ଶାବରୀମାଳା ପ୍ରସଙ୍ଗ ଏକ ଭିନ୍ନ ଦୃଷ୍ଟିରେ

0

ସୁଧାଂଶୁଶେଖର ଭୂୟାଁ

କେତେବେଳେ ମୁସଲମାନ ବା ଦଳିତଙ୍କ ଉପରେ ନାରକୀୟ ଅତ୍ୟାଚାର, କେତେବେଳେ ଆଧାର କାର୍ଡ ନିଜସ୍ବ ପରିସରରର ଅଧିକାର ଲଂଘନ କରିଛି କି ନାହିଁ ସେହି ପ୍ରଶ୍ନ, କେବେ ଅବା ସମକାମିତାର ଅନୁମୋଦନ- ଛକାଛକି ହୋଇ ଗୋଟିଏ ନା ଗୋଟିଏ ବିଷୟରେ ଦେଶର ଜନମତ ଭାଗଭାଗ ହୋଇଯାଇଛି ଏବଂ ସେଥିନେଇ ଭୟାନକ ସଂଘାତ ସଂଘଟିତ ହେଉଛି। ତିନି ତଲାକ କିମ୍ବା ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନର ବିଷୟଗୁଡ଼ିକ ନେଇ ପରିକଳ୍ପିତ ବିତର୍କ ତିଆରି କରାଯାଉଛି କାରଣ ସେଥିରେ କାହାର ନା କାହାର ଭୋଟ ବଢ଼ିବ। ବିଷୟ ଓଲଟିଯାଉଛି। ସ୍ଥାନ ବଦଳିଯାଉଛି, କିନ୍ତୁ ବିରୋଧୀ ମତସମୂହର ଦ୍ବନ୍ଦ୍ବ ଏପରି ତିକ୍ତ ହୋଇଉଠୁଛି ଯେ ମନେହୁଏ ଯେପରି ଆଦର୍ଶଗତ ଗୃହଯୁଦ୍ଧ ଚାଲିଛି।
ଶାବରୀମାଳା ହେଲା ଏହି ଧାରାର ସାଂପ୍ରତିକତମ ଦୃଷ୍ଟାନ୍ତ। ଏଥିନେଇ ଗଣମାଧ୍ୟମଗୁଡ଼ିକରେ କ୍ରମାଗତ ଆଲୋଚନା ଚାଲିଛି ସତ, କିନ୍ତୁ ଅନେ‌େ‌କ ସମସ୍ୟାର ମୂଳ ଚରିତ୍ରଟିକୁ ଠିକ୍‌ ଧରିପାରିନାହାନ୍ତି। ଗୋଟାକଯାକ ବ୍ୟାପାରଟା ଦେଖି ଧନ୍ଦିବାଜିରେ ପଡ଼ିଯିବାଟା ସ୍ବାଭାବିକ। ଗୋଟାଏ ଦିଗରେ ଯେତେବେଳେ ବହୁ ମହିଳା ଏବଂ ପୁରୁଷ ପବିତ୍ର ମନ୍ଦିରରେ ପ୍ରବେଶାଧିକାର ପାଇବାପାଇଁ କଠୋର ପିତୃତନ୍ତ୍ର ବିରୋଧରେ ଲଢ଼ାଇ କରୁଛନ୍ତି ସେତେବେଳେ ଅନ୍ୟ ଦିଗରେ ବହୁ ମହିଳା ଓ ପୁରୁଷ ସେହି ଅଧିକାରକୁ ବିରୋଧିକରି ରାସ୍ତାକୁ ଚାଲିଯାଉଛନ୍ତି। ସର୍ବୋଚ୍ଚ ଅଦାଲତ ସେହି ଅଧିକାରକୁ ସ୍ବୀକୃତି ଦେଇସାରିଥିବା ସତ୍ତ୍ବେ ଏଇଟା ଆହୁରି ବିସ୍ମୟକର ପ୍ରତିଭାତ ହୋଇପାରେ। କାରଣ ଝିଅମାନଙ୍କର କ୍ଷମତାୟନ, ସାକ୍ଷରତା ଏବଂ ଅନ୍ୟ ନାନା ବିଷୟରେ କେରଳ ହେଲା ଦେଶର ସବୁଠାରୁ ପ୍ରଗତିଶୀଳ ରାଜ୍ୟ। ରାଜନୈତିକ ଦଳଗୁଡ଼ିକ ଯେ ଏହି ପବିତ୍ର ଗୋଳିଆ ପାଣିକୁ ଲମ୍ଫ ପ୍ରଦାନ କରିବାକୁ କାଳକ୍ଷେପଣ କରିନାହାନ୍ତି, ସେଇଟା ଅବଶ୍ୟ ପ୍ରତ୍ୟାଶିତ ଥିଲା।
