ରାଜନୀତିର ପଶାପାଲିରେ ‘ଗଙ୍ଗାର ବ୍ୟଥା’

ସତ୍ୟାଗ୍ରହ ଆତ୍ମହତ୍ୟା ନୁହେଁ

ଭାରତୀୟଙ୍କ ଧର୍ମଭାବନା ଓ ସାମାଜିକ-ଅର୍ଥନୈତିକ ବିକାଶର ପୃଷ୍ଠଭୂମିରେ ଗଙ୍ଗା ନଦୀ ଆବହମାନ କାଳରୁ ମାନବ ସମାଜର ଚିନ୍ତା, ଚେତନା ଓ କର୍ମସଂସ୍କୃତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି। ନିର୍ମଳ ଓ ପବିତ୍ରତାର ପ୍ରତୀକ ଭାବେ ବିଦିତ ଗଙ୍ଗାର ପ୍ରବାହ କିନ୍ତୁ ବିକାଶର ଧାରା ଆଗରେ କ୍ରମଶଃ ମଳିନ ପଡ଼ିଯାଇଛି। ବିକାଶ ଓ ପ୍ରଦୂଷଣରୁ ଆରମ୍ଭ ହୋଇଛି ବିବାଦ ଏବଂ ବିବାଦରୁ ଜନ୍ମ ନେଇଛି ରାଜନୀତି। ଗଙ୍ଗାକୁ ପ୍ରଦୂଷଣମୁକ୍ତ ଓ ଚିରସ୍ରୋତା କରିବା ପାଇଁ ଅତୀତରେ ଉଠିଥିବା ସ୍ୱର ପରବର୍ତ୍ତୀ ସମୟରେ ଜନଆନ୍ଦୋଳନ ଓ ଅଭିଯାନର ରୂପେ ନେଇଛି, କିନ୍ତୁ ରାଜନୀତିର ପଶାପାଲିରେ ସେ ସବୁ କ୍ରମେ ଶିଥିଳ ହୋଇଯାଇଛି। ଏପରିକି ଗଙ୍ଗା ନଦୀର ପୁନରୁଦ୍ଧାର(ଅବିରଳ ଗଙ୍ଗା) ପାଇଁ ଦୀର୍ଘ ୧୧୧ ଦିନ ଧରି ଅନଶନ ପରେ ୨୦୧୮, ଅକ୍ଟୋବର ୧୧ ତାରିଖରେ ପ୍ରାଣତ୍ୟାଗ କରିଥିବା ସ୍ୱାମୀ ସନନ୍ଦ ରୂପେ ପରିଚିତ ବିଶିଷ୍ଟ ପରିବେଶ ବିଜ୍ଞାନୀ ପ୍ରଫେସର ଜି ଡି ଅଗ୍ରୱାଲ୍‍ଙ୍କ ମହାନ ଆତ୍ମୋତ୍ସର୍ଗ ମଧ୍ୟ ରାଜନୀତିର ରଙ୍ଗରେ ରଙ୍ଗିନ ହୋଇଯାଇଛି। ପରବର୍ତ୍ତୀ ସମୟରେ ସ୍ୱାମୀ ସନନ୍ଦଙ୍କ ଅନୁଗାମୀଙ୍କ କାର୍ୟ୍ୟଧାରା ରାଜନୀତିର ପ୍ରବାହରେ ଭାସି ଯାଇଛି।
‘ଗଙ୍ଗାର ବ୍ୟଥା’ ରୂପେ କଥିତ ‘ପ୍ରଦୂଷଣ’ରୁ ଗଙ୍ଗାକୁ ମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ଧରି ମତ, ମନ୍ତବ୍ୟ ଓ ଉଦ୍‍ବେଗ ପ୍ରକାଶ ପାଇ ଆସିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏବଂ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା(ନମାମି ଗଙ୍ଗେ) ପାଇଁ ଉଦ୍ୟମ ଆରମ୍ଭ କରିବା ପରେ ଏ ଦିଗରେ କିଛିଟା ଆଶା ସଞ୍ଚାର ହୋଇଥିଲା। ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ ସହିତ ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଥିଲା। ପ୍ରାୟ ୬ ବର୍ଷ ପରେ ଆଜିର ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ କେତେ ସଫଳ ହୋଇଛି ତାହା ଅବଶ୍ୟ ଏକ ପ୍ରଶ୍ନବାଚୀ।
