ରାହୁଲଙ୍କ ପାଗବନ୍ଧା

0

କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରଚଣ୍ଡ ଆକ୍ରମଣ ପଛରେ ଏକ ନିରାଟ ରାଜନୈତିକ ବାସ୍ତବତା ରହିଛି। କଂଗ୍ରେସର ବଡ଼ ଅନ୍ତର୍ନିହିତ ଶକ୍ତି ହେଲା ଏହାର ସ୍ଥିତିସ୍ଥାପକତା ଏବଂ ଧ୍ବଂସସ୍ତୂପ ମଧ୍ୟରୁ ପୁନର୍ବାର ଉଠିବାର ଦକ୍ଷତା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷାରେ ଭାରତ କଂଗ୍ରେସମୁକ୍ତ ହେଉଥିଲେ ହେଁ ଏହି ଦଳର ପୁନରୁତ୍‌ଥାନ ସମ୍ଭାବନାଟି ସର୍ବଦା ଶାସକଦଳ ଓ ମେଣ୍ଟ ପାଇଁ ଭୟ ହୋଇ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ଆଉ କେହି ନ’ହେଲେ ମଧ୍ୟ କଂଗ୍ରେସ ସହିତ ବିଜେପି ଓ ଏନଡିଏକୁ ଲଢ଼ିବାକୁ ହିଁ ପଡ଼ିବ। ବିଜେପି ଏକମାତ୍ର ବିକଳ୍ପ ରାଜନୈତିକ ଶକ୍ତିଭାବେ କଂଗ୍ରେସକୁ ଦେଖୁଥିବାରୁ ତା’ ଉପରେ ଶାଣିତ ଆକ୍ରମଣ କରି ତାହାକୁ ହତୋତ୍ସାହିତ ଓ ଅଧିକ ଦୁର୍ବଳ କରିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ଟିମ୍‌ର ଏକ କୌଶଳାତ୍ମକ ରଣନୀତି।
ଏଭଳି ପରିସ୍ଥିତିରେ ରାହୁଲଙ୍କ ଯୁବ ନେତୃତ୍ବରେ ଶତାଧିକ ବର୍ଷର ପୁରୁଣା କଂଗ୍ରେସ ସଂଗଠନ ପୁନର୍ଗଠନ ଓ ପୁନରୁତ୍‌ଥାନ ପାଇଁ ସଜବାଜ ହେଉଛି। ଦଳର ନେତୃତ୍ବ ନେବାପାଇଁ କଂଗ୍ରେସରେ ଯୋଗ୍ୟବ୍ୟକ୍ତିଙ୍କର ଅଭାବ ନଥିଲେ ମଧ୍ୟ ଏକ ପାରମ୍ପରିକ ବ୍ୟବସ୍ଥାଭାବେ ଗାନ୍ଧୀ ପରିବାରର ଜଣେ ଦାୟାଦଙ୍କ ଉପରେ ନେତୃତ୍ବ ଥାପନା କରାଯାଇ ଆସୁଛି। ସେହି ପରମ୍ପରାର ଉତ୍ତରାଧିକାର ଏବେ ରାହୁଲଙ୍କୁ ମିଳିଛି। କଂଗ୍ରେସର ଆଉ ଏକ ବଡ଼ ବିଶେଷତ୍ବ ହେଲା ଏହା ନେତୃତ୍ବ ପଛରେ ନିର୍ବିବାଦରେ ଏକ ହୋଇ ଛିଡ଼ାହୁଏ ଏବଂ ଗ୍ଳାନି ଓ ବିରୋଧକୁ ଚାପିରଖି ମିଳିତ ଭାବେ ଲଢ଼େ। ବୋଧହୁଏ ସେମାନେ ଧରି ନେଇଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାରର ଦାୟାଦଙ୍କ ନେତୃତ୍ବ ବିନା କଂଗ୍ରେସର ପରିଚୟ ନାହିଁ।
ତେବେ ସେ ଯା’ହେଉ ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକରେ ନୂଆସଭାପତି ଦଳକୁ ପୁନର୍ବାର କ୍ଷମତାକୁ ଆଣିବାପାଇଁ ପାଗ ବାନ୍ଧିବାସହ ତାଙ୍କ ରାଜନୀତି ଚୂଡ଼ାନ୍ତ କରିଛନ୍ତି। ନିର୍ବାଚନ ରଣନୀତି ନିର୍ଦ୍ଧାରଣ ଓ ଜାତୀୟ ସ୍ତରରେ ମେଣ୍ଟଗଠନ ପାଇଁ କାର୍ଯ୍ୟକାରିଣୀ ଦଳ ସଭାପତିଙ୍କୁ ନିରଙ୍କୁଶ କ୍ଷମତା ଓ ସ୍ବାଧୀନତା ପ୍ରଦାନ କରିଛି। ରାହୁଲ ଗାନ୍ଧୀ, ନରେନ୍ଦ୍ର ମୋଦୀଙ୍କ ପରି ରାଜନୀତିରେ ପରିପକ୍ବ ଏବଂ ବିଚକ୍ଷଣ ନୁହନ୍ତି। ସେ ରାଜନୀତିରେ ନବାଗତ ନ’ହେଲେ ମଧ୍ୟ ନେତୃତ୍ବ ନେବାରେ ତାଙ୍କ ଅନୁଭବର ଅଭାବ ଓ ସାମୟିକ ଯୁବସୁଲଭ ଉଦ୍ଦାମତା ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ଏହା ସତ୍ତ୍ବେ ତାଙ୍କୁ ଉଚିତ ପରାମର୍ଶ ଦେବାକୁ ଦଳରେ ଦକ୍ଷ ଓ ଅନୁଭବୀ ନେତା ତଥା ରାଜନୀତି ବିଶାରଦଙ୍କ ଅଭାବ ନାହିଁ। ସେମାନଙ୍କ ପରାମର୍ଶକୁ ଗ୍ରହଣକଲେ ରାହୁଲ ଦଳ ଏବଂ ସଂଗଠନକୁ ଠିକଣା ବାଟରେ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେବେନାହିଁ। ସେଥିପାଇଁ ରାହୁଲଙ୍କୁ ପ୍ରଥମେ ନିଜକୁ ଯୋଗ୍ୟ କରିବାକୁ ହେବ। ତେବେଯାଇ ସେ ମୋଦୀଙ୍କ ବିକଳ୍ପ ହୋଇପାରିବେ।
୨୦୧୯ ସାଧାରଣ ନିର୍ବାଚନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ପ୍ରଥମତଃ ଭୋଟର ଏଥିରେ ମୋଦୀ ସରକାରର କାମ ଓ ସଫଳତାକୁ ପରଖି ଜନାଦେଶ ଦେବେ। ଦ୍ବିତୀୟରେ ସରକାର କିଞ୍ଚିତ ଶାସନବିରୋଧୀ ଜନମତର ସମ୍ମୁଖୀନ ହେବ। ତାହାର ଫାଇଦା କଂଗ୍ରେସ କେତେ ଉଠାଇବ ତାହା ଦଳର ନୂଆ ନେତାଙ୍କ ନେତୃତ୍ବ ଓ ଦକ୍ଷତା ଉପରେ ନିର୍ଭର କରେ। ଏ​‌େ​‌ବ ବିପର୍ଯ୍ୟସ୍ତ ସ୍ଥିତିରେ ଥିବା ବିରୋଧୀ ପକ୍ଷ ମୋଦୀଙ୍କୁ ହଟାଇବା ପାଇଁ ବିକଳ୍ପ ମେଣ୍ଟ ତଲାସରେ ରହିଛି। ସେଥିରେ ଅସୁବିଧାଟି ହେଲା ବିରୋଧୀଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସର ଅଭାବ। ନିକଟରେ ହୋଇଥିବା ଅନାସ୍ଥା ଭୋଟରୁ ଏହା ପ୍ରମାଣିତ। ଏଭଳି ସ୍ଥିତିରେ ରାହୁଲ କେତେ ମିତ୍ରଙ୍କୁ ନିଜ ପାଖକୁ ଆଣି ମେଣ୍ଟଗଠନ କରି ସଫଳ ହେବେ ତାହା ଉପରେ ସମସ୍ତଙ୍କର ନଜର ରହିବ।

Leave A Reply