ପ୍ରସଙ୍ଗକ୍ରମେ ଆଲୋଚନାକୁ ଯିବା। ଶାବରୀମାଳା ହେଲା ପାହାଡର ନାମ, ଦେବତାର ନାମ ନୁହେଁ। ଦେବତା ହେଲେ ଶାସ୍ତା ଆୟାପ୍ପନ। ନାମର ଦୁଇଟି ଅଂଶ ତାତ୍ପର୍ଯ୍ୟପୂର୍ଣ୍ଣ। ଧର୍ମଶାସ୍ତା ହେଲା ମାଲୟାଲମରେ ବୁଦ୍ଧଙ୍କର ଗୋଟିଏ ନାମ- ଏହି
ଧାରଣା ବହୁଳପ୍ରଚଳିତ ଯେ ଏଠାରେ ଆଦିଦେବତା ଥିଲେ ବୌଦ୍ଧ। ଏବେ ମଧ୍ୟ ତୀର୍ଥଯାତ୍ରୀମାନେ ସାରା ପଥରେ ‘ଶରଣମ’ ବୋଲି ବୋଲି ଯାଆନ୍ତି। ଅନ୍ୟ ନାମଟି (ଆୟାପ୍ପନ) ଆସିଛି ସୁପ୍ରାଚୀନ ଦ୍ରାବିଡ଼ ଈଶ୍ବର ‘ଆଈ’ଠାରୁ। ଆୟାନାର ହେଲେ ତାମିଲ ଲୋକଦେବତା। ପୁରୁଷ୍ଟୁ ପ୍ରତ୍ୟେକ ଗ୍ରାମର ବାହାରେ ସେ ଘୋଡ଼ା ପିଠିରେ ଚଢ଼ି ଦ୍ବାରରକ୍ଷୀ ହିସାବରେ ବିରାଜମାନ କରନ୍ତି, ହାତରେ ଖୋଲା ତରୁଆଲ। ତାଙ୍କର ବଂଶଧର ଏତେଟା ଅନାର୍ଯ୍ୟ ଯେ ଅଠରଟି ମହାପୁରାଣରୁ କେଉଁ ଗୋଟିକରେ ତାହାର ଉଲ୍ଳେଖ ନାହିଁ। ତେବେ ଭୂତନାଥ-ଉପାଖ୍ୟାନମ୍‌ ନାମକ ସ୍ଥାନୀୟ ଉପପୁରାଣରେ ତାଙ୍କର ମାହାତ୍ମ୍ୟ କୀର୍ତ୍ତିତ ହୋଇଛି। ସ୍ପଷ୍ଟତଃ ଏଇଟା ହେଲା ତାଙ୍କୁ ବ୍ରାହ୍ମଣ୍ୟତନ୍ତ୍ରର ଧାରାରେ ତୋଳିଆଣିବାର ପ୍ରକଳ୍ପ। ଏହାଫଳରେ ନାମ୍ବୁଦ୍ରି ବ୍ରାହ୍ମଣମାନଙ୍କର କାର୍ଯ୍ୟଟା ସହଜ ହୋଇଯାଏ। ଏମାନେ ଅଷ୍ଟମ ଶତକରେ କେରଳକୁ ଆସନ୍ତି, ସେଠାକାର ଭାଷା, ସଂସ୍କୃତିଠାରୁ ମନ୍ଦିର ଓ ଆରାଧନା ଅବଧି ସବୁ କିଛିର ସଂସ୍କୃତାୟନ ଘଟାଇବା ଥିଲା ସେମାନଙ୍କର ଲକ୍ଷ୍ୟ। ଶାବରୀମାଳାର ଶାସ୍ତାଙ୍କୁ ଏହି ଉଦ୍ଦେଶ୍ୟରେ ‘ଆଈ’ର ମାଧ୍ୟମରେ ଆୟାପ୍ପନରେ ପରିଣତ କରାଗଲା। ଆୟାପ୍ପନ ହେଲେ ପାଣ୍ଡ୍ୟ ରାଜତ୍ବର ଏକ ଅକୁତୋଭୟ ରାଜକୁମାର, ଶିବଙ୍କ ସଙ୍ଗରେ ମୋହିନୀମୂର୍ତ୍ତିଧାରୀ ବିଷ୍ଣୁଙ୍କର ମିଳନରେ ତାଙ୍କର ଜନ୍ମ। ମନେପଡ଼ିଯାଏ କେରଳର ମୋହିନୀଅଟ୍ଟମ ନୃତ୍ୟର କଥା, ଯାହା ଏବେ ଗୋଟିଏ ‘ଜାତୀୟ ଧ୍ରୁପଦୀ ନୃତ୍ୟକଳା’ ହିସାବରେ ସ୍ବୀକୃତ। ଆୟାପ୍ପନ ମହିଷାସୁରୀ ନାମକ ମହିଷ-ରୂୂପିଣୀ ଦେବୀଙ୍କୁ ପରାଜିତ କରନ୍ତି, ସକଳଙ୍କର ତ୍ରାସ ସୃଷ୍ଟିକାରୀ ଦସ୍ୟୁରାଜ ଉଦୟନମ ମଧ୍ୟ ତାଙ୍କ ହାତରେ ପରାଜିତ ହୁଅନ୍ତି। ତା’ପରେ ସେ ଶାବରୀମାଳା ମନ୍ଦିରକୁ ସସୈନ୍ୟ ଅଭିଯାନ କରନ୍ତି, ସେଠାରେ ଅଠରଟି ପବିତ୍ର ସୋପାନ ଅତିକ୍ରମ କରି ଉଠିଯାନ୍ତି, କିନ୍ତୁ ବିଗ୍ରହଙ୍କ ନିକଟକୁ ଆସିବାକ୍ଷଣି ସେ ଅଲୌକିକ ଭାବରେ ଦେବତା ଶାସ୍ତାଙ୍କ ଦେହରେ ଲୀନ ହୋଇଯାଆନ୍ତି। ଏହି ଭାବରେ ଗୋଟାଏ ଧାପରେ କେରଳର ସବୁଠାରୁ ଜନପ୍ରିୟ ଲୋକ ଦେବତାଙ୍କ ବ୍ରାହ୍ମଣାୟନ ସଂପୂର୍ଣ୍ଣ ହୁଏ। ତେବେ ଶାସ୍ତା ଆୟାପ୍ପାଙ୍କର ଆରାଧନାର ଅନେକ ରୀତି ଏବଂ ଆଚାର ହିଁ ଆଜିକାଲି ରୀତିମତ ଅ-ସଂସ୍କୃତ।
ପ୍ରତିବର୍ଷ କେରଳର ସମସ୍ତ ଅଞ୍ଚଳର ସମସ୍ତ ଜାତି ଓ ଶ୍ରେଣୀର କୋଟିକୋଟି ଭକ୍ତ ଶାବରୀମାଳା ପାହାଡ଼ର ପାଦଦେଶରେ ସମବେତ ହୋଇ ଦୁର୍ଗମପଥରେ ମନ୍ଦିର ଅଭିମୁଖରେ ଯାତ୍ରା ଆରମ୍ଭ କରନ୍ତି। ବର୍ଷର ଖୁବ୍‌ ଅଳ୍ପ ସମୟ ମନ୍ଦିର ଖୋଲାଥାଏ। ପେରିୟାର ଟାଇଗର ରିଜର୍ଭର ନାମକ ଅଭୟାରଣ୍ୟ ମଧ୍ୟ ଦେଇ ଏହି ତୀର୍ଥଯାତ୍ରାରେ ମୁସଲମାନ, ଏପରିକି ଖ୍ରୀଷ୍ଟିୟାନମାନେ ମଧ୍ୟ ଯୋଗଦିଅନ୍ତି ଯେଉଁଥିରୁ ବୁଝାଯାଏ ତା’ର ମୌଳିକ ସାର୍ବଜନୀନ ଚରିତ୍ର। ବସ୍ତୁତଃ, ମନ୍ଦିରର ଚତ୍ବରରେ ଅଛନ୍ତି ଗୋଟିଏ ମୁସଲିମ ଦେବତା, ତାଙ୍କର ନାମ ଭାଭାର, ପୁଣି ଅଧିକାଂଶ ତୀର୍ଥଯାତ୍ରୀ ପାଖରେ ଥିବା ଆର୍ଥୁଙ୍କଲ ଗୀର୍ଜାକୁ ଆଶୀର୍ବାଦ ପ୍ରାପ୍ତି ପାଇଁ ଯାଆନ୍ତି।
