ସତ୍ୟବାଦୀର ଇତିହାସ ଓ କିମ୍ବଦନ୍ତୀ

0

ଡଃ. ପ୍ରସନ୍ନ କୁମାର ସ୍ୱାଇଁ

ପଣ୍ଡିତ କୃପାସିନ୍ଧୁ ମିଶ୍ର ବିଂଶ ଶତକରେ ଆମ ଭାଷାର ଜଣେ ପ୍ରଥିତଯଶା ଐତିହାସିକ ଓ ପ୍ରବୀଣ ସାହିତ୍ୟିକ। ନିରପେକ୍ଷ ସାହିତ୍ୟ ସମାଲୋଚକ ମନନଶୀଳ ପ୍ରାବନ୍ଧିକ ଭାବରେ ଯେପରି ଜଣେ ପ୍ରବୀଣ ଐତିହାସିକ ଭାବରେ ତାଙ୍କର ଖ୍ୟାତି ସେହିପରି ସୁବିଦିତ ଓ ସର୍ବଜନ ପ୍ରଶଂସିତ। ସ୍ରଷ୍ଟାଙ୍କର ଇତିହାସ ଚେତନାର ଆଦ୍ୟ ଓଁକାର ଆମେ ତାଙ୍କ ରଚିତ ‘ବାରବାଟୀ ଦୁର୍ଗ’ ମଧ୍ୟରୁ ଅନୁଭବ କରୁ। ଏହାପରେ ତାଙ୍କର ‘କୋଣାର୍କ’, ‘ଉତ୍କଳ-ଇତିହାସ’ ପ୍ରଭୃତି ଗ୍ରନ୍ଥଗୁଡ଼ିକ ଏହି ଧାରାର ଏକ ଏକ କୀର୍ତ୍ତିସ୍ତମ୍ଭ। ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ସ୍ରଷ୍ଟାଙ୍କର ଏକ ଦୀର୍ଘ ଐତିହାସିକ ଓ ସଂସ୍କୃତିଭିତ୍ତିକ ପ୍ରବନ୍ଧ। ସ୍ରଷ୍ଟାଙ୍କର ଏହି ରଚନା ‘ସତ୍ୟବାଦୀ’ ପତ୍ରିକାରେ ୧/୨ ସଂଖ୍ୟାରୁ ଆରମ୍ଭ ହୋଇ ୩/୩-୪ ସଂଖ୍ୟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିକ୍ଷିପ୍ତଭାବରେ ତେର ଗୋଟି ଭାଗରେ ପ୍ରକାଶ ପାଇଥିଲା। କୃପାସିନ୍ଧୁ ମିଶ୍ର ଥିଲେ ସେ କାଳରେ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଛାତ୍ରବତ୍ସଳ ପ୍ରବୀଣ ଶିକ୍ଷକ। ଦର୍ଶନ ଶାସ୍ତ୍ରରେ ଏମ.ଏ. ପଢ଼ିଥିଲେ ମଧ୍ୟ ଶୈଶବକାଳରୁ ଇତିହାସ ପ୍ରତି ତାଙ୍କର ଥିଲା ଗଭୀର ଅନୁରକ୍ତି। ବନବିଦ୍ୟାଳୟରେ ଶିକ୍ଷକତାକାଳରେ ସେ ଥିଲେ ବିଦ୍ୟାଳୟ ‘ହିଷ୍ଟ୍ରି କ୍ଲବ୍‍’ର ସଭାପତି। ବନ ବିଦ୍ୟାଳୟକୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ଶିକ୍ଷାବିତ୍‍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ନିକଟସ୍ଥ ସାକ୍ଷୀଗୋପାଳ ମନ୍ଦିରର ଐତିହ୍ୟ ସମ୍ପର୍କିତ ଉତ୍‍ଥାପିତ ନାନା ପ୍ରଶ୍ନ ପରକାଳରେ ଶିକ୍ଷକ କୃପାସିନ୍ଧୁଙ୍କୁ ଏହି ମନ୍ଦିର ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ନିମିତ୍ତ ପ୍ରବର୍ତ୍ତାଇଥିଲା। ଫଳତଃ ସତ୍ୟବାଦୀ ମନ୍ଦିରର ଇତିହାସ, କିଂବଦନ୍ତୀ, ଏଠାରେ ପୂଜିତ ଦେବଦେବୀ, ମନ୍ଦିରର ଶାସନ ନୀତି ଓ ପଦ୍ଧତି, ମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ପର୍ବପର୍ବାଣି ପ୍ରଭୃତି ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହୀ ହୋଇ ସେ ବହୁ ଗ୍ରନ୍ଥ ଅଧ୍ୟୟନ କରିଥିଲେ। ଜଣେ ସଫଳ ଐତିହାସିକ ଭାବରେ ଅତୀତମୁଖୀ ହେବା ସହିତ ଇତିହାସ ଗ୍ରନ୍ଥ ଅଧ୍ୟୟନ କାଳରେ କୃପାସିନ୍ଧୁ ଅନୁଭବ କରିଥିଲେ- ‘ରାଜାମାନଙ୍କର ଜୀବନ ଦେଶର ପ୍ରକୃତ ଇତିହାସ ନୁହେଁ। ଦେଶବାସୀଙ୍କ ଜୀବନର ବିଷୟାବଳୀ ଦେଶର ପ୍ରକୃତ ଇତିହାସ। ଶିଳାଲିପି, ଶିଳାଶିଳ୍ପ, ପ୍ରାଚୀନଗ୍ରନ୍ଥାବଳୀ, ବୈଦେଶିକ ଲେଖକମାନଙ୍କର ବର୍ଣ୍ଣନା ଓ କିମ୍ବଦନ୍ତୀ ସାହାଯ୍ୟରେ ଏହି ସହସ୍ର ବର୍ଷ ମଧ୍ୟରେ ଉତ୍କଳବାସୀଙ୍କର ଅବସ୍ଥା କିପରି ଉନ୍ନତ ଥିଲା ଜଣାପଡ଼େ। ସେ ସବୁରୁ ଜଣାଯାଏ, ଉତ୍କଳବାସୀ ସୁସଭ୍ୟ ଥିଲେ, ଶିଳ୍ପ ବାଣିଜ୍ୟରେ ବହୁ ଉନ୍ନତି କରିଥିଲେ। ଲୋକେ ସେତେବେଳେ ଧାର୍ମିକ, ସାହସୀ, କର୍ମକୁଶଳ ଏବଂ କଳାଶିଳ୍ପ ଓ ଅନ୍ୟାନ୍ୟ କଳାବିଦ୍ୟାରେ ବହୁ ପାରଦର୍ଶୀ ଥିଲେ।’ (କୃପାସିନ୍ଧୁ ମିଶ୍ର, ଉତ୍କଳ-ଇତିହାସ, (୧୯୨୬), ପୃ-୪୪)
