ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇ ମୁଣ୍ଡବ୍ୟଥାର କାରଣ ପାଲଟିପାରେ। ଖୁଚୁରା ବଜାରରେ ଆଳୁ ଓ ପିଆଜ ଆଦିର ମୂଲ୍ୟ ଯଥେଷ୍ଟ ଅଧିକ ଥିଲେ ହେଁ ଉତ୍ପାଦନକାରୀ ଚାଷୀମାନେ ଏ ବାବଦରେ ଖୁବ୍‌ ନଗଣ୍ୟ ମୂଲ୍ୟ ପାଉଛନ୍ତି। ନିକଟ ଅତୀତରେ ଏଥିପାଇଁ ଅନେକ ସ୍ଥାନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ବିରୋଧୀ ଦଳମାନେ ଏହାକୁ ବିଜେପି ସରକାର ବିରୋଧରେ ଏକ ପ୍ରସଙ୍ଗ ରୂପେ ଉପସ୍ଥାପନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିତୀୟ ପାଳି ଶାସନ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ଜାତୀୟ ଅର୍ଥନୀତି ନେଇ ଏକ ନୈରାଶ୍ୟଜନକ ଚିତ୍ର ସାମନାକୁ ଆସିଛି। ଖୋଦ୍‌ ସରକାରଙ୍କ ସ୍ବୀକାରୋକ୍ତି ଅନୁଯାୟୀ ଦେଶର ଅଥନୈତିକ ଅଭିବୃଦ୍ଧି ହାର ୫.୮ ପ୍ରତିଶତ ସ୍ତରକୁ ଖସି ଆସିଥିବାବେଳେ ବେକାରୀ ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତର ୬.୧ ପ୍ରତିଶତରେ ପହଞ୍ଚିଯାଇଛି। ଏଥିସହିତ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ହରାଇଛି। ବିଗତ କିଛିମାସ ଧରି ଭାରତର ଅର୍ଥନୀତିରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଆମଦାନୀ ଓ ରପ୍ତାନୀ ଧିମେଇ ଯାଇଛି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିବାର ଦେଖାଯାଉଛି। ଭାରତକୁ ମିଳୁଥିବା ଜିଏସ୍‌ପି ସୁବିଧା ପ୍ରତ୍ୟାହାର କରିନେବାକୁ ଆମେରିକା ନିଷ୍ପତ୍ତି ନେବାପରେ ଏହି ସମ୍ପର୍କ ଆହୁରି ବିଗିଡ଼ିଛି। ଆଗାମୀ ଦିନରେ ଭାରତର ତୈଳ ବଜାର ଉପରେ ଏକ ବଡ଼ବିପଦ ଘନେଇ ଆସୁଛି। ଆସନ୍ତା ଅଳ୍ପକିଛି ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଆଦି ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବା ସଙ୍ଗେସଙ୍ଗେ ଏ ସବୁର ଅଭାବ ପରିଲକ୍ଷିତ ହେବ। ଏହାର ଏକମାତ୍ର କାରଣ ହେଉଛି ପ୍ରଧାନ ତୈଳ ଉତ୍ପାଦନକାରୀ ଦେଶ ଇରାନରୁ ଭାରତର ତୈଳ ଆମଦାନୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଲଗାଇଦେଇଛି। କିଛି ବର୍ଷ ହେଲା ଇରାନ୍‌ ସହିତ ଆମେରିକାର ସମ୍ପର୍କ ତିକ୍ତ ହେବା ଫଳରେ ତାହାର କୁପରିଣତି ଆମକୁ ଭୋଗିବାକୁ ପଡ଼ୁଛି। ଇରାନକୁ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ କରିବାପାଇଁ ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଭାରତ ଆଉ ଆବଶ୍ୟକ ପରିମାଣର ତେଲ ପାଇବ ନାହିଁ। ଇରାନ୍‌ରୁ ତେଲ ଆମଦାନୀ କରୁଥିବା ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ତୁର୍କୀ, ଇଟାଲୀ, ଗ୍ରୀସ ଓ ତାଇୱାନ ମଧ୍ୟରୁ ଆମେରିକାର ନାଲି ଆଖିକୁ ଡରି, ଗ୍ରୀସ୍‌, ତାଇୱାନ ଓ ଇଟାଲୀ ଇରାନ୍‌ ତେଲ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଥିବାବେଳେ ଅନ୍ୟ ପାଞ୍ଚଟି ଦେଶ ଉପରେ ଟ୍ରମ୍ପ ପ୍ରଶାସନ କଟକଣା ଲାଗୁ କରିଦେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଚଳାଇବାକୁ କିଭଳି ଅର୍ଥ ମିଳିବ ଏବଂ ଆର୍ଥିକ ସଂକଟକୁ କିପରି ମୁକାବିଲା କରାଯାଇପାରିବ, ତାହା ମୋଦୀ ସରକାର ଆଗରେ ଏକ ଚାଲେଞ୍ଜ ହେବ।
ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର, ଭୁବନେଶ୍ବର

Comments
Loading...