ମାଛ ବିକାଳି ଝିଅ ମନୀଷା ରୌପ୍ୟ ପଦକ ବିଜେତା

0

ଭୋପାଳ: ଦକ୍ଷିଣ କୋରିଆର ଚାଙ୍ଗୱନଠାରେ ଆୟୋଜିତ ଆଇଏସଏସଏଫ୍‍ ବିଶ୍ୱକପ୍‍ ସୁଟିଂ ପ୍ରତିଯୋଗିତାର ଜୁନିୟର ମହିଳା ଟ୍ରାପ୍‍ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ ମନୀଷା କିର୍‍।
ମନୀଷାଙ୍କ ବାପା ମାଛ ବିକି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ଝିଅ ରୌପ୍ୟ ପଦକ ଜିତି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୫ ବର୍ଷ ପୂର୍ବେ ମନୀଷା ନଦୀରୁ ମାଛ ଧରିବାରେ ବାପାଙ୍କୁ ସହାୟତା କରୁଥିଲେ। ଝିଅ ରୌପ୍ୟ ପଦକ ଜିତିବା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନୀଷାଙ୍କ ବାପା କୈଳାସ କହିଥିଲେ ବନ୍ଧୁକଚାଳନା (ସୁଟିଂ) ସଂପର୍କରେ ତାଙ୍କର କୌଣସି ଜ୍ଞାନ ନାହିଁ। ତେବେ ଝିଅ ରୌପ୍ୟ ପଦକ ଜିତିଥିବାରୁ ସେ ଓ ପରିବାରର ଅନ୍ୟ ସଦସ୍ୟମାନେ ବେଶ୍‍ ଖୁସି ଅଛନ୍ତି। କୈଳାସ ଆହୁରି କହିଛନ୍ତି ତାଙ୍କ ପରିବାରରେ ୭ ଜଣ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ଝିଅ। ସେ ମାଛ ବିକି କୌଣସି ମତେ ସେମାନଙ୍କ ପେଟ ପୋଷୁଥିବା ବେଳେ ଖେଳକୁଦ ବିଷୟରେ ଚିନ୍ତା କରିବା ସହ ଏଥିପାଇଁ ଅର୍ଥ ଯୋଗାଇ ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସୂଚନାଥାଉକି ମନୀଷାଙ୍କୁ ମଧ୍ୟପ୍ରଦେଶ ସୁଟିଂ ଏକାଡେମୀ ସବୁପ୍ରକାର ସହାୟତା ଯୋଗାଇ ଦେଇଥିଲା। ମନୀଷାଙ୍କ ନିକଟରେ ଜଣେ ଦକ୍ଷ ସୁଟର ହେବାର ଦକ୍ଷତା ଥିବା ଅନୁଭବ କରି ସୁଟିଂ ଏକାଡେମୀ ପକ୍ଷରୁ ତାଙ୍କୁ ତାଲିମ ଯୋଗାଇ ଦିଆଯାଇଥିଲା। ମନୀଷା ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତାରେ ପଦକ ଜିିତିଥିଲେ। ସେ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ତାଙ୍କର ଭଉଣୀ ସୋନା ଓ ଭାଇ ଅଜୟ ମଧ୍ୟ କ୍ରୀଡ଼ାରେ କ୍ୟାରିୟର ଗଠନ ପାଇଁ ପ୍ରୟାସ ଜାରି ରଖିଛନ୍ତି।

Leave A Reply