ଏପର୍ଯ୍ୟନ୍ତ ସ୍ତ୍ରୀଲୋକମାନଙ୍କ ମଧ୍ୟରେ ପଚାଶବର୍ଷରୁ ଅଧିକ ବୟସର ମନ୍ଦିର ଭିତରକୁ ପ୍ରବେଶ କରିପାରୁଥିଲେ। ୧୫ରୁ ୫୦ ବର୍ଷର ବୟସ ମହିଳାମାନେ କାହିଁକି ପ୍ରବେଶାଧିକାର ପାଇବେ ନାହିଁ ଏଥିନେଇ ହିଁ ବିବାଦ ଚାଲିଛି। ସେମାନଙ୍କୁ ଅଭିହିତ କରାଯାଉଛି ‘ଋତୁସ୍ରାବ ବୟସର ନାରୀ’ ନାମରେ, ସନ୍ତାନର ଜନନୀମାନଙ୍କର ଅଭିଧା ହିସାବରେ ଯାହା ଏକ କଥାରେ ଭୟାବହ। ତେବେ ସେହି ପ୍ରସଙ୍ଗକୁ ଯିବା ପୂର୍ବରୁ ମନେ ରଖିବା ଦରକାର, ଶାବରୀମାଳାର ସମସ୍ତ ତୀର୍ଥଯାତ୍ରୀଙ୍କୁ ଅତ୍ୟନ୍ତ କଠୋର କିଛି ନିୟମ ପାଳନ କରିବାକୁ ହୁଏ। ଯଥା ଯାତ୍ରା ଆରମ୍ଭ ହେବା ପୂର୍ବରୁ ୪୧ ଦିନ ଆମିଷଭକ୍ଷଣ ନିଷେଧ। ନିଷିଦ୍ଧ ମଦପାନ, ଅନେକଙ୍କ ପକ୍ଷରେ ଯାହା ରୀତିମତ କଠିନ। ହଁ, ଏହି ସମୟଟାରେ ଯୌନସଂସର୍ଗ ମଧ୍ୟ ନିଷିଦ୍ଧ।
ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ପାଞ୍ଚଜଣ ବିଚାରକଙ୍କର ଡିଭିଜନ୍‌ ବେଞ୍ଚ ଗୋଟିଏ ମାମଲାର ନିଷ୍ପତ୍ତି କରି ରାୟ ଦେଲେ ଯେ ଶାବରୀମାଳାରେ ଆୟାପ୍ପନର ମନ୍ଦିରରେ ୧୦ବର୍ଷରୁ ୫୦ବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀଲୋକମାନଙ୍କର ପ୍ରବେଶାଧିକାର ପ୍ରତ୍ୟାଖ୍ୟାନ କରିବା ଚଳିବ ନାହିଁ, କାରଣ ସେଥିରେ ସମ୍ବିଧାନର ୨୫ନମ୍ବର ଅନୁଚ୍ଛେଦରେ ପ୍ରଦତ୍ତ ମୌଳିକ ଅଧିକାରର ଉଲ୍ଲଙ୍ଘନ ହେବ। ଗୋଟିଏ ଆଶ୍ଚର୍ଯ୍ୟର ବ୍ୟାପାର, ଏହି ବେଞ୍ଚର ଏକମାତ୍ର ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରା ସଂଖ୍ୟାଗରିଷ୍ଠର ରାୟ ବିପକ୍ଷରେ ମତଦାନ କରିଛନ୍ତି। ସଂଖ୍ୟାଗରିଷ୍ଠର ରାୟଟି ପ୍ରତ୍ୟାଶିତ ଭାବରେ ସାଧାରଣ ଭାବରେ ଜନମତର