ସଡ଼କ ଦୁର୍ଘଟଣା: କାରଣ ଓ ନିରାକରଣ

0

ଧର୍ମାନନ୍ଦ ଷଡ଼ଙ୍ଗୀ

ମିଳିତ ଜାତିସଂଘ ଦ୍ୱାରା ଗୃହୀତ “ସଡ଼କ ସୁରକ୍ଷା ନିମିତ୍ତ ଦଶକ ବ୍ୟାପି କାର୍ଯ୍ୟ ଯୋଜନା” ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଭାରତ ୨୦୨୦ ମସିହା ସୁଦ୍ଧା ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ ହ୍ରାସ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନମାନଙ୍କର ଅନେକ ପ୍ରଚେଷ୍ଟା ସ‌େ‌ତ୍ତ୍ବ ଲକ୍ଷ୍ୟ ବହୁଦୂର ମନେହୁଏ।
ଆମ ମୋଟ ଘରୋଇ ଉତ୍ପାଦର ପ୍ରାୟତଃ ୩ ପ୍ରତିଶତ ସଡ଼କ ଦୁର୍ଘଟଣା ଯୋଗୁ ବ୍ୟର୍ଥ ହେଉଛି। ସଡ଼କ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ମଧ୍ୟରୁ ୬୮ ପ୍ରତିଶତ ଲୋକଙ୍କ ବୟସ ସୀମା ୧୮ ରୁ ୪୫ ବର୍ଷ ମଧ୍ୟରେ ଯାହାକି ସର୍ବାଧିକ ଉତ୍ପାଦନକ୍ଷମ ବୟସବର୍ଗ। ମୃତ ଓ ଗୁରୁତର ଆଘାତପ୍ରାପ୍ତ ବ୍ୟକ୍ତିମାନଙ୍କ ପରିବାରବର୍ଗ ଆର୍ଥିକ ଦୁରବସ୍ଥା, ଅନିଶ୍ଚିତତା ଓ ମାନସିକ ଆଘାତ ଦେଇ ବର୍ଷବର୍ଷ ଗତି କରନ୍ତି।
ସଡ଼କ ଦୁର୍ଘଟଣା ବିଭିନ୍ନ କାରଣ ନିମନ୍ତେ ଘଟେ, ଯଥା- ଦ୍ରୁତଗତି ଚାଳକର ଅନଭିଜ୍ଞତା, ଚାଳକ/ପଦଚାରୀମାନଙ୍କର ସଡ଼କ ଯାତାୟାତ ନିୟମାବଳୀ ବିଷୟରେ ଅଜ୍ଞତା କିମ୍ବା ଖାମଖିଆଲ/ଇଚ୍ଛାକୃତ ଭାବେ ସଡ଼କ ଯାତାୟାତ ନିୟମ ଭଂଗ କରିବାର ମାନସିକତା, ଚାଳକର ଶାରୀରିକ ସ୍ଥିତି, ଯଥା- ଅବସନ୍ନତା, ମାତାଲ ଅବସ୍ଥା, ଦୁର୍ବଳ ଦୃଷ୍ଟିଶକ୍ତି ଇତ୍ୟାଦି, ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଚାଳକର ସ୍ବତଃପ୍ରବୃତ୍ତ ମାନସିକତା/ବାହ୍ୟ ଚାପ, ସ୍ୱୀକୃତିଯୋଗ୍ୟ ସୀମାରୁ ଅଧିକ ମାଲ ପରିବହନ, ସଡ଼କରେ ବିଭିନ୍ନ ଆକାର ଓ ଗତିଯୁକ୍ତ ଗାଡିର ଉପସ୍ଥିତି, ଦୃଶ୍ୟମାନତା, ସଡ଼କ ପରିକଳ୍ପନା/ନିର୍ମାଣ/ପରିଚାଳନାଗତ ତ୍ରୁଟି, ସଡ଼କ ସୀମା ମଧ୍ୟରେ ବିଭିନ୍ନ ଅବାଞ୍ଛନୀୟ କାର୍ଯ୍ୟକଳାପ, ଯଥା- ଗାଡି ପାର୍କିଙ୍ଗ, ମୁଖ୍ୟ ରାସ୍ତାକୁ ଅନଧିକୃତ ପ୍ରବେଶ ମାର୍ଗ ସ୍ଥାୟୀ/ଅସ୍ଥାୟୀ, ଜବରଦଖଲ, ବିଭିନ୍ନ ଛୋଟମୋଟ ବ୍ୟବସାୟ ଏବଂ ବିଶେଷତଃ ସଡ଼କ ଯାତାୟାତ ନିୟମାବଳୀର ଦୁର୍ବଳ ପ୍ରବର୍ତ୍ତନ। ବସ୍ତୁତଃ ଦୁର୍ଘଟଣା ଉପରୋକ୍ତ କାରଣଗୁଡିକ ମଧ୍ୟରୁ ଏକାଧିକ କାରଣର ମିଳିତ ପ୍ରଭାବରେ ଘଟେ। ଗବେଷକ କୋପଟିସ୍ ଓ କ୍ରପର୍ ୨୦୦୩ ମସିହାରେ ଗୋଟିଏ ଦେଶର ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ ଏବଂ ସଡ଼କ ଦୁର୍ଘଟଣାଜନିତ ମୃତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟରେ ଏକ ସମ୍ବନ୍ଧ ସୂତ୍ର ନିର୍ଦ୍ଧାରଣ କରିଥିଲେ। ଏହି ସୂତ୍ର ଅନୁସାରେ ଗୋଟିଏ ଦେଶର ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ ୫୦୦୦- ୬୦୦୦ ଆମେରିକାନ ଡଲାର ଅତିକ୍ରମ କଲେ, ଜନସଂଖ୍ୟା ଅନୁପାତରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମିବାକୁ ଆରମ୍ଭ କରେ। ଭାରତରେ ବର୍ତ୍ତମାନ ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (୧୯୬୩ ଆମେରିକୀୟ ଡଲାର) ଲକ୍ଷ୍ୟ କଲେ ଜଣାଯାଏ, ଭାରତରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମିବାରେ ଅନେକ ସମୟ ଲାଗିବ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ୟୁରୋପୀୟ ରାଷ୍ଟ୍ର ସମୂହର ସଫଳତା ଅଧିକ ଓ ଏହି ଦେଶମାନଙ୍କ ମଧ୍ୟରେ ସୁଇଡେନର ସ୍ଥିତି ଅତ୍ୟନ୍ତ ଉଚ୍ଚରେ।
ସୁଇଡେନ ମାନବ ବିକାଶ ସୂଚୀ ଶ୍ରେଣୀକ୍ରମର ୭ମ ସ୍ଥାନରେ ଥିବାବେଳେ ଭାରତ ୧୩୦ତମ ସ୍ଥାନରେ ଅଛି। ଆନ୍ତର୍ଜାତିକ ସ୍ତରରେ, ବିଭିନ୍ନ ସାମାଜିକ, ରାଜନୈତିକ, ସ୍ୱାସ୍ଥ୍ୟ ଓ ପରିବେଶ ସଂକ୍ରାନ୍ତ ଶ୍ରେଣୀକ୍ରମକୁ ଅନୁଧ୍ୟାନ କଲେ ଦେଖିବାକୁ ମିଳେ ଯେ ସୁଇଡେନ ଓ ଭାରତ ମଧ୍ୟରେ ବ୍ୟବଧାନ ବହୁତ। ସୁଇଡେନର ସଡ଼କ ସଂରଚନା ଉଚ୍ଚକୋଟୀର। ସଡ଼କ ଯାତାୟାତର ଆବଶ୍ୟକତାକୁ ଚାହିଁ ସଡ଼କ ସଂରଚନା ପ୍ରାୟତଃ ନିର୍ମାଣ ହୋଇସାରିଛି। ବର୍ତ୍ତମାନ ମୁଖ୍ୟତଃ ପରିଚାଳନା, ମରାମତି ଓ ସ୍ଥଳ ବିଶେଷରେ ମୂଲ୍ୟଯୋଗ ହିଁ ଚାଲିଛି। ସୁଇଡେନରେ ସବୁବର୍ଗର ଗାଡିଚାଳକ ଓ ପଦଚାରୀଙ୍କ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମିଛି, ମୋଟର ସାଇକେଲ ଚାଳକଙ୍କ କ୍ଷେତ୍ରରେ ଦୁର୍ଘଟଣା ହ୍ରାସର ପରିମାଣ ଅପେକ୍ଷାକୃତ କମ। ବ୍ୟାପକ ସୁରକ୍ଷା କାର୍ଯ୍ୟକ୍ରମ ସ​‌େ​‌ତ୍ତ୍ବ ସୁଇଡେନରେ ବି ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୨୦ ବର୍ଷ ପାଇଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲର ସଂଭାବନା ଅନୁଜ୍ବଳ।
