ରିଜର୍ଭ ବ୍ୟାଙ୍କ ମଲମ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ମୁଦ୍ରାନୀତି ସମୀକ୍ଷା ଅବସରରେ ସୁଧ ହାରରେ ୦.୨୫% ହ୍ରାସ କରିଛନ୍ତି। ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ମନ୍ଥର ଅଭିବୃଦ୍ଧି ଛାଟ ଜନିତ ଯନ୍ତ୍ରଣାର ଉପଶମ ପାଇଁ ଆର୍‌ବିଆଇ ସୁଧ ହାର ହ୍ରାସ ଜରିଆରେ ମଲମ ଲଗାଇବାକୁ ଚେଷ୍ଟା କରିଛନ୍ତି। ଏଥିସହିତ ଅନ୍‍ଲାଇନ୍‍ ମନି ଟ୍ରାନ୍ସଫର ବା ନଗଦରହିତ ଟଙ୍କା ହସ୍ତାନ୍ତର ସେବାକୁ ଯଥାସମ୍ଭବ ଶସ୍ତା କରିବାକୁ ଯାଇ ବିମୁଦ୍ରାକରଣର ମୂଳ ଲକ୍ଷ୍ୟ(କ୍ୟାସ୍‍ଲେସ୍‍) ପୂରଣ ଦିଗରେ ଆଉ ଏକ ପରୋକ୍ଷ ପ୍ରୟାସ କରିଛନ୍ତି।
ଗତ ଆର୍ଥିକ ବର୍ଷ ଶେଷାର୍ଦ୍ଧରେ ଆସନ୍ନ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥନୀତିର କେତେକ ବିଷମ ଚିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ ଅଡ଼ୁଆରେ ପକାଇଥିଲା। ମୋଦୀଙ୍କ ଶାସନ ଅମଳରେ ଜିଏସ୍‍ଟି ଓ ବିମୁଦ୍ରାକରଣର ପ୍ରଭାବରୁ କୌଣସିମତେ ମୁକୁଳିବାକୁ ଚେଷ୍ଟା କରୁଥିବା ଅର୍ଥନୀତି ଉପରେ ମନ୍ଥର ଅଭିବୃଦ୍ଧି ଓ ବେକାରୀ ହାର ବିଶାଳ ବୋଝ ସୃଷ୍ଟି କରିଥିଲା। ବେରୋଜଗାରୀ ହାର ରେକର୍ଡ ସ୍ତର ଛୁଇଁଥିବା ପରିସଂଖ୍ୟାନରୁ ଜଣାପଡ଼ିବା ପରେ ସବୁ ମହଲରୁ ସମାଲୋଚନାର ସ୍ୱର ଶୁଣାଯାଇଥିଲା। ପରିସଂଖ୍ୟାନକୁ ମୋଦୀ ସରକାର ଅସ୍ୱୀକାର କରିଥିଲେ ହେଁ ନିଯୁକ୍ତିର ବାସ୍ତବ ଚିତ୍ର ଓ ପ୍ରମାଣ ଉପସ୍ଥାପନ କରିପାରିନଥିଲେ। ଏଭଳି ପରିସ୍ଥିତିରେ ସୁଧ ହାରକୁ ଯଥାସମ୍ଭବ ହ୍ରାସ କରି ଅଭିବୃଦ୍ଧି ହାରରେ ଉନ୍ନତି ଓ ନିଯୁକ୍ତି ବଜାର ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଆର୍‌ବିଆଇ ଉପରେ ଚାପ ସୃଷ୍ଟି କରିଥିଲେ। ତେବେ ତୈଳ ଦର ବୃଦ୍ଧି ଜନିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‍ ସୁଧ ହାର ହ୍ରାସ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ଅନନ୍ୟୋପାୟ କେନ୍ଦ୍ର ସରକାର ଆରବିଆଇ ନିକଟରେ ଗଚ୍ଛିତ ବିପୁଳ ବୈଦେଶିକ ମୁଦ୍ରାଭଣ୍ଡାରର ଏକ-ତୃତୀୟାଂଶ ଅର୍ଥରାଶି ସରକାରଙ୍କୁ ହସ୍ତାନ୍ତର କରିବାକୁ ଆରବିଆଇକୁ ପ୍ରସ୍ତାବ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହି ଅର୍ଥରାଶିକୁ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପରେ ବିନିଯୋଗ କରି ମନ୍ଥର ଅଭିବୃଦ୍ଧି ହାରରେ ସୁଧାର ଆଣିବାକୁ ଯୋଜନା କରିଥିଲେ। ଏପରିକି ଏହି ଲକ୍ଷ୍ୟ ହାସଲ ପାଇଁ ଆରବିଆଇର ପରିଚାଳନାଗତ ସ୍ୱାଧୀନତା ଉପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ମସୁଧା କରୁଥିବା ଅଭିଯୋଗ ହୋଇଥିଲା। ଘଟଣାକ୍ରମେ ଉର୍ଜିତ ପଟେଲ୍‍ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ମୋଦୀ ସରକାରଙ୍କ ପୂର୍ବତନ ଆର୍ଥିକ ବ୍ୟାପାର ସଚିବ ତଥା ବିମୁଦ୍ରାକରଣ ଯୋଜନାର ପ୍ରମୁଖ ବିନ୍ଧାଣି କୁହାଯାଉଥିବା ଶକ୍ତିକାନ୍ତ ଦାସଙ୍କୁ ଉର୍ଜିତ୍‍ଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା।
ସିବିଆଇ ମୁଖ୍ୟ ପଦକୁ ନେଇ ସୃଷ୍ଟି ବିବାଦ ଓ ବିଭ୍ରାଟ ପରେ କେନ୍ଦ୍ର ସରକାର ଆପାତତଃ ବୈଦେଶିକ ମୁଦ୍ରାପାଣ୍ଠି ହସ୍ତାନ୍ତର ଯୋଜନାରୁ ଓହରି ଯାଇଥିଲେ। ଏହାପରେ ଅଭିବୃଦ୍ଧି ହାରରେ ସୁଧାର ଦାୟିତ୍ୱ ପଡ଼ିଥିଲା ନବନିଯୁକ୍ତ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ। ଦାୟିତ୍ୱ ନେବାର ମାତ୍ର କିଛି ଦିନ ମଧ୍ୟରେ ଶ୍ରୀ ଦାସ ଗତ ଫେବୃଆରୀ ମାସରେ ସୁଧ ହାରରେ ୦.୨୫% ହ୍ରାସ କରିବା ପରେ ପରବର୍ତ୍ତୀ ମୁଦ୍ରାନୀତି ସମୀକ୍ଷା ଅବସରରେ ଗତ ଏପ୍ରିଲ୍‍ ମାସରେ ଆଉ ୦.୨୫ % ହ୍ରାସ କରିଥିଲେ। ସୁଧ ହାରରେ କ୍ରମାଗତ ୦.୫୦% ହ୍ରାସ ସତ୍ତ୍ବେ ଅଭିବୃଦ୍ଧି ହାରରେ ସୁଧାର ପରିଲକ୍ଷିତ ହୋଇନଥିଲା। ବରଂ ଦ୍ୱିତୀୟ ପାଳି ଆରମ୍ଭରୁ ମୋଦୀ ସରକାରଙ୍କୁ ଝଟ୍‍କା ଦେଇ ଅଭିବୃଦ୍ଧି ହାର ୫.୮ %କୁ ଖସି ଆସିଛି। ତେଣୁ ଜୁନ୍‍ ମାସରେ ଅନୁଷ୍ଠିତ ମୁଦ୍ରାନୀତି ସମୀକ୍ଷା ଅବସରରେ ଆର୍‌ବିଆଇ ପୁଣି ପୂର୍ବ ପଦକ୍ଷେପ ଓ ନୀତିକୁ ଦୋହରାଇଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ମୁଦ୍ରାନୀତି ନିର୍ଦ୍ଧାରକ କମିଟି ସର୍ବସମ୍ମତିକ୍ରମେ ସୁଧହାର ୦.୨୫% ହ୍ରାସ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରିପୋ ହାର ୯ ବର୍ଷର ସର୍ବନିମ୍ନ ସ୍ତର ୫.୭୫%କୁ ଖସି ଆସିଛି। ମନ୍ଥର ଅଭିବୃଦ୍ଧି ହାର ଓ ଅର୍ଥନୀତିରେ ସୁଧାର ପାଇଁ ବର୍ତ୍ତମାନ ପରିସ୍ଥିତିରେ ଏହାଠାରୁ ଆଉ ଭଲ ଓ ବୃହତ୍‍ ବିକଳ୍ପ ନଥିଲା ବୋଲି କୁହାଯାଇପାରେ।
ସୁଧ ହାର ହ୍ରାସ ପରେ ଗୃହ, ଗାଡ଼ି ଓ ଅନ୍ୟାନ୍ୟ ଋଣ ଶସ୍ତା ହେବାର ଆଶା ସୃଷ୍ଟି ହୋଇଛି। ବ୍ୟାଙ୍କ ପାଖରେ ଗଚ୍ଛିତ ଅର୍ଥରାଶି ଅର୍ଥନୀତିର ପ୍ରୟୋଗାତ୍ମକ କ୍ଷେତ୍ରରେ ବିନିଯୋଗ ହେଲେ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ନିଯୁକ୍ତି ବୃଦ୍ଧି ପାଇଲେ ଲୋକଙ୍କ କ୍ରୟଶକ୍ତି ବଢ଼ିବ ଏବଂ ଏହାର ସାମଗ୍ରିକ ଓ ସକାରାତ୍ମକ ପ୍ରଭାବ ବଜାର ଅର୍ଥନୀତି ଉପରେ ପଡ଼ିବ। ତେବେ ବାଣିଜ୍ୟିକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନେ ଆରବିଆଇର ଏହି ସୁଧ ହାର ଯୋଜନା ଓ ନିଷ୍ପତ୍ତିର ସୁଫଳ ଗ୍ରାହକଙ୍କ ନିକଟରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅର୍ଥନୀତିରେ ସୁଧାର ଆଶା ବୃଥା।
ମୁଦ୍ରାନୀତି ସମୀକ୍ଷା ଅବସରରେ ଆରବିଆଇ ଅନ୍‍ଲାଇନ୍‍ ମନି ଟ୍ରାନ୍ସଫରର ଦୁଇଟି ପ୍ରକ୍ରିୟା ଏନଇଏଫ୍‍ଟି ଓ ଆରଟିଜିଏସ୍‍କୁ ଦେୟମୁକ୍ତ କରିଛନ୍ତି। ଏହାଦ୍ୱାରା ଗ୍ରାହକମାନେ ଚେକ୍‍୍‍, ଡ୍ରାଫ୍ଟ କିମ୍ବା ନଗଦ ଟଙ୍କା କାରବାର ତୁଳନାରେ ଅନ୍‍ଲାଇନ୍‍ କାରବାରକୁ ଅଧିକ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ନଭେମ୍ବର ୮, ୨୦୧୬ରେ ଘୋଷିତ ବିମୁଦ୍ରାକରଣ ଯୋଜନାର ମୂଳ ଲକ୍ଷ୍ୟ କ୍ୟାସ୍‍ ଲେସ୍‍ ଥିଲେ ହେଁ ଭାରତୀୟଙ୍କ ଅଭ୍ୟାସଗତ କାରବାର ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହୋଇପାରିନଥିଲା। ମୋଦୀଙ୍କ ଦ୍ୱିତୀୟ ପାଳି ଆରମ୍ଭରୁ ଏହି ଲକ୍ଷ୍ୟକୁ ଏକ ଭିନ୍ନ ତଥା ସୁଚିନ୍ତିତ ଢଙ୍ଗରେ ଶକ୍ତିକାନ୍ତ ଦାସ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି। ଏଥିସହିତ ଏଟିଏମ୍‍ ସେବା ଦେୟକୁ ମଧ୍ୟ ଯଥାସମ୍ଭବ ହ୍ରାସ କରିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାସ୍‍ ଲେସ୍‍ ଲକ୍ଷ୍ୟ ହାସଲ ଦିଗରେ ଏହି ଉଦ୍ୟମ କିଛିଟା ବାଧା ସୃଷ୍ଟି କରିପାରେ। କାରଣ ଏଟିଏମ୍‍ ସେବା ଶସ୍ତା ହେଲେ ଗ୍ରାହକମାନେ ଅଧିକରୁ ଅଧିକ ନଗଦ ନେଣଦେଣ କରିବେ, କିନ୍ତୁ କ୍ଷତିରେ ଚାଲୁଥିବା ବ୍ୟାଙ୍କଗୁଡ଼ିକର ପ୍ରଶାସନିକ ଓ ପରିଚାଳନା ଖର୍ଚ୍ଚକୁ ଯଥାସମ୍ଭବ ହ୍ରାସ କରିବା ଦିଗରେ ଏଟିଏମ୍‍ ସେବା ଦେୟ ହ୍ରାସ ଯୋଜନା ବିଜ୍ଞତାର ପରିଚୟ ବୋଲି କୁହାଯାଇପାରେ।

Comments
Loading...