ଶ୍ରେଷ୍ଠବଳ

ଗୁରୁ କୃପାଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ପାଣ୍ଡବ ଓ କୌରବମାନେ ଏକତ୍ର ଶିକ୍ଷାଲାଭ କରୁଥିଲେ। ପାଣ୍ଡବମାନେ ଶିକ୍ଷାଦୀକ୍ଷାରେ କୌରବମାନଙ୍କଠାରୁ ଢ଼େର ଆଗରେ ଥିଲେ। କୌରବମାନେ ଦୁଷ୍ଟବୁଦ୍ଧି, ଧୂର୍ତ୍ତ ସ୍ବଭାବ ହେତୁ ପଢ଼ାରେ ମନ ଦେଉନଥିଲେ। ପାଣ୍ଡବ ପାଞ୍ଚଭାଇ ଶିକ୍ଷାଦୀକ୍ଷାରେ ଆଗେଇବା ଦେଖି ଦୁଷ୍ଟବୁଦ୍ଧିଯୁକ୍ତ କୌରବ ଭ୍ରାତାମାନେ ବାଲ୍ୟକାଳରୁ ହିଁ ଈର୍ଷାରେ ଜଳୁଥିଲେ। ସେସମୟରୁ ହିଁ ସେମାନଙ୍କର କୁପ୍ରବୃତ୍ତି ସମ୍ପର୍କରେ ଜଣାପଡ଼ିଥିଲା। ସେ ଦିନ ଜଙ୍ଗଲ ନିକଟ ଏକ ଖୋଲା ସ୍ଥାନରେ ସେମାନେ ଖେଳୁଥିବାବେଳେ ପେଣ୍ଡୁଟି କୂପ ମଧ୍ୟରେ ପଡ଼ିଯାଇଥିଲା। ପାଞ୍ଚଭାଇ ଚିନ୍ତିତ ହୋଇ ପଡ଼ିଲେ, କିପରି କୂପ ଭିତରୁ ଏହା ଉଦ୍ଧାର କରାଯିବ। ଏହାର ଉଦ୍ଧାରର କୌଣସି ବାଟ ସେମାନଙ୍କୁ ଦେଖାଯାଇ ନଥିଲା। ଏହାକୁ ଛାଡ଼ି ଯାଇପାରି ନଥିଲେ କାରଣ ସେମାନଙ୍କ ନିକଟରେ ଦ୍ବିତୀୟ ପେଣ୍ଡୁ ନଥିଲା।
ବିମର୍ଶ ଅବସ୍ଥାରେ ଥିବା ପାଣ୍ଡବ ପାଞ୍ଚଭାଇଙ୍କୁ ଦେଖି ସେହିବାଟ ଦେଇ ଯାଉଥିବା ଜନୈକ ବ୍ରାହ୍ମଣ ପଚାରିଥିଲେ – ତୁମେମାନେ ଦୁଃଖିତ ଥିବା ଜଣାପଡ଼ୁଛ? ଏଭଳି ଚିନ୍ତିତ, ଉଦାସ ହେବାର କାରଣ କ’ଣ?
ପଣ୍ଡିତ ମହାଶୟ ଆମମାନଙ୍କୁ ସାହାଯ୍ୟ କରିବାକୁ କହି ନାହାନ୍ତି। ତାହା ହିଁ ଆମର ଦୁଃଖର କାରଣ- ପାଣ୍ଡବ ପାଞ୍ଚଭାଇଙ୍କ ମଧ୍ୟରୁ ଜଣେ କହିଥି​‌େ​‌ଲ। ବତ୍ସ ! ଯାହାକୁ କେହି ସାହାଯ୍ୟ କରିବାକୁ ନାହାନ୍ତି ତାକୁ ସହାୟତା ଯୋଗାଇଦେବାକୁ ଭଗବାନ ଅଛନ୍ତି, ଏହା ଭୁଲି ଯାଉଛ ଯେ। ହଁ ତୁମମାନଙ୍କର ଦୁଃଖର କାରଣ କ’ଣ କୁହ? ହୋଇପାରେ ଭଗବାନ ମୋତେ ତୁମ ନିକଟକୁ ସାହାଯ୍ୟ କରିବାକୁ ପଠାଇଛନ୍ତି, ମୁଁ ସହାୟତା କରିପାରେ- ଆଗନ୍ତୁକ କହିଥିଲେ।
ପଣ୍ଡିତ ମହାଶୟ ! ଆମେମାନେ ଖେଳୁଥିବା ପେଣ୍ଡୁଟି କୂଅରେ ପଡ଼ିଯାଇଛି। ତାହା କୂପରୁ ବାହାର କରି ଆମମାନଙ୍କୁ ସହାୟ ହୁଅ। ଏଇ ଛାର କଥାକୁ ନେଇ ତୁମେମାନେ ଏତେ ଚିନ୍ତିତ। ମୁଁ ଏହାକୁ କୂଅରୁ ବାହାର କରିଦେବି। ସେ ନେଇ ଚିନ୍ତା କରନି।