ଆମେ ସୁଇଡେନ ଓ ଭାରତର ଉପରୋକ୍ତ ପରିସଂଖ୍ୟାନକୁ ଅନୁଶୀଳନ କଲେ ନିମ୍ନ ନିଷ୍କର୍ଷରେ ପହଁଚିବା :
୧. ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ଗୋଟିଏ ରାଷ୍ଟ୍ରର ସାମଗ୍ରିକ ଅର୍ଥନୈତିକ, ରାଜନୈତିକ, ସାମାଜିକ ବିକାଶ ପ୍ରକ୍ରିୟା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ସହ ଅଙ୍ଗାଙ୍ଗୀ ଭାବେ ଜଡିତ।
୨. ଭାରତର ବତ୍ନର୍ତ୍ତ ଅର୍ଥନେତିକ ଓ ସାମାଜିକ ସ୍ଥିତିରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ସଂଖ୍ୟା ଅଧା କରିବା ଏକ ଗୁରୁ ଆହ୍ୱାନ।
୩. ଭାରତରେ ମୋଟର ସାଇକଲ ସଂଖ୍ୟା ପ୍ରାୟ ୧୬ କୋଟି ଓ ସଡ଼କ ଦୁର୍ଘଟଣା ଏବଂ ତତଜନିତ ମୃତ୍ୟୁରେ ମୋଟର ସାଇକଲର ଭାଗ ପ୍ରାୟ ଏକ-ତୃତୀୟାଂଶ। ସମଗ୍ର ବିଶ୍ୱରେ ମୋଟର ସାଇକଲ ଚାଳକଙ୍କ ଦୁର୍ଘଟଣାପ୍ରବଣତାକୁ ଦେଖିଲେ ଭାରତ ପାଇଁ ସମସ୍ୟାର ବିଶାଳତା ଓ ଗମ୍ଭୀରତା ଅନୁମେୟ।
୪. ଭାରତରେ ସଡ଼କ ଯାତାୟାତର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ଚାହିଁ ସଡ଼କର ଲେନ ସଂଖ୍ୟାର ବୃଦ୍ଧି ପ୍ରକ୍ରିୟା ଚାଲିଛି ଏବଂ ଆଗାମୀ କିଛି ଦଶକ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ। ଏ କ୍ରମ ପରିବର୍ତ୍ତନଶୀଳ ସଡ଼କ ପରିବେଶ, ଦୁର୍ଘଟଣା ହାର ରୋକିବା ନିମିତ୍ତ ପ୍ରୟାସର ବିପରୀତଗାମୀ।
ଦୁର୍ଘଟଣାର ନିରାକରଣ ଆଲୋଚନା ପୂର୍ବରୁ ବିଭିନ୍ନ ଗବେଷଣାରୁ ଲବ୍ଧ କେତୋଟି ଉପାଦେୟ ତଥ୍ୟ ନିମ୍ନରେ ଦିଆଗଲା :
୧.ଗାଡିର ବେଗ ଯଦି ୫ ପ୍ରତିଶତ ବୃଦ୍ଧି କରାଯାଏ, ଦୁର୍ଘଟଣାରେ ମୃତ୍ୟୁର ସମ୍ଭାବନା ୨୦ ପ୍ରତିଶତ ବୃଦ୍ଧି ହୁଏ।
୨. ନିଶାଗ୍ରସ୍ତ ଗାଡିଚାଳକମାନଙ୍କ ମଧ୍ୟରେ ତରୁଣ ଚାଳକମାନଙ୍କର ଦୁର୍ଘଟଣା ଆଶଙ୍କା ସର୍ବାଧିକ।
୩. ଉଚିତ ଗୁଣବତ୍ତା ବିଶିଷ୍ଟ ହେଲମେଟକୁ ଠିକ ଢଙ୍ଗରେ ପରିଧାନ କଲେ ମୋଟର ସାଇକଲ ଚାଳକର ମୃତ୍ୟୁ ସମ୍ଭାବନା ପ୍ରାୟ ୪୦ ପ୍ରତିଶତ କମ ହୋଇଥାଏ।
୪.କାର୍‌ ଆଗ ସିଟରେ ବସିଥିବା ଯାତ୍ରୀ ଯଦି ସିଟବେଲ୍ଟ ଲଗାଇଥାନ୍ତି ତେବେ ତାଙ୍କର କ୍ଷତ ସମ୍ଭାବନା ୪୦-୫୦ ପ୍ରତିଶତ କମ ହୁଏ।
