ଶତାବ୍ଦୀ ପୂର୍ବର ବିଭୀଷିକା: ଆଜି କ୍ଷମାପ୍ରାର୍ଥନାର ମୂଲ୍ୟ କେତେ?

ମନୋଜ ଦାସଙ୍କ ସହ ପ୍ର​‌େ​‌ଶ୍ନାତ୍ତର

ପ୍ରଶ୍ନ :ଜଣେ ଇଂରେଜ ସେନାଧ୍ୟକ୍ଷ ଦ୍ୱାରା ସଂଘଟିତ ଜାଲିଆଁୱାଲାବାଗ୍ ହତ୍ୟାକାଣ୍ଡ (୧୩ ଏପ୍ରିଲ୍ ୨୦୧୯)ର ଶତବାର୍ଷିକୀ ଅବସରରେ ସେ ନାରକୀୟ କାଣ୍ଡ ସକାଶେ ବ୍ରିଟିଶ୍ ସରକାର କ୍ଷମା ଭିକ୍ଷା କରିବା ଉଚିତ ବୋଲି ଭାରତରୁ ଦାବି ହେବା ସଙ୍ଗେସଙ୍ଗେ ଖାସ୍ ବ୍ରିଟେନ୍‌ର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏକା ଦାବି କରିଥିଲେ। ଆପଣ ମଧ୍ୟ ଏକ ଇଂରାଜୀ ଦୈନିକର ସଂପାଦକୀୟ ପୃଷ୍ଠାରେ ସେ ଦାବିକୁ ସମର୍ଥନ କରିଥିଲେ। ମୋର ପ୍ରଶ୍ନ ହେଲା, ପୁନର୍ଜନ୍ମ ତତ୍ତ୍ୱ ଅନୁସାରେ ସେଦିନର ଇଂରେଜ୍‌ମାନେ ତଥା ସେଦିନର ଭାରତୀୟମାନେ ନିଜନିଜ ପୁରୁଣା ଭୌଗୋଳିକ ସୀମା ଅତିକ୍ରମ କରି କିଏ କେଉଁଠି ଜନ୍ମ ନେବେଣି। ସେ ତତ୍ତ୍ୱ ଦୃଷ୍ଟିରୁ ଜାତୀୟତାବାଦର ମୂଲ୍ୟ କ’ଣ ? ଏଭଳି ଦାବିର ବା ମୂଲ୍ୟ କ’ଣ ?
ପ୍ରଦୀପ୍ତ କୁମାର ଦାସ, ଭୁବନେଶ୍ୱର
ଉତ୍ତର: ପୁନର୍ଜନ୍ମ ତତ୍ତ୍ୱ ଦୃଷ୍ଟିରୁ ଆପଣଙ୍କ ପ୍ରଶ୍ନ ଏକାନ୍ତ ଯଥାର୍ଥ ଏବଂ ପୁନର୍ଜନ୍ମ ତତ୍ତ୍ୱ ସମ୍ପୂର୍ଣ୍ଣ ସତ୍ୟ। ବ୍ୟକ୍ତିବିଶେଷର କ୍ରମାଗତ ବିକାଶ ନିମନ୍ତେ ଯେଉଁ ପରିବେଶ ଓ ପରମ୍ପରା ପ୍ରୟୋଜନୀୟ ହୁଏ, ଆତ୍ମା ତାହା ଖୋଜିନିଏ। ଆତ୍ମାଟିଏ ଏକାଧିକବାର ଗୋଟାଏ ଦେଶରେ ଜନ୍ମଗ୍ରହଣ କରିପାରେ; ନତୁବା ଭିନ୍ନଭିନ୍ନ ଦେଶରେ ଏକଏକ ଜୀବନକାଳ ନିର୍ବାହ କରିପାରେ। ଆମ ବୁଦ୍ଧି ବା ବୋଧଶକ୍ତି ଯୋଗେ ସେ ନିୟମ ବୁଝିବା ସମ୍ଭବପର ନୁହେଁ।
ଆମେ ହାରାହାରି ପର୍ଯ୍ୟାୟର ମଣିଷମାନେ ସଚେତନ ଭାବରେ ସର୍ବଦା ଆତ୍ମାର ନିର୍ଦେଶ ଦ୍ୱାରା ପ୍ରଚଳିତ ହେଉନା। ଏପରିକି ସେ ଶବ୍ଦଟି ସହ ଆମେ ସୁପରିଚିତ ହେଲେ ମଧ୍ୟ ତା’ର ସନ୍ଧାନ ପାଇଁ ବିଶେଷ ଆଗ୍ରହ ଅନୁଭବ କରୁନା । ସ୍ଥୂଳ ଆବଶ୍ୟକତା, ମାନସିକ ହେତୁବାଦ ଓ ପ୍ରାଣଗତ ଆବେଗ ହିଁ ଆମ ଚିନ୍ତା, ଚେତନା ଓ ଆଚରଣକୁ ନିୟନ୍ତ୍ରଣ କରିଥାଏ। ଯେତେବେଳେ ମୁଁ ଭାରତରେ ଜନ୍ମଗ୍ରହଣ କରେ, ସେତେବେଳେ ମୋ ଚେତନାର ଏକ ବିପୁଳ ଅଂଶ ଭାରତୀୟ ସଭ୍ୟତା, ସଂସ୍କୃତି ଓ ପରମ୍ପରାଗତ ଚିନ୍ତାଧାରା ଆଜନ୍ମ ଗ୍ରହଣ କରିଥାଏ। ବସ୍ତୁତଃ ସେହି ପ୍ରଭାବର ଆବଶ୍ୟକତା ଥାଏ ବୋଲି ହିଁ ମୋ ଆତ୍ମା ଭାରତରେ ଜନ୍ମଗ୍ରହଣ କରିବାର ସିଦ୍ଧାନ୍ତ ନେଇଥାଏ। ସେ ଦୃଷ୍ଟିରୁ ମୁଁ ଭାରତୀୟ ଚେତନାର ଜଣେ ଉତ୍ତରାଧିକାରୀ – ସ୍ୱାଭାବିକ ଭାବରେ ଉତ୍ତରଦାୟୀ ମଧ୍ୟ। ବ୍ରିଟେନ୍‌ର ଆଜିର ଜନସାଧାରଣଙ୍କ ସକାଶେ ଏକ ହିଁ ମାନଦଣ୍ଡ ପ୍ରଯୁକ୍ତ ହେବ। ଚେତନାରେ ସେମାନେ ଗତ ତଥା ବିଗତ ଶତାବ୍ଦୀର ଇଂରେଜମାନଙ୍କର ଉତ୍ତରାଧିକାରୀ ଏବଂ ସେହି ନିୟମ ଅନୁସାରେ ଉତ୍ତରଦାୟୀ ମଧ୍ୟ। ସେକ୍ସପିଅର ଓ ମିଲ୍‌ଟନ୍ ଯେମିତି ସେମାନଙ୍କ ଐତିହ୍ୟ, ଇଂରେଜ ଜାତିର ଇତିହାସର ଗୌରବମୟ ଓ ବିଷାଦମୟ ଘଟଣାବଳି ମଧ୍ୟ ସେହିପରି ସେମାନଙ୍କ ଐତିହ୍ୟ।
ମନେହୁଏ ସାମାଜିକ ବିବର୍ତ୍ତନୀ ଶକ୍ତି ସଂପ୍ରତି ପରିବର୍ତ୍ତନ ସକାଶେ ଅଧିକ ତତ୍ପର। ଜାଲିଆଁୱାଲାବାଗ୍ ବର୍ବରତା ପରବର୍ତ୍ତୀ କେତେ ଦଶନ୍ଧି ଭିତରେ ତୁରନ୍ତ ଗତିରେ ପୃଥିବୀବ୍ୟାପୀ ଯେତେ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ହୋଇଯାଇଛି, ତାହା ଆମ ଜାଣିବାରେ ଅନ୍ୟ କୌଣସି ଶତାବ୍ଦୀରେ ହୋଇ ନ ଥିଲା। ଶହଶହ ବର୍ଷ ଧରି ପୃଥିବୀର ବିପୁଳାଂଶକୁ ପଦଦଳିତ କରି ରଖିଥିବା ସାମ୍ରାଜ୍ୟବାଦର ବିଲୋପ ହେଲା; ସଭ୍ୟତାର ଉଷାଲୋକରୁ ବିଦ୍ୟମାନ ଥିବା ରାଜତନ୍ତ୍ରର ଅବସାନ ହେଲା। ସାମନ୍ତବାଦ ଅନ୍ତର୍ହିତ ହେଲା। ରାଜତାନ୍ତ୍ରିକ ସ୍ୱୈରାଚାରରୁ ମଣିଷକୁ ମୁକ୍ତ କରିବାର ଆଦର୍ଶରେ ଅନୁପ୍ରାଣିତ ରୁଷ୍ ବିପ୍ଳବର ପରିଣତିରେ ଯେତେବେଳେ ଦେଖାଗଲା ଭିନ୍ନ ଏକପ୍ରକାର ସ୍ୱୈରାଚାର ସେ ବିରାଟ ଭୂଖଣ୍ଡକୁ ଅକ୍ତିଆର କଲା, କିଛିବର୍ଷ ପରେ ଅପ୍ରତ୍ୟାଶିତ ଭାବରେ ସେ ଶାସନର ମଧ୍ୟ ଅବସାନ ହେଲା। ଏ ସମସ୍ତ ପରିବର୍ତ୍ତନରୁ ଗୋଟାଏ କଥା ସ୍ପଷ୍ଟ: ମଣିଷ ଅଧିକରୁ ଅଧିକ ସ୍ୱାଧୀନ ହେବ; ଶୃଙ୍ଖଳବିମୁକ୍ତ ଚେତନା ଅନୁସାରେ ସେ ନିଜର ଆତ୍ମ-ସନ୍ଧାନ ଓ ଆତ୍ମ-ବିକାଶ କରିବ।(ଆମେ ଯଦି କ୍ରମବିକାଶ ଶକ୍ତିର ଏହି ଅବଦାନର ସୁଯୋଗ ନେଇ ସ୍ୱେଚ୍ଛାରେ ଉଚ୍ଛୃଙ୍ଖଳ ଆଚରଣ କରିବୁ, ତାହା ଭିନ୍ନ କଥା। ପ୍ରତ୍ୟେକ ମଣିଷ ସ୍ୱାଧିକାର-ସଚେତନ ହେବ ବୋଲି ସେ ଶକ୍ତି ଆଶାକରେ; କିନ୍ତୁ ଆମେ ଯଦି ସ୍ୱାଧିକାର-ପ୍ରମତ୍ତ ହେବୁଁ, ବିବର୍ତ୍ତନୀ ଶକ୍ତି ସେ ସକାଶେ ଦାୟୀ ନୁହେଁ।)
ଆମେ ଆମ ସ୍ୱାଧିକାର ସାବ୍ୟସ୍ତ କରିବାର ପ୍ରଥମ ସର୍ତ୍ତ ଆମେ ଅନ୍ୟର ସ୍ୱାଧିକାରକୁ ସମ୍ମାନ ଦେବା। ପୂର୍ବରୁ ଆମେ ଯଦି ତା’କୁ ଅସମ୍ମାନ କରିଥାଉଁ, ତେବେ ସେ ସକାଶେ କ୍ଷମା ପ୍ରାର୍ଥନା କରିବାର ତାତ୍ପର୍ଯ୍ୟ ହେଲା ଆମେ ତାହା ଉପଲବ୍ଧି କରିଛୁଁ; ଆମର ସାମୂହିକ ଚେତନାଗତ ପ୍ରଗତି ସାଧିତ ହୋଇଛି। ଜାଲିଆଁୱାଲାବାଗ୍ ହତ୍ୟାକାଣ୍ଡର ସମସାମୟିକ ପରିସ୍ଥିତି ମନେପକାନ୍ତୁ। ଜଣେ ଇଂରେଜ୍‌କୁ ଦେଖିବାମାତ୍ରେ ଆପଣ ଗାଡ଼ିଘୋଡ଼ାରୁ ଓହ୍ଲାଇ ପଡ଼ି ଡାହାଣ ହାତରେ ସଲାମ୍‌ ଦେବେ; ବିନା ବିଚାରରେ ଆପଣଙ୍କୁ କାରାଗାର ବା ଦ୍ୱୀପାନ୍ତରକୁ ନିକ୍ଷେପ କରାଯାଇପାରେ। ଭାରତରେ ଶାସନକଳ ଚଳାଉଥିବା ଅଧିକାଂଶ ଇଂରେଜ ଥିଲେ ଅତି ମାମୁଲି ସ୍ତରର ମଣିଷ ଏବଂ ଥିଲେ ଅହଂସ୍ଫୀତ। ସେମାନଙ୍କ ସେହି ସାମୂହିକ ଅହଂ ନିଜକୁ ସେମାନଙ୍କ ପ୍ରତିନିଧି ବା ପ୍ରତୀକ ମନେକରୁଥିବା ଗୋଟାଏ ମଣିଷ ଭିତର ଦେଇ ହଠାତ୍ ହେଲା ବିସ୍ଫୋରିତ। ସେ ଦୃଷ୍ଟିରୁ ତାହା ଥିଲା ଏକ ପ୍ରତୀକାତ୍ମକ ଘଟଣା। ସେଦିନର ସେହି ଇଂରେଜ ଜାତିର ଉତ୍ତରାଧିକାରୀଙ୍କ କ୍ଷମା ପ୍ରାର୍ଥନା ହୋଇଥାନ୍ତା ସେହିପରି ଏକ ପ୍ରତୀକାତ୍ମକ ବ୍ୟାପାର;ଅର୍ଥାତ୍ ସଭ୍ୟ ଦେଶମାନଙ୍କ ଭିତରେ ସାମୂହିକ ସହାନୁଭୂତି ଓ ସଂଭ୍ରମବୋଧର ଦୃଷ୍ଟାନ୍ତ।
ଯେମିତି ଦୃଷ୍ଟାନ୍ତ ଆଜିର ବ୍ରିଟେନ୍ ରଖିଥିଲା ଅତୀତର ଦୁର୍ଦାନ୍ତ ରବିନ୍ ହୁଡ୍‌କୁ କେନ୍ଦ୍ରକରି। ସେ କିମ୍ବଦନ୍ତୀ ପୁରୁଷ ଜଣକ ଦଳିତ ଜନଙ୍କ ହିତ ପାଇଁ ନିର୍ମମତା ଯୋଗୁଁ ଅପଖ୍ୟାତ ଜମିଦାରମାନଙ୍କ ଖଜଣାଖାନା ଲୁଣ୍ଠନ କରୁଥିଲେ। ଧରା ପଡ଼ିଥିଲେ ସେ ପ୍ରାଣଦଣ୍ଡ ପାଇଥା’ନ୍ତେ। ସମାଜ ଆଖିରେ ସେ ଭୟଙ୍କର ଅପରାଧୀ; କିନ୍ତୁ କିଛିବର୍ଷ ତଳେ ତା’ର ଆଶ୍ରୟସ୍ଥଳ ଶେର୍‌ଉଡ୍‌ ଅରଣ୍ୟ ଭିତରକୁ ସଦଳବଳ ପ୍ରବେଶ କଲେ ନଟିଂହାମ୍‌ର ମେୟର ମହୋଦୟ। ସେ ଚୁଙ୍ଗା ଯୋଗେ ଘୋଷଣା କଲେ, “ରବିନ୍‌ ହୁଡ୍ ! ଆମେ ତୁମ ସହ ସନ୍ଧି କଲୁଁ। ତୁମେ ଆଉ ଅପରାଧୀ ନୁହଁ, ତୁମେ ଜଣେ ସମ୍ମାନନୀୟ ନାଗରିକ। ଏଣିକି ନିରାପଦରେ ଦେଶବ୍ୟାପି ବୁଲାବୁଲି କରିପାର !”
ପରିବର୍ତ୍ତିତ ମୂଲ୍ୟବୋଧର ସୂଚନା ଉଚ୍ଚାରଣ କରୁଥିବା କେଡ଼େ ଚମତ୍କାର ଘଟଣା ଥିଲା ସେ ଗୋଟିକ !