ପ୍ରାଚୀନ ଉତ୍କଳ ଓ ଉତ୍କଳ ସମ୍ପର୍କିତ ଏହିପରି ଜିଜ୍ଞାସାବୋଧ ହିଁ କୃପାସିନ୍ଧୁଙ୍କୁ ତାଙ୍କ ହାତ ପାଆନ୍ତାରେ ଥିବା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ମନ୍ଦିର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାପାଇଁ ଆଗ୍ରହୀ କରିଥିଲା। ସତ୍ୟବାଦୀ ବନବିଦ୍ୟାଳୟ ନିକଟସ୍ଥ ସାକ୍ଷୀଗୋପାଳ ମନ୍ଦିର ସହିତ ଉତ୍କଳର ସହସ୍ର ବର୍ଷର ଇତିହାସ ଓ କିଂବଦନ୍ତୀ ଖୁବ୍‍ ଦୃଢ଼ ଭାବରେ ସଂଶ୍ଳିଷ୍ଟ। ଏ ସମ୍ପର୍କରେ ସ୍ରଷ୍ଟା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର ଉପକ୍ରମଣିକାରେ ଯଥାର୍ଥରେ ଉଲ୍ଲେଖ କରିଛନ୍ତି- ‘ଭାରତର ଧାରାବାହିକ ଇତିହାସ ନାହିଁ। କିନ୍ତୁ ଐତିହାସିକ ଉପାଦାନ ନାନା ଭାବରେ ଚାରିଆଡ଼େ ଏପରି ବିଞ୍ଚି ହୋଇ ରହିଅଛି ଯେ ସାମାନ୍ୟ ଅନୁସନ୍ଧାନରେ ଯୁଗଯୁଗାନ୍ତରେ ସତ୍ୟରାଶି ପ୍ରକାଶ ପାଏ। ବେଦଶାସ୍ତ୍ର ପୁରାଣାଦି ଛାଡ଼ିଦେଲେ ଏହାର ଗ୍ରାମ ନଦୀ କାନନ ବନ୍ଦରାଦିରେ ଯେଉଁସବୁ ଐତିହାସିକ ସତ୍ୟ ନିହିତ ଅଛି ତାହାର ଉଦ୍‍ଘାଟନ ଲାଗି କେତେ ତତ୍ତ୍ୱସନ୍ଧିତ୍ସୁଙ୍କର ପ୍ରଗାଢ଼ ଅଧ୍ୟବସାୟ ଆବଶ୍ୟକ। ଶିଆଳିଲଗା ଶିଳାଖଣ୍ଡ ଅଭ୍ୟନ୍ତରରେ କେତେ ଅତୀତ ଘଟଣା ଲୁଚି ରହିଅଛି! x x x x x ‘ଶୋଭାର ନିଧାନ’ ଉତ୍କଳ କବି ତା’ର ବିଳାସ ନିମନ୍ତେ ଯେପରି ଉପଯୁକ୍ତ ଭୂମି ପୁରାଣ ପ୍ରସିଦ୍ଧ ଉତ୍କଳ ଐତିହାସିକ ଗବେଷଣା ନିମନ୍ତେ ସେହିପରି ପ୍ରଶସ୍ତ କ୍ଷେତ୍ର। ଅନୁସନ୍ଧାନ କଲେ ଦେଖାଯିବ ଉତ୍କଳର ପ୍ରତ୍ୟେକ ଗ୍ରାମର ଇତିହାସ ଅଛି; କିନ୍ତୁ ଲେଖା ହୋଇନାହିଁ। ଅନେକ ଦେବତାଙ୍କର ଗୌରବାବହ କାହାଣୀ ଅଛି। କାଳକ୍ରମେ ତାହା ଲୁପ୍ତ ହୋଇ ଆସୁଅଛି। ଏହିପରି ଅସଂଖ୍ୟ ସେତୁ ସରୋବର ପନ୍ଥା ପ୍ରକାର ଦୁର୍ଗ ଦେବାଳୟମାନଙ୍କ ସମ୍ବନେ୍ଧ ନାନା କାହାଣୀ କିଂବଦନ୍ତୀ ରହିଅଛି।
‘ପଚାର ସେ ତୁଠ ଶିଳେ ଘସୁ ଯହିଁ ପାଦ
କହିବ ସେ ତୋର ବଡ଼ ପୁରୁଷ ସମ୍ବାଦ।’
ଉପସ୍ଥିତ ପ୍ରସଙ୍ଗରେ ଆମ୍ଭେମାନେ ସତ୍ୟବାଦୀ ଗ୍ରାମରେ ପ୍ରତିଷ୍ଠିତ ପାଷାଣ ମୂର୍ତ୍ତି ବା ମଣି ବିଗ୍ରହଙ୍କୁ ପଚାରି ପୂର୍ବପୁରୁଷମାନଙ୍କ ସମ୍ବାଦ ପାଇବାର ପ୍ରୟାସ କରୁଅଛୁଁ। ଏ ମୂର୍ତ୍ତି ଆମ୍ଭମାନଙ୍କ ଦୃଷ୍ଟିରେ ଜଡ଼ ପିତୁଳା ନୁହଁନ୍ତି। ସୁକୁମାର ଶିଳ୍ପର ଆଦର୍ଶ ନୁହନ୍ତି କିମ୍ବା ଅଜ୍ଞ ଲୋକ ସାଧାରଣଙ୍କର ଧର୍ମ ବିଶ୍ୱାସକୁ ସୁଦୃଢ଼ ଓ ଚରିତାର୍ଥ କରିବାଲାଗି କୌଶଳ ନୁହଁନ୍ତି। ଏହା ଶୁଦ୍ଧ ବୁଦ୍ଧ ପ୍ରେମମୟ ଜୀବନ୍ତ ପ୍ରତିମା। ମୂକସାକ୍ଷୀ ହୋଇ ଉଭା ହୋଇଅଛନ୍ତି ସତ୍ୟ। କିନ୍ତୁ ସେ ମୁଖରୁ କେତେ ପ୍ରେମର କାହାଣୀ, ଗୌରବର ଇତିହାସ ଭକ୍ତିର ବୃତ୍ତାନ୍ତ ନୀରବ ଗମ୍ଭୀର ଭାବରେ ନିଃସୃତ ହେଉଅଛି।’ ସତ୍ୟବାଦୀ, ୧/୨ ସଂଖ୍ୟା, (ପୃ୬୨-୬୩) ସୁତରାଂ ସେହି ଗ୍ରାମ୍ୟ ଜଡ଼ ପ୍ରସ୍ତର ଗାତ୍ର ଓ ଜଡ଼ ପ୍ରସ୍ତରମୂର୍ତ୍ତି ମଧ୍ୟରୁ ପ୍ରଥମେ ଯିଏ ଗୋଟିଏ ଜାତିର ଅତୀତ ଓ ଏହାର କିଂବଦନ୍ତୀକୁ ଅନ୍ୱେଷଣ କରିଥିଲେ ସେ ହେଉଛନ୍ତି ଆମ ସାହିତ୍ୟର ବିଶିଷ୍ଟ ଐତିହାସିକ ଓ ଗବେଷକ କୃପାସିନ୍ଧୁ ମିଶ୍ର।