୫.ଚାଳକଙ୍କ ପକ୍ଷରେ ମୋବାଇଲ ଫୋନ ବ୍ୟବହାର କରିବା ସବୁଠୁ ଗର୍ହିତ କାର୍ଯ୍ୟ, କାରଣ ଏହା ଦୁର୍ଘଟଣାର ସମ୍ଭାବନାକୁ ୪ଗୁଣ ବଢାଇଦିଏ।
ଜାତିସଂଘ “ସଡ଼କ ସୁରକ୍ଷା ନିମିତ୍ତ ଦଶକ ବ୍ୟାପି କାର୍ଯ୍ୟ ଯୋଜନା” ନିମିତ୍ତ ଏକ ନିରାପଦ ପଦ୍ଧତି (ମାର୍ଗଦର୍ଶିକା) ପ୍ରସ୍ତୁତି କରିଛନ୍ତି। ଉକ୍ତ ମାର୍ଗଦର୍ଶିକାର ୫ଟି ସ୍ତମ୍ଭ, ଯଥା (୧) ସଡ଼କ ସୁରକ୍ଷା ପରିଚାଳନା (୨) ନିରାପଦ ସଡ଼କ ଓ ଚଳମାନତା (୩) ନିରାପଦ ଗାଡି (୪) ନିରାପଦ ସଡ଼କ ବ୍ୟବହାରକାରୀ ଏବଂ (୫) ଦୁର୍ଘଟଣା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ
ଏ ସନ୍ଦର୍ଭରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମାର୍ଗଦର୍ଶିକାର ପ୍ର‌େ‌ତ୍ୟକ ସ୍ତମ୍ଭ ଅନୁସାରେ ଆମ ଦେଶରେ ବାସ୍ତବିକ ସ୍ଥିତି ଓ ତା’ର ସୁଧାର ସମ୍ପର୍କରେ ଆଲୋଚନା କରିବା।
ଚଳିତ ଦଶକରେ ଭାରତରେ ଗାଡିର ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇ ଚାଲିଛି। ତେଣୁ ସଡ଼କର ଧାରଣ ଶକ୍ତି ବୃଦ୍ଧିର ପ୍ରକ୍ରିୟା ଚାଲୁ ରହିଛି। ଅତଏବ ସମସ୍ତ ପ୍ରକାର ସଡ଼କ ପରିବେଶକୁ ଦୃଷ୍ଟିରେ ରଖି ଓ ସମସ୍ତ ସମ୍ବନ୍ଧିତ ବିଭାଗ, ଯଥା ସଡ଼କ କର୍ତ୍ତୃପକ୍ଷ ; ପରିବହନ, ପୁଲିସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବେସରକାରୀ ସଂସ୍ଥାମାନଙ୍କର ଉଚିତ ଭୂମିକାକୁ ନେଇ ରାଜ୍ୟ ସ୍ତରରେ ସଶକ୍ତ ସଡ଼କ ସୁରକ୍ଷା ପରିଚାଳନାର ପ୍ରସ୍ତୁତି ଅନିବାର୍ଯ୍ୟ। କେନ୍ଦ୍ର ସ୍ତରରେ ମଧ୍ୟ ଆବଶ୍ୟକ ନିୟମ ପ୍ରଣୟନ, ଗାଡିର ନିରାପତ୍ତା ବ୍ୟବସ୍ଥା ତଥା ସାମଗ୍ରିକ ବ୍ୟବସ୍ଥାର ଆକାର ଓ ଦକ୍ଷତା ବିକାଶ ଏବଂ ଆବଶ୍ୟକ ଅର୍ଥ ବ୍ୟବସ୍ଥା ଯୋଗାଇଦେବା ହେବା ଆବଶ୍ୟକ।
ଏକ ନିରାପଦ ସଡ଼କ ପରିବେଶ ଗାଡି ଚାଳକଙ୍କୁ କିଛି ଅସାମାନ୍ୟ ବୈଶିଷ୍ଟ୍ୟ/ଲକ୍ଷଣ ବାବଦରେ ଚେତାବନୀ/ ସୂଚନା ଦିଏ। ଅସାମାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଗାଡି ଚାଳକଙ୍କୁ ମାର୍ଗନିର୍ଦେଶ କରେ, ଦ୍ବନ୍ଦ୍ବାତ୍ମକ ସ୍ଥାନମାନଙ୍କରେ ଗାଡିଚାଳକଙ୍କୁ ନିୟନ୍ତ୍ରଣ କରେ ଏବଂ ସର୍ବୋପରି ଗାଡି ଚାଳକର