ମହାନ ରାଷ୍ଟ୍ରନାୟକ

0

ମହାପୁରୁଷମାନଙ୍କଠାରେ କିଛି ବିଶେଷ ଗୁଣଥାଏ। ସେହି ଗୁଣ ହିଁ ତାଙ୍କୁ ମହାମନୀଷୀ ଭାବରେ ସାଧାରଣରେ ପରିଚିତ କରାଇଥାଏ। ସାଧୁତା, ସଚ୍ଚୋଟତା, ସରଳତା, ନିରହଂକାର ଭାବ ଆଦର୍ଶସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଶ୍ରେଷ୍ଠ ଭୂଷଣ ବୋଲି ସେମାନଙ୍କ ଜୀବନୀ ଅନୁଧ୍ୟାନ କଲେ ପ୍ରତୀୟମାନ ହୋଇଥାଏ।
ଦେଶ ସ୍ବାଧୀନତାପ୍ରାପ୍ତି ପରର ଘଟଣା। ସନ୍ଧ୍ୟା ସମୟ ହୋଇଥାଏ। ପଣ୍ଡିତ ଜବାହରଲାଲ ସରକାରୀ ବାସଭବନର ଲେନ୍‌ରେ ଭ୍ରମଣ କରୁଥାନ୍ତି। ପ୍ରତ୍ୟେକ ସମୟରେ ମୁଣ୍ଡରେ ଟୋପି ପରିଧାନ କରୁଥିବା ନେହେରୁ ସେ ସମୟରେ ମୁଣ୍ଡରେ ଟୋପି ଦେଇନଥିଲେ। ବାସଭବନ ପରିସର ଲେନ୍‌ରେ ବୁଲୁବୁଲୁ ଏକ ପ୍ରାଚୀର ନିକଟରେ ପହଞ୍ଚିଯାଇଥିଲେ। ଆଗକୁ ଯିବାକୁ ରାସ୍ତା ନଥିଲା। ତେଣୁ ସେହିଠାରୁ ଫେରି ଆସିଲେ। ଫେରିବା ସମୟରେ ହଠାତ୍‌ ଜଣେ ନିରାପତ୍ତାରକ୍ଷୀଙ୍କ ନଜରରେ ପଡ଼ିଗଲେ।
ଆଦେଶ ଦେବାଭଳି କର୍କଶ ସ୍ବରରେ ନିରାପତ୍ତାରକ୍ଷୀ ନେହେରୁଙ୍କୁ ଅଟକାଇ ପଚାରିଲେ- ତୁମେ କିଏ, କେଉଁଆଡ଼େ ଯାଉଛ? ଏଠାକୁ କିପରି ଆସିଲ?
ନେହେରୁ ନମ୍ର ଭାବରେ ନିଜ ପରିଚୟ ଦେଇଥିଲେ, ହେଲେ ନିରାପତ୍ତାରକ୍ଷୀ ଏହା ବିଶ୍ବାସ କରିନଥିଲେ। ପ୍ରକୃତ କଥା ହେଲା ସେ ନେହେରୁଙ୍କୁ ପୂର୍ବରୁ ଦେଖି ନଥିଲେ। ଆହୁରି ମଧ୍ୟ ସର୍ବଦା ଟୋପି ପରିଧାନ କରୁଥିବା ନେହେରୁଙ୍କ ମୁଣ୍ଡରେ ଟୋପି ନଥିଲା। ନେହେରୁ ଅନୁମାନ କରି ନେଇଥିଲେ ନିଶ୍ଚୟ ନିରାପତ୍ତାରକ୍ଷୀଙ୍କ ବିଚାରଧାରାରେ କିଛିଟା ତ୍ରୁଟି ରହିଛି। ଏହି କାରଣରୁ ତାଙ୍କ ସଂଶୟ ଦୂରକରିବା ଉଦ୍ଦେଶ୍ୟରେ ସେ ନିଜ ପରିଚୟ ଦେଇଥିଲେ।
ନିରାପତ୍ତା ରକ୍ଷୀ ନେହେରୁଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ତାଙ୍କୁ ନିରାପତ୍ତା ଅଧିକାରୀଙ୍କ ନିକଟକୁ ଯିବାକୁ କହିଥିଲା। ଅଚାନକ ନେହେରୁଙ୍କୁ ଦେଖି ନିରାପତ୍ତା ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ତତ୍‌କ୍ଷଣାତ ୍‌ଠିଆହୋଇ ତାଙ୍କୁ ସାଲ୍ୟୁଟ ମାରିଥି​‌େ​‌ଲ। ଏହାଦେଖି ନେହେରୁଙ୍କ ସାଙ୍ଗରେ ଆସିଥିବା ନିରାପତ୍ତାରକ୍ଷୀ ଅନୁଭବ କଲେ ସେ ଅକ୍ଷମଣୀୟ ଭୁଲ କରିଛନ୍ତି। ବ୍ୟକ୍ତି ଜଣକ ନିଜ ପରିଚୟ ବାବଦରେ ଯାହା କହିଥିଲେ ତାହା ସତ୍ୟ ବୋଲି ଜାଣିପାରିଥିଲେ।
ସଙ୍ଗେସଙ୍ଗେ ନେହେରୁଙ୍କ ପାଦତଳେ ପଡ଼ି ଏତାଦୃଶ ଭୁଲ ନିମନ୍ତେ କ୍ଷମା ମାଗିଥିଲେ। ହେଲେ ନେହେରୁ ଏହି ଘଟଣାରେ ସାମାନ୍ୟମାତ୍ର କ୍ରୋଧ ପ୍ରକାଶ କରିନଥିଲେ, ବରଂ ସୁଚାରୁରୂପେ ନିଜର ଦାୟିତ୍ବ ତୁଲାଇ ଥିବାରୁ ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ଖୁବ୍‌ ପ୍ରଶଂସା କରିଥିଲେ। ଏହାସହ ସେହିଦିନ ସ୍ଥିର କଲେ ଯେ ପ୍ରତ୍ୟେକବର୍ଷ ହୋଲି ଅବସରରେ ଘଣ୍ଟାଏ ନିଜ ନିରାପତ୍ତାରକ୍ଷୀଙ୍କ ଗହଣରେ ବିତାଇବେ ଯାହା ପରସ୍ପରକୁ ନିକଟତର କରାଇବାରେ ସହାୟକ ହେବ।

Leave A Reply