ରିଜର୍ଭ ବ୍ୟାଙ୍କ ବନାମ କେନ୍ଦ୍ର ସରକାର

0

କିଶୋର ଜେନା

୧୯ ନଭେମ୍ବର ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆର ବୋର୍ଡ଼ ବୈଠକ ପରେ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଗଣମାଧ୍ୟମ ସମ୍ମୁଖରେ ଏକ ବିବୃତି ଦେଇଛନ୍ତି। ତାଙ୍କ ବିବୃତି ଅନୁସାରେ କେନ୍ଦ୍ର ସରକାରଙ୍କର ରିଜର୍ଭବ୍ୟାଙ୍କ ସହ କୌଣସି ବିବାଦ ନାହିଁ। ବିବାଦର କଥା ଯାହା କୁହାଯାଉଛି ତାହା କଂଗ୍ରେସନେତା ରାହୁଳ ଗାନ୍ଧୀ ଏବଂ ଗଣମାଧ୍ୟମର ପ୍ରଚାର। ଏହି ବକ୍ତବ୍ୟ କିନ୍ତୁ ସଂପୂର୍ଣ୍ଣ ଠିକ୍‌ ନୁହେଁ। ବିବାଦ ଅଛି ଏବଂ ବିବାଦର କାରଣ ମଧ୍ୟ ଯଥେଷ୍ଟ ଗଭୀର। ୧୯ ନଭେମ୍ବର ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନେ କେନ୍ଦ୍ରର ନିର୍ଦେଶ ଅନୁସାରେ ସାମାନ୍ୟ କିଛି ରିଆତି ବିନିମୟରେ ଆପାତତଃ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ଏହାର କାରଣ, ଏହି ଯୁଦ୍ଧରେ ରାଜନୈତିକ ପ୍ରତିକ୍ରିୟାକୁ ସମ୍ଭାଳି ଦେବାର ଝୁଙ୍କି ନେବାକୁ ଚାହାନ୍ତି ନାହିଁ କେନ୍ଦ୍ର ସରକାର। ସଂପ୍ରତି ଚାରିରାଜ୍ୟର ବିଧାନସଭା ନିର୍ବାଚନ ଓ ଆଗକୁ ଲୋକସଭା ନିର୍ବାଚନ। ଯୁଦ୍ଧବିରତି ରଖାହେବ ସେହି ସମୟ ପର୍ଯ୍ୟନ୍ତ। ଲୋକସଭା ନିର୍ବାଚନରେ ବିଜୟୀ ହୋଇ ଫେରିପାରିଲେ ଯାହାକିଛି ହେବ!
ଯୁଦ୍ଧବିରତିର ସର୍ତ୍ତ କ’ଣ? ସର୍ତ୍ତ ହେଲା କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ନୂଆ ଋଣ ଦେବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଯେଉଁ ସର୍ତ୍ତଗୁଡ଼ିକ ଚାପିଦେବାକୁ ଚାହେଁ। ୧୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଯେଉଁଗୁଡ଼ିକର ଆର୍ଥିକ ଅବସ୍ଥା ଅନାଦାୟ ଋଣ ଯୋଗୁଁ ଖରାପ ଅବସ୍ଥାରେ, ସେମାନେ ଯେପରି ନୂଆକରି ଋଣଦାନ କ୍ଷେତ୍ରରେ, ସର୍ତ୍ତଗୁଡ଼ିକ କଠୋ​‌ର କରିବାକୁ ବାଧ୍ୟ ହୁଏ। ଇତି ମଧ୍ୟରେ ସେହି ନିର୍ଦେଶ ଆସିଥିଲା ରିଜର୍ଭବ୍ୟାଙ୍କ ପକ୍ଷରୁ। ଏହି ବୈଠକ ପରେ ସେହି ସର୍ତ୍ତଗୁଡ଼ିକୁ ଶିଥିଳ କରିବ ରିଜର୍ଭବ୍ୟାଙ୍କ। ମୋଟ ୨୫କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯେଉଁମାନେ ନେଇଛନ୍ତି, ଶୁଝି ପାରିନାହାନ୍ତି, ସେହିସବୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତି ପୁଣି ଋଣ ପାଇବେ। ସେମାନଙ୍କର ବକେୟା ଋଣକୁ ସଜାଇବା ବା ପୁନର୍ଗଠନ କରିବା ପାଇଁ ଏଥିନିମିତ୍ତ ନଗଦ ଯୋଗାଣ ବଢ଼ାଇବାକୁ ହେବ ବ୍ୟାଙ୍କଗୁଡ଼ିକୁ। ଏହାର ବ୍ୟବସ୍ଥା ରିଜର୍ଭବ୍ୟାଙ୍କ କରିବେ। ଏହାଥିଲା ଯୁଦ୍ଧ ବିରତିର ସର୍ବନିମ୍ନ ସର୍ତ୍ତ। ଆନୁମାନିକ ୧.୨ଲକ୍ଷ କୋଟିଟଙ୍କାର ନଗଦ ଏହି ରିଆତି ବାବଦରେ ଯୋଗାଇବାକୁ ହେବ ରିଜର୍ଭବ୍ୟାଙ୍କକୁ। ବାଧ୍ୟତାମୂଳକ ସଂରକ୍ଷଣ ଅନୁପାତ, ଯାହାକୁ ଏବେ କୁହାଯାଉଛି କ୍ୟାପିଟାଲ କଞ୍ଜରଭେସନ (ବାଣିଜ୍ୟିକ ବ୍ୟାଙ୍କର ଜମାର ଏକ ଅଂଶ ଯାହାକୁ ରିଜର୍ଭବ୍ୟାଙ୍କ କାଟିରଖେ, ହଠାତ୍‌ ଅାବଶ୍ୟକବେଳେ ବ୍ୟୟ କରିବା ପାଇଁ) ସାମାନ୍ୟ ହ୍ରାସ କରି ଏହି ପରିମାଣ ଅର୍ଥର ବ୍ୟବସ୍ଥା କରିପାରେ କେନ୍ଦ୍ରୀୟ ବ୍ୟାଙ୍କ । ଯଦିଓ ଏହି ଭାବରେ ଋଣଟଙ୍କାରେ ଋଣ ପରିଶୋଧ କରିବାର ପ୍ରଥା ସମ୍ପର୍କରେ ରିଜର୍ଭବ୍ୟାଙ୍କ ଆପତ୍ତି କରିଛି ଏବଂ ଏହି ଆପତ୍ତି ଆଦୌ ଉଠାଇ ନେଇ ନାହିଁ, ଯୁଦ୍ଧ ବିରତିର ସର୍ତ୍ତରୂପେ ଏହାକୁ ମାନି ନେଇଛନ୍ତି ରିଜର୍ଭବ୍ୟାଙ୍କ କର୍ତ୍ତୃପକ୍ଷ ୧୯ ନଭେମ୍ବର ବୈଠକରେ। ପରଦିନ ବଜାରକୁ ୧.୨ଲକ୍ଷ କୋଟି ଟଙ୍କା ନୁହେଁ, ୩ଲକ୍ଷ କୋଟି ଟଙ୍କାର ନଗଦ ଯୋଗାଣ ଆସିଯାଇଛି।
ମୂଳ ବିବାଦଟି ହେଉଛି କେନ୍ଦ୍ର ସରକାର ଚାହିଁଲେ, ରିଜର୍ଭବ୍ୟାଙ୍କଠାରୁ ଡିଭିଡେଣ୍ଡ୍ ବା ଲାଭାଂଶ ବାବଦକୁ ବାର୍ଷିକ ଯେଉଁ ଅର୍ଥ ମିଳେ, ତାହା ତ ମିଳୁଛି, ଏହାଛଡ଼ା ରିଜର୍ଭବ୍ୟାଙ୍କର ଯେଉଁ ମୂଳଧନ ଅଛି, ସେଥିରୁ କେନ୍ଦ୍ରସରକାରଙ୍କ କୋଷାଗାରକୁ ଏକ ମୋଟା ଅଙ୍କର ଟଙ୍କା ଦେଉ ରିଜର୍ଭବ୍ୟାଙ୍କ। କେନ୍ଦ୍ର ଅର୍ଥସଚିବ ଦୁଇଥର ଦି’ ପ୍ରକାର କଥା କହିଛନ୍ତି ଏହି ପ୍ରସଙ୍ଗରେ। ପ୍ରଥମଥର ଚାହିଁଥିଲେ ୩.୫ ଲକ୍ଷକୋଟି ଟଙ୍କା। ଯେଉଁ ୩ରୁ ୪ଲକ୍ଷ କୋଟିଟଙ୍କା କଳାଟଙ୍କା ରୂପେ ଉଦ୍ଧାର କରାଯିବ ବୋଲି ନୋଟ ଅଚଳ କରାଯାଇଥିଲା; ତାହା ଫେରିଲା ନାହିଁ। ଫେରିଲା ମାତ୍ର ୧୦ହଜାର କୋଟି ଟଙ୍କାରୁ ସାମାନ୍ୟ ବେଶୀ। ରାଜକୋଷୀୟ ନିଅଣ୍ଟ ମେଣ୍ଟାଯିବା ଥିଲା ଉଦ୍ଦେଶ୍ୟ। ସେ ଉ​‌ଦ୍ଦେଶ୍ୟ ଫଳବତୀ ହେଲାନାହିଁ। ଏଣୁ ପ୍ରଚୁର ଲାଭ ଦେଉଥିବା ନବରତ୍ନ କଂପାନୀମାନଙ୍କର ଅଂଶଧନ ବିକ୍ରିସହ ରିଜର୍ଭବ୍ୟାଙ୍କର ମୂଳଧନରୁ ଏହି ଟଙ୍କା ଉଠାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଗଣମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା-ସମାଲୋଚନା ପରେ ରିଜର୍ଭବ୍ୟାଙ୍କରୁ ଚାହିଁଥିବା ଟଙ୍କାର ପରିମାଣ ନେଇ ସରକାର ଅସ୍ବସ୍ତିରେ ପଡ଼ି ଅଙ୍କରେ ସଂଶୋଧନ ଆଣିଲେ। ରିଜର୍ଭ ବ୍ୟାଙ୍କରେ ଡଲାର, ଅନ୍ୟାନ୍ୟ ବିଦେଶୀମୁଦ୍ରା ଏବଂ ସୁନାର ପରିମାଣରେ ଯେଉଁ ମୂଳଧନ ଜମାଅଛି, ତାହାର ପରିମାଣ, ୬,୨୨୦୦୦ କୋଟି ଟଙ୍କା। ଆପଦକାଳୀନ ପ୍ରୟୋଜନ ମେଣ୍ଟାଇବା ପାଇଁ ଅଛି ଆହୁରି ୨,୩୨୦୦୦ କୋଟି ଟଙ୍କା। କେନ୍ଦ୍ରୀୟ ଅର୍ଥ ସଚିବ ସୁଭାଷ ଗର୍ଗ ଜଣାଇଛନ୍ତି, ସେମାନେ ଏହି ଆପଦକାଳୀନ ପ୍ରୟୋଜନ ପୂରଣ ପାଇଁ ଜମାଟଙ୍କାରୁ କିଛି ଚାହିଁଥିଲେ (୧ଲକ୍ଷ ୨୬ହଜାର କୋଟିଟଙ୍କା)। କାରଣ କ’ଣ? କେନ୍ଦ୍ର ସରକାର ମନେକରନ୍ତି ଏତେଟଙ୍କା ଆପଦକାଳୀନ ପ୍ରୟୋଜନ ପୂରଣପାଇଁ ଜମାରଖିବାର ଦରକାର ନାହିଁ। ରିଜର୍ଭବ୍ୟାଙ୍କ ମନା କରିବାପରେ ଏନେଇ ଗଣ୍ଡଗୋଳ ଆହୁରି ବଢ଼ିଯିବାରୁ ମୂଳବିବାଦଟି ସମ୍ମୁଖକୁ ଆସିଲା।
ରିଜର୍ଭବ୍ୟାଙ୍କରେ ଗଚ୍ଛିତ ବୈଦେଶିକ ମୁଦ୍ରା ଏବଂ ସୁନାର ଅସଲ ମାଲିକ କିଏ ଏବଂ ଆପଦକାଳୀନ ପ୍ରୟୋଜନରେ ଖର୍ଚ୍ଚ ପାଇଁ କେତେ ସଞ୍ଚୟ ରହିବା ଉଚିତ? କେନ୍ଦ୍ର ସରକାରଙ୍କ ଦାବି- ଏ ସବୁର ମାଲିକ ସରକାର। ଶୀର୍ଷବ୍ୟାଙ୍କର ମୋଟ ସମ୍ପତ୍ତିର ୨୬ରୁ ୨୭ ପ୍ରତିଶତ ହେଉଛି ଡଲାର। ସୁନା ଓ ନଗଦ (ଆାପଦକାଳୀନ ପ୍ରୟୋଜନର ଟଙ୍କା) ଏତେ ସଞ୍ଚୟ କାହିଁକି ରହିବ? ପୃଥିବୀର ଅନ୍ୟାନ୍ୟ ଦେଶର ଶୀର୍ଷ ବ୍ୟାଙ୍କର ତୁଳନୀୟ ହାର ଯେଉଁଠି ୧୬ରୁ ୧୭ ପ୍ରତିଶତ, ଏଠାରେ ଅନୁପାତଟି ଏତେ ବେଶୀ କାହିଁକି? ସଙ୍ଗତ ପ୍ରଶ୍ନ, ଏଥିରେ ସନ୍ଦେହ ନାହିଁ, କିନ୍ତୁ ହଠାତ ଏସବୁ ନେଇ କଥା ଉଠିଲା କାହିଁକି? ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମ ଠିକ କଥା କହିଛନ୍ତି। ନିର୍ବାଚନର ମାତ୍ର କେଇମାସ ଆଗରୁ ଏ ପ୍ରଶ୍ନ ଉଠାଇବା ଅସଙ୍ଗତ। ଏସବୁ ସ୍ଥିର ହୋଇଥାଏ ବିଶେଷଜ୍ଞ କମିଟିର ସୁପାରିସ କ୍ରମେ। ଏବେ ଯେପରି ଆପଦକାଳୀନ ପ୍ରୟୋଜନ ପୂରଣ ପାଇଁ ଗଚ୍ଛିତ ଟଙ୍କାର ପରିମାଣର ଅନୁପାତ ଠିକ୍‌ କରାଯାଇଥିଲା ୱାଇ.ଭି. ମାଲେଗାଁଓ କମିଟିର ସୁପାରିସ ଅନୁସାରେ, ତାହା ବଦଳାଯାଇପାରେ ଏବଂ ଅନୁପାତଗୁଡ଼ିକ କମିଲେ କେନ୍ଦ୍ର ସରକାରଙ୍କ ରାଜକୋଷରେ ନଗଦ ଯୋଗାଣ ବଢ଼ିବ ନିଃସନ୍ଦେହ। ତାହା କିନ୍ତୁ ଏଭଳିଭାବେ କାହିଁକି ଏବେ କରିବାକୁ ହେବ? ୧୯ନଭେମ୍ବର ବୈଠକରେ ଏହି ବିଷୟ ଉଠାଇଥିଲେ କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତୃପକ୍ଷ। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ଏହାର ଉତ୍ତର ନଥିଲା। ପରେ ଏକ ବିଶେଷଜ୍ଞ କମିଟି ବସାଇ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ବିଚାର ହେବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରଙ୍କ ସମେତ କେତେକ ନିର୍ଦେଶକ ବେଶ ସାହସ ଦେଖାଇଛନ୍ତି। ଯୁଦ୍ଧ ବିରତି ହୋଇଛି, ଯୁଦ୍ଧ ଶେଷ ହୋଇନାହିଁ। ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆର ସ୍ବାଧିକାର (ଅଟୋନମି) ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରସରକାର। ଆସନ୍ତା ନିର୍ବାଚନରେ ବିଜୟୀ ହୋଇ ଫେରିଆସିଲେ କ୍ଷମତାକୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କପାଳ ଛିଡ଼ିବ। ଏହା ନିଃସନ୍ଦେହ। ଯେଉଁଭଳି ହୁକୁମ ଦେଇ ରିଜର୍ଭବ୍ୟାଙ୍କଠାରୁ ଟଙ୍କା ଆଦାୟ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହୋଇପଡ଼ିଥିଲେ ସେଥିରୁ ମନେହୁଏ, ଏହି ସଂସ୍ଥାଟିର ସ୍ବାଧିକାର ମର୍ଯ୍ୟାଦା ଦେବାକୁ ରାଜି ନୁହନ୍ତି। ମୋଦୀ, କେନ୍ଦ୍ରୀୟ ବ୍ୟଙ୍କକୁ କେନ୍ଦ୍ରୀୟ ଅର୍ଥମନ୍ତ୍ରଣାଳୟର ଆୟତ୍ତାଧୀନ କରି ରଖିବେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଇନ ୧୯୬୩ରେ ଏହି ମର୍ମରେ ଏକ ସଂଶୋଧନ କରି ରଖିବେ ସେ। ଏଥିପାଇଁ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ ଆଇନ ୧୯୬୩ରେ ଏହି ମର୍ମରେ ଏକ ସଂଶୋଧନ ଅଣାଯିବ।
ଏବେ ଯେଉଁ ଟଙ୍କା ସରକାର ଚାହିଁଥିଲେ, ତାହା ପୁଣି କ’ଣ ହେବ, କେଉଁଠୁ ଆସିବ। ରିଜର୍ଭବ୍ୟାଙ୍କ ମନା କଲାପରେ ମୂଳଧନ ବଜାର ପାଖରେ ହାତ ପତାଇବାକୁ ହେବ। ମୂଳଧନ ବଜାରରୁ ୬.୫ ଲକ୍ଷକୋଟି ଟଙ୍କା ଉଠାଇବା ଥିଲା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ଇତି ମଧ୍ୟରେ ୫.୫ଲକ୍ଷକୋଟି ଟଙ୍କା ଋଣମିଆଦ ଯାଇସାରିଲାଣି। କେନ୍ଦ୍ରସରକାର ବାକି ସମୟକୁ ମାତ୍ର ୧ଲକ୍ଷ କୋଟିଟଙ୍କାରେ ଚଳାଇବା ସମ୍ଭବ ନୁହେଁ। ବିଶେଷକରି ଯେହେତୁ ଏହି ନିର୍ବାଚନ ବର୍ଷ, ଖର୍ଚ୍ଚରେ କାଣ୍ଟଛାଟ୍‌ କରିବାରେ ଅସୁବିଧା ଅଛି। ହାତ ପାତିବାକୁ ହେବ ସେହି ଏହି ମୂଳଧନ ବଜାରରେ। ନୂଆ ବଣ୍ଡ୍‌ (ଋଣପତ୍ର) ବିକ୍ରିକରି ଖର୍ଚ୍ଚ ମେଣ୍ଟାଇବାକୁ ହେବ। ରାଜକୋଷୀୟ ନିଅଣ୍ଟ ଏ ବର୍ଷର ଲକ୍ଷ୍ୟମାତ୍ରା (ଜିଡ଼ିପିର ୫.୩) ପ୍ରତିଶତରୁ ଦୂରେଇଯିବାକୁ ପଡ଼ିବ। ମୂଳଧନ ବଜାରରେ ସୁଧର ହାର ବଢ଼ିବ ଏହାଫଳରେ, ଅସୁବିଧାରେ ପଡ଼ିବେ ଘରୋଇ ପୁଞ୍ଜି ଲଗାଣକାରୀମାନେ। ଏହି ଅବାଞ୍ଛିତ ପରିଣାମ ଏଡ଼ାଇବା ପାଇଁ ନୋଟଅଚଳ କରି ଖାଲି ହାତରେ ଫେରିଥିବା ମୋଦୀ ସରକାର ହାତ ବଢ଼େଇଲେ ରିଜର୍ଭବ୍ୟାଙ୍କର ଗଚ୍ଛିତ ଅର୍ଥ ଉପରକୁ। ଚାରିଆଡ଼ୁ ହୋ-ହଲ୍ଲା ହେବାରୁ ଆପାତତଃ ପଛକୁ ହଟିଛି ସରକାର। ପୁନଶ୍ଚ ମୂଳଧନ ବଜାରରୁ ଟଙ୍କା ଋଣ କରି​‌େ​‌ବ କେନ୍ଦ୍ରସରକାର। ରିଜର୍ଭବ୍ୟାଙ୍କର ସ୍ବାଧିକାର ଥିବାରୁ କେନ୍ଦ୍ର ସରକାର ଚାହିଁଥିବା ଟଙ୍କା ପାଇପାରିଲେ ନାହିଁ।
ରିଜର୍ଭବ୍ୟାଙ୍କ ସହ ମୋଦୀ ସରକାରଙ୍କ ବିବାଦର ମୂଳ କାରଣଟି ଅନୁଚ୍ଚାରିତ ରହିଗଲା ୧୯ ନଭେମ୍ବର ବୈଠକରେ। ଦେଶର ଜମାକାରୀମାନେ ଯେଉଁଟଙ୍କା ଜମା ରଖିଛନ୍ତି ବାଣିଜ୍ୟିକ ବ୍ୟାଙ୍କରେ ସେହି ଟଙ୍କାର ଏକ ବଡ଼ ଅଂଶ ଲୁଣ୍ଠିତ। କ୍ଷୁଦ୍ର ଓ ମଧ୍ୟମଧରଣର ଉଦ୍ୟୋଗପତି ନୁହନ୍ତି, ଜମାର ସିଂହଭାଗ ଲୁଣ୍ଠନ କରିଛନ୍ତି ବୃହତ୍‌ ଉଦ୍ୟୋଗପତିମାନେ। ଖିଲାପୀ ଋଣ ଏବଂ ଖରାପ ଋଣ ଯାହା ଅନାଦାୟ, ଅଚଳ ଋଣ ସମ୍ପତ୍ତି ବା ଏନପିଏ, ରିଜର୍ଭ ବ୍ୟାଙ୍କର ହିସାବ ଅନୁସାରେ ୧୧ଲକ୍ଷ କୋଟିଟଙ୍କା ଏହିଭଳି ଭାବେ ରହିଛି। ଏହାକୁ ବନ୍ଦ କରିବାପାଇଁ ରଘୁରାମ ରାଜନ ଯେତେବେଳେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ହେଲେ, ଚିଠି ଲେଖିଥିଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ୨୦୧୫ରେ। ବର୍ତ୍ତମାନର ରିଜର୍ଭବ୍ୟାଙ୍କ କର୍ତ୍ତୃପକ୍ଷ ବି ଭଲ ଭାବରେ ବୁଝିଛନ୍ତି, ଏହିଭଳି ଚାଲିଲେ ନଗଦ ଯୋଗାଣ ଅଭାବରୁ ବ୍ୟାଙ୍କଗୁଡ଼ିକ ହାତଖୋଲି ବସିବେ। ଜମାକାରୀମାନେ ଜମାଟଙ୍କା ଉଠାଇବାକୁ ଯାଇ ଖାଲିହାତରେ ଫେରିବେ ବ୍ୟାଙ୍କରୁ। ରିଜର୍ଭ ବ୍ୟାଙ୍କର ମୂଳକାମ ଜମାକାରୀଙ୍କ ସ୍ବାର୍ଥକୁ ଦେଖିବା। ତାହା ଦେଖିବାକୁ ଗଲେ ଏହି ଲୁଣ୍ଠନ ବନ୍ଦ କରିବାକୁ ହେବ। ମୋଦୀଙ୍କ ପସନ୍ଦର ଲୋକ ଉର୍ଜିତ ପଟେଲ ଯେ ରଘୁରାମ ରାଜନଙ୍କ ମୁହଁର କଥା କହିବାକୁ ବାଧ୍ୟ ହୋଇଛନ୍ତି, ତାହାର କାରଣ ହେଉଛି ଏୟା।
କର୍ପୋରେଟଙ୍କ ଏହି ଲୁଣ୍ଠନ ବନ୍ଦ କରିବା ମୋଦୀ ସରକାରଙ୍କ କାର୍ଯ୍ୟକ୍ରମରେ ନାହିଁ; ବରଂ କର୍ପୋରେଟ ଆହୁରି ଯେତେ ଧାର ଶୁଝିବା ନାମରେ ଆହୁରି ଧାର କରିପାରିବେ, ସେ ରାସ୍ତା ପ୍ରଶସ୍ତ କରିବାପାଇଁ ୧୯ ନଭେମ୍ବର ବୋର୍ଡ଼ବୈଠକରେ ସରକାରୀ ପ୍ରତିନିଧିମାନେ ‘ବାସେଲ ନର୍ମ ବା ବିଧି’ର କଥା ଉଠାଇଥିଲେ। ବାସେଲ ବିଧି ଅନୁସାରେ ବାସେଲ-୩ କ୍ୟାପିଟାଲର ଏସିନର୍ମ ଆମ ଦେଶରେ ୧୦୦ଟଙ୍କା ମୂଳଧନରେ ୯ଟଙ୍କା। କେନ୍ଦ୍ରସରକାର ୮ଟଙ୍କାକୁ ହ୍ରାସ କରିବାକୁ ଚାହାନ୍ତି, ଯଦ୍ଦ୍ବାରା ବାଣିଜ୍ୟିକ ବ୍ୟାଙ୍କମାନେ ଆହୁରି ଅଧିକଟଙ୍କା ଋଣ ଦେଇପାରିବେ କର୍ପୋରେଟଙ୍କୁ। ରିଜର୍ଭବ୍ୟାଙ୍କ ଏହା ଚାହାନ୍ତି ନାହିଁ, ଏଣୁ ୯ରେ ରଖିବାକୁ ଚାହାନ୍ତି। ଏହାକୁ ମାନି ନିଆଯାଇଛି ୧୯ ନଭେମ୍ବର ବୋର୍ଡ଼ ବୈଠକରେ। ଅକପଟରେ ରିଜର୍ଭବ୍ୟାଙ୍କ କହିବାକୁ ଚାହେଁ ଲୁଟିଆ କର୍ପୋରେଟଙ୍କୁ ଅଧିକ ଲୁଟପାଇଁ ଜମାକାରୀଙ୍କ ଟଙ୍କାକୁ ଦିଆଯିବ ନାହିଁ। ତେଣୁ ଆପାତତଃ ଯୁଦ୍ଧକୁ ଏଡ଼ାଇ ଦିଆଯାଇଛି। ବିବାଦ ମେଣ୍ଟିନାହିଁ। ଏ ବିବାଦ ଏବେ​‌ ମଧ୍ୟ ଅମୀମାଂସିତ। କେନ୍ଦ୍ରୀୟ ବ୍ୟାଙ୍କ ଏହି ଯୁଦ୍ଧ ଆଗକୁ ଚଳାଇ ପାରିବେ, କହିବା କଠିନ।

Comments
Loading...