ଶ୍ରେଷ୍ଠ ସମ୍ପଦ

0

ବ୍ରାହ୍ମଣ ନିର୍ଦ୍ଧନ ଥିଲେ। ଧନିକ ତଥା ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ଦେଖିଲେ ମନରେ ବହୁତ ଦୁଃଖ ଆସେ, ନିଜ ଭାଗ୍ୟକୁ ନିନ୍ଦିଥାନ୍ତି। ସର୍ବଦା ମନ ଭିତରେ ଗୋଟିଏ ଚିନ୍ତାଥାଏ- ସେମାନଙ୍କ ଭଳି ଧନର ଅଧିକାରୀ ହୋଇଥାନ୍ତି କି, ମୁଁ ସ୍ବଚ୍ଛଳ ଜୀବନନିର୍ବାହ କରିଥାନ୍ତି। ମାନସିକ ସ୍ଥିତି ଏ ନେଇ ଖରାପ ହେବାରୁ ଜଣେ ସନ୍ଥଙ୍କର ଆଶ୍ରା ନେଲେ। ସନ୍ଥଙ୍କ ସେବାରେ ଦିନରାତି ଅତିବାହିତ ହେଲା। ଜଣେ ସାଧୁ ମହାତ୍ମାଙ୍କ ସଂସ୍ପର୍ଶରେ ଆସିବାରୁ ମନରେ କିଛିଟା ଶାନ୍ତି ଆସିଲା। ହେଲେ ଧନଲାଭ ଚିନ୍ତା ମନରୁ ଭୁଲି ପାରି ନ ଥିଲେ।
ସେଦିନ ସାଧୁ ଅତି ପ୍ରସନ୍ନ ଥିଲେ। କହିିଲେ- ବତ୍ସ ! ‘ତୁମେ ଅନେକ ଦିନ ଧରି ମୋର ସେବା କଲଣି। ତୁମର ସେବାରେ ମୁଁ ସନ୍ତୁଷ୍ଟ। ଯଦି କିଛି କାମନା ଅଛି ପ୍ରକାଶ କରିପାର।’
ବ୍ରାହ୍ମଣ ତତ୍‌କ୍ଷଣାତ୍‌ କହିଥିଲେ- ‘ଭଗବାନ ! ଧନାଭାବ ଯୋଗୁଁ ମୁଁ ଘୋର ଅଭାବଅନଟନରେ କାଳାତିପାତ କରୁଛି, କୃପାକରି ମୋର ଧନାଭାବ ମେଣ୍ଟାଇ ଦିଅନ୍ତୁ।’
ଏହାଶୁଣି ସାଧୁ କହିଲେ – ‘ତୁମେ ବିନ୍ଧ୍ୟାଞ୍ଚଳ ପର୍ବତରେ ରହୁଥିବା ମୋର ଜନୈକ ମିତ୍ର ପ୍ରଭୁ ଦାସଙ୍କ ନିକଟକୁ ଯାଅ। ତାଙ୍କ ନିକଟରେ ଏକ ପରଶ ମଣି ଅଛି। ଏହା ଏଭଳି ଏକ ମଣି ଯାହାଦ୍ବାରା ତୁମର ଧନାଭାବ ମେଣ୍ଟିଯିବ। ତୁମେ ଅଚିରେ ଧନୀ ହୋଇପାରିବ।’
ବ୍ରାହ୍ମଣ ଏହା ଶୁଣି ଅତ୍ୟନ୍ତ ସନ୍ତୋଷ ଚିତ୍ତ​‌େ​‌ର ବିନ୍ଧ୍ୟାଞ୍ଚଳ ପର୍ବତ ଅଭିମୁଖେ ଚାଲିଲେ। ଦୀର୍ଘଦିନର ଯାତ୍ରାପରେ ପ୍ରଭୁଦାସଙ୍କ ନିକଟରେ ପହଞ୍ଚିଥିଲେ। ଆସିବାର କାରଣ ପଚାରନ୍ତେ ବ୍ରାହ୍ମଣ ନମ୍ରଭାବରେ ନିଜର ଅଭୀପ୍‌ସା ପ୍ରକାଶ କରିଥିଲେ। ଅବିଶ୍ବସନୀୟ ଭାବରେ ପ୍ରଭୁଦାସ ବିନା ବାକ୍ୟବ୍ୟୟରେ ମଣିଟି ବ୍ରାହ୍ମଣଙ୍କୁ ଧରାଇ ଦେଇଥିଲେ।
ଅତି ଆନନ୍ଦରେ ଏଭଳି ଏକ ଦୁର୍ଲଭ ବସ୍ତୁ ତାଙ୍କର ହସ୍ତଗତ ହେବ ବୋଲି ବ୍ରାହ୍ମଣ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ନିଜର ଉତ୍ସୁକତାକୁ ଚାପିରଖି ନ ପାରି ପଚାରିଥିଲେ- ‘ମହାତ୍ମନ ! ଆପଣଙ୍କର କ’ଣ ଏଭଳି ଏକ ଅମୂଲ୍ୟ ଦ୍ରବ୍ୟ ପ୍ରତି ଆଦୌ ମୋହ ନ ଥିଲା। ଏଭଳି ଏକ ଅତି ଦୁର୍ଲଭ ସମ୍ପଦ ପାଖରେ ଥାଇ ମଧ୍ୟ ଏହା ମୁଁ ମାଗିବା ମାତ୍ରେ ଦେଇଦେଲେ ଯେ ?’ ଉତ୍ତରରେ ପ୍ରଭୁଦାସ କହିଥିଲେ- ‘ବତ୍ସ ! ଈଶ୍ବରଭକ୍ତିଠାରୁ ଶ୍ରେଷ୍ଠ ସମ୍ପଦ ଏ ସଂସାରରେ ଆଉ କିଛି ହେଲେ ନାହିଁ। ଯିଏ ଏହି ସମ୍ପଦର ଅଧିକାରୀ (ଯାହାଙ୍କ ଈଶ୍ବରଭକ୍ତି ଦୃଢ଼) ସେ କେବେ ବି ଅନ୍ୟ କୌଣସି ସମ୍ପଦ କାମନା କରି ନଥାନ୍ତି।’
ଏହା ଶୁଣି ଧନର ଅସାରତା ଓ ଆଧ୍ୟାତ୍ମିକ ସମ୍ପଦର ଶ୍ରେଷ୍ଠତ୍ବ ସମ୍ପର୍କରେ ଏବେ ବ୍ରାହ୍ମଣ ବୁଝି ପାରିଥିଲେ। ତାଙ୍କର ମୋହଭଙ୍ଗ ହୋଇଥିଲା। ବ୍ରାହ୍ମଣଙ୍କ ମନକୁ ଆସିଲା- କାହିଁକି ଧନଲାଭର ଚକ୍କରରେ ପଡ଼ିବି ? ସେଇ ମୁହୂର୍ତ୍ତରେ ସେ ଧନଲାଭର ସ୍ପୃହା ତ୍ୟାଗ କରି ଈଶ୍ବରଭକ୍ତି ଦିଗରେ ମନୋନିବେଶ କରିଥିଲେ।

Comments
Loading...