ରାଜ୍ୟବ୍ୟାପୀ ପ୍ରବଳ ବର୍ଷା

0
ପୁରୀରେ ସର୍ବାଧିକ ୩୯୪ମିମି 

ଭୁବନେଶ୍ୱର :  ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାତି ତମାମ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିବାରୁ ସହରାଞ୍ଚଳରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକ ନାହିଁ ନଥିବା ଦୁର୍ଦଶା ଭୋଗିଛନ୍ତି। ବିଶେଷ କରି ଭୁବନେଶ୍ୱର, ପୁରୀ ଓ କଟକରେ ଲୋକେ ଲଗାଣ ବର୍ଷାରେ ଖୁବ୍‍ ହଟହଟା ହୋଇଛନ୍ତି। ରାଜ୍ୟର ୨୪ଟି ପାଣିପାଗ କେନ୍ଦ୍ର ରିପୋର୍ଟ ଆଧାରରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ ପୁରୀରେ ସର୍ବାଧିକ ୩୯୪ମିମି ବର୍ଷା ରେକର୍ଡ଼ କରାଯାଇଛି। ତା’ପଛକୁ ଭୁବନେଶ୍ୱରରେ ୧୭୩ମିମି ବର୍ଷିଥିବାବେଳେ ପାରାଦ୍ୱୀପରେ ୧୨୭ମିମି ବର୍ଷା ହୋଇଛି। ହୀରାକୁଦରେ ଗତକାଲି ୮୧ମିମି ବର୍ଷା ହୋଇଥିବାବେଳେ ଆଜି ୮୯ମିମି ବର୍ଷିଛି। ଅନୁଗୋଳରେ ୭୫, ସମ୍ବଲପୁରରେ ୬୪, କଟକରେ ୬୧, ଦାରିଙ୍ଗବାଡ଼ିରେ ୫୮ ମିମି ବର୍ଷା ହୋଇଛି ଆଜି ସନ୍ଧ୍ୟା ସୁଦ୍ଧା ଝାରସୁଗୁଡ଼ାରେ ୬୩, ଚାନ୍ଦବାଲି ଓ ମାଲକାନଗିରିରେ ୫୨ ମିମି ବର୍ଷା ରେକର୍ଡ଼ ହୋଇଛି।
ରାଜ୍ୟରେ ହାରାହାରି ୩୪.୨ମିମି ବର୍ଷା ହୋଇଥିବା ବେଳେ ୬ଟି ଜିଲାରେ ହାରାହାରି ୫୦ମିମିରୁ ଅଧିକ ବର୍ଷା ହୋଇଛି। ପୁରୀ ଜିଲାରେ ହାରାହାରି ୧୩୪.୯ ମିମି ବର୍ଷିଥିବାବେଳେ କଟକରେ ୭୭.୪, ଜଗତସିଂହପୁରରେ ୬୮.୪, କେନ୍ଦ୍ରାପଡ଼ାରେ ୬୩ ଓ ନୟାଗଡ଼ରେ
୬୦ମିମି ବର୍ଷା ହୋଇଛି।
ବ୍ଲକୱାରି ପାଣିପାଗ ତଥ୍ୟରୁ ଜଣାପଡ଼ିଛି ଯେ ପୁରୀ ବ୍ଲକରେ ଏହି ସମୟରେ ସର୍ବାଧିକ ୩୦୫ମିମି ବର୍ଷା ହୋଇଛି। ୧୧ଟି ବ୍ଳକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି। ସତ୍ୟବାଦୀ ବ୍ଲକରେ ୧୮୫, ବ୍ରହ୍ମଗିରିରେ ୧୭୬, ପିପିଲିରେ ୧୬୦, ବାଲିଅନ୍ତାରେ ୧୫୯,ବାଙ୍କି-ଡ଼ମପଡ଼ାରେ ୧୪୫, ଭୁବନେଶ୍ୱର ବ୍ଳକରେ ୧୪୧, ବୋଲଗଡ଼ରେ ୧୩୦, ନିଆଳିରେ ୧୨୪, କଣାସରେ ୧୦୯ ଓ ପୁରୀ ଜିଲା କାକଟପୁର ବ୍ଲକରେ ୧୦୨ମିମି ବର୍ଷା ରେକର୍ଡ଼ କରାଯାଇଛି। ଗତକାଲି ତୁଳନାରେ ଆଜି ଦିନରେ ବର୍ଷାର ପ୍ରଭାବ ସାମାନ୍ୟ କମିଛି।
ଏଥିସହିତ ଜୁନ ପହିଲାରୁ ଅଗଷ୍ଟ ୭ ମଧ୍ୟରେ ରାଜ୍ୟରେ ବୃଷ୍ଟିପାତ ହାର ସ୍ୱାଭାବିକଠାରୁ ୫ପ୍ରତିଶତ ଅଧିକ ହୋଇଛି। ୮ଟି ଜିଲାରେ ୧୯ପ୍ରତିଶତରୁ ଅଧିକ ହୋଇଥିବାବେଳେ ୧୬ଟି ବ୍ଲକରେ ସ୍ୱାଭାବିକ ଏବଂ ୬ଟି ଜିଲା ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁର, ବଲାଙ୍ଗିର ଓ ନୂଆପଡ଼ାରେ ୨୦ରୁ ୩୫ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଛି।
ବ୍ଲକୱାରୀ ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟର ୯୪ଟି ବ୍ଳକରେ ୧୯ପ୍ରତିଶତରୁ ଅଧିକ ବର୍ଷା ହୋଇଥିବାବେଳେ ୧୬୧ଟି ବ୍ଳକରେ ସ୍ୱାଭାବିକ ଓ ୪୩ଟି ବ୍ଲକରେ ନିଅଣ୍ଟ ବର୍ଷା ହୋଇଛି। ୧୫ଟି ବ୍ଳକରେ ଅତି ନିଅଣ୍ଟ(୩୯ରୁ ୫୯ପ୍ରତିଶତ ପର୍ଯ୍ୟନ୍ତ କମ୍‍) ବର୍ଷା ହୋଇଥିବାବେଳେ ବଲାଙ୍ଗିର ଜିଲାର ମୁରିବାହାଲ ବ୍ଳକରେ ସବୁଠୁ କମ୍‍ (୬୦ପ୍ରତିଶତ କମ୍‍) ବର୍ଷା ହୋଇଛି।
ଲଘୁଚାପଜନିତ ବର୍ଷା ସତ୍ତେ୍ୱ ରାଜ୍ୟର ସମସ୍ତ ନଦୀର ଜଳସ୍ତର ବିପଦସଙ୍କେତ ତଳେ ରହିଛି ଏବଂ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ଡେପୁଟୀ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି। ତେବେ ସମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବାକୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖାରେ ଜଳସ୍ତର ଜାମଶୋଳାଘାଟଠାରେ ବିପଦସଙ୍କେତଠାରୁ ଉପରେ ଥିବାବେଳେ ଏଠାରେ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ମିଳିଛି।

Leave A Reply