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମେ ସଭିଏଁ ସମାନ; ମୃତ୍ୟୁ ମଧ୍ୟ ଅଳୀକ। ସମଗ୍ର ବସୁଧା ଏକ ହିଁ କୁଟୁମ୍ବ-ସମାବେଶ। ହୁଏତ ବହୁ ଲୋକଙ୍କର ରହିଛି; କିନ୍ତୁ ଜ୍ଞାନ ଥିବା ଏବଂ ତାହା ଉପଲବ୍ଧ ହେବା ଭିତରେ ଦୁଇ ମେରୁର ଦୂରତା। ମହାକାଳର ଯେଉଁ ଭବିଷ୍ୟତ ପର୍ଯ୍ୟାୟରେ ବହୁ ଲୋକ ଏ ଜ୍ଞାନ ଉପଲବ୍ଧି କରିବେ, ସେତେବେଳକୁ ଦେଶ ଦେଶ ଭିତରେ ଥିବ କେବଳ ମାତ୍ର ଭୌଗୋଳିକ ଓ ଜଳବାୟୁଗତ ପାର୍ଥକ୍ୟ। ମାନଅଭିମାନ, ଯୁଦ୍ଧ,ସନ୍ଧି, ସର୍ତ୍ତ, ସମିତି, ଜାତିସଙ୍ଘ ଇତ୍ୟାଦି ବନିଯାଇଥିବେ ଅତୀତର ଦଲିଲ୍।
କିନ୍ତୁ ସେ ପର୍ଯ୍ୟାୟରେ ଉପନୀତ ହେବା ପୂର୍ବରୁ ସାମୂହିକ ଭାବରେ ଆମକୁ ବହୁ ପ୍ରାକ୍‌-ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡ଼ିବ, ବ୍ୟକ୍ତିଗତ ଭାବରେ ଆମ ଭିତରେ କାହା କାହାକୁ ସେସବୁ ବୃଥା ମନେହେଲେ ମଧ୍ୟ। କ୍ଷମାପ୍ରାର୍ଥନା ଭଳି ପ୍ରତୀକାତ୍ମକ ଆଚାର ଅନୁଷ୍ଠାନ ଯେମିତି ଚଳମାନ ସମୟ ପାଇଁ ଯଥାର୍ଥ, ଆପଣଙ୍କୁ ସେସବୁ ଅନାବଶ୍ୟକ ମନେହେବା ସେମିତି ଭିନ୍ନ ଏକ ସ୍ତରରେ ଯଥାର୍ଥ।

ପ୍ରକୃତିର ଅବିବେକିତା ?
ପ୍ରଶ୍ନ :ଗୋଲାପ, ମଲ୍ଲୀ, ଟଗର ଭଳି ଫୁଲ, ପୁଣି ଚନ୍ଦନ ଭଳି ସୁନ୍ଦର ଦ୍ରବ୍ୟମାନ ଦେବା ସଙ୍ଗେସଙ୍ଗେ ପ୍ରକୃତି ଆମକୁ ବିଛୁଆତି ଦେଲା କାହିଁକି ? ପ୍ରଜାପତି ଦେବା ସଙ୍ଗେସଙ୍ଗେ ଶଁବାଳୁଆ ପୋକ ଦେଲା କାହିଁକି ?
ଜିଜ୍ଞାସୁ
ଉତ୍ତର: ଆପଣ ଧରି ନେଇଛନ୍ତି ଯେ ଆପଣଙ୍କୁ ଆପ୍ୟାୟିତ କରିବା ହିଁ ପ୍ରକୃତିର ଏକମାତ୍ର ଭୂମିକା। ଆମେ ସଚେତନ ବା ଅବଚେତନ ଭାବରେ ପ୍ରାୟତଃ ଏହିଭଳି ବ୍ୟକ୍ତିକ (Subjective) ଦୃଷ୍ଟିକୋଣରୁ ସବୁ ପରିସ୍ଥିତିର ବିଚାର କରିଥାଉଁ: ପୃଥିବୀରେ ସବୁ ହିଁ ଘଟୁଛି ବା ଘଟିବା ଉଚିତ ଆମକୁ କେନ୍ଦ୍ରକରି।
ନିଘଞ୍ଚ ବଣ ଭିତରେ ଅସଂଖ୍ୟ ଫୁଲ ଫୁଟେ ଏବଂ ଫୁଟିଚାଲିଛି ମଣିଷଜାତି ସୃଷ୍ଟ ହେବାର ଅସୁମାରି କାଳ ଆଗରୁ – ଝରିଯାଇଛି ଆମ ଭଳି ସୌନ୍ଦର୍ଯ୍ୟପ୍ରେମୀମାନଙ୍କ ବଲିହାରିକୁ ଅପେକ୍ଷା ନ କରି–ହିମାଳୟର ଦିଗ୍‌ଦିଗନ୍ତରେ ଅଙ୍କିତ ହୁଏ ଅନବଦ୍ୟ ଦୃଶ୍ୟାବଳି – ଗିରିଶୀର୍ଷ, ଉପତ୍ୟକା, ଝରଣା, ଇନ୍ଦ୍ରଧନୁ ଇତ୍ୟାଦି ସମାହାରେ – ଏବଂ ବିଲୀନ ହୋଇ ଚାଲିଥାଏ କୌଣସି ପର୍ଯ୍ୟଟକଙ୍କ କ୍ୟାମେରାକୁ ଅପେକ୍ଷା ନ ରଖି।
ମୁହୂର୍ତ୍ତକ ସକାଶେ ଚାଲିଯାଆନ୍ତୁ ଅନ୍ତରୀକ୍ଷ ଅଭିମୁଖେ। ଅହରହ ଅସଂଖ୍ୟ ଗ୍ରହନକ୍ଷତ୍ର ବିଲୀନ ହୁଅନ୍ତି ଗୋଟାଏ ଗୋଟାଏ ରହସ୍ୟମୟ କୃଷ୍ଣକନ୍ଦର (Black Hole) ଅଭ୍ୟନ୍ତରରେ। ଆମ ମନ-ନିଃସୃତ “କାହିଁକି” ସେଠାରୁ କୌଣସି ଉତ୍ତର ପାଇବାର ଆଶା ନାହିଁ।
ଆମକୁ ପ୍ରକୃତି ଯେତେ ଐଶ୍ୱର୍ଯ୍ୟ ଦେଇଛି, ଆମେ ତା’ର କେତେ ବିବେକସମ୍ମତ ଉପଯୋଗ କରିପାରୁଛୁଁ ତାହା ହିଁ ପ୍ରଶ୍ନ। ବିଛୁଆତି କିମ୍ବା ଶଁବାଳୁଆ ସେମାନଙ୍କ ଆଶ୍ଳେଷ ନିମନ୍ତେ ଆମକୁ ନିମନ୍ତ୍ରଣ କରନ୍ତି ନାହିଁ, ଆମେ ଅସାବଧାନ ଭାବରେ ସେମାନଙ୍କ ସମ୍ପର୍କରେ ଆସିଯାଇ କିଞ୍ଚିତ୍ ଅଭିଜ୍ଞତା ଅର୍ଜନକରୁ। ପ୍ରକୃତିର ଅନ୍ତର୍ଭୁକ୍ତ ହେଲେ ନାନାବିଧ ଶକ୍ତି, ଅସଂଖ୍ୟ ଗୁଣ। ନୈର୍ବ୍ୟକ୍ତିକ (Objective) ଦୃଷ୍ଟିରୁ ବିଛୁଆତି, ଶଁବାଳୁଆ– ଏମାନେ ଏକଏକ ସ୍ବୟଂ-ତିଷ୍ଠ ଗୁଣ; କୁଗୁଣ ନୁହନ୍ତି କି ସୁଗୁଣ ନୁହନ୍ତି। ଏମାନଙ୍କ ଉପରେ ଆମ ଚେତନା ଆରୋପ କରେ ‘କୁ’ ବା ‘ସୁ’ ଚରିତ୍ର, ଆମ ବ୍ୟକ୍ତିକ (Subjective) ଅନୁଭବ ଅନୁସାରେ। ସଙ୍ଗେସଙ୍ଗେ ଆମେ ଏହା ମଧ୍ୟ ମନେରଖିବା ଆବଶ୍ୟକ ଯେ ଆମ ଅନୁଭୂତି ମଧ୍ୟ ଆପେକ୍ଷିକ : ଧରନ୍ତୁ ନାଗ ସାପର ବିଷ। ତାହା ପ୍ରାଣହାନିର କାରଣ; ଔଷଧ ଭାବରେ ତାହା ପୁଣି ହୋଇପାରେ ପ୍ରାଣରକ୍ଷାର ସହାୟକ।
ପ୍ରାଣୀ ଜଗତରେ ଏକମାତ୍ର ମଣିଷ ହିଁ ଆପଣା ଭିତରେ ଉଭୟ ‘କୁ’ ଏବଂ ‘ସୁ’ର ଉପସ୍ଥିତି ସମ୍ପର୍କରେ ସଚେତନ; ଏକମାତ୍ର ସେ ନିଜ ସଂକଳ୍ପରେ ଆପଣା ଚେତନା ନିହିତ ବିଛୁଆତି ଏବଂ ଶଁବାଳୁଆକୁ ନିୟନ୍ତ୍ରଣରେ ରଖିପାରିବ; ଚନ୍ଦନର ସଦୁପଯୋଗ ପରିପାରିବ।
email: [email protected]

Comments
Loading...