ଓଡ଼ିଶାର ପ୍ରାଚୀନ ଇତିହାସ ଅଧ୍ୟୟନରୁ ଜଣାଯାଏ, ପଞ୍ଚଦଶ ଶତକରେ ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରିଥିଲେ ଓ କାଞ୍ଚି ଯୁଦ୍ଧରେ ବିଜୟୀ ହୋଇ ଯୁଦ୍ଧଧନ ଭାବରେ ‘ସାକ୍ଷୀଗୋପାଳ’ଙ୍କୁ ପ୍ରାପ୍ତହୋଇ ଓଡ଼ିଶା ଆଣିଥିଲେ। ସାକ୍ଷୀଗୋପାଳଙ୍କୁ ପ୍ରଥମେ ସେ ପୁରୀ ଓ ପରେ ପରେ ତତ୍‍କାଳୀନ ଉତ୍କଳର ରାଜଧାନୀ କଟକର ବାରବାଟୀ ଦୁର୍ଗମଧ୍ୟରେ ସ୍ଥାପନ କରିଥିଲେ। ଏ ସମ୍ପର୍କରେ ସ୍ରଷ୍ଟା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର ଚତୁର୍ଥ ଅଧ୍ୟାୟ ‘କଟକ ଅଧିଷ୍ଠାନ’ ମଧ୍ୟରେ ଉଲ୍ଲେଖ କରିଛନ୍ତି-’ କଟକ ସେ ସମୟରେ ଓଡ଼ିଶାର ରାଜଧାନୀ ଥିଲା। କାଞ୍ଚି ବିଜୟ ସମୟରୁ ଅପୂର୍ବ କମନୀୟ ମୂର୍ତ୍ତି ସାକ୍ଷୀଗୋପାଳଙ୍କୁ ରାଜଧାନୀ କଟକରେ ରଖାଇବା ଲାଗି ପୁରୁଷୋତ୍ତମ ଦେବଙ୍କର ଇଚ୍ଛା ହୋଇଥିବା ବିଚିତ୍ର ନୁହେଁ। କିନ୍ତୁ ହଠାତ୍‍ ଦେଉଳ ନିର୍ମାଣ ହୋଇପାରୁଛି କାହିଁ? ତେଣୁ ପ୍ରଥମେ ତାଙ୍କୁ ଆଣି ପୁରୀ ବେଢ଼ା ଅନ୍ତର୍ଗତ କୌଣସି ଦେଉଳରେ ରଖିଥିବେ। ପରେ କଟକରେ ଉପଯୁକ୍ତ ମନ୍ଦିର ନିର୍ମାଣ କରାଇ ସେଠାକୁ ବିଜେ କରାଇଥିବେ। ଚରିତାମୃତ ଗ୍ରନ୍ଥରେ ସ୍ପଷ୍ଟାକ୍ଷରରେ ଲେଖାଅଛି ରାଜା ପୁରୁଷୋତ୍ତମ ଦେବ ‘କଟକେ ଗୋପାଲ ସେବା କରିଲ ସ୍ଥାପନ’। ବାରବାଟୀ ଦୁର୍ଗମଧ୍ୟରେ ସାକ୍ଷୀଗୋପାଳ ଓ କଟକଚଣ୍ଡୀ ଉଭୟେ ପ୍ରତିଷ୍ଠିତ ଥିବାର ପ୍ରମାଣିତ ହୋଇଅଛି। କାଳର ଗତି ବିଚିତ୍ର। ଏଥିରେ ମାନବର ଭାଗ୍ୟ ପରିବର୍ତ୍ତିତ ହେଉଛି। ଦେଶର ଦଶା ବଦଳୁଛି; ଅନୁଷ୍ଠାନ ପ୍ରତିଷ୍ଠାନମାନ ଅବସ୍ଥାନ୍ତରିତ ହେଉଛି। ଓଡ଼ିଶାର ରାଜଧାନୀ କଟକ ଆଉ ପୁରୁଷୋତ୍ତମ ଦେବଙ୍କ ସମୟର କଟକ ନାହିଁ। ଆଜି ବାରବାଟୀ ଆଉ ସେ ବାରବାଟୀ ନାହିଁ। ସେଠାରେ ସାକ୍ଷୀଗୋପାଳ ନାହାନ୍ତି।’ (ସତ୍ୟବାଦୀ, ୧/୬ ସଂଖ୍ୟା, ପୃ-୧୭୨) ଆଲୋଚ୍ୟ ଦୀର୍ଘ ପ୍ରବନ୍ଧର ଦ୍ୱିତୀୟ ଅଧ୍ୟାୟରେ ସ୍ରଷ୍ଟା ସାକ୍ଷୀଗୋପାଳ ମନ୍ଦିରର ପ୍ରାକୃତିକ ପରିବେଶ ସହିତ ସେହି ମନ୍ଦିରରେ ପୂଜିତ ଗୋପାଳମୂର୍ତ୍ତିଙ୍କର କାଞ୍ଚିରୁ ସତ୍ୟବାଦୀ ପର୍ଯ୍ୟାୟ ଦୀର୍ଘ ଯାତ୍ରାକୁ ପ୍ରାମାଣିକ ଓ ତଥ୍ୟ ସମ୍ବଳିତ କରି ପ୍ରକାଶ କରିଛନ୍ତି। ଦୀର୍ଘ ପ୍ରବନ୍ଧରର ତୃତୀୟ ଅଧ୍ୟାୟ ‘ଯୁଦ୍ଧଧନ’ ମଧ୍ୟରେ ସ୍ରଷ୍ଟା କୃପାସିନ୍ଧୁ ମିଶ୍ର ଭାରତର ସେ କାଳର ବିଶିଷ୍ଟ ଐତିହାସିକ ଡଃ, ରାଜେନ୍ଦ୍ର ଲାଲ ମିତ୍ରଙ୍କର ‘Antiquities of Orissa’ ଗ୍ରନ୍ଥରେ ଥିବା ତଥ୍ୟଗତ ପ୍ରମାଦକୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଉଲ୍ଲେଖ କରିଛନ୍ତି- “Centuries after, negotiations were set on foot for the marriage of Prataprudra of Orissa with Padmavati, the then king of Canjeveram & C.” x x x x ‘ମୁନିନାଂ ଚ ମତିଭ୍ରମ’ ଏହି ନ୍ୟାୟରେ ଆମ୍ଭେମାନେ ରାଜେନ୍ଦ୍ରଲାଲଙ୍କ ଗ୍ରନ୍ଥରେ ପୁରୁଷୋତ୍ତମଙ୍କ ନାମ ପରିବର୍ତ୍ତେ ପ୍ରତାପରୁଦ୍ରଙ୍କ ନାମ ପ୍ରସାଦା ବୋଲି ଗ୍ରହଣ କରୁଅଛୁଁ।’ (ସତ୍ୟବାଦୀ, ୧୨୫ ସଂଖ୍ୟା, ପୃ-୧୬୦) ଏହି ଦୀର୍ଘ ପ୍ରବନ୍ଧର ପଞ୍ଚମ ଅଧ୍ୟାୟ ‘ସତ୍ୟବାଦୀ ପ୍ରୟାଣ’ ମଧ୍ୟରେ ସ୍ରଷ୍ଟା ସାକ୍ଷୀଗୋପାଳଙ୍କର ବୃନ୍ଦାବନଠାରୁ ଆରମ୍ଭ କରି ଏକଦା ସେ କିପରି ଉତ୍କଳର ଜାତୀୟ ଦେବତା ପାଲଟିଥିଲ, ତାହାର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି।
୧୭୭୯-୮୦ ଖ୍ରୀ.ଅ.ରେ ଦ୍ୱିତୀୟ ଦିବ୍ୟସିଂହଦେବଙ୍କ ରାଜତ୍ୱ କାଳରେ ସତ୍ୟବାଦୀ ମୁସଲମାନମାନଙ୍କ ଆକ୍ରମଣ ବାରମ୍ବାର ସମ୍ମୁଖୀନ ହୋଇଥିଲା। ସତ୍ୟବାଦୀଙ୍କୁ ମୁସଲମାନମାନଙ୍କ ଆକ୍ରମଣଠାରୁ ନିରାପଦ ଦୂରତ୍ୱର ରଖିବାକୁ ପ୍ରୟାସ କରି ତାହାଙ୍କୁ ରଥୀପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ସେ ମୁସଲମାନମାନଙ୍କ ଦୌରାତ୍ମ୍ୟରୁ ରକ୍ଷା ନ ମିଳିବାରୁ ସତ୍ୟବାଦୀଙ୍କୁ ପୁନଶ୍ଚ କନ୍ତଳାବାଇକୁ ସ୍ଥାନାନ୍ତର କରାଯାଇଥିଲା। ୧୮୧୭-୧୮ ମସିହାର ପାଇକ ବିଦ୍ରୋହ ପର ଘଟଣାଠାରୁ ସତ୍ୟବାଦୀଙ୍କର ଅବସ୍ଥାନ ସମ୍ପର୍କରେ ଇତିହାସ ଭିତ୍ତିରେ ସ୍ରଷ୍ଟା କୃପାସିନ୍ଧୁ ଯେଉଁ ମତ ପ୍ରଦାନ କରିଛନ୍ତି, ତାହା ସାକ୍ଷୀଗୋପାଳ ମନ୍ଦିରର ଐତିହାସିକ ଅଧ୍ୟୟନ ନିମିତ୍ତ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଯଥା: ‘୧୮୧୭-୧୮ ଖ୍ରୀଷ୍ଟାବ୍ଦରେ ଖୋରଧାର ପାଇକ ବିଦ୍ରୋହ ପରେ ମୁକୁନ୍ଦଦେବ କଏଦୀ ଓ ମୃତ ହେବାରୁ ତାହାଙ୍କ ପୁତ୍ର ରାମଚନ୍ଦ୍ରଦେବ ୧୮୧୭ରୁ ୧୮୫୬ ଖ୍ରୀ.ଅ ପର୍ଯ୍ୟନ୍ତ ରାଜା ହେଲେ। ଖୋରଧା ଇଂରେଜ ସରକାରଙ୍କ ଖାସ ଦଖଲରେ ଆସିଲା। ରାମଚନ୍ଦ୍ରଦେବ ଖୋର୍ଦ୍ଧା ଛାଡ଼ି ପୁରୀରେ ବାସ କଲେ। ଆଉ ଖୋରଧା ସହିତ ତାଙ୍କର କୌଣସି ସମ୍ପର୍କ ରହିଲା ନାହିଁ। ପରମପୂଜ୍ୟ ପ୍ରିୟ ଦେବତା ସତ୍ୟବାଦୀଙ୍କୁ ଦୂରବର୍ତ୍ତୀ କନ୍ତଳବାଇ ଗ୍ରାମରେ ଛାଡ଼ି ଆସିବାକୁ ରାମଚନ୍ଦ୍ରଙ୍କ ମନ ବଳିଲା ନାହିଁ। ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀଙ୍କ ପରାମର୍ଶରେ ସେ ସତ୍ୟବାଦୀଙ୍କୁ ପୁରୀର ନିକଟବର୍ତ୍ତୀ ବହୁ ବ୍ରାହ୍ମଣ ଶାସନ କେନ୍ଦ୍ରସ୍ଥଳ ରତ୍ନଚିରାର ମଞ୍ଜୁ ନିକୁଞ୍ଜମୟ ପୁଳିନରେ ପ୍ରତିଷ୍ଠିତ କଲେ। ଦେବତାଙ୍କ ନାମ ଅନୁସାରେ ସ୍ଥାନର ନାମ ସତ୍ୟବାଦୀ ବୋଲି ଏବେ ଲୋକମୁଖରେ ପ୍ରଚଳିତ।’ (ସତ୍ୟବାଦୀ, ୧/୭ ସଂଖ୍ୟା, ପୃ୨୧୪-୨୧୫) ପ୍ରବନ୍ଧର ଷଷ୍ଠ ଅଧ୍ୟାୟ ‘ଦେଉଳ ଭୋଗ ପ୍ରତିଷ୍ଠା ମଧ୍ୟରେ କୃପାସିନ୍ଧୁ ମିଶ୍ର ବାବା ବ୍ରହ୍ମଚାରୀଙ୍କର ପରିଚୟ ପ୍ରଦାନ ସହିତ ସତ୍ୟବାଦୀ ଠାକୁରଙ୍କୁ ତତ୍‍କାଳୀନ ଓଡ଼ିଶା ରାଜାଙ୍କ ପ୍ରମୋଦ ଭବନ ‘ଫୁଲଅଳସା’ ମୌଜା ଅନ୍ତର୍ଗତ ସିଦ୍ଧ ବକୁଳ ବନରେ କିପରି ଓ କେଉଁ ପରିସ୍ଥିତିରେ ସ୍ଥାପନ କରିଥିଲେ ତାହାର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି। ସଂପ୍ରତି ସାକ୍ଷୀଗୋପାଳଠାରେ ଆମେ ଠାକୁରଙ୍କର ଯେଉଁ ମନ୍ଦିର ଦେଖୁଛୁ ତାହା ଅବଶ୍ୟ ବହୁ ପରେ ନିର୍ମିତ ହୋଇଥିଲା। ମାତ୍ର ପ୍ରଥମେ ‘ଫୁଲଅଳସା’ ମୌଜାରେ ଯେଉଁ ମନ୍ଦିର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ସ୍ରଷ୍ଟା ଏହି ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି- ‘ବର୍ତ୍ତମାନ ଯେଉଁ ଦେଉଳରେ ସତ୍ୟବାଦୀ ବିରାଜମାନ ଅଛନ୍ତି, ତାହା ପରେ ନିର୍ମିତ ହୋଇଅଛି। ପ୍ରଥମ ଦେଉଳଟି ବର୍ତ୍ତମାନ ଦେଉଳଠାରୁ ବହୁତ ଛୋଟ ଥିଲା। ବର୍ତ୍ତମାନ ଦେଉଳର ପ୍ରତିଷ୍ଠା ଦେଖିଥିବା ଅନେକ ଲୋକେ ଅଦ୍ୟାପି ଜୀବିତ ଅଛନ୍ତି। ପ୍ରଥମ ଦେଉଳର ପଥର ସବୁ ବର୍ତ୍ତମାନ ଦେଉଳତୋଳାରେ ବ୍ୟବହୃତ ହୋଇଅଛି। ଏବେ ଆଦ୍ୟ ଦେଉଳର ଅବଶେଷ ବକୁଳବନ ମଧ୍ୟରେ ଦେଖାଯାଏ।’ (ସତ୍ୟବାଦୀ, ୧/୮-୯ମ ସଂଖ୍ୟା, ପୃ-୨୬୭)
ସତ୍ୟବାଦୀ ଠାକୁରଙ୍କୁ ନେଇ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚଳିତ ଲୋକକଥାକୁ ଖୁବ୍‍ ଚମତ୍କାର ଭାବରେ କୃପାସିନ୍ଧୁ ମିଶ୍ର ତାଙ୍କର ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ୭ମ ଅଧ୍ୟାୟରେ ଅନ୍ତର୍ଭୁକ୍ତ କରିଛନ୍ତି। ସାକ୍ଷୀଗୋପାଳ ମନ୍ଦିରରେ ପୁରୀ ମନ୍ଦିର ପରି ଅନ୍ନ ମହାପ୍ରସାଦ ବ୍ୟବସ୍ଥା କରାଯିବା ନିମିତ୍ତ ପୁରୀ କୁମ୍ଭାରପଡ଼ାରୁ ଏକ ସହସ୍ର ହାଣ୍ଡି ବ୍ୟବସ୍ଥା କରାଯାଇଥିଲା। କୁମ୍ଭାରପଡ଼ାର ଜଣେ ବୃଦ୍ଧ ବଧୀର କୁମ୍ଭାର ଏକଥା ଜାଣି ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚିଲା। ସେଠାରେ ଉପସ୍ଥିତ ସାଧୁ, ସନ୍ନ୍ୟାସୀ, ବ୍ରାହ୍ମଣ, ପଣ୍ଡିତ, ମହାରାଜା ପ୍ରଭୃତିଙ୍କ ମହାପ୍ରସାଦ ପ୍ରଚଳନ ସମ୍ବନ୍ଧରେ ନାନା ଯୁକ୍ତିତର୍କ ଶୁଣିଲା। ସେମାନଙ୍କ ମଧ୍ୟରେ ବହୁ ଚର୍ଚ୍ଚା ପରେ ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ଚଳିବାର ସ୍ଥିର ହେବାରୁ ବୃଦ୍ଧଜଣକ କରଯୋଡ଼ି ଏ ସମ୍ପର୍କରେ ନିଜର ମନ୍ତବ୍ୟ ପ୍ରକାଶ କରିବା ନିମିତ୍ତ ମହାରାଜାଙ୍କ ଅନୁମତି ଲୋଡ଼ିଲା। ଅନୁମତି ମିଳିବାରୁ ସେ କହିଲା- ‘ମଣିମା, ଓଡ଼ିଶାର ଗଜପତି, ଲକ୍ଷେ ରାଜାରେ ମଉଡ଼ମଣି, ବ୍ରାହ୍ମଣ ସାଆନ୍ତମାନେ ତ ଛତିଶ ବର୍ଣ୍ଣରେ ରଜା; ଏଠାରେ ଅନ୍ନ ମହାପ୍ରସାଦ ଚଳାଇବାର ଥୟକଲେ; ମୁଁ ମୂର୍ଖ ବୁଢ଼ାଟାଏ ବୁଝିପାରୁ ନାହିଁ ଏଠାରେ କି ପଥ ଅନ୍ନ ଚଳିବ। ଯାଗର ନୁହେଁ, କି ପାଗର ନୁହେଁ, କି ମା’ ବେଇଲା ଭାଗର ନୁହେଁ’ ବୁଢ଼ା କଥାଶୁଣି ସମସ୍ତେ ଅବାକ। ପଚରାଯିବାରୁ ବୁଢ଼ା ନିଜ କଥାର ମର୍ମ ବୁଝାଇ କହିଲେ, ଯାଗଅନ୍ନ ସମସ୍ତେ ଭୋଜନ କରନ୍ତି। ସତ୍ୟବାଦୀଠାରେ ଯାଗ ହୋଇନାହିଁ। ପୁରୀ ଦେଉଳର ମହାଲକ୍ଷ୍ମୀ ପାଗ ବୋଲି ସମସ୍ତେ ବିଶ୍ୱାସ କରନ୍ତି ଏବଂ ପ୍ରସାଦ ସେବା କରନ୍ତି। ଏଠାରେ ତ ମହାଲକ୍ଷ୍ମୀ ନାହାନ୍ତି କିମ୍ବା ସାକ୍ଷୀଗୋପାଳ ଜଗନ୍ନାଥଙ୍କ ମା’ ଉଦରରୁ ଜନ୍ମି ନାହାନ୍ତି। ତାହାହେଲେ ଏଠାରେ କି ହିସାବରେ ମହାପ୍ରସାଦ ଚଳିବ? ବୃଦ୍ଧ କୁମ୍ଭାରର ଏକଥା ଉପସ୍ଥିତ ସାଧାରଣଙ୍କ ମନକୁ ଘେନିଲା। ସାଧାରଣ ଲୋକମାନଙ୍କ ମତ ବିରୋଧରେ ବା ବ୍ରହ୍ମଚାରୀ କିମ୍ବା ନିଜେ ରାଜା ରାମଚନ୍ଦ୍ରଦେବ ଅନ୍ନପ୍ରସାଦ ଚଳାଇବା ସଂଗତ ବିବେଚନା କଲେନାହିଁ। ସେ ପ୍ରସ୍ତାବ ଉପେକ୍ଷିତ ହେଲା। ଯେ ଏକ ସହସ୍ର ନୂଆ ହାଣ୍ଡି ଆସିଥିଲା ତାହାସବୁ ଭାଙ୍ଗି ଦେବାଲାଗି ମହାରାଜ ଆଦେଶ ଦେଲେ। ଏକା ଠେଙ୍ଗାକେ ସେ ସବୁ ଚୂନା ହୋଇଗଲା। ଏହି ଘଟଣାରୁ ସତ୍ୟବାଦୀ ଅଞ୍ଚଳରେ ‘ସହସ୍ରେ ହାଣ୍ଡି ଏକ ଠେଙ୍ଗା’ କଥାଟି ପ୍ରଚଳିତ ଅଛି।
‘ଯାଗର ନୁହେଁ କି ପାଗର ନୁହେଁ କି ମା’ ବେଇଲା ଭାଗର ନୁହେଁ।’ କଥା ମଧ୍ୟ ଅଦ୍ୟାପି ଅନେକଙ୍କ ମୁଖରେ ଶୁଣାଯାଏ।’ (ସତ୍ୟବାଦୀ, ୧/୧୦-୧୧ଶ ସଂଖ୍ୟା, ପୃ.୩୧୮-୩୧୯)
ସମାଜର ଉଚ୍ଚବର୍ଗ ପ୍ରତି ଯେପରି, ନିମ୍ନବର୍ଗ ଜନତାଙ୍କ ପ୍ରତି ମଧ୍ୟ ସେହିପରି ସେକାଳର ରାଜାମାନେ ଖୁବ୍‍ ସଚେତନ ଥିଲେ ଏବଂ ନିମ୍ନବର୍ଗ ଜନତାଙ୍କ ମତାମତକୁ ସେମାନେ ସମ୍ମାନର ସହିତ ଗ୍ରହଣ କରୁଥିଲେ। ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ମନ୍ଦିରର ଇତିହାସ ଓ କିଂବଦନ୍ତୀ ବର୍ଣ୍ଣନା କାଳରେ ମନ୍ଦିର ସମ୍ପର୍କିତ ଲୋକକଥା, ଜନଶ୍ରୁତି ଏବଂ କାହାଣୀ ସହିତ ଲୋକ ଚରିତ୍ରକୁ ଖୁବ୍‍ ଭଲ ଭାବରେ ଅଧ୍ୟୟନ କରିଥିଲେ। ଫଳତଃ ଏ ଦେଶରେ ସାଧାରଣତନ୍ତ୍ର ବା ପ୍ରଜାତନ୍ତ୍ର କେବେ ପ୍ରତିଷ୍ଠିତ ହୋଇନଥିଲା। ପ୍ରଜାମାନେ ସ୍ୱେଚ୍ଛାଚାରୀ ଥିଲେ, ଉଚ୍ଚବର୍ଣ୍ଣମାନେ ନିମ୍ନବର୍ଗଙ୍କ ଉପରେ ଅଯଥା ଆଧିପତ୍ୟ ବିସ୍ତାର ସହିତ ଅତ୍ୟାଚାର କରୁଥିଲେ ବୋଲି ଯେଉଁମାନେ କହନ୍ତି କୃପାସିନ୍ଧୁ ମିଶ୍ର ସେମାନଙ୍କୁ ଏ ଦେଶର ଇତିହାସ ଓ ଲୋକଚରିତ୍ର ଯଥାର୍ଥ ଭାବରେ ଅଧ୍ୟୟନ କରିନାହାନ୍ତି ବୋଲି କହି ସମାଲୋଚନା କରିଛନ୍ତି। ଦୀର୍ଘ ପ୍ରବନ୍ଧର ଅଷ୍ଟମ ଅଧ୍ୟାୟରେ ସ୍ରଷ୍ଟା ‘ରାଧାକୃଷ୍ଣ’ଙ୍କ ସମ୍ପର୍କରେ ଆଲୋଚନା କରିଥିବାବେଳେ ନବମ ଅଧ୍ୟାୟରେ ସତ୍ୟବାଦୀର ‘ନୂତନ ଦେଉଳ’; ଦଶମ ଅଧ୍ୟାୟରେ ‘ଶାସକ ଓ ତତ୍ତ୍ୱାବଧାନ’, ଏକାଦଶ ଅଧ୍ୟାୟରେ ପର୍ବ ଓ ଉତ୍ସବାଦିର ବିବରଣୀ ଦେବା ସହିତ ସେସବୁର ଆଲୋଚନା କରିଛନ୍ତି। ‘ରାଧାକୃଷ୍ଣ’, ‘ଶାସନ ଓ ତତ୍ତ୍ୱାବଧାନ’ ସାକ୍ଷୀଗୋପାଳ ମନ୍ଦିରରେ ପାଳିତ ପର୍ବ ଓ ଉତ୍ସବ ମଧ୍ୟରୁ ଆମେ ସ୍ରଷ୍ଟାଙ୍କର ସଂସ୍କୃତିପ୍ରାଣତାର ପରିଚୟ ପାଉ। ଇତିହାସ ଅନୁଶୀଳନ ମଧ୍ୟରେ ସ୍ରଷ୍ଟା ସତ୍ୟବାଦୀ ଦେଉଳର ନିର୍ମାଣ କୌଶଳ, ନିର୍ମାଣ କାଳ, ଦେଉଳର ପରିମାପ, ଓଡ଼ିଶାର ଅନ୍ୟାନ୍ୟ ଦେଉଳ ସହିତ ଏହି ଦେଉଳର ତୁଳନାକରି ତାଙ୍କ ସମକାଳୀନ ଉତ୍କଳର ସ୍ଥାଣୁ ଅବସ୍ଥା ପ୍ରତି ସେ ସଚେତନ ହୋଇଛନ୍ତି। ୧୮୬୦-୬୧ ମସିହାରେ ନିର୍ମିତ ହୋଇଥିବା ସାକ୍ଷୀଗୋପାଳ ମନ୍ଦିର ସମ୍ପର୍କରେ ଏହି ଅଂଶରେ ସେ ଆହୁରି ଉଲ୍ଲେଖ କରିଛନ୍ତି- ‘କୋଣାର୍କ ମନ୍ଦିର ଭଙ୍ଗାଗଲାରୁ ଅରୁଣ ସ୍ତମ୍ଭ ପୁରୀରେ ରଖାଗଲା। ସେ ଅରୁଣ ସ୍ତମ୍ଭ ଗୋଟିଏ ପଥରରେ ଗଢ଼ା। ତାହାର ଷୋଳ ଅଂଶ। ସମାନ ଷୋଳ ଅଂଶ କରିବା ଅପେକ୍ଷା ସମାନ ସତର ଅଂଶ କରିବା ନିଶ୍ଚୟ କଷ୍ଟକର; କିନ୍ତୁ ପଚିଶ ତିରିଶ ବର୍ଷ ପୂର୍ବେ ଓଡ଼ିଆ ମହାରଣା କୋଣାର୍କ ଅରୁଣ ସ୍ତମ୍ଭର ଅନୁକରଣରେ ସତ୍ୟବାଦୀର ଅରୁଣ ସ୍ତମ୍ଭ ଗଢ଼ିବା ବାସ୍ତବରେ ଗୌରବର କଥା ନୁହେଁ କି? ଏହାସବୁ ଦେଖିଲେ କିଏ କହିବ ଯେ ଓଡ଼ିଆ ଶିଳ୍ପୀ ଏକାବେଳେକେ ମରିଗଲେଣି?’ (ସତ୍ୟବାଦୀ, ୨/୫-୭ ସଂଖ୍ୟା, ପୃ ୧୯୪)
ଐତିହାସିକତା ଦୃଷ୍ଟିରୁ ଆଲୋଚ୍ୟ ଦୀର୍ଘ ପ୍ରବନ୍ଧର ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ‘ନୂତନ ଦେଉଳ’ ଓ ‘ଶାସନ ଓ ତତ୍ତ୍ୱାବଧାନ’। ‘କୋଣାର୍କ’ ଗ୍ରନ୍ଥରେ କୋଣାର୍କ ଦେଉଳର ନିର୍ମାଣ କୌଶଳ ସଂକ୍ରାନ୍ତ ଟିକିନିଖି ବର୍ଣ୍ଣନା ପରି ସ୍ରଷ୍ଟା ଆଲୋଚ୍ୟ ପ୍ରବନ୍ଧର ‘ନୂତନ ଦେଉଳ’ ଅଧ୍ୟାୟରେ ସତ୍ୟବାଦୀଠାରେ ନୂତନ ଭାବରେ ସାକ୍ଷୀଗୋପାଳ ମନ୍ଦିର ନିର୍ମାଣ ସମ୍ପର୍କିତ ଐତିହାସିକ ବିବରଣୀ ପ୍ରଦାନ କରିଛନ୍ତି। ‘ନୂତନ ଦେଉଳ’ ଅନ୍ତର୍ଗତ ସାକ୍ଷୀଗୋପାଳ ମନ୍ଦିର ନିର୍ମାଣ ସମ୍ପର୍କିତ ଏହି ବିବରଣୀକୁ ଲକ୍ଷ୍ୟ କଲେ ଆମର ସ୍ପଷ୍ଟ ଅନୁଭବ ହୁଏ ସ୍ରଷ୍ଟା ‘କୋଣାର୍କ’ ଗ୍ରନ୍ଥ ମଧ୍ୟରେ କୋଣାର୍କ ବିବରଣୀ, ବାରବାଟୀ ଦୁର୍ଗ ଅନ୍ତର୍ଗତ ସେହି ଦୁର୍ଗର ବିବରଣୀ ଓ ସାକ୍ଷୀଗୋପାଳ ମନ୍ଦିର ସମ୍ପର୍କିତ ବିବରଣୀ ମଧ୍ୟରେ କୌଣସି ଭାଗବତ ପାର୍ଥକ୍ୟ ଲକ୍ଷ୍ୟ କରିନାହାନ୍ତି। ମନେହୁଏ, ଏହି ବର୍ଣ୍ଣନା ସ୍ଥାନ ଓ ସମୟ ଦୃଷ୍ଟିରୁ ପୃଥକ୍‍ ହୋଇଥିଲେ ହେଁ ଦୃଷ୍ଟିକୋଣ ଓ ଐତିହାସିକ ଭାବ ଓ ଚେତନା ଦୃଷ୍ଟିରୁ ଏକ ଓ ଅଭିନ୍ନ। ଯଥା: ‘ଦେଉଳ ଓଡ଼ିଶାର ଅନ୍ୟାନ୍ୟ ପୁରାତନ ଦେଉଳ ଛାଞ୍ଚରେ ଗଢ଼ା: ସିଧା ରଥାକାର। ଙ୍ଘ ଙ୍ଘ ଙ୍ଘ ଙ୍ଘ ବଡ଼ ଦେଉଳ ମୁଖଶାଳା ଏବଂ ଏହି ମୂର୍ତ୍ତିମାନଙ୍କର ଗଠନ ଦେଖିଲେ ମନେହୁଏ, ଏହା ଯେପରି ଅନେକ ପୂର୍ବର ତିଆରି। ପୁରୀ କୋଣାର୍କ ଭୁବନେଶ୍ୱରର ସୂକ୍ଷ୍ମ ଶିଳ୍ପ ବହୁକାଳରୁ ଲୋପ ପାଇଅଛି। ଓଡ଼ିଶାର ସେ ସ୍ଥାପତ୍ୟ ଅନେକ ଦିନୁଁ ବିନଷ୍ଟ ହୋଇଅଛି; କିନ୍ତୁ ସେ ଶିଳ୍ପୀ ଓ ସ୍ଥପତିକୁଳ ଏବେ ସୁଦ୍ଧା ଏକାବେଳକେ ଲୋପ ପାଇନାହିଁ।’ (ସତ୍ୟବାଦୀ, ୨/୫-୭ ସଂଖ୍ୟା, ପୃ୧୯୩) ଏହାର ଦଶମ ଅଧ୍ୟାୟ ‘ଶାସକ ଓ ତତ୍ତ୍ୱାବଧାନ’ ମଧ୍ୟରେ କୃପାସିନ୍ଧୁ ମିଶ୍ର ସାକ୍ଷୀଗୋପାଳ ମନ୍ଦିରର ଇତିହାସ ସହିତ ଏହାର ଶାସନ ଓ ତତ୍ତ୍ୱାବଧାନକୁ ଯେପରି ଗଭୀର ଅନ୍ତର୍ଦୃଷ୍ଟିର ସହିତ ନିରୀକ୍ଷଣ କରି ତାହାକୁ ଭବିଷ୍ୟତ ବଂଶଧରଙ୍କ ନିମିତ୍ତ ପ୍ରବନ୍ଧର ଏହି ଅଂଶରେ ଉଲ୍ଲେଖ କରିଛନ୍ତି, ତାହା ତାଙ୍କ ରଚନାର ମୌଳିକତାକୁ ହିଁ ପ୍ରତିପାଦିତ କରିଥାଏ। ସ୍ରଷ୍ଟାଙ୍କର ସାକ୍ଷୀଗୋପାଳଙ୍କ ସମ୍ପର୍କିତ ବର୍ଣ୍ଣିତ ନୀତି ନିୟମ କାହାରି କାହାରିକୁ ନିଷ୍ପ୍ରୟୋଜନ ବୋଧ ହେଲେ ହେଁ ଏହା ଯେ ଭବିଷ୍ୟତ ବଂଶଧରଙ୍କ ନିମିତ୍ତ ଏକାନ୍ତ ପ୍ରୟୋଜନୀୟ, ଏହା କୃପାସିନ୍ଧୁ ମିଶ୍ରଙ୍କ ଅନୁଭବକୁ ଆସିଛି। ତେଣୁ ସେ ଉଲ୍ଲେଖ କରିଛନ୍ତି- ‘ଏହି ନୀତି ସବୁର ଏତେ ବିଶଦ ଉଲ୍ଲେଖ କାହାରି କାହାରିକୁ ନିଷ୍ପ୍ରୟୋଜନ ବୋଧ ହୋଇପାରେ। ଆଜି ଏଗୁଡ଼ିକ ବର୍ତ୍ତମାନ ଦେବାଳୟରେ ନିତ୍ୟକ୍ରିୟା ବୋଲି ଏଥିପ୍ରତି କାହାରି ଏତେ କୌତୂହଳ ନାହିଁ। ମାତ୍ର ପରିବର୍ତ୍ତନଶୀଳ କାଳଚକ୍ରରେ ଏପରିଦିନ ଆସିବା ବିଚିତ୍ର ନୁହେଁ ଯେତେବେଳେ ଏଥିରୁ ଅନେକର ଅର୍ଥ ବୁଝାପଡ଼ିବ। ଦୁଷ୍କର ହେବ ଏବଂ ଏହି ବିଧିମାନ ଐତିହାସିକର ଅନୁସନେ୍ଧୟ ସାମଗ୍ରୀରେ ପରିଣତ ହେବ। ଆଜିର ଅତି ସାମାନ୍ୟ ହେୟ ଘଟନା ଶତଶତ ବର୍ଷ ପରେ ପରବର୍ତ୍ତୀ କାଳରେ ଜ୍ଞାନୀ ତତ୍ତ୍ୱାନୁସନ୍ଧିତ୍ସୁମାନଙ୍କ ନିକଟରେ କି ଅମୂଲ୍ୟ ଉପାଦେୟ ସମ୍ପଦ ବୋଲି ଆଦୃତ ହେବ ତାହା କିଏ ଜାଣେ?’ (ସତ୍ୟବାଦୀ, ୨/୮-୧୨ ସଂଖ୍ୟା, ପୃ ୨୬୯)
କୃପାସିନ୍ଧୁ ମିଶ୍ର ଥିଲେ ସମକାଳରେ ଆମ ସାହିତ୍ୟର ଜଣେ ଇତିହାସ ସଚେତନଶୀଳ ସ୍ରଷ୍ଟା। ଭାବପ୍ରବଣତାରେ ଭୁଲିଯାଇ ଜାତିର ଇତିହାସକୁ ପଙ୍କିଳ ବା ବିକଳାଙ୍ଗ କରିବାର ବ୍ୟକ୍ତ ସେ ନ ଥିଲେ। ଓଡ଼ିଶାର ଇତିହାସ ଅନୁଶୀଳନ ସହିତ ଐତିହାସିକ ଗ୍ରନ୍ଥ ରଚନା ଓ ‘କୋଣାର୍କ’ଠାରୁ ସତ୍ୟବାଦୀ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ସ୍ଥାନ ଓ ପୀଠର ଐତିହାସିକ ବ୍ୟାଖ୍ୟା କାଳରେ ସେ ନିଜ ଦେଶ ଓ ଜାତିର ଅତୀତ ସହିତ ଭବିଷ୍ୟତ ପ୍ରତି ଖୁବ୍‍ ସଚେତନ ରହିଥିଲେ। ସେ ଅନୁଭବ କରିଥିଲେ- ‘ବିଦେଶୀୟ ଲେଖକ ଯେତେ ସାଧୁ ବା ଉଦାର ହେଲେ ମଧ୍ୟ, ଆପଣାର ଜାତୀୟ କାର୍ଯ୍ୟାବଳୀକୁ ସେ ଯେପରି ସହଜ ସ୍ନେହ ଓ ଆଦର ସହିତ ଦେଖିପାରେ, ଅପରଦେଶୀୟ ଭାବ ଓ କାର୍ଯ୍ୟ ସେପରି ନ ଦେଖିବା ସ୍ୱାଭାବିକ। ସେମାନଙ୍କର ଇତିହାସ ସମ୍ପୂର୍ଣ୍ଣ ସତ୍ୟାଶ୍ରିତ ଓ ଭାରତ ଜାତୀୟ ଜୀବନର ଯଥାର୍ଥ ନିୟାମକ ହୋଇନପାରିଲେ ଇତିହାସ ଲେଖିବା ବିଡ଼ମ୍ବନା ମାତ୍ର। ସେ ଜାତୀୟତା ବା କେତେଜଣ ବୁଝନ୍ତି? ଯେଉଁମାନେ ବା ତାହା ବୁଝନ୍ତି ସେମାନଙ୍କ ମଧ୍ୟରୁ ଅତି ଅଳ୍ପ ଲେଖକ ଲକ୍ଷ୍ୟସ୍ଥିର ରଖି ଘଟଣାବଳୀର ଦାସାନୁଦାସ ହୋଇପଡ଼ିବା ଏବଂ ଘଟଣାସ୍ରୋତରେ ଭାସିଯାଇ ଲକ୍ଷ୍ୟଭ୍ରଷ୍ଟ ହେବା, ଇତିହାସ ଲେଖକଙ୍କ ପକ୍ଷେ ବଡ଼ ସମ୍ଭବ।’ (ସତ୍ୟବାଦୀ, ୩/୧-୨ ସଂଖ୍ୟା, ପୃ ୨୬)
ପଣ୍ଡିତ କୃପାସିନ୍ଧୁ, ମିଶ୍ର ଥିଲେ ଜାତିପ୍ରାଣ, ସେ କାଳରେ ଭାରତୀୟ ଜାତୀୟ ଜୀବନର ଜଣେ ବିଶିଷ୍ଟ କର୍ଣ୍ଣଧାର। ଉଗ୍ର ଜାତୀୟ ଭାବନା ସ୍ରଷ୍ଟାଙ୍କ ରକ୍ତର ପ୍ରତ୍ୟେକ ବିନ୍ଦୁରେ ପ୍ରବାହିତ ହେଉଥିଲା। ସୁତରାଂ ଉତ୍କଳର ଇତିହାସ ସହିତ ଓ ଜାତିକୁ କଳଙ୍କିତ କରିଥିବା ବିଦେଶୀୟ ଓ ଅନ୍ୟାନ୍ୟ ଭାଷାର ଇତିହାସ ଲେଖକଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ନିଜ ଜାତିର ସୁରକ୍ଷା ପାଇଁ ସେ ଯେପରି ଦୃଢ଼ ଶପଥ ନେଇଥିଲେ, ‘ବାରବାଟୀ ଦୁର୍ଗ’, ‘କୋଣାର୍କ’, ‘ଉତ୍କଳ ଇତିହାସ’ ପରି ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଥିଲା ସେହି ଉଗ୍ର ଜାତୀୟ ଭାବନାର ଏକ ଜ୍ୱଳନ୍ତ ନିଦର୍ଶନ।

Comments
Loading...