ପଣ୍ଡିତ ମହାଶୟ! ଆପଣ କ’ଣ କୂପ ଭିତରକୁ ଡେଇଁ ଏହା ବାହାର କରିବେ? ନା-ନା ଏଭଳି କାମ କରିବାକୁ କହିବୁନି କେବେ। ଏହାର ପାପ ଆମକୁ ଲାଗିବ। ଆମେ ଏଭଳି ସହାୟତା ଚାହୁଁନୁ ଜମା- ପାଣ୍ଡବ ଭ୍ରାତାଙ୍କ ମଧ୍ୟରୁ ଜ୍ୟେଷ୍ଠ କହିଥିଲେ।
ବତ୍ସ ! ଏହି ସଂସାରରେ ବୁଦ୍ଧି ବଡ଼ ନା ବଳ ବଡ଼? ନିଶ୍ଚିତରେ ଦୁଇଟି ଭିତରୁ ବୁଦ୍ଧି ହିଁ ବଡ଼। ତୁମେମାନେ ଦେଖ ମୁଁ କିପରି ସହଜରେ ଏହାକୁ କୂପରୁ ବାହାର କରୁଛି, ଏହାକହି ବ୍ରାହ୍ମଣ ନିଜ କାନ୍ଧରୁ ଧନୁ ତୂଣୀରରୁ ତୀର ବାହାର କଲେ। ଗୋଟିକ ପରେ ଗୋଟିଏ ତୀର ସେହି କୂପ ଭିତରକୁ ନିକ୍ଷେପ କଲେ। ତୀରକୁ ତୀର ଯୋଖି ଖୁବ୍‌ ସହଜରେ ସେହି ବଲଟିକୁ କୂପରୁ ବାହାର କରିବାରେ ସକ୍ଷମ ହୋଇଥିଲେ ପଣ୍ଡିତ।
ବାଃ, ବାଃ, ପଣ୍ଡିତ ମହାଶୟ। ସତରେ ଆପଣ ମହାନ। ବାସ୍ତବରେ ବୁଦ୍ଧି ହିଁ ବଡ଼ ବଳଠାରୁ କହିଥିଲେ ପାଣ୍ଡବ ଭ୍ରାତା। ଖୁସିରେ ଆତ୍ମହରା ହୋଇ ପାଣ୍ଡବ ପାଞ୍ଚଭାଇ ଭୀଷ୍ମଙ୍କ ନିକଟରେ ପହଞ୍ଚି ପଣ୍ଡିତଙ୍କ ବୁଦ୍ଧି ସମ୍ପର୍କରେ କହିଥିଲେ।
‘ଏଭଳି ଅସାଧାରଣ ବିଦ୍ୟା ଜାଣିଥିବା ବ୍ୟକ୍ତି ତୁମେମାନେ କେଉଁଠି ଦେଖିଲ। ତାଙ୍କୁ ନେଇ ମୋ ନିକଟକୁ ଆସ’ ସେ ହିଁ ତୁମମାନଙ୍କୁ କୌରବ-ପାଣ୍ଡବମାନଙ୍କୁ ଶସ୍ତ୍ର ବିଦ୍ୟା ଶିକ୍ଷା ଦେବାକୁ ଉପଯୁକ୍ତ ବୋଲି ମୋର ମନେ ହେଉଛି- ଭୀଷ୍ମ କହିଥିଲେ।
ସେହି ବ୍ରାହ୍ମଣ ଆଉ କେହି ନଥିଲେ ମହାଭାରତର ସବୁଠାରୁ ବଡ଼ ଯୋଦ୍ଧା ଦ୍ରୋଣାଚାର୍ଯ୍ୟ ଥିଲେ। କୌରବ-ପାଣ୍ଡବଙ୍କୁ ଶସ୍ତ୍ର ବିଦ୍ୟା ଶିକ୍ଷା ନିମନ୍ତେ ସେହି ଦିନଠାରୁ ଭୀଷ୍ମ ତାଙ୍କୁ ନିଯୁକ୍ତ କରିଥିଲେ- ଉଭୟଙ୍କୁ ଏକତ୍ର ଶସ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ। ହେଲେ ମଧ୍ୟମ ପାଣ୍ଡବ ଅର୍ଜୁନ ସବୁଠାରୁ ପ୍ରିୟ ଶିଷ୍ୟ ଥିଲେ, ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର।

Comments
Loading...