ଗତ ମାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଙ୍ଗା ନଦୀ ସମସ୍ୟା ସମ୍ପର୍କରେ ପତ୍ର ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାପୂର୍ବରୁ ମଧ୍ୟ ଗଙ୍ଗା ନଦୀ ସମସ୍ୟାର ସମାଧାନ ପାଇଁ ନୀତୀଶ କୁମାର ଅନେକବାର ପ୍ରୟାସ କରିଛନ୍ତି ଏବଂ ସ୍ୱାମୀ ସନନ୍ଦଙ୍କୁ ଆମନ୍ତ୍ରଣ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ଏହା ଅବଶ୍ୟ ଭିନ୍ନ ପ୍ରସଙ୍ଗ ଯେ ନୀତୀଶ କୁମାରଙ୍କ ଉଦ୍‍ବେଗ ଗଙ୍ଗାର ଆବିଳତା ପାଇଁ ଯେତିକି ନୁହେଁ, ତ୍ରିକୋଣ ଭୂମି ଅଞ୍ଚଳରେ ବନ୍ୟା ସମସ୍ୟା ତା’ଠାରୁ ଅଧିକ। ବନ୍ୟାଜନିତ ଶହଶହ କୋଟି ଟଙ୍କାର କ୍ଷୟକ୍ଷତିକୁ ରୋକିବା ପାଇଁ ରାଜ୍ୟ ଓ ଜାତୀୟସ୍ତରର ଅନେକ ବିଶେଷଜ୍ଞ ଓ ସାମାଜିକ କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି। ତେଣୁ ନୀତୀଶ କୁମାରଙ୍କ ସଦ୍ୟତମ ପ୍ରତିକ୍ରିୟା ଉପରୋକ୍ତ ସମସ୍ୟା ସଂକ୍ରାନ୍ତ ଉଦ୍‍ବେଗର ଏକ ଅଂଶବିଶେଷ ବୋଲି କହିବାକୁ ହେବ।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସାଧ୍ୱୀ ପଦ୍ମାବତୀ ସାମିଲ୍‍ ହେବା ପରେ ଏହି ପ୍ରସଙ୍ଗ ଓ ବିବାଦ ପୁଣି ଥରେ ସତେଜ ହୋଇଛି ଏବଂ ରାଜନୀତିର ଗନ୍ଧ ଆସିଛି। ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଆମରଣ ଅନଶନ ଆରମ୍ଭ କରିବା ପରେ ବିହାର ସରକାର ସାଧ୍ୱୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୯ ଆଧାରରେ ମାମଲା ରୁଜୁ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭଗତ ସିଂହ, ଯତୀନ ଦାସ୍‍ ପ୍ରମୁଖ ବିପ୍ଲବୀମାନେ ଜେଲ୍‍ ଭିତରେ ଅନଶନ କରିବା ସମୟରେ ସେମାନଙ୍କ ବିରୋଧରେ ବ୍ରିଟିଶ୍‍ ସରକାର ମଧ୍ୟ ସମାନ ଦଫା ଲାଗୁ କରିଥିଲେ। ବିଡ଼ମ୍ବନାର ବିଷୟ ହେଉଛି ସେହି ରୂଢ଼ିବାଦୀ ଔପନିବେଶିକ ଶାସନର ମାନସିକତାରୁ ସ୍ୱାଧୀନୋତ୍ତର ଭାରତ ମଧ୍ୟ ମୁକ୍ତ ହୋଇପାରିନାହିଁ। ସାଧ୍ୱୀ ପଦ୍ମାବତୀ ଆମରଣ ଅନଶନ ଆରମ୍ଭ କରିବାର ୬ ସପ୍ତାହ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ ଡୁନ୍‍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ଆଉ ଜଣେ ସାଥୀ ଅନଶନ ଆରମ୍ଭ କରିଥିଲେ। କେବଳ ସନନ୍ଦ କିମ୍ବା ସାଧ୍ୱୀ ନୁହନ୍ତି, ଦୀର୍ଘ ଦୁଇ ଦଶନ୍ଧି ଧରି ଆଶ୍ରମର ଅନ୍ତେବାସୀମାନେ ଗଙ୍ଗାର ବ୍ୟଥା ପ୍ରଶମନ(ଗଙ୍ଗାକୁ ପ୍ରଦୂଷଣମୁକ୍ତ ଓ ବିଦ୍ୟୁତ ପ୍ରକଳ୍ପ ନିର୍ମାଣରୁ ମୁକ୍ତ) କରିବାକୁ ଅନଶନ କରି ଆସୁଛନ୍ତି। ପରିତାପର ବିଷୟ ହେଉଛି, ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରାଯାଇ ପାରୁନାହିଁ। ଅବଶ୍ୟ ବ୍ରିଟିଶ ମାନସିକତା ପରିହାର କରିବା ପାଇଁ ବିହାର ପୁଲିସ୍‍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ନାଲନ୍ଦା ସାଂସଦଙ୍କ ସମେତ ଏକାଧିକ ଜେଡିୟୁ ନେତା ସାଧ୍ୱୀଙ୍କୁ ଭେଟି ଆଲୋଚନା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧ୍ୱୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିଶେଷ ସୁଫଳ ମିଳିନି। ଅଧିକନ୍ତୁ ଗତାନୁଗତିକ ଭାବେ ସାଧ୍ୱୀ ରାଜନୀତିକୁ ଆସିବା ଲକ୍ଷ୍ୟରେ ଏଭଳି କରିଥିବା ଅଭିଯୋଗ ଆସୁଛି।
ଗୋଟିଏ ପଟେ ଜୀବନ ଓ ଅନ୍ୟ ପଟେ ଗଙ୍ଗାର ଭବିଷ୍ୟତ – ଏଭଳି ଦୁଇଟି ଦ୍ୱନ୍ଦ୍ୱ ମଧ୍ୟରେ ବିହାର ପ୍ରଶାସନ ଛିଡ଼ା ହୋଇଛି। ଆବର୍ଜନା ଓ ବର୍ଜ୍ୟଜନିତ ପ୍ରଦୂଷଣରୁ ଏହି ରାଜନୈତିକ ପ୍ରଦୂଷଣ ଯେ ଗଙ୍ଗାର ବ୍ୟଥାକୁ ଆହୁରି ତୀବ୍ର କରୁଥିବ, ଏଥିରେ ଦ୍ୱିରୁକ୍ତି ନାହିଁ। ଯଦି ଏ ଦିଗରେ ରାଜନେତାମାନେ ତ୍ୱରିତ ନିଷ୍ପତ୍ତି ନ ନିଅନ୍ତି ଏବଂ ଗତାନୁଗତିକ ମାନସିକତା ପରିହାର ନ କରନ୍ତି ତେବେ ଗଙ୍ଗାର ସୁରକ୍ଷା ପାଇଁ ପ୍ରକୃତି ହସ୍ତକ୍ଷେପ କରିବା ସୁନିଶ୍ଚିତ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଏହାର ମୂଲ୍ୟ ମାନବ ସମାଜକୁ ହିଁ ଦେବାକୁ ପଡ଼ିବ। (ସମ୍ପାଦିତ ଅଂଶ)
                                                                                                                             କୌଶଲ କିଶୋର

Comments
Loading...