ପ୍ରବଳ ସମର୍ଥନ ପାଏ, କିନ୍ତୁ ଗୁରୁୁସ୍ବାମୀ ନାମରେ ପରିଚିତ ଶାବରୀମାଳାର ପ୍ରଧାନ ପୁରୋହିତମାନେ ଏହି ସିଦ୍ଧାନ୍ତର ବିରୋଧତା କରି କହନ୍ତି, ଏଥିରେ ‘ଐତିହ୍ୟ’ର ଉଲ୍ଲଙ୍ଘନ ହେବ। ଆହୁରି ଲକ୍ଷଲକ୍ଷ ମଣିଷ ସେହି ମତ ହିଁ ପୋଷଣ କରନ୍ତି। ସେମାନଙ୍କ ମତରେ, ଆୟାପ୍ପନ ହେଲେ ନୈଷ୍ଠିକ ବ୍ରହ୍ମଚାରୀ, ‘ଋତୁସ୍ରାବର ବୟସର ମହିଳାମାନେ’ ମନ୍ଦିରରେ ପ୍ରବେଶ କଲେ ତାହାର ‘ପବିତ୍ରତା’ ଲାଞ୍ଛିତ ହେବ। ଯେଉଁ ହିନ୍ଦୁୁତ୍ବବାଦୀମାନେ ସଂପ୍ରତି ତିନି ତଲାକ ସମ୍ପର୍କରେ ସୁପ୍ରିମକୋର୍ଟର ରାୟର ପ୍ରଶଂସାରେ ପଞ୍ଚମୁଖ ହୋଇ କହିଥିଲେ ଯେ ଏହା ଫଳରେ ମୁସଲିମ୍‌ ମହିଳାମାନେ ଗୋଟାଏ ବଡ଼ ସ୍ବାଧିକାର ପାଇଲେ, ସେମାନେ ହିଁ ଏବେ କହୁଛନ୍ତି, ଯେଉଁ ପ୍ରଥା ସପକ୍ଷରେ ଧର୍ମୀୟ ଅନୁମୋଦନ ଅଛି, ତାହା ‘ଅନ୍ୟାୟ’ ବୋଲି ପ୍ରତିଭାତ ହେଲେ ମଧ୍ୟ ଅଦାଲତର ସେ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସେମାନେ କିନ୍ତୁ କହନ୍ତି, ଏହି କୁସଂସ୍କାରମୂଳକ ପ୍ରଥାଟି ଆବହମାନକାଳରୁ ଧରି ଚାଲିଆସିଛି। ଏଇ କଥାଟି ମୋଟେ ଠିକ୍‌ ନୁହେଁ। ୧୯୪୦ର ଦଶନ୍ଧି ପର୍ଯ୍ୟନ୍ତ ନିର୍ଦ୍ଧାରିତ ବିଧିନିଷେଧ ପାଳନ କଲେ ଯେ କୌଣସି ବୟସର ସ୍ତ୍ରୀଲୋକମାନେ ମନ୍ଦିରରେ ପ୍ରବେଶ କରି ପାରୁଥିଲେ। ୧୯୫୦ ମସିହାରେ ଏହି ମନ୍ଦିରରେ ଗୋଟିଏ ଅଗ୍ନିକାଣ୍ଡ ଘଟିଥିଲା ଏବଂ ତା’ ଉପରେ କୁସଂସ୍କାରର ଏକ ବିଚିତ୍ର ଲୀଳା ଆରମ୍ଭ ହେଲା। ନଥିପତ୍ରରୁ ଦେଖାଯାଉଛି ଯେ, ୧୯୯୫ ସାଲରେ କେରଳର ହିନ୍ଦୁ ଆରାଧନାସ୍ଥଳରେ ପ୍ରବେଶ ଅନୁମୋଦନ ସଂକ୍ରାନ୍ତ ଆଇନ ପାସ୍‌ ହେବା ପରେ ମଧ୍ୟ ସବୁ ବୟସର ସ୍ତ୍ରୀ ଲୋକମାନେ ଅଳ୍ପ ସଂଖ୍ୟାରେ ହେଲେ ମଧ୍ୟ ମନ୍ଦିରରେ ପ୍ରବେଶ କରୁଥିଲେ। ଅସଲ ସମସ୍ୟାଟା ଆସେ ୧୯୮୩ ସାଲ ପରେ। ସେହି ବର୍ଷ ଏହି ଇଲାକାରେ ଗୋଟିଏ ପଥରର କ୍ରୁସ୍‌୍‌ ଆବିଷ୍କୃତ ହୁଏ ଏବଂ ଖ୍ରୀଷ୍ଟିୟାନମାନେ ମହାଦେବଙ୍କ ମନ୍ଦିର ନିକଟରେ ନିଲାକ୍କଲଠାରେ ଗୋଟିଏ ଗୀର୍ଜା ତିଆରି କରନ୍ତି। ମନ୍ଦିରର ପୁରୋହିତମାନଙ୍କର ନେତୃତ୍ବରେ ଜନତାଙ୍କ ସଙ୍ଗରେ ପୁଲିସର ସଂଘର୍ଷ ହୁଏ। ଶେଷପର୍ଯ୍ୟନ୍ତ ୧୯୯୧ ସାଲରେ କେରଳ ହାଇକୋର୍ଟ ନିର୍ଦେଶ ଦିଏ ଯେ ଦଶବର୍ଷରୁ ପଚାଶବର୍ଷର ସ୍ତ୍ରୀ ଲୋକମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ଅଠେଇଶବର୍ଷ ପରେ ସୁୁପ୍ରିମକୋର୍ଟ ପୁଣି ସେହି ବନ୍ଦ ଦରଜାକୁ ଖୋଲିଦେଇଛି। ଗୋଟାଏ କଥାରେ କହିଲେ ଏଇଟା ସନାତନ ଧର୍ମର କୌଣସି ବ୍ୟାପାର ନୁହେଁ, ଯଦିଓ ଏହି ଧର୍ମର ନାମ ଧରି ଯେଉଁମାନେ ରାଜନୀତି କରୁଛନ୍ତି, ଏହି ସମସ୍ୟାଟି ସେମାନଙ୍କୁୁ କେରଳରେ ପାଦ ପକାଇ ରଖିବାର ଗୋଟାଏ ସୁଯୋଗ ଦେଉଛି, ଯାହାକୁ କେରଳବାସୀ ସେମାନଙ୍କୁ ଏଯାବତ୍‌ ଦେଇନାହାନ୍ତି।
ଏକଥା ମନେରଖିବା ଦରକାର ଋତୁସ୍ରାବ ହେଲା ମହିଳାମାନଙ୍କର ସୃଷ୍ଟିଶକ୍ତିର ପ୍ରତୀକ। ଏହି ପ୍ରତୀକର ବନ୍ଦନା କରିବା ପରିବର୍ତ୍ତେ ପିତୃତନ୍ତ୍ର ଚିରକାଳ ସାରା ସଂସାରରେ ଏହାକୁ ହୀନ ପ୍ରତିପନ୍ନ କରିବାକୁ ତତ୍ପର ହୋଇଛି। ପ୍ରସଙ୍ଗତଃ, କେରଳରେ ଆଲାପୂଜା ନିକଟରେ ଚେଙ୍ଗାନୁର ପାଖରେ ଗୋଟିଏ ମନ୍ଦିର ଅଛି, ଯେଉଁଠାରେ ଦେବୀଙ୍କର ନିୟମିତ ଋତୁସ୍ରାବ ହୁଏ। ଭାରତ ଯୁଗଯୁଗ ଧରି ମାତୃଦେବୀଙ୍କର ଆରାଧନା କରିଆସିଛି। ଏହି ଦେଶ ମାନବଜାତିର ସୁରକ୍ଷାରେ ମହିଳାମାନଙ୍କର ପ୍ରଜନନ ଶକ୍ତିର ବନ୍ଦନା କରିବ, ନା ବୋଧହୀନ, ସମ୍ବେଦନହୀନ, ତାଲିକାମାନଙ୍କ ପରି ତାକୁ ​‌େ​‌ଛାଟ କରିବ ସେଇଟା ତାଙ୍କୁ ହିଁ ଠିକ୍‌ କରିବାକୁ ହେବ।

Comments
Loading...