ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତା

0

ଗୋଧନେଶ୍ବର ହୋତା

ଖ୍ୟାତନାମା ଐତିହାସିକ, ଲେଖକ ଓ ଦାର୍ଶନିକ ଏଡ଼୍‌ୱାର୍ଡ ଗିବନ୍‌ ତାଙ୍କ ପୁସ୍ତକ ‘The History of the Decline and fall of the Roman Empire’ ଲେଖିସାରିବାପରେ ତାଙ୍କୁ ପଚରାଯାଇଥିଲା ରୋମ ସାମ୍ରାଜ୍ୟ ପତନର କାରଣ ଗୋଟିଏ ଶବ୍ଦରେ କହିବାପାଇଁ ଓ ତା ଉତ୍ତରରେ ସେ କହିଥିଲେ ‘ଦୁର୍ନୀତି’। ଦୁର୍ନୀତି ଓ କୁଶାସନ ଯାଆଁଳା ଭଉଣୀ ପରି ଓ ଉଭୟେ ପରସ୍ପରର କାର୍ଯ୍ୟର ଭୂୟସୀ ପ୍ରଶଂସା ଓ ଆଦର କରିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ରାଜୀବ ଗାନ୍ଧୀଙ୍କ ଭାଷାରେ ଦୁଃଖୀରଙ୍କିଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କାରୁ ବାଟମାରଣା ହୋଇଯାଇ ମାତ୍ର ପନ୍ଦର ପଇସା ସେମାନଙ୍କ ନିକଟରେ ପହଞ୍ଚିବା ଏହାର ଅନ୍ତିମ ପରିଣାମ। ଅତି ଆଚମ୍ବିତ କଥା ସ୍ବାଧୀନତା ପରବର୍ତ୍ତୀ ପ୍ରତ୍ୟେକ ସରକାର ଦୁର୍ନୀତିମୁକ୍ତ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ଅନେକ ଆଇନ ପ୍ରଣୟନ କରିଥିବା ସତ୍ତ୍ବେ ଦୁର୍ନୀତି ଦିନକୁ ଦିନ ରାମାୟଣ ବର୍ଣ୍ଣିତ ସୁରସା ରାକ୍ଷସୀର ପାଟି ପରି ବଢ଼ିବଢ଼ି ଚାଲିଛି।
ଆମ ରାଜ୍ୟ ସରକାର ଲୋକସେବାରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଏହି ଅବାରିତ ଧାରାରେ ବନ୍ଧ ବାନ୍ଧିବା ଲକ୍ଷ୍ୟ ନେଇ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ପ୍ରଣୟନ କରିଛନ୍ତି ଯାହାକି ଆମ ରାଜ୍ୟରେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବ। ‘ଲୋକାୟୁକ୍ତ’ ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ଲୋକଙ୍କ ଦ୍ବାରା ନିଯୁକ୍ତ। ଲୋକୟୁକ୍ତଙ୍କ ମୁଖ୍ୟ କର୍ତ୍ତବ୍ୟ ହେବ ​କେ​‌େ​‌ତକ ସରକାରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ହେଉଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା। ନାଗରିକଙ୍କ ଆପତ୍ତି ଅଭିଯୋଗର ପ୍ରତିକାର ଓ ନିରାକରଣ ପାଇଁ ମୋରାରଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ‘ପ୍ରାଶାସନିକ ସଂସ୍କାର କମିଶନ’ ୧୯୬୬ ମସିହାରେ ଏକ ସ୍ବତନ୍ତ୍ର ରିପୋର୍ଟ ଜରିଆରେ ‘ଲୋକପାଳ’ ଓ ‘ଲୋକାୟୁକ୍ତ’ ନାମକ ଦୁଇଟି ବିଶେଷ ପ୍ରାଧିକାରୀର ଗଠନ ବିଷୟରେ ସୁପାରିସ କରିଥିଲେ। ରାଜନୈତିକ ବ୍ୟକ୍ତି ତଥା ସରକାରୀ କର୍ମଚାରୀଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରେ ଲୋକଙ୍କୁ ସହାୟତା ତଥା ପ୍ରୋତ୍ସାହିତ କରିବାପାଇଁ ଲୋକାଯୁକ୍ତ ଗଠନର ପରିକଳ୍ପନା କରାଯାଇଥିଲା। ଦୁର୍ନୀତି ଅଭିଯୋଗଗୁଡ଼ିକର ଅନୁସନ୍ଧାନ କରିବା ଓ ସତ୍ୟତା ଯଦି ପ୍ରମାଣିତ ହୁଏ ତେବେ ସମୁଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବା ଲୋକାୟୁକ୍ତଙ୍କ ମୁଖ୍ୟ କର୍ତ୍ତବ୍ୟ। ଦୁର୍ନୀତି ରୋକିବା, ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଓ ପ୍ରାଶାସନିକ କଳଗୁଡ଼ିକ ନାଗରିକଙ୍କ ସହିତ ବନ୍ଧୁଭାବ ପୋଷଣ କରାଇବାରେ ଲୋକାୟୁକ୍ତଙ୍କ ବିଶେଷ ଭୂମିକା ରହିଛି।
ଓଡ଼ିଶା ଲୋକାୟୁକ୍ତ ଆଇନରେ ଯେଉଁସବୁ ପ୍ରମୁଖ ବ୍ୟବସ୍ଥା ରହିଛି, ସେଗୁଡ଼ିକ ହେଲା ଆମ ରାଜ୍ୟରେ ଓ ରାଜ୍ୟ ବାହାରେ ଓଡ଼ିଶା ରାଜ୍ୟର କାର୍ଯ୍ୟରତ ଲୋକସେବକ ଓ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣାଧୀନ ଅନ୍ୟାନ୍ୟ ଲୋକସେବକଙ୍କ ପ୍ରତି ଏହି ଆଇନ ଲାଗୁହେବ। ଲୋକାୟୁକ୍ତ ସଂସ୍ଥା ଯେଉଁମାନଙ୍କୁ ନେଇ ଗଠିତ ହେବ ସେମାନେ ହେଲେ ଜଣେ ଅଧ୍ୟକ୍ଷ, ଯେ କି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରୁଥିବେ ବା କରିଥିବେ ବା ଉଚ୍ଚନ୍ୟାୟାଳୟର ପୂର୍ବତନ ବା କାର୍ଯ୍ୟରତ ଜଣେ ବିଚାରପତି ବା ଜଣେ ଖ୍ୟାତନାମା ବ୍ୟକ୍ତି ଯେ କି ଅତିମାତ୍ରାରେ ସଚ୍ଚୋଟ ଓ ଦକ୍ଷତା ସମ୍ପନ୍ନ ହୋଇଥିବେ ତଥା ଲୋକ ପ୍ରଶାସନ, ଅର୍ଥ, ବୀମା, ବ୍ୟାଙ୍କିଙ୍ଗ୍୍‌, ଆଇନ, ଦୁର୍ନୀତି ବିରୋଧୀ ନୀତି ଓ ପରିଚାଳନା କ୍ଷେତ୍ରରେ ଯାହାଙ୍କ ଅନ୍ୟୂନ କୋଡ଼ିଏ ବର୍ଷର ବିଶେଷ ଜ୍ଞାନ ଓ ନିପୁଣତା ରହିଥିବ। ଏତଦ୍‌ବ୍ୟତୀତ ତହିଁରେ ଆଉ ପାଞ୍ଚଜଣ ସଭ୍ୟ ରହିବେ ଯାହାଙ୍କ ମଧ୍ୟରୁ ଦୁଇଜଣ ନ୍ୟାୟିକ ସଭ୍ୟ ହେବେ। ନ୍ୟାୟିକ ସଭ୍ୟଙ୍କ ଭିନ୍ନ ଅନ୍ୟ ତିନିଜଣ ସଭ୍ୟମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ଅନୁସୂଚୀତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସଂଖ୍ୟାଲଘୁ ବା ମହିଳା ହୋଇଥିବେ।
ଲୋକାୟୁକ୍ତ ସଂସ୍ଥାର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟମାନେ ଏକ ପ୍ରବରଣ କମିଟିଙ୍କ ସୁପାରିସ କ୍ରମେ ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ହେବେ। ପ୍ରବରଣ କମିଟି ଯେଉଁମାନଙ୍କୁ ନେଇ ଗଠିତ ହେବ ସେମାନେ ହେଲେ ମୁଖ୍ୟମନ୍ତ୍ରୀ, ଯିଏ ଏହି କମିଟିର ଅଧ୍ୟକ୍ଷ ହେବେ ଓ ବିଧାନସଭାର ବାଚସ୍ପତି, ବିରୋଧୀ ଦଳର ନେତା, ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବା ତାଙ୍କ ଦ୍ବାରା ମନୋନୀତ ଓଡ଼ିଶା ଉଚ୍ଚନ୍ୟାୟାଳୟର ଜଣେ ବିଚାରପତି ଓ ଜଣେ ଖ୍ୟାତନାମା ଆଇନଜ୍ଞ ଯିଏକି ପ୍ରବରଣ କମିଟିଙ୍କ ସୁପାରିସ କ୍ରମେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେବେ। ଲୋକାୟୁକ୍ତ ସଂସ୍ଥାର ଅଧ୍ୟକ୍ଷ ଓ ପ୍ରତ୍ୟେକ ସଭ୍ୟ କାର୍ଯ୍ୟଭାର ନେବା ତାରିଖଠାରୁ ପାଞ୍ଚବର୍ଷ ବା ତାଙ୍କୁ ସତୁରି ବର୍ଷ ପୂରିବା ମଧ୍ୟରୁ ଯେଉଁଠି ଆଗ ପଡ଼ିବ ସେ ଯାଏଁ ଉକ୍ତ ପଦ ଧାରଣ କରିବେ। ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟମାନଙ୍କ କାର୍ଯ୍ୟକାଳ ସରିବାପରେ ସେମାନେ ଆଉ ପୁନଃନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ। ଏତଦ୍‌ବ୍ୟତୀତ ଲୋକାୟୁକ୍ତରେ ଅନ୍ୟାନ୍ୟ ଯେଉଁ କର୍ମକର୍ତ୍ତା ରହିବେ ସେମାନେ ହେଲେ ଜଣେ ବା ଏକାଧିକ ସଚିବ, ତଦନ୍ତ ଦାୟିତ୍ବରେ ଜଣେ ନିର୍ଦେଶକ ଓ ମାମଲା ଦାଏର କରିବା ଦାୟିତ୍ବରେ ଜଣେ ନିର୍ଦେଶକ। ଲୋକୟୁକ୍ତ ତାଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତ କରିବେ। ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ତଦନ୍ତ ଶାଖା ଓ ମାମଲା ଦାଏର ଶାଖା ରହିବ ଓ ଉଭୟ ଶାଖା ଦୁର୍ନୀତି ନିବାରଣ ଆଇନର ଉଲ୍ଲଂଘନ ଯୋଗୁଁ ଦଣ୍ଡନୀୟ ହେଉଥିବା ଅଭିଯୋଗର ପ୍ରାରମ୍ଭିକ ତଦନ୍ତ କରିବା ସଙ୍ଗେସଙ୍ଗେ ଲୋକାୟୁକ୍ତଙ୍କଠାରୁ ନିର୍ଦେଶ ମିଳିବାପରେ ଅନୁସନ୍ଧାନ ରିପୋର୍ଟ ଅନୁସାରେ ସ୍ବତନ୍ତ୍ର ନ୍ୟାୟାଳୟଙ୍କ ସମକ୍ଷରେ ଅଭିଯୁକ୍ତ ଲୋକସେବକଙ୍କ ବିରୋଧରେ ମାମଲା ରୁଜୁ କରିବେ ଓ ମାମଲାଟିର ସୁପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବେ।
ଲୋକାୟୁକ୍ତ ଆଇନର ପରିସରଭୁକ୍ତ ଯେଉଁମାନେ ହେବେ ସେମାନେ ହେଲେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ବା ପୂର୍ବତନ ମୁଖ୍ୟମନ୍ତ୍ରୀ, କାର୍ଯ୍ୟରତ ମନ୍ତ୍ରୀ ବା ପୂର୍ବତନ ମନ୍ତ୍ରୀ, କାର୍ଯ୍ୟରତ ଓଡ଼ିଶା ବିଧାନସଭାର ସଦସ୍ୟ ବା ପୂର୍ବତନ ସଦସ୍ୟ, ପଞ୍ଚାୟତ ବା ପୌରପାଳିକାର ସଭାଧ୍ୟକ୍ଷ ବା ଯେ କୌଣସି ନାମରେ ନାମିତ ଅନ୍ୟାନ୍ୟ ସଦସ୍ୟ, ଦୁର୍ନୀତି ନିବାରଣ ଆଇନ, ୧୯୮୮ରେ ସୂଚୀତ ରାଜ୍ୟର ବିଭିନ୍ନ ବ୍ୟାପାର ବୁଝୁଥିବା ବା ବୁଝିଥିବା କୌଣସିି ଅଧିକାରୀ ବା କର୍ମଚାରୀ, ସଂସଦ ବା ରାଜ୍ୟ ବିଧାନସଭା ଦ୍ବାରା ଗୃହୀତ କୌଣସି ଆଇନ ଦ୍ବାରା ଗଠିତ ଓ ସମ୍ପୂର୍ଣ୍ଣରୂପେ ବା ଆଂଶିକ ରୂପେ ସରକାରଙ୍କଠାରୁ ଅର୍ଥ ସହାୟତା ପାଉଥିବା ବା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବା କୌଣସି ନାମରେ ନାମିତ କୌଣସି ନିକାୟ ବା ବୋର୍ଡ଼ ବା ନିଗମ ବା ପ୍ରାଧିକାରୀ ବା କମ୍ପାନୀ ବା ସମିତି ବା ନ୍ୟାସ ବା ସ୍ବୟଂଶାସିତ ନିକାୟର କୌଣସିି ଅଧିକାରୀ ବା କର୍ମଚାରୀ ବା ତାହାଙ୍କ ସମତୁଲ୍ୟ ପଦଧାରଣ କରୁଥିବା ଅନ୍ୟାନ୍ୟ ପଦଧାରୀ, ସରକାରଙ୍କ ଦ୍ବାରା ସମ୍ପୂର୍ଣ୍ଣରୂପେ ବା ଆଂଶିକ ରୂପେ ଅର୍ଥ ସହାୟତା ବା ସାହାଯ୍ୟ ପ୍ରାପ୍ତ ପ୍ରତ୍ୟେକ ସିମିତି ବା