ଭୁଲକୁ ଯଥାସମ୍ଭବ କ୍ଷମା କରେ। ସଡ଼କର ଏ ସମସ୍ତ ଗୁଣବତ୍ତା ପାଇଁ ଯୋଜନା, ପରିକଳ୍ପନା, ନିର୍ମାଣ ଓ ପରିଚାଳନା ସମୟରେ ଯଥେଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଆମ ଦେଶରେ ସଡ଼କ ପରିବେଶକୁ ବିଭିନ୍ନ ପ୍ରକାରେ ନଷ୍ଟଭ୍ରଷ୍ଟ କରିବାରେ ଅନେକ ଦୃଷ୍ଟାନ୍ତ ଦେଖାଯାଏ। ଏହାର ନିରାକରଣ ପାଇଁ ଉଭୟ ସଡ଼କ କର୍ତ୍ତୃପକ୍ଷ ଏବଂ ପୁଲିସ ମିଳିତଭାବେ କ୍ରମାଗତ ଉଦ୍ୟମ କରିବା ଦରକାର। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଓ ଦୁର୍ଘଟଣାର କାରଣ ସଡ଼କ କର୍ତ୍ତୃପକ୍ଷ, ପୁଲିସ ଓ ପରିବହନ ବିଭାଗରେ ସମ୍ମିଳିତ ଉଦ୍ୟମରେ ଏବଂ ସଠିକ ତଥ୍ୟ ଓ ନିରପେକ୍ଷ ତଦନ୍ତ ଭିତ୍ତିରେ ହେବା ଦରକାର। ସର୍ବୋପରି ଏ ସମସ୍ତ କାର୍ଯ୍ୟ ପାଇଁ ପ୍ର‌େ‌ତ୍ୟକ ବିଭାଗରେ ଯଥେଷ୍ଟ ଅଧିକାରୀ ନିୟୋଜନ ଓ ଆବଶ୍ୟକ ଅର୍ଥ ଉପଲବ୍ଧି କରିବାର ଆବଶ୍ୟକତା ଅଛି।
ଦୁର୍ଘଟଣା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ୩ଟି ପର୍ଯ୍ୟାୟ ଅଛି। ପ୍ରଥମତଃ ଦୁର୍ଘଟଣାର ସୂଚନା, ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ସେବା କର୍ମୀ ପହଂଚିବା ତ୍ୱରାନ୍ୱିତ ହେଵା ଦରକାର। ଦୁର୍ଘଟଣା ଘଟାଇଥିବା ଗାଡ଼ିରୁ ଆହତଙ୍କୁ ଶୀଘ୍ର ବାହାର କରିବା ଓ ଦୁର୍ଘଟଣା ସ୍ଥାନରେ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ ଅଧିକାଂଶ ସମୟରେ ଜୀବନ ବଂଚାଇବାରେ ସାହାଯ୍ୟ କରେ। ସେହିପରି ଡାକ୍ତରଖାନାରେ ଟ୍ରାଉମା ଯତ୍ନ ବ୍ୟବସ୍ଥାର ଗୁଣବତ୍ତା ଏବଂ ଦୁର୍ଘଟଣା ଆହତଙ୍କୁ ଚିକିତ୍ସା ପ୍ରଦାନ ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରେ। ଆମ ଦେଶରେ ଗ୍ରାମାଞ୍ଚଳରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଟ୍ରାଉମା ଯତ୍ନ ବ୍ୟବସ୍ଥାର ବୈପ୍ଲବିକ ପରିବର୍ତ୍ତନ ଦରକାର। ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ଭାରତରେ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ରୋକିବା ପାଇଁ ପ୍ରଚଳିତ ବ୍ୟବସ୍ଥା, ଢାଞ୍ଚା ଓ ମାନସିକତାର ବ୍ୟାପକ ସଂସ୍କାର ଆବଶ୍ୟକ।

Comments
Loading...