ମୃତ୍ୟୁର ଅନ୍ତିମ ଶିଖର

ଏବେ ଚାଲିଥିବା ଏଭରେଷ୍ଟ ଆରୋହଣ ଋତୁ ସବୁଠୁ ଭୟାନକ ସାବ୍ୟସ୍ତ ହୋଇଛି। ଏଯାଏ ବିଶ୍ବର ଏହି ସର୍ବୋଚ୍ଚ ଗିରିଶୃଙ୍ଗରେ ୧୦ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଲାଣି। ଏହାଛଡ଼ା ଆରୋହଣ ଓ ଅବତରଣ ଅଭିଯାନରେ ଆମ ଓଡ଼ିଶାର କଳ୍ପନା ଦାସଙ୍କ ସହ ଅନେକ ପ୍ରାଣ ହରାଇଛନ୍ତି। ଆହତ ଓ ଅସୁସ୍ଥଙ୍କ ପ୍ରକୃତ ସଂଖ୍ୟା ଆକଳନ କରାଯାଇପାରିନାହିଁ। ହିମାଳୟ ପର୍ଯ୍ୟଟନ ବିଶେଷକରି ଏଭରେଷ୍ଟ ଆରୋହଣ ନେପାଳ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ବାରା ନିୟନ୍ତ୍ରିତ। ପର୍ବତାରୋହଣଜନିତ ‘ଡଲାର’ ପାଇବା ଲୋଭରେ ନେପାଳର ପର୍ଯ୍ୟଟନ ମନ୍ତ୍ରଣାଳୟ ନିରାପତ୍ତା ଏବଂ ସୁରକ୍ଷା ପ୍ରତି ଆଖିବୁଜି ଦେବା ଦୁର୍ଭାଗ୍ୟଜନକ। ପର୍ବତାରୋହୀଙ୍କ ଅଭିଯୋଗ ହେଲା ଏଭରେଷ୍ଟ ଅଭିଯାନ ପାଇଁ ଆବଶ୍ୟକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ନାହିଁ। ଡଲାର ଲୋଭରେ ମନଇଚ୍ଛା ପର୍‌ମିଟ ଦିଆଯାଉଛି। ଅଭିଯାତ୍ରୀଙ୍କ ପାଇଁ ନିୟନ୍ତ୍ରଣ, କଟକଣା, ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବ୍ୟାପକ ଦୁର୍ନୀତି ଓ ବିଶୃଙ୍ଖଳା ପରିଲକ୍ଷିତ ହେଉଛି।
ଆମେରିକାର ଆରିଜୋଆନାର ଜଣେ ଡାକ୍ତର ଏଡ୍‌ ଡୋରିଂ ଏଭରେଷ୍ଟ ଶୃଙ୍ଖ ଆରୋହଣ କରି ଫେରିବା ପରେ ଦେଇଥିବା ବିବୃତି ବାସ୍ତବିକ ଉଦ୍‌ବେଗଜନକ। ଡୋରିଂ କହନ୍ତି ଯେ, ଏଭରେଷ୍ଟ ଶିଖରର କ୍ଷେତ୍ରଫଳ ପ୍ରାୟ ୧୮୦ ବର୍ଗଫୁଟ। ସେଠାରେ ଏକସଙ୍ଗରେ ୧୫ରୁ ୨୦ ଅଭିଯାତ୍ରୀ ପହଞ୍ଚି ନିଜନିଜ ଦେଶର ପତାକା ମାରିବା ଓ ସେଲ୍‌ଫି ନେବାକୁ ପ୍ରତିଯୋଗିତା କରୁଥିବାବେଳେ ଅନେକଙ୍କ ଶିଖରର ସ୍ବଳ୍ପ ଦୂରରେ ବିପଜ୍ଜନକ ଅବସ୍ଥାରେ ବରଫ ଝଡ଼ରେ ତୀକ୍ଷ ହିମଖଣ୍ଡ ଉପରେ ଅପେକ୍ଷା କରିବାକୁ ପଡୁଛି। ଏପରିକି ଏହି ଗିରିଶୃଙ୍ଗରେ ପଡ଼ିଥିବା ଅଭିଯାତ୍ରୀଙ୍କ ମୃତଦେହର ଅପସାରଣ ମଧ୍ୟ ହେଉନାହିଁ। ଅମ୍ଳଯାନ, ଅଭିଜ୍ଞ ଶେରପା ଓ ସୁରକ୍ଷାର ଘୋର ଅଭାବ ମଧ୍ୟରେ ଏଭରେଷ୍ଟ ଶୃଙ୍ଗ ପାଗଳ ପର୍ବତାରୋହୀଙ୍କ ଏକ ଚିଡ଼ିଆଖାନା ପାଲଟିଛି ବୋଲି ସେ କହିଛନ୍ତି। ନେପାଳ ସରକାର ଏହି ଅବ୍ୟବସ୍ଥା ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ। ଆନ୍ତର୍ଜାତିକ ପର୍ବତାରୋହୀ ସଂଗଠନ ମଧ୍ୟ ଏନେଇ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି। ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରିବାର ଅଭିଳାଷ, ସିଦ୍ଧାନ୍ତ ଓ ଆନନ୍ଦ ନିଶ୍ଚିତ ନିଆରା; କିନ୍ତୁ ଏହା ମୃତ୍ୟୁର ଅନ୍ତିମ ଶିଖର ନ’ହେଉ। ଏହି ଅଭିଯାନରେ ପ୍ରତିବର୍ଷ ଅନେକ ଓଡ଼ିଆଙ୍କ ସହ ବହୁ ଭାରତୀୟ ସାମିଲ ହେଉଥିବାରୁ ଭାରତ ସରକାର ସୁରକ୍ଷା ସମ୍ପର୍କରେ ନେପାଳ ପ୍ରତିପକ୍ଷଙ୍କୁ ଅବଗତ କରାନ୍ତୁ।

Comments
Loading...