ବ୍ୟକ୍ତିମାନଙ୍କ ସଂଘ ବା ନ୍ୟାସରେ କାର୍ଯ୍ୟରତ ବା ପୂର୍ବତନ ନିର୍ଦେଶକ, ପରିଚାଳକ, ସଚିବ ବା ଅନ୍ୟାନ୍ୟ ଅଧିକାରୀ ବା ତତ୍‌ସମୟେ ପ୍ରବୃତ୍ତ କୌଣସି ଆଇନ ଅନୁଯାୟୀ ରେଜିଷ୍ଟ୍ରୀଭୁକ୍ତ ହୋଇଥାଉ ବା ନହୋଇଥାଉ ଓ ଯେ କୌଣସି ନାମରେ ନାମିତ ହୋଇଥିବା ପ୍ରତ୍ୟେକ ସମିତି ବା ବ୍ୟକ୍ତିମାନଙ୍କ ସଂଘ ବା ନ୍ୟାସ ଯାହାର ବାର୍ଷିକ ଆୟ ସରକାରଙ୍କ ଦ୍ବାରା ସମୟକୁ ସମୟ ନିର୍ଦ୍ଧାରିତ ପରିମାଣରୁ ଅଧିକ ହେଉଥିବ, ତାହାର କାର୍ଯ୍ୟରତ ବା ପୂର୍ବତନ ନିର୍ଦେଶକ, ପରିଚାଳକ, ସଚିବ ବା ଅନ୍ୟାନ୍ୟ ଅଧିକାରୀବୃନ୍ଦ ବା ଜନସାଧାରଣଙ୍କ ଠାରୁ ଦାନ ଗ୍ରହଣ କରୁଥିବା ଓ ଯାହାର ବାର୍ଷିକ ଆୟ ସରକାର ଅଧିସୂଚନା ଦ୍ବାରା ଯେଉଁ ପରିମାଣ ବିନିର୍ଦିଷ୍ଟ କରିବେ ସେହି ପରିମାଣରୁ ଅଧିକ ହେଉଥିବା ବା ବିଦେଶୀ ଚାନ୍ଦା (ବିନିୟମ), ୨୦୧୦ ଅନୁଯାୟୀ କୌଣସି ବିଦେଶୀ ଉତ୍ସରୁ ବର୍ଷକୁ ଦଶଲକ୍ଷ ଟଙ୍କା ବା କେନ୍ଦ୍ର ସରକାର ଅଧିସୂଚନା ଦ୍ବାରା ବିନିର୍ଦିଷ୍ଟ କରିଥିବା ପରିମାଣରୁ ଅଧିକ ଦାନ ଗ୍ରହଣ କରୁଥିବା ଅନ୍ୟାନ୍ୟ ସମିତି, ବ୍ୟକ୍ତିମାନଙ୍କ ସଂଘ ବା ନ୍ୟାସର ପୂର୍ବତନ ବା କାର୍ଯ୍ୟରତ ନିର୍ଦେଶକ, ପରିଚାଳକ, ସଚିବ ବା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଯେଉଁମାନେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଲୋକସେବକ ଭାବେ ବିବେଚିତ ହେଉଥିବେ। ତା ବାହାରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ କୌଣସି କାର୍ଯ୍ୟ କରିବା ବା ସେବା ଯୋଗାଇଦେବା ପାଇଁ ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇଥିବା ବା କୌଣସି ଉଦ୍ଦେଶ୍ୟରେ ସରକାରଙ୍କଠାରୁ କୌଣସି ଅର୍ଥ ବା ସାହାଯ୍ୟ ପାଉଥିବା କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହାର ପରିଧିଭୁକ୍ତ। ଉେଲ୍ଲଖଯୋଗ୍ୟ ଯେ ବିଧାନସଭାର ସଦସ୍ୟମାନେ ବିଧାନସଭା ବା ତାହାର କମିଟିରେ ସମ୍ବିଧାନରେ ଥିବା ବ୍ୟବସ୍ଥାର ପରିସର ମଧ୍ୟରେ ଆଲୋଚନାକ୍ରମେ ଯାହା କହିବେ ତହିଁରୁ ଦୁର୍ନୀତିର ଅଭିଯୋଗ ହେଲେ ଲୋକାୟୁକ୍ତ ତା ଉପରେ ତଦନ୍ତ କରିବେ ନାହିଁ।
ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୁର୍ନୀତି ଅଭିଯୋଗ ସମ୍ପର୍କୀତ କୌଣସି ମାମଲା ବା କାର୍ଯ୍ୟବିଧି ଏହି ଆଇନର ପ୍ରାରମ୍ଭ ପୂର୍ବରୁ ବା ଏହି ଆଇନର ପ୍ରାରମ୍ଭ ପରେ କିନ୍ତୁ ତଦନ୍ତ ହେବା ପୂର୍ବରୁ ଯଦି କୌଣସି ନ୍ୟାୟାଳୟ ବା ରାଜ୍ୟ ବିଧାନସଭାରେ କମିଟି ବା ଅନ୍ୟ କୌଣସି ପ୍ରାଧିକାରୀଙ୍କ ସମକ୍ଷରେ ବିଚାରଧୀନ ଥିବ ତେବେ ତାହା ଏହି ଆଇନ ଦ୍ବାରା କୌଣସି ପ୍ରକାରେ ପ୍ରଭାବିତ ନହୋଇ ପୂର୍ବପରି ଚାଲିବ।
କୌଣସି ଅଭିଯୋଗ ପାଇବାପରେ ଲୋକାୟୁକ୍ତ, ଅଭିଯୁକ୍ତ ଲୋକସେବକଙ୍କଠାରୁ ଏକ ସ୍ପଷ୍ଟୀକରଣ ମାଗିବେ ଓ ତାହା ବିଚାର କଲାପରେ ଯଦି ତାଙ୍କ ହୃଦ୍‌ବୋଧ ହୁଏ ଯେ ଦେଖୁଦେଖୁର ଏକ ମାମଲା ସ୍ପଷ୍ଟ ରୂପେ ପ୍ରତୀତ ହେଉଛି ତେବେ ସେ କ୍ଷେତ୍ରରେ ସେ ପ୍ରାଥମିକ ତଦନ୍ତ ବା ମାମଲାର ଅନୁସନ୍ଧାନ କରିବାକୁ ତଦନ୍ତ ଶାଖା ବା ଆଇନ ଅନୁଯାୟୀ ମାମଲାର ତଦନ୍ତ ଭାର ଅନ୍ୟ ଯେଉଁ ସଂସ୍ଥାକୁ ଅର୍ପଣ କରାଯାଇଛି ସେହି ସଂସ୍ଥା ଉକ୍ତ ଅଭିଯୋଗର ଅନୁସନ୍ଧାନ ଦାୟିତ୍ବ ହାତକୁ ନେବାପାଇଁ ଆଦେଶ ଦେଇପାରିବେ। ଆହୁରି ମଧ୍ୟ ସେ ସମୟରେ ପ୍ରଚଳିତ ଅନ୍ୟ କୌଣସି ଆଇନରେ ଯାହା କିଛି ଥିବାସତ୍ତ୍ବେ, ଲୋକାୟୁକ୍ତ, ଆବଶ୍ୟକ ସ୍ଥଳେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଓ ଅପରାଧ ଶାଖା ସମେତ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥାର ଅନୁସନ୍ଧାନ କାର୍ଯ୍ୟର ଅଧୀକ୍ଷଣ କରିପାରିବେ ଓ ସମୁଚିତ ନିର୍ଦେଶମାନ ଦେଇପାରିବେ। ତେବେ କେଉଁ ରୀତିରେ ଉକ୍ତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ଅନୁସନ୍ଧାନ କରିବେ ସେଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ। ଯଦି ଲୋକୟୁକ୍ତଙ୍କ ହୃଦ୍‌ବୋଧ ହୁଏ ଯେ ଏହି ଆଇନ ଅନୁଯାୟୀ ଅନୁସନ୍ଧାନ ପାଇଁ କୌଣସି ଦସ୍ତାବିଜ ଉପଯୋଗୀ ଓ ତାହା କୌଣସି ସ୍ଥାନରେ ଲୁଚାଇ ରଖାଯାଇଛି ତେବେ ସେ କ୍ଷେତ୍ରରେ ଯେଉଁ ଏଜେନ୍ସିକୁ ଅନୁସନ୍ଧାନ ଭାର ଅର୍ପଣ କରାଯାଇଥିବ ସେହି ଏଜେନ୍ସି ତାହା ତଲାସ କରି ତାହାକୁ ଜବତ୍‌ କରିବାକୁ ପ୍ରାଧିକୃତ କରିପାରିବେ। ଆବଶ୍ୟକସ୍ଥଳେ ଦୁର୍ନୀତିରୁ ଲବ୍ଧ ଧନସମ୍ପତ୍ତିର କୋରଖ କରିବା ଓ ବାଜ୍ୟାପ୍ତ କରିବାପାଇଁ ସମୁଚିତ ପଦକ୍ଷେପ ନେବା କ୍ଷମତା ଲୋକୟୁକ୍ତଙ୍କ ରହିଛି। ଏତଦ୍‌ବ୍ୟତୀତ ଦୁର୍ନୀତି ଅଭିଯୋଗର ପ୍ରାଥମିକ ତଦନ୍ତ କଲାବେଳେ ଲୋକାୟୁକ୍ତଙ୍କ ଯଦି ହୃଦବୋଧ ହୁଏ ଯେ ମିଳିଥିବା ସାକ୍ଷ୍ୟରୁ ଦୁର୍ନୀତିର ଗନ୍ଧ ରହିଛି ଓ ଅଭିଯୁକ୍ତ ଲୋକସେବକ ତାଙ୍କ ପଦରେ ଆଉ ଯଦି ରହିବେ ତେବେ ପ୍ରାଥମିକ ତଦନ୍ତ ପ୍ରଭାବିତ ହେବା ସଙ୍ଗେସଙ୍ଗେ ସାକ୍ଷ୍ୟ ପ୍ରମାଣଗୁଡ଼ିକ ନଷ୍ଟ କରିବା, ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହୁଛି ତେବେ ସେ କ୍ଷେତ୍ରରେ ଉକ୍ତ ଲୋକସେବକଙ୍କୁ ଆଦେଶରେ ବିନିର୍ଦିଷ୍ଟ ଏକ କାଳାବଧିପାଇଁ ବଦଳି କରିବା ବା ନିଲମ୍ବନ କରିବାପାଇଁ ସୁପାରିସ କରିବେ ଓ ସରକାର ମଧ୍ୟ ନିହାତି ପ୍ରାଶାସନିକ କାରଣଜନିତ ଅସୁବିଧା ନଥିଲେ ଉକ୍ତ ସୁପାରିସକୁ ଗ୍ରହଣ କରିବେ। ଯଦି କେହି ମନ୍ଦ ଉଦ୍ଦେଶ୍ୟରେ ଏହି ଆଇନର ଅପବ୍ୟବହାର କରି ମିଥ୍ୟା, ତୁଚ୍ଛ ବା ବିରକ୍ତିକର ଅଭିଯୋଗ କରିବେ ତେବେ ଦୋଷୀସାବ୍ୟସ୍ତ ହେଲେ ସେ ଏକ ବର୍ଷ ପର୍ଯ୍ୟନ୍ତ କାରାବାସ ବା ଏକଲକ୍ଷଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ। ତେବେ ସଦ୍‌ବିଶ୍ବାସରେ କରାଯାଇଥିବା ଅଭିଯୋଗ ପାଇଁ କୌଣସି ଦଣ୍ଡବିଧାନ ହେବନାହିଁ। ଏକ ସ୍ବତନ୍ତ୍ର ନ୍ୟାୟାଳୟ ଭିନ୍ନ ଅନ୍ୟ କୌଣସି ନ୍ୟାୟାଳୟ ଏହି ଆଇନ ଅନୁଯାୟୀ କୌଣସି ମାମଲା ବିଚାର ପାଇଁ ଗ୍ରହଣ କରିବେ ନାହିଁ। ଏହି ଆଇନ ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିବ ସେତେବେଳେ, ଯେତେବେଳେ ଲୋକେ ନିଜର ନାଗରିକ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବେ।

Comments
Loading...