‘‘ମି ଠୁ ମହାମାରୀ’’

0

‘‘ଦେବ ଦିଆଇବ, ଦେ’ ପଦ ଲଭିବ। ଦେଇଥିଲେ ପାଇ, ପଡ଼ିଆ ଜମିରେ ଗୋଧନ ଚରାଇ,’’ ୟେ ମାସିକ ବା ସାପ୍ତାହିକ ସାହିତ୍ୟ ଆସରରେ ପାଠ ପାଇଁ ଗଳଦ୍‌ଘର୍ମ କୋଉ କବିଙ୍କ କବିତା ନୁହଁ। ଏ ଦେଶ ଜନତାଠି ତୁହାଇ ତୁହାଇ ଭେଦେଇବାକୁ, ତା’ ଜୀବନକୁ ସଂସ୍କୃତିସମ୍ପନ୍ନ, ମୋକ୍ଷମାର୍ଗୀ ଓ ତୃପ୍ତିମୟ କରିବାକୁ ଗଁା ଦାଣ୍ଡରେ ଚକୁଳିଆ ପଣ୍ଡାଙ୍କ ଏକ ମନ୍ତ୍ରମୟ ଆହ୍ବାନ। ଏକୁ ‘ପଶ୍ଚିମା’ ବୁଝିବେ କୁଆଡୁ? ସେ ଭାବ ସେଠି ଝରିବ କେମିତି? ଆଉ ଗଁାର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ମିଣିପି ଓଗେରେ, ଏଙ୍କୁ ଭିକ୍ଷା ଯେମିତି ଦିଅନ୍ତି, ତାଙ୍କୁ ସମ୍ମାନ କରନ୍ତି, ପୁଲକିତ ହୋଇଯାଆନ୍ତି, ତା’ର ଉଦାହରଣ ଆଉ କୋଉଠି ଅଛି କହ ତ? ପଶ୍ଚିମା ପଣ୍ଡିତେ କହିଲେ, ‘‘ଆମେ କାଳିଦାସଙ୍କ ‘‘ଅଭିଜ୍ଞାନ ଶାକୁନ୍ତଳମ୍‌’’ ନାଟକ ଦେଖିବୁ’’। ଖାଲି ଭାଷା ବୁଝିଲେ କି ଭାବ ଆସଇ? ଶକୁନ୍ତଳାଙ୍କ ଶାଶୂଘର ବିଦାୟ ପର୍ବ ପ୍ରଦର୍ଶନରେ କଣ୍ବମୁନିଙ୍କଠାରୁ ବିଦାୟ ନେବା ବେଳେ ଶକୁନ୍ତଳା ଭୋ ଭୋ କାନ୍ଦିଲେ। ନିର୍ବିକାର କଣ୍ବମୁନିଙ୍କ ଆଖିରେ ଲୁହ କୁଆଡୁ ଧସେଇ ପଶିଲେ। ବଡ ଅପ୍ରସ୍ତୁତ ସେ ହୋଇଗଲେ। ବାଆଜିଟେ ପାଳିତା କନ୍ୟା ଶାଶୂଘରକୁ ଯିବାରେ ସେ ଏମିତି ହଲଚଲ କେମିତି ହୋଇଗଲେ? ସାଧନା ସବୁ ପାଣି ଫାଟିଗଲା ନା କ’ଣ? କବି ବିଚ୍ଛନ୍ଦ ଚରଣ ଲେଖିଛନ୍ତି, ‘‘ନିର୍ବିକାର କଣ୍ବମୁନି ବିକାରକୁ ଭଜି, ବିଳାପେ କରନ୍ତି ଶୋକ ଲୋତକ ବରଜି, ଗୃହୀଜନ ସୁଲଭ ଏ ଶୋକାବେଗ ପୁଣି, ଲକ୍ଷି ହେଉଛନ୍ତି ମୁନି, ଚିତ୍ତ ମଧ୍ୟେ ଗୁଣି, ବନବାସୀ ତାପସ ମୁଁ ମାୟା ମୋ ଏସନ, କନ୍ୟା ତେଜି ନୋହୁଥିବେ କିସ ଗୃହୀଜନ!’’ ଏ କନ୍ଦାକଟାକୁ କିନ୍ତୁ ପଶ୍ଚିମା ପଣ୍ଡିତେ, ଦର୍ଶକେ ବୁଝିପାରିଲେନି। ବିଭା ସରିଲା ‘ହନିମୁନ୍’ ପାଳି ଆସିଲା। ସ୍ବାମୀ ସହ ହାତକୁ ହାତ ଛନ୍ଦାଛନ୍ଦି ହୋଇ ​‌େ​‌ସମାନେ ଖୁରୁଙ୍ଗ ପିଲା କୁଦା ମାରିଲା ଭଳି କୁଆଡ଼କୁ ଗୋଟେ ଖେପି ଯାଆନ୍ତି। ଖିଲିଖିଲି ହସ, ଖଟା ଦେଖି ଲାଳ ବୋହିଲା ପରି ଓଠରୁ ଝରି ପଡ଼ୁଥାଏ, ମାତ୍ର ଲୁହ କ’ଣ ଏଠି? ଖେଞ୍ଚିଲେ ପାଖରେ ବସିଥିବା ଭାରତୀୟ ଜଣେ ଦର୍ଶକକୁ, ଏ ଝିଅଟା କାନ୍ଦିଲା କିଅଁା? ତା’ ଆଖିରେ ବି ଆଖିଏ ଲୁହ, ବିରକ୍ତ ହୋଇଗଲା ସେ। କହିଲା, ‘‘ଆରେ ଭାରତୀୟ ସଂସ୍କୃତି ଓ ତମ ସଂସ୍କୃତି ମଧ୍ୟରେ ତା’ ହିଁ ତଫାତ୍‌। ତମ ଝିଅ ବିଦା ହେବାବେଳେ ଖୁରୁଙ୍ଗ ଡିଆଁ ମାରେ ତ, ଆମ ଝିଅର କଲିଜା ଛିଡ଼ିପଡ଼େ’’ ଇତ୍ୟାଦି। ସତରେ ଭାଷା, ଭାବ ଚଳନି ତ ତାଙ୍କଠୁ କାହିଁ କେତେ ଫରକ୍‌! ଗୋ​‌େ​‌ଟ କର୍ଣ୍ଣ, ଗୋଟେ ଶିବିରାଜା, ଗୋଟେ ରାଜା ହରିଶ୍ଚନ୍ଦ୍ର କାଇଁ ତାଙ୍କ ପୁରାଣରେ, ଗପରେ? ‘‘ଦେବାର’’ ଭାବରେ ତଲ୍ଲୀନ ଏ ଦେଶର ସଂସ୍କାର କାଇଁ ଆଉ ​‌େ​‌କାଉଠି? ଅନସୂୟାଙ୍କ କଥା ଦେଖୁନା! ସୁନ୍ଦରୀ ଯେମିତି, ପତିବ୍ରତା, ସତୀ ବି ସେମିତି, ତାଙ୍କ ଉତ୍ସର୍ଗୀକୃତ ସ୍ବାମୀପ୍ରାଣା ଜୀବନାଦର୍ଶ ସ୍ବର୍ଗକୁ ବି କମ୍ପେଇଲା। ଈର୍ଷା ଓ କୌତୂହଳ ଜାତ ହେଲା ଦେବତାଙ୍କଠି ବି। ବ୍ରହ୍ମା, ବିଷ୍ଣୁ, ମହେଶ୍ବର ବି ପ୍ରଲୁବ୍ଧ ହୋଇଗଲେ ଏ କୌତୂହଳତାରେ। ତିନିହେଁ ବ୍ରାହ୍ମଣ ହୋଇ ତାଙ୍କ ପାଖେ ପହଞ୍ଚି ଗଲେ। ଭିକ୍ଷାର୍ଥୀ ବ୍ରାହ୍ମଣଙ୍କୁ ଦେଖି କୃତକୃତ୍ୟ ଅନସୂୟା ସେମାନଙ୍କୁ ସଭକ୍ତି ଆଗମନର କାରଣ ପଚାରିଲେ। ସେମାନେ କହିଲେ, ଦେବାକୁ ସତ୍ୟ କର ତ କହିବୁ। ବ୍ରାହ୍ମଣଙ୍କୁ ନିରାଶ କରିବେ କେମିତି? ସତ୍ୟ କରି ଦେଲେ। ବ୍ରାହ୍ମଣ ଧର୍ମ, ମର୍ଯ୍ୟାଦାରେ କଳଙ୍କ ଲଗେଇ ସେମାନେ କହିଲେ, ‘‘ତମ ସ୍ତନ୍ୟପାନ ଆମର ଅଭିଳାଷ’’। ଚମକି ପଡ଼ିଲେ ଅନସୂୟା। ଅସହାୟତାରେ ଅସ୍ଥିର ହୋଇପଡ଼ିଲେ। ପ୍ରାର୍ଥନା କଲେ ପ୍ରଭୁଙ୍କୁ, ‘‘ପ୍ରଭୁ ! ଏ ତିନି ବ୍ରାହ୍ମଣଙ୍କୁ ଅଜ୍ଞାନ ଶିଶୁ କରି ଦିଅ’’। ସତୀ, ତ୍ୟାଗୀର ବାକ୍ୟ କି ଅନ୍ୟଥା ହୁଏ? ତିନି ଗୋସେଇଁ ରୂପୀ ତିନି ବ୍ରହ୍ମାଣ୍ଡ ଠାକୁରେ ତିନି ଲଙ୍ଗଳା ଶିଶୁ ହୋଇ ସ୍ତନ୍ୟପାନରେ ପଡ଼ିଗଲେ। କେମିତି ସେଥିରୁ ମୁକ୍ତି ପାଇଲେ, କି ଅପଦସ୍ଥ, ହଟହଟା ହେଲେ ତା’ ଆଉ ଏକ ପ୍ରସଙ୍ଗ। ଏଠି ‘ଦେବାର’ ଭାବ ପ୍ରସଙ୍ଗରେ ଏତକ କୁହାଗଲା। ଦେଲେ, ପାଇବ। ଏ ‘ଦେବା’ ଯଦି ସର୍ତ୍ତାଧୀନ ହୋଇଗଲା, ତା ଦାନ ନୁହଁ ବେପାର ବନିଗଲା। ଉତ୍ସର୍ଗୀକୃତ ନିଃସ୍ବାର୍ଥ ଭାବ ନ ଥିଲେ, ତା’ ‘ଦାନ’ର ଧାର ଧାରିବନି। କବିବର ତ ସେଇଥିପାଇଁ ଲେଖିଲେ, ‘‘ଗ୍ରାସେ ଅନ୍ନଦେଇ ଭୋକୀକି କେବଳ। ଶୋଷୀକି ମନ୍ଦାଏ ମାତ୍ର ଦେଇ ଜଳ। ତୋହ ପରେ ତହିଁ ବସିବେ ଗୌରବେ। ତୋର ମତେ କେତେ ନଗଣ୍ୟ ମାନବେ। ବଡ଼ ଟାଣ, ଭାଇ ଚିତ୍ରଗୁପ୍ତ-ହିଆ। ବିଚକ୍ଷଣ ତା’ର ପାଞ୍ଜିଆ ପଣିଆ।’’ ଆଉ ବି କୁହାଗଲା, ଡାହାଣ ହାତର ଦାନ, ବଁା ହାତ ଜାଣିଲେ, ସେ ଦାନ-ବାଣଟା ଫୁରୁସା ତାଳ ଫୋଟକା କି କୁମ୍ପି ଭଳି ଫୋପଡ଼ା ଯୋଗ୍ୟ କେବଳ। ଆଉ ସ୍ତ୍ରୀ ଲୋକଟିଏକୁ କିଛି ଦେବା ବା ତା’ଠୁ କିଛି ନେବା ସବୁଠୁ ବଳି ଦୁରୂହ ଓ ସ୍ପର୍ଶକାତର କଥା। ଏଠୁ ହଜାର ହାତ ଦୂରରେ ରହିବା ନିରାପଦ। ରାଣୀ କୈକେୟୀଙ୍କ ସେବାର ପଟାନ୍ତର ନ ଥିଲା। ବିଗଳିତ ହୋଇଗଲେ ରାଜା ଦଶରଥ। ‘‘କ’ଣ ମାଗିବୁ ମାଗ’’ ବୋଲି ସେ କହିଦେଲେ ସେବିକା ମୁଦ୍ରାର ସେ ଦିନ ରାଣୀଙ୍କୁ। ସେ ତ ନାରୀ। କେତେ ପୁରୁଷଙ୍କୁ ବେଙ୍ଗଳା ପକେଇ​‌ବା ଦକ୍ଷତା ଓ କ୍ଷମତା ଏଙ୍କର ସବୁ ଅଛି। ପାଇବାରଙ୍କ ପଣିଆକୁ ଛପେଇ ଦେଇ, ଏକୁ ବ୍ୟାଙ୍କରେ ଟଙ୍କାକୁ ଏଫ.ଡି. କଲା ଭଳି ଜମା ରଖି ଦେଲେ। ଦରକାର ବେଳେ ତାକୁ କେମିତି ଭଙ୍ଗେଇଲେ ଜଗତ ଦେଖିଲା। ‘‘ରାମ ବଣକୁ ଯିବ, ମୋ ପୁଅ ଭରତ ରାଜା ହେବ’’। ପୁତ୍ର ଶୋକରେ, ପ୍ରିୟତମାର ବିଶ୍ବାସଘାତକତାରେ ମଲେ ସେ। ରାମାୟଣ ସୃଷ୍ଟି ହୋଇଗଲା। ବାହାରେ ଘଟୁଥିଲା ଏ ‘ଦେବା ନେବା’ ତଳେ ଯେ, ସଭିଙ୍କ ଅଲକ୍ଷ୍ୟରେ ଆଉ କେତେ ଶକ୍ତି ସେଠୁ ବିକିରିତ ହୋଇ ଜୀବନ ଧାରାକୁ ହଲଚଲ କରୁଥାନ୍ତି ତା ଏ ‘ନେବା ଦେବା’ ବାଲା ବି ଜାଣି ପାରନ୍ତିନି। ଜାଣିଲା ବେଳକୁ ନେଡ଼ି ଗୁଡ଼ କହୁଣି ଠେଇ ପହଞ୍ଚି ଯାଇଥାଏ। କି ଚାଟି ହେବ ତା’କୁ। ତଳେ ପଡ଼ିବାଟା ସାରା।
ଏବେ ସେମିତି ଘଟଣାସବୁ ଘଟୁଛି। ସବୁ ଦିଆନିଆ ତଳେ ଲୁକ୍‌କାୟିତ ଅସନ୍ତୋଷ ଓ ଶୋଷଣର ଭାବ କାହିଁ କେତେ ବର୍ଷ ପରେ ରୂପ ପରିଗ୍ରହ କରୁଛି। ତମ ଅସନ୍ତୋଷରୁ ତମେ ଜଣକୁ ଘାରିସାରି କରିଲେ, ତା’ ଅସନ୍ତୋଷରୁ ତମେ ବି କେମିତି ଖସିଯିବ? ଏବେ ସେମିତିକା ଗୋଟେ ‘ମି ଠୁ’ (ମୁଁ, ବି) ଦଳିଆ ବାହାରିଛନ୍ତି। ନଇଁନଇଁକା କାକୁଡ଼ି, କଲରା ବା ବାଇଗଣ ତୋଳିବା ବାଲା ଏମାନେ ନୁହନ୍ତି। ବିନା ଆଙ୍କୁଡ଼ିରେ ନଡ଼ିଆ, ତାଳ, ବେଲ ଝଡ଼ାଇ ଦେବା ବାଲା ଏମାନେ। ବଡ଼ ବିଚିତ୍ର, ବଡ ଅଦ୍ଭୁତ। ଶୁଖି ଯାଇଥିବା ଘା’କୁ ପୁଣି ନଖରେ ରାମ୍ପି ପୋକ ସଲବଲ କରିବା ମେଜାଜ୍‌ରେ ଏମାନେ। ଜଣେ ମହିଳା କିଛି କାମ ହାସଲ ପାଇଁ ଦାଣ୍ଡକୁ ଗୋଡ଼ କାଢ଼ିଲେ। ସେ କାମ ହାସଲ ପାଇଁ ବୁଦ୍ଧି ବିବେକ ଲୋଡ଼ା। ନାଇଁ ଯଦି ସେଥିପାଇଁ ‘ଇଜ୍ଜତ’ ଲଗା ଇସାରା ମିଳିଲା, ସେ କାମକୁ ଛିଃ’। ଛେପ ପକେଇ ସେଦିନ ସେ ମହିଳା ଫେରି​‌େ​‌ବ। ଗୌତମଙ୍କ ରୂପ ଧରି ଅହଲ୍ୟାଙ୍କ ଅପରୂପ ସୌନ୍ଦର୍ଯ୍ୟ ଓ ଯୌବନକୁ ଉପଭୋଗ କରିଥିବା ଇନ୍ଦ୍ରଙ୍କ ଦିହ ସାରା କେମିତି ସହସ୍ର ଯୋନି ଫଳିଗଲା। ଓଃ କି ଦୁର୍ଗନ୍ଧ, କି ବିକୃତ ସେ ଦେହ ଓ କଥା! ପ୍ରବଞ୍ଚକ ଇନ୍ଦ୍ର ତ ଭୋଗିଲେ, ତା’ ସହ ବିଚାରି ଅହଲ୍ୟା ତ ଯୁଗଟେ ପଡ଼ି ରହିଲେ ପଥର ହୋଇ, ଶ୍ରୀରାମଙ୍କ ପାଦ ସ୍ପର୍ଶ ପାଇଁ। ଏ ଦେଶ ଏଇଆ। ରାବଣ, ସୀତାଙ୍କୁ ଭୋଗ କରିବାକୁ, କ’ଣ ନ ଯାଚିଲା? ସୀତା ‘ମି ଠୁ’ ବାଲା ହୋଇଥିଲେ, ଆଉ ରାମାୟଣ ସେତୁବନ୍ଧ ହୋଇ ନ ଥା’ନ୍ତା। ରାମ ବି ସେଇଠୁ ଫେରି ଯାଇଥାନ୍ତେ। ‘ମି ଠୁ’ ସୀତା ରାବଣକୁ ପରେ ମରାଇଥାନ୍ତେ କି ନାଇଁ ତା’ ଅନନୁମେୟ। ହଳହଳ ଗିରସ୍ତ ସ୍ତ୍ରୀ ବଦଳାଉଥିବା ସଂସ୍କୃତି ଓ ସଂସ୍କାରର ଦେଶରୁ ‘ମି ଠୁ’ ସୃଷ୍ଟି ଏକ ସ୍ବାଭାବିକ ବ୍ୟବସ୍ଥା, ପରିଣତି। ଧପ୍ପାମି, ଧପ୍ପାବାଜ, ପ୍ରବଞ୍ଚନା, କୃତଘ୍ନତା, ସରମହୀନତାର ୟାଠୁ ବଳି ଉଦାହରଣ କାଇଁ? ଆରେ ମ୍ୟାଡ଼ାମ ଆଜ୍ଞା, ଆପଣ ତ ଠିକ୍‌ ବେଳେ କାମ ଆଦାୟ କରିନେଲେ। ଆବଶ୍ୟକ କାମର ମୂଲ୍ୟକୁ ଆପଣଙ୍କ ଯୌବନ ଓ ରୂପରେ ମଜୁରା କଲେ। ଏବେ ଏ ବିଳିବିଳା କିଅଁା? ଫେରସ୍ତ ଦେଇପାରିବେ ଏବେ ଆପଣ ପାଇଥିବା ସୁବିଧା? ସେତେବେଳେ କହିଲେନି ତ ଏବେ ଆଉ କିଅଁା? ଆପଣ ଭାବିଥିଲେ, ଏଙ୍କୁ ଆପଣଙ୍କ ଅତର ମଖା ଦେହ ଚଟେଇ ଜୀବନ ସାରା ଖେଳି ଥାଆନ୍ତେ। ମାଛକୁ ବନ୍‌ଶୀ କଣ୍ଟାରେ କେଞ୍ଚୁଆ ଢୋକେଇ ତାକୁ ଛଟପଛ ଜୀବନ ଯାଏ କରିଥାନ୍ତେ? ମାତ୍ର ୟେ ତ ତିମି କି ତିମିଙ୍ଗଳ। ତମ ବନଶୀ କଣ୍ଟା ସହ ତମକୁ ଗିଳିଦେବା ଗର୍ଦନର ଏ ବେଟା ସେତେବେଳେ ଥିଲା। ତେଣୁ ତମେ ‘‘କାନ୍ଦୁଥିବ ଯା’ ପାଉଥିବ ବାନ୍ଧୁଥିବ’’ ମନ୍ତ୍ରରେ ଆପଣେଇ ନେଲ ତମ ଫଳକୁ ଏବେ ହାଉଆ ବଦଳିଛି ପ୍ରଗତିକା-ପତାକାରେ ନାରୀ ଏବେ ଦୋଷମୁକ୍ତା, ଦଣ୍ଡମୁକ୍ତା। ସେ ଏବେ ପଦ୍ମପତ୍ର। ପାଣି ତା’ ଠେଇଁ ଲାଗିବନି, ବ୍ୟଭିଚାର ଏବେ ଆଇନ। ରୂପ ଯୌବନର ଯେ ମୂଲ ନାହିଁ ତା’ ନୁହେଁ। ଉଚ୍ଛୃଙ୍ଖଳ, ଅବିଶ୍ବାସୀ, କାମାନ୍ଧ ପୁରୁଷଠୁ ତେଲଲୁଣ କିମତ୍‌ ଆଦାୟ ପାଇଁ କେତେ ନାରୀ ବାରାଙ୍ଗନା ସାଜିଛନ୍ତି। ସେମାନେ ବି ‘ମି ଠୁ’ ଭଳି ନିଜ ରୂପ ଯୌବନକୁ ରାତିକ ପାଇଁ କି ଘଡ଼ିକ ପାଇଁ ବିକି ଦିଅନ୍ତି। ସେଇଠି କଥା ସଇଲା। କୋଉ ପୁରୁଷ କୋଉ ବାରାଙ୍ଗନାକୁ ବା କୋଉ ବାରାଙ୍ଗନା କୋଉ ପୁରୁଷକୁ ଠକି ନ ଥାଏ। ତାକୁ ଅଧିକ ବେଇଜ୍ଜତ୍ କରି ନ ଥାଏ। ୟେ ହେଲା ବେଶ୍ୟା-ବେପାରର ଏଥିକ୍‌ସ, ମୂଲ୍ୟବୋଧ, ନୀତି, ତା’ ନ ହେଲେ ସବୁ ଭୁଶୁଡ଼ି ପଡ଼ିବ। ‘ସୁବିଧାବାଦ’ର ବି ଏଥିକ୍‌ସ, ନୀତି ଅଛି। ଏ ଦେଶ ଆଇନରେ ଅଭିଯୋଗ ଜାହିର ପାଇଁ ସମୟସୀମା ବି ନିର୍ଦ୍ଧାରିତ। ଲ ଅଫ ଲିମିଟେସନ। ତାକୁ ବି ଏମାନେ ଭାଙ୍ଗିଦେଲେ। ମାତ୍ର ଏ ‘ମି ଠୁ’ ବାଲା କଳିକାଳର ସର୍ବଶେଷ ଉଦ୍ଭାବନ। ନିଜ ରୂପ ଯୌବନକୁ ଘୋର ଅନ୍ଧାର ଭିତରେ ମୂଲଚାଲ କରାଇ ସେଦିନ ହାସଲ କରିଥିବା ସଫଳତା ମଧ୍ୟରେ ଏ ସମ୍ପର୍କ ଜାହିର ରଖି ‘ଆହୁରି ଆହୁରି’ର ଏକ ଆହତ ଭାବ ଏବେ ହିଂସ୍ର ହୋଇ ଉଠିଛି। ଭାବିଥିଲେ ‘ମି ଠୁ’ ବାଲୀଏ, ଯୌବନ ବନ୍‌ଶୀର ଏ ଖେଳରେ ବେଟାକୁ ସାରା ଜୀବନ ଖେଳେଇବେ। ଏମ୍‌.ଜେ. ଆକ୍‌ବର ଏବେ ଭାରତର ମନ୍ତ୍ରୀ। ତାଙ୍କଠୁ ସେଇଦିନର କଥାରେ, କାମ ଆଦାୟ ସମ୍ଭବ ନୁହେଁ ଯେମିତି ଯଥାର୍ଥ ବି ନୁହଁ ସେମିତି। ଦିହ ଦେଇ ତୁମେ ଯେଉଁଠି ସେଇଠି, ମାତ୍ର ଏ ବେଟାକୁ ତଳକୁ ଟାଣିବାକୁ ହେବ। ସେ ଯଦି ସେଇଆ ଥିଲା, ତାକୁ ଅଧିକ ମୂଲ ଦେଉନା? ତମେ ବୁଢ଼ୀ, ଶ୍ଲଥ ଚର୍ମା ହୋଇଯାଇଥିଲେ, ତମର ଆଉ କିଏ ରକ୍ତର ସେଇ ଭାବର ଅନୂଢା ଥିବେ ତ ପଠାଇ ପରଖିଲନି, ମୂଲଚାଲ କଲନି? ଅମେଇସିଆ ରାତିର ଏକ ସପନକୁ ଉଦୁଉଦିଆ ଦି ପହରେ ଫେଣେଇଲେ କ’ଣ ହେବ ମ୍ୟାଡ଼ାମ? ତମ ବର ଫର ବୋଧେ କେହି ନାହାନ୍ତି? କ’ଣ ସେ ବିଚରା ଏବେ କରିବ, ଭାବିବ? ନାତୁଣୀ ଥିଲେ କହିବ, ଆଈ ତୁ ବି ​‌େତା’ ଦିହ ଦେଇ ଏତକ କରିଛୁ? ରଙ୍କମାଷ୍ଟ୍ରେ ଫାଷ୍ଟ ଡିଭିଜନ କରେଇ ଦେବେ। ଖାଲି ଥରେ ତାଙ୍କୁ ଧରା ଦେଲେ। ମୁଁ ଭାବୁଛି ତାଙ୍କୁ ବି ‘ମି ଠୁ’ ମାଡ ଟେ ଦେବି। ଫାଷ୍ଟ ଡିଭିଜନ ବି ତ ହୋଇଯିବ।’’ ତା’ ପରେ ଗୁଡେ ଭାଣ୍ଡ, ଭାଡୁଆ, ବେଶ୍ୟା ବାରାଙ୍ଗନାଙ୍କ ଧୂଳି ଝଡ଼ରେ, ଏ ଦୁନିଅା ଡୁବିଯିବ। ଏକୁ ସତ୍‌ କଥନ, ସାହସ ଆଦୌ କୁହାଯାଇପାରିବନି। ୟେ କୃତକର୍ମର ପ୍ରାୟଶ୍ଚିତ୍ତ ବି ନୁହଁ। ଦୁରାଚାରକୁ ସଦାଚାର ଶ୍ରେଣୀଭୁକ୍ତ କରିବାର ଏକ ଘୋର ବଦମାସି, ଧୃଷ୍ଟତା। ସତ୍ ପଣିଆର ଦୂଷିତ ପ୍ରଦର୍ଶନ।
ଲାଗୁଛି, ‘ମି ଠୁ’ ଏକ ମହାମାରୀ, ଯାହା ଲୋପ କରିଦେବ ଏ ସଭ୍ୟତା, ଏ ସଂସ୍କୃତି, ମୂଲ୍ୟବୋଧ ଓ ବିଶ୍ବାସବୋଧ। ଆମେ ଯଦି ସେଇଆ, ଲୋପ ହେବୁ ହିଁ ହେବୁ। ଆସୁ ତେଣୁ ୟେ ଆସୁ। ‘‘ଜୟ ହୋ’’।

Comments
Loading...