ଶିଖ ବିରୋଧୀ ଦଙ୍ଗା ରାୟକୁ ନେଇ ରାଜନୀତି

0

ନୂଆଦିଲ୍ଲୀ: ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେବା ଘଟଣାରେ ରାଜନୀତି ତୀବ୍ର ହୋଇଛି। ରାୟ ପ୍ରକାଶ ପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍‌ଡେକର କହିଛନ୍ତି ଯେ ଏହା କଂଗ୍ରେସ ପାଇଁ ବଡ଼ ଧକ୍କା। ୧୯୮୪ର ଶିଖ ବି​‌େ​‌ରାଧୀ ଦଙ୍ଗା ସମ୍ପୂର୍ଣ୍ଣ ଏକପାଖିଆ ଥିଲା ବୋଲି ସେ ଲକ୍ଷ୍ନୌଠାରେ ସାମ୍ବାଦିକଙ୍କୁ କହିଛନ୍ତି। ଏଥିସହିତ ସେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କମଳ ନାଥ ଉକ୍ତ ଦଙ୍ଗା ମାମଲାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ବେଙ୍ଗାଲୁରୁଠାରେ କମଳ ନାଥଙ୍କ ବହିଷ୍କାର ଦାବି କରିଛନ୍ତି। ସମ୍ବିତ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି। ନାନାବତୀ କମିସନ ଦଙ୍ଗା ସମ୍ପର୍କରେ ଦେଇଥିବା ରିପୋର୍ଟରେ କମଳ ନାଥଙ୍କ ସମ୍ପୃକ୍ତି ରହିଥିବା ଉଲ୍ଲେଖ କରିଥିବା ସମ୍ବିତ ଦର୍ଶାଇଛନ୍ତି।
ଏହାର ଜବାବରେ କଂଗ୍ରେସ ପକ୍ଷରୁ ମାମଲାକୁ ରାଜନୀତୀକରଣ ନ କରିବା ପାଇଁ ନିବେଦନ କରାଯାଇଛି। ଏହି ଦଙ୍ଗା ମାମଲାରେ ଆଇନ ତା’ ବାଟରେ ଯାଉଛି ଓ ଯିବ ବୋଲି ଦଳର ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଓ ଅଭିଷେକ ମନୁ ସିଂହଭି ଭିନ୍ନଭିନ୍ନ ଭାବେ କହିଛନ୍ତି। ସିବଲ କହିଛନ୍ତି ଯେ ସଜ୍ଜନ କୁମାର କେବେ ବି କଂଗ୍ରେସର ​‌କୌଣସି ପଦପଦବୀରେ ନ ଥିଲେ କିମ୍ବା ଦଳ ତାଙ୍କୁ କୌଣସି ନିର୍ବାଚନରେ ଟିକଟ ଦେଇ ନାହିଁ। ସେହିଭଳି ଏହି ରାୟକୁ ନେଇ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ପ୍ରଭାବିତ କଲାଭଳି ଉଦ୍ୟମ ନ ହେଉ ବୋଲି ସିଂହଭି କହିଛନ୍ତି। ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି ଓ ଜନତା ଏହାକୁ ସହ୍ୟ କରିଛନ୍ତି; ତେଣୁ ଏହାକୁ ନେଇ ରାଜନୈତିକ ଫାଇଦା ଉଠାଇବା ଉଦ୍ୟମ ନ ହେଉ ବୋଲି ସେ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସିବଲ ସୋରାବୁଦ୍ଦିନ ଶେଖ୍‌ ଗୁଳିବିନିମୟ ମାମଲା ଓ ସିବିଆଇ ବିଚାରପତି ଲୋୟା ମାମଲାର ଦୃଷ୍ଟାନ୍ତ ରଖିଛନ୍ତି। ଏସବୁକୁ ଚପାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିଭଳି ଗୁଜରାଟ ଦଙ୍ଗା ମାମଲାରେ ବହୁ ବିଜେପି ନେତା ସମ୍ପୃକ୍ତ ଥିବା ସେ କହିଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ସୁନିଲ କୁମାର ଝାଖଡ଼ କହିଛନ୍ତି ଯେ ଏହି ଦଙ୍ଗା ମାମଲା ନେଇ ତାଙ୍କ ଦଳ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିଆସିଛି। ଏଥିରେ ଯିଏ ବି ଦାୟୀ ସେମାନଙ୍କୁ ଦଣ୍ଡବିଧାନ ପାଇଁ ଦଳ ଦାବି କରିଆସିଛି ବୋଲି ସେ କହିଛନ୍ତି। ସଂସଦ ବାହାରେ ସେ କହିଛନ୍ତି, ମାମଲାରେ ପୀଡ଼ିତଙ୍କୁ ନ୍ୟାୟ ମିଳିବା ନିଶ୍ଚୟ ବିଳମ୍ବ ହୋଇଛି; କିନ୍ତୁ ନାୟିକ ପ୍ରକ୍ରିୟାକୁ ନେଇ ରାଜନୀତି ନ ହେଉ